ଭୁବନେଶ୍ବର: କାଭା (ସେଣ୍ଟ୍ରାଲ ଏସୀୟ ଭଲିବଲ ଆସୋସିଏସନ) ମହିଳା ଭଲିବଲ୍ ଚ୍ୟାଲେଞ୍ଜ୍ କପ୍ ନେପାଳର କାଠମାଣ୍ଡୁରେ ଚଳିତ ମାସ ୨୨ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଭାରତୀୟ ସିନିୟର ମହିଳା ଭଲିବଲ୍ ଦଳ କାଠମାଣ୍ଡୁ ଅଭିମୁଖେ ଯାତ୍ରା କରିଛି। ଭାରତୀୟ ଭଲିବଲ୍ ଫେଡେରେସନ୍ର ସ୍ବୀକୃତିକ୍ରମେ ଓଡ଼ିଶା ଭଲିବଲ ସଂଘ ଦ୍ବାରା ଚଳିତ ମାସ ୨ରୁ ୧୯ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ କିଟ୍ ବିଶ୍ବବିଦ୍ୟାଳୟର ବିଜୁ ପଟ୍ଟନାୟକ ମଲ୍ଟିପର୍ପୋଜ ଇନ୍ଡୋର ଷ୍ଟାଡିୟମ୍ରେ ସମ୍ଭାବ୍ୟ ୨୪ ଖେଳାଳିଙ୍କୁ ନେଇ ଆୟୋଜିତ ହୋଇଥିବା ପ୍ରଶିକ୍ଷଣ ଶିବିରରୁ ଚୂଡାନ୍ତ ୧୪ ଜଣିଆ ଦଳ ଘୋଷଣା କରାଯାଇଛି।
ଚୂଡାନ୍ତ ଭାରତୀୟ ଦଳରେ ଓଡ଼ିଶାରୁ ଜଣେ ମାତ୍ର ସ୍ଥାନ ପାଇଥିଲା ବେଳେ କେରଳରୁ ୬, ରେଳବାଇରୁ ୫ ଏବଂ ପଶ୍ଚିମବଙ୍ଗ ଓ ହିମାଚଳ ପ୍ରଦେଶର ଜଣେ ଲେଖାଏଁ ସ୍ଥାନ ପାଇଛନ୍ତି। ଖେଳାଳି ଭାବେ ଓଡ଼ିଶାର ଏକମାତ୍ର ଅନନ୍ୟା ଦାସ ଭାରତୀୟ ଦଳରେ ରହିଥିଲା ବେଳେ ୩ ଜଣ ଅଫିସିଆଲଙ୍କ ମଧ୍ୟରୁ ସୁଧାଂଶୁ ଭୂଷଣ ମିଶ୍ର ପ୍ରବନ୍ଧକ ନିଯୁକ୍ତ ହୋଇଛନ୍ତି। ଏଠାରେ ସୂଚନାଯୋଗ୍ୟ, କାଭା ଭଲିବଲ୍ ଚ୍ୟାଲେଞ୍ଜ୍ କପ୍ ପରେ ଭାରତୀୟ ଦଳ ଜୁନ୍ ୧୮ରୁ ୨୮ ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆରେ ଆୟୋଜିତ ଚତୁର୍ଥ ଏଭିସି ମହିଳା ଚ୍ୟାଲେଞ୍ଜର୍ରେ ଭାଗନେବ। କାଠମାଣ୍ଡୁରେ କାଭା ଚ୍ୟାଲେଞ୍ଜ୍ କପ୍ର ୨୮ ତାରିଖ ଉଦ୍ଯାପନୀ ଉତ୍ସବରେ ‘କାଭା’ର ପ୍ରାଶାସନିକ ବୋର୍ଡ ସଦସ୍ୟ ଅଚ୍ୟୁତ ସାମନ୍ତ ଅତିଥି ଭାବେ ଯୋଗଦେବେ ବୋଲି ଜଣାପଡ଼ିଛି। କାଠମାଣ୍ଡୁ ଯାତ୍ରା ପୂର୍ବରୁ ଭାରତୀୟ ଦଳକୁ ଶୁଭକାମନା ଜଣାଇଛନ୍ତି କିଟ୍ ଓ କିସ୍ର ପ୍ରତିଷ୍ଠାତା ପ୍ରଫେସର ସାମନ୍ତ।
ଭାରତୀୟ ମହିଳା ଦଳ: ନିର୍ମଳା (ଅଧିନାୟିକା), ଜିନ୍ସି ଜନ୍ସନ, ଆଞ୍ଜେଲ ଯୋସେଫ୍, ଏସ୍ ସାଳିନୀ, ଅଶ୍ବିନୀ କେ, ମାୟା ଥୋମାସ, ଅନୁଶ୍ରୀ କେପି, ସୂରୢା ଏସ୍, ଜିନି କେଏସ୍, ଶିଳ୍ପା ଆର୍ଏସ୍, ପ୍ରେରଣା ପାଲ୍, ହେମଲତା, ଅଶ୍ବଥି ଆର୍, ଅନନ୍ୟା ଦାସ। ଅଫିସିଆଲ-ସୁଧାଂଶୁ ଭୂଷଣ ମିଶ୍ର (ପ୍ରବନ୍ଧକ), ପ୍ରୀତମ ସିଂହ ଚୌହାନ (ମୁଖ୍ୟ ପ୍ରଶିକ୍ଷକ), ବୈଶାଳୀ ଫଦ୍ତାରେ (ସହକାରୀ ପ୍ରଶିକ୍ଷକ)।