ରାଉରକେଲା: ସ୍ଥାନୀୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ରେ ଚାଲିଥିବା ମହିଳା ପ୍ରୋ-ଲିଗ୍ ହକିରେ କ୍ରମାଗତ ଦ୍ବିତୀୟ ପରାଜୟ ବରଣ କରିଛି ଭାରତୀୟ ଦଳ। ଗୋଟିଏ କିମ୍ବା ଦୁଇଟି ନୁହେଁ, ୫ଟି ପେନାଲ୍ଟି କର୍ଣ୍ଣର୍ ସୁଯୋଗକୁ ହାତଛଡ଼ା କରିବା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। କଡ଼ା ସଂଘର୍ଷ କରିଥିଲେ ମଧ୍ୟ ଶେଷରେ ଶକ୍ତିଶାଳୀ ନେଦରଲାଣ୍ଡ୍ସଠୁ ୦-୧ ଗୋଲ୍ରେ ଭାରତ ପରାସ୍ତ ହୋଇଛି। ମ୍ୟାଚ୍ର ପ୍ରଥମ କ୍ବାର୍ଟରରୁ ଉଭୟ ଦଳ ଆକ୍ରମଣାତ୍ମକ ଶୈଳୀ ଆପଣାଇଥିଲେ। ତେବେ କେହି କାହାରିକୁ ଗୋଲ୍ ଦେବାରେ ସଫଳ ହୋଇନଥିଲେ। ଦ୍ବିତୀୟ କ୍ବାର୍ଟରରେ କିନ୍ତୁ ନେଦରଲାଣ୍ଡ୍ସ ଖେଳାଳି ବାଜି ମାରିନେଇଥିଲେ। ୨୭ତମ ମିନିଟ୍ରେ ଫେଲିସ୍ ଆଲବର୍ସ୍ ଏକ ଆକର୍ଷଣୀୟ ଫିଳ୍ଡ ଗୋଲ୍ ଦେଇ ନିଜ ଦଳକୁ ୧-୦ରେ ଆଗୁଆ କରିଥିଲେ। ତୃତୀୟ କ୍ବାର୍ଟରରେ ଭାରତୀୟ ଖେଳାଳିଙ୍କ ଦବ୍ଦବା ଦେଖିବାକୁ ମିଳିଥିଲା। ଏହି କ୍ବାର୍ଟରରେ ଭାରତ ୫ଟି ପେନାଲ୍ଟି କର୍ଣ୍ଣର୍ ଅର୍ଜନ କରିଥିଲା। ତେବେ ଗୋଟିଏକୁ ବି ଗୋଲ୍ରେ ରୂପାନ୍ତରିତ କରିପାରି ନଥିଲା। ଅନ୍ତିମ କ୍ବାର୍ଟରରେ ଭାରତୀୟ ଖେଳାଳି ପ୍ରତ୍ୟାବର୍ତ୍ତନ ପାଇଁ ପ୍ରୟାସ କରିଥିଲେ ମଧ୍ୟ ବିପକ୍ଷ ଦଳର ଦୃଢ଼ ରକ୍ଷଣଭାଗ ଯୋଗୁ ଗୋଲ୍ ଦେଇପାରି ନଥିଲା। ବୁଧବାର ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚ୍ରେ ଅଷ୍ଟ୍ରେଲିଆ ୨-୦ ଗୋଲ୍ରେ ଚୀନକୁ ପରାସ୍ତ କରିଛି।
ଭାରତୀୟ ମହିଳା ଦଳର ଲଗାତାର ପରାଜୟ: ନେଦରଲାଣ୍ଡ୍ସଠୁ ୦-୧ ଗୋଲ୍ରେ ପରାସ୍ତ
/sambad/media/post_attachments/wp-content/uploads/2024/02/fhfshsfhfh.jpg)