ଟୋକିଓ: ଟୋକିଓ ଅଲିମ୍ପିକ୍ସ କ୍ରୀଡ଼ା ଗ୍ରାମରେ ପହଞ୍ଚିଥିବା ଭାରତୀୟ କ୍ରୀଡ଼ାବିତ୍‌ମାନେ ମିଶ୍ରିତ ମତ ରଖିଛନ୍ତି। ଖାଦ୍ୟପେୟ ଓ ଅନ୍ୟ ସୁବିଧା ସୁଯୋଗକୁ ନେଇ ଖୁସି ହୋଇଛନ୍ତି। ତେବେ ଗରମ ପାଣି ପାଇଁ ଆବଶ୍ୟକ ବିଦ୍ୟୁତଚାଳିତ କେଟଲ୍‌ ନଥିବାରୁ ଭାରତୀୟ ଦୂତାବାସରୁ ୧୦୦ରୁ ଊର୍ଧ୍ବ କେଟଲ୍‌ ମଗାଯାଇଛି। କ୍ରୀଡ଼ାଗ୍ରାମରେ ଥିବା ରୁମ୍‌ଗୁଡ଼ିକରେ କେଟଲ୍‌ ପ୍ରଦାନ କରାଯାଇନାହିଁ। କୋଭିଡ୍‌ ପରିସ୍ଥିତି ସମୟରେ ଆୟୋଜିତ ‌ଅଲିମ୍ପିକ୍ସ ଲାଗି ମଧ୍ୟ କ୍ରୀଡ଼ାଗ୍ରାମର ରୁମ୍‌ଗୁଡ଼ିକରେ ଦୈନିକ ସ‌ଫେଇ ବ୍ୟବସ୍ଥା କରାଯିବ ନାହିଁ।

Advertisment

ସଫେଇ ବାଲା ଲୋକଙ୍କ ସହ ନିୟମିତ ସମ୍ପର୍କରେ ନ ଅସିବା ଲାଗି ପ୍ରତି ୩ ଦିନରେ ରୁମ୍‌ଗୁଡ଼ିକ ସଫେଇ ହେବ। କ୍ରୀଡ଼ାଗ୍ରାମରେ ୨ ଦିନ ବିତାଇବା ପରେ ଭାରତୀୟ ଦଳ ଡେପୁଟି ଚିଫ୍‌ ଡି’ ମିସନ୍‌ ପ୍ରେମ ବର୍ମା କହିଛନ୍ତି ‘ଖେଳାଳିମାନେ ସକାଳେ ଗରମ ପାଣି ପିଇବା ଲାଗି କେଟଲ୍ ଆବଶ୍ୟକ କରୁଛନ୍ତି। ଭାରତୀୟ ଦୂତାବାସକୁ ଆମେ ଅନୁରୋଧ କରିଛୁ ଏବଂ ଖୁବ୍ ଶୀଘ୍ର ମିଳିଯିବ’‌। ବାହାର ଲୋକଙ୍କ ସହ ସଂଯୋଗକୁ ଅନ୍ୟୁନ କରିବା ଲାଗି ପ୍ରତି ୩ ଦିନରେ ଘର ସଫେଇ ହେବ ବୋଲି କୁହାଯାଇଛି। ଏହା କିନ୍ତୁ ଦୈନିକ ହେବା ଉଚିତ, ଏପରିକି ଟାୱେଲକୁ ଗ୍ରାଉଣ୍ଡ୍‌ ଫ୍ଲୋରରେ ଦୈନିକ ଭିତ୍ତିରେ ବଦଳାଯାଇପାରନ୍ତା ବୋଲି ବର୍ମା କହିଥିଲେ।

ଖାଦ୍ୟକୁ ନେଇ କୌଣସି ଅଭିଯୋଗ ମିଳିନାହିଁ। ମୁଁ ଗତକାଲି ଡାଲ୍‌ ଓ ପରଟ୍ଟା ପାଇଥିଲି, ସତେଜ ଓ ତାଜା ଥିଲା ବୋଲି କହିଛନ୍ତି ଭାରତୀୟ ଖେଳାଳି ଜି ସାଥିଆଁ। ଖେଳାଳିମାନଙ୍କୁ ମୁଁ କଣ୍ଟିନେଣ୍ଟାଲ କିମ୍ବା ଜାପାନି ଖାଦ୍ୟ ନେବାକୁ ପରାମର୍ଶ ଦେଇଛି। ଭାରତୀୟ ଖାଦ୍ୟ ସବୁଠୁ ବଢ଼ିଆ’ ବୋଲି ବର୍ମା ପ୍ରକାଶ କରିଥିଲେ। କ୍ରୀଡ଼ାଗ୍ରାମରେ ଅଦ୍ୟାବଧି ୧୦୦ରୁ ଊର୍ଧ୍ବ ଭାରତୀୟ ପହଞ୍ଚି ସାରିଛନ୍ତି। କୋଭିଡ୍‌ ଟେଷ୍ଟ୍ ଲାଗି ମଧ୍ୟ ସମସ୍ତଙ୍କୁ କିଟ୍‌ ଦିଆଯାଇଛି ଏବଂ ଅଭ୍ୟାସକୁ ଯିବା ପୂର୍ବରୁ ସେମାନଙ୍କ ସ୍ବାବ ସଂଗ୍ରହ କରାଯାଉଛି।