ନୂଆ କମଳା ଜର୍ସିକୁ କୋହଲିଙ୍କ ପ୍ରଶଂସା

ଏଜ୍‌ବାଷ୍ଟନ: ଭାରତୀୟ ଦଳ ରବିବାର ଆୟୋଜକ ଇଂଲଣ୍ଡ ବିପକ୍ଷରେ ବିଶ୍ବକପ୍‌ର ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ ଖେଳିବ। ଏହି ମ୍ୟାଚ୍‌ରେ ଭାରତୀୟ ଦଳ ମଧ୍ୟ ନୂଆ ଜର୍ସି ପରିଧାନ କରି ପଡ଼ିଆକୁ ଓହ୍ଲାଇବ। ନୀଳ ଜର୍ସି ପିନ୍ଧି ଏପର୍ଯ୍ୟନ୍ତ ଖେଳି ଆସିଥିବା ଭାରତୀୟ ଦଳ ବିଦେଶମାଟିରେ ପ୍ରଥମ ଥର ଲାଗି କମଳା ଓ ନୀଳ ମିଶ୍ରିତ ଜର୍ସି ପିନ୍ଧି ଖେଳିବ। ଏହି ନୂଆ ଜର୍ସିର ରଙ୍ଗକୁ ନେଇ ରାଜନୈତିକ ସ୍ତର‌ରେ କିଛିଟା ଝଡ଼ ସୃଷ୍ଟି ହୋଇଥିଲେ ମଧ୍ୟ ଅଧିନାୟକ ବିରାଟ କୋହଲି ଏହାକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଇଂଲଣ୍ଡ ଦଳ ହାଲ୍‌କା ନୀଳ ରଙ୍ଗର ଜର୍ସି ପିନ୍ଧୁଥିବାରୁ ତା’ଠୁ ଫରକ ରହିବା ପାଇଁ ଭାରତୀୟ ଦଳ ନୂଆ ଜର୍ସି ପ୍ରସ୍ତୁତ କରିଛି। ମୁଁ ଏହାକୁ ପୂରା ପସନ୍ଦ କରୁଛି। ମୁଁ ଭାବୁଛି ଇଂଲଣ୍ଡରେ ଏହି ଜର୍ସି ଶୁଭ ସାବ୍ୟସ୍ତ ହେବ। ୧ରୁ ୧୦ ମଧ୍ୟରେ ଜର୍ସିର ମାନ କେତେ ରହିବ ବୋଲି ପଚରାଯିବାରୁ ଏହା ମୋ ପାଇଁ ୮ ବୋଲି କୋହଲି କହିଥିଲେ। ନମ୍ରତାର ସହ କହୁଛି, ଏହାର ସୁ୍ନ୍ଦରତା ନେଇ ମୁଁ କହୁନାହିଁ। ବରଂ ମୁଁ ଏହାକୁ ପସନ୍ଦ କରୁଛି। ଏହାର ରଙ୍ଗ ସମନ୍ବୟ ଖୁବ୍‌ ସୁନ୍ଦର ବୋଲି କୋହଲି କହିଛନ୍ତି। ତଥାପି ଗୋଟିଏ ମ୍ୟାଚ୍‌ ପାଇଁ ଏହା ଚଳିବ। ସ୍ଥାୟୀ ଭାବେ ଆମେ ନୂଆ ଜର୍ସି ପିନ୍ଧିବୁ ବୋଲି ମୁଁ ଭାବୁନି। କାରଣ ନୀଳ ହିଁ ଆମର ସବୁବେଳର ରଙ୍ଗ, ଯାହାକୁ ପିନ୍ଧି ଆମେ ଗର୍ବ ଓ ଗୌରବ ଅନୁଭବ କରୁଛୁ ବୋଲି କୋହଲି କହିଛନ୍ତି।

ଚଳିତ ବିଶ୍ବକପ୍‌ରେ ମଧ୍ୟ ଅନ୍ୟ ଦଳଗୁଡ଼ିକ ସେମାନଙ୍କ ପ୍ରତିଦ୍ବନ୍ଦ୍ବୀଙ୍କଠାରୁ ଅଲଗା ରହିବା ପାଇଁ ଭିନ୍ନ ରଙ୍ଗର ଜର୍ସି ପରିଧାନ କରୁଛନ୍ତି। ନୀଳ ଜର୍ସିରେ ପରିଧାନ କରୁଥିବା ଆଫ୍‌ଗାନିସ୍ତାନ ମଧ୍ୟ ତା’ର ୩ ମ୍ୟାଚ୍‌ ନାଲି ରଙ୍ଗ ଜର୍ସିରେ ଖେଳିଛି। ସାଧାରଣତଃ ସବୁଜ ରଙ୍ଗ ଜର୍ସି ପିନ୍ଧୁଥିବା ଦକ୍ଷିଣ ଆଫ୍ରିକା ଦୁଇଟି ମ୍ୟାଚ୍‌ରେ ସୁବର୍ଣ୍ଣ ରଙ୍ଗ ଏବଂ ଶ୍ରୀଲଙ୍କା ଦଳ କିଛି ମ୍ୟାଚ୍‌ରେ ଚିରାଚରିତ ହଳଦିଆ ପରିବର୍ତେ ନୀଳ ରଙ୍ଗକୁ ବାଛିଛି। ବାଂଲାଦେଶ ତା’ର ସବୁଜ ରଙ୍ଗ ପରିବର୍ତେ ଲର୍ଡସ୍‌ରେ ପାକିସ୍ତାନ ବିପକ୍ଷ ଜୁଲାଇ ୫ ମ୍ୟାଚ୍‌କୁ ନାଲି ଜର୍ସି ପରିଧାନ କରି ଓହ୍ଲାଇବ।

ସମ୍ବନ୍ଧିତ ଖବର