ନୂଆଦିଲ୍ଲୀ: ଧାର୍ଯ୍ୟ ସମୟ ମଧ୍ୟରେ ନିର୍ବାଚନ ପ୍ରକ୍ରିୟା ଶେଷ କରିପାରିନଥିବାରୁ ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍‌ଆଇ) କୁ ବିଶ୍ବ କୁସ୍ତି ମହାସଂଘ (ୟୁଡବ୍ଲୁଡବ୍ଲୁ) ନିଲମ୍ବିତ କରିଛି। ଏହାଫଳରେ ସେପ୍ଟେମ୍ବର ୧୬ ତାରିଖରୁ ହେବାକୁ ଥିବା ବିଶ୍ବ କୁସ୍ତି ଚାମ୍ପିଅନ୍‌ସିପ୍‌ରେ ଭାରତୀୟ ଖେଳାଳିମାନଙ୍କୁ ଭାଗ ନେବା ପାଇଁ ଅନୁମତି ମିଳିବନି। ଯଦି ଖେଳାଳିମାନେ ଚାହିଁବେ ତାହେଲେ ନିରପେକ୍ଷ ଖେଳାଳି ଭାବେ ବିଶ୍ବ ଚାମ୍ପିଅନ୍‌ସିପ୍‌ରେ ଭାଗ ନେଇପାରିବେ।। ଡବ୍ଲୁଏଫ୍‌ଆଇ ଆଡ୍‌ ହକ୍‌ ପ୍ୟାନେଲ୍‌ ପାତିଆଲାରେ ବିଶ୍ବ ଚାମ୍ପିଅନ୍‌ସିପ୍‌ ପାଇଁ ଟ୍ରାଏଲ୍ସ ଆରମ୍ଭ କରିବାର ଗୋଟିଏ ଦିନ ପୂର୍ବରୁ ଏହି ଖବର ଆସିଛି।

Advertisment

ଡବ୍ଲୁଏଫ୍‌ଆଇ ସଭାପତି ଓ କିଛି ପ୍ରଶିକ୍ଷକଙ୍କ ବିରୋଧରେ ଯୌନ ନିର୍ଯାତନା ଭଳି ଅଭି ଯୋଗ ଆଣି କେତେକ ଶୀର୍ଷ କୁସ୍ତିଯୋଦ୍ଧା ଦିଲ୍ଲୀରେ ଧାରଣା ଦେଇଥିଲେ। ଏହାପରଠୁ ଦେଶରେ କୁସ୍ତି ପରିଚାଳନା ପାଇଁ ଭାରତୀୟ ଅଲିମ୍ପିକ ସଂଘ ପକ୍ଷରୁ ଆଡ୍‌ ହକ୍‌ ପ୍ୟାନେଲ୍‌ ଏପ୍ରିଲ୍‌ ୨୭ ତାରିଖରେ ଗଠନ କରାଯାଇଥିଲା। ଏହାର ୪୫ ଦିନ ମଧ୍ୟରେ ଡବ୍ଲୁଏଫ୍‌ଆଇ ନିର୍ବାଚନ ଶେଷ କରିବାକୁ ୟୁଡବ୍ଲୁଡବ୍ଲୁ ନିର୍ଦ୍ଦେଶ ଦେବା ସହ ଏପରି ନକଲେ ଏହି ଭାରତୀୟ ସଂଘକୁ ନିଲମ୍ବନ କରିବାକୁ ଚେତାବନୀ ଦେଇଥିଲା। ବାରମ୍ବାର କୋର୍ଟରେ ମାମଲା ପଡୁଥିବାରୁ ନିର୍ବାଚନ କରାଯିବା ଉପରେ ରୋକ୍‌ ଲଗାଯାଇଛି।

ହେଲେ ଧାର୍ଯ୍ୟ ସମୟ ମଧ୍ୟରେ ନିର୍ବାଚନ ଶେଷ‌ ହୋଇନଥିବାରୁ ବୁଧବାର ରାତିରେ ୟୁଡବ୍ଲୁଡବ୍ଲୁ ପକ୍ଷରୁ ଆଡ ହକ୍‌ ପ୍ୟାନେଲ୍‌କୁ ନିଲମ୍ବନ ସଂପର୍କରେ ଜଣାଇଦେଇଥିଲା। ଏହି ଖବର ଆସିବା ପରେ ଆଡ ହକ୍‌ ପ୍ୟାନେଲ୍‌ର ସଦସ୍ୟ ଜିଆନ୍‌ ସିଂହ ଏଥିପାଇଁ ସିଧାସଳଖ ପ୍ୟାନେଲ୍‌ ମୁଖ୍ୟ ଭୂପିନ୍ଦର ସିଂହ ବାଜୱାଙ୍କୁ ଦାୟୀ କରିଛନ୍ତି। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ପ୍ୟାନେଲ୍‌ ସଦସ୍ୟଙ୍କ ସହିତ ବାଜୱା ଆଲୋଚନା କରୁନଥିବା ବେଳେ ସେ ନିଜକୁ ସବୁବେଳେ ବ୍ୟସ୍ତ ରଖୁଥିବା ଦର୍ଶାଇ ଆସୁଛନ୍ତି। ଯେଉଁଥିପାଇଁ ଏଭଳି ମାମଲାକୁ ଠିକ୍‌ ଢଙ୍ଗରେ ପରିଚାଳନା କରାଯାଇପାରିନଥିବା ଜିଆନ୍‌ ସିଂହ ଅଭିଯୋଗ କରିଛନ୍ତି।
ନିକଟରେ ୨୦ ବର୍ଷରୁ କମ୍‌ ଭାରତୀୟ ମହିଳା କୁସ୍ତି ଦଳ ପ୍ରଥମ ଥର ପାଇଁ ବିଶ୍ବ ଚାମ୍ପିଅନ୍‌ସିପ୍‌ରେ ବିଜେତା ହୋଇଛି।

ଏହି ବିଜୟ ପାଇଁ ସେମାନଙ୍କୁ ପଏଣ୍ଟ ପ୍ରଦାନ କରାଯାଇଛି। କିନ୍ତୁ ଆଗକୁ ସର୍ବିଆରେ ବରିଷ୍ଠ ବିଶ୍ବ ଚାମ୍ପିଅନ୍‌ସିପ୍‌ ଥିଲେ ବି ସେଠାରେ ଭାରତୀୟ କୁସ୍ତିବିତ୍‌ମାନେ ନିରପେକ୍ଷ ଖେଳାଳି ଭାବେ ଖେଳିବେ ଏବଂ ସେମାନଙ୍କୁ ପଏଣ୍ଟ ମିଳିବ ନାହିଁ। ତଥାପି ବିଶ୍ବ ଚାମ୍ପିଅନ୍‌ସିପ୍‌ରେ ଭାରତ ଅଧିନରେ ଖେଳାଳିମାନେ ପ୍ରତିନିଧିତ୍ବ କରିନପାରିଲେ ବି ହାଙ୍ଗ‌ଝୌରେ ହେବାକୁ ଥିବା ଏସୀୟ କ୍ରୀଡ଼ାରେ ଭାରତକୁ ପ୍ରତିନିଧିତ୍ବ କରିପାରିବେ। କାରଣ ଏସୀୟ କ୍ରୀଡ଼ାକୁ ଭାରତୀୟ ଅଲିମ୍ପିକ ସଂଘ (ଆଇଓଏ) ଖେଳାଳିମାନଙ୍କ ପ୍ରବେଶିକା ପଠାଇଛି। ସୂଚନାଯୋଗ୍ୟ, ଡବ୍ଲୁଏଫ୍‌ଆଇ ନିର୍ବାଚନ ମେ ୭ ତାରିଖରେ ‌କରାଯିବାକୁ ସ୍ଥିର ହୋଇଥିଲା। କିନ୍ତୁ କ୍ରୀଡ଼ା ମନ୍ତ୍ରାଳୟ ଏହାକୁ ଅବୈଧ ଘୋଷଣା କରିବା ପରେ ଆଇଓଏ ପକ୍ଷରୁ ଆଡ୍‌ହକ୍‌ ପ୍ୟାନେଲ୍‌ ଗଠନ କରାଯାଇଥିଲା। ପରବର୍ତୀ ନିର୍ବାଚନ ଅଗଷ୍ଟ ୧୨ ତାରିଖରେ ହେବାର ଥିଲେ ମଧ୍ୟ ଅଦାଲତର ରହିତାଦେଶ କାରଣରୁ ଏହା ସ୍ଥଗିତ ରହିଛି। ଏକାଧିକ ଥର ଅସନ୍ତୁଷ୍ଟ ରାଜ୍ୟ ସଂଘଙ୍କ ତରଫରୁ କୋର୍ଟରେ ମାମଲା ରୁଜୁ କରାଯିବାରୁ ଶୁଣାଣି ଶେଷ ହୋଇପାରୁନାହିଁ। ଏବେ ମଧ୍ୟ ମାମଲା ସୁପ୍ରିମ୍‌କୋର୍ଟରେ ବିଚାରାଧିନ ଅଛି।