ଗୌହାଟୀ: ଇଂଲଣ୍ଡକୁ ଦିନିକିଆ ଶୃଙ୍ଖଳାରେ ପରାସ୍ତ କରିଥିବା ଭାରତୀୟ ମହିଳା ଟିମ ଟି-୨୦ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ସୋମବାର ବିଜୟୀ ହୋଇପାରି ନାହିଁ। ଇଂଲଣ୍ଡ ଗୌହାଟୀ ଟି-୨୦ରେ ୪୧ ରନ୍‌ରେ ବିଜୟୀ ହୋଇଛି। ଏହି ବିଜୟ ସହିତ ଟି-୨୦ ଶୃଙ୍ଖଳାକୁ ୧-୦ରେ ଅଗ୍ରଣୀ କରିଛି। ଏବେ ଭାରତୀୟ ଟିମ୍‌ ଶୃଙ୍ଖଳାକୁ ଜିତିବାକୁ ହେଲେ ଅନ୍ତିମ ୨ଟି ମ୍ୟାଚ୍‌ରେ ବିଜୟୀ ହେବାକୁ ପଡ଼ିବ। ଶୃଙ୍ଖଳାର ଦ୍ୱିତୀୟ ମୁକାବିଲା ଗୁରୁବାର ଖେଳାଯିବ।

Advertisment

ଇଂଲଣ୍ଡ ସୋମବାର ଖେଳାଯାଇଥିବା ମ୍ୟାଚ୍‌ରେ ୪ ଓ୍ଵିକେଟ ହରାଇ ୧୬୦ ରନ୍‌ କରିଥିଲା। ଭାରତୀୟ ଟିମ ଏହାର ଜବାବରେ ୬ ଓ୍ଵିକେଟରେ ୧୧୯ ରନ୍‌ କରିଥିଲା। ଭାରତର ଶୀର୍ଷ କ୍ରମର ଖେଳାଳିମାନେ ୨ ଅଙ୍କ ବିଶିଷ୍ଟ ରନ୍‌ କରିବାରେ ବିଫଳ ହୋଇଥିଲେ। ଅଧିନାୟିକା ସ୍ମୃତି ମାନ୍ଧାନା ଏବଂ ଜେମିମା ରୋଡ୍ରିଗେଜ୍‌ ୨-୨ ରନ୍‌, ମିତାଲି ରାଜ୍‌ ୭ ରନ୍‌ ଏବଂ ହରଲିନ ଦେଓଲ ୮ ରନ୍‌ କରି ପାଭଲିଅନ୍‌ ଫେରିଥିଲେ। ଭାରତୀୟ ଟିମ୍‌ ୪୧ ରନ୍‌ରେ ୪ ଓ୍ଵିକେଟ ହରାଇଥିଲା। ଶିଖା ପାଣ୍ଡେ ଅପରାଜିତ ୨୩ ରନ୍‌ ଓ ଦୀପ୍ତି ଶର୍ମାଙ୍କ ଅପରାଜିତ ୨୨ ରନ୍‌ କରିଥିଲେ। ସେହିପରି ଅରୁନ୍ଧତୀ ରେଡ୍ଡୀ ୧୬ ରନ କରିଥିବା ବେଳେ ବେଦା କୃଷ୍ଣାମୂର୍ତ୍ତି ଦଳ ପାଇଁ ୧୫ ରନ୍‌ ଯୋଡ଼ିଥିଲେ।