ଟାଇଟନ୍ସଠୁ ବିଜୟ ଛଡ଼ାଇନେଲା ଇଣ୍ଡିଆନ୍ସ

ଟ୍ବେଣ୍ଟି-୨୦ରେ ୧୦୦ ୱିକେଟ୍‌ ପୂରଣ କଲେ ଖଲିଲ

ମୁମ୍ବାଇ : ଗୁଜରାଟ ଟାଇଟନ୍ସ ନିଶ୍ଚିତ ବିଜୟ ଆଡ଼କୁ ଅଗ୍ରସର ହେଉଥିବା ବେଳେ ଶେଷ ଓଭରରେ ମାତ୍ର ୫ ରନ୍‌ରେ ବିଜୟ ଛଡ଼ାଇ ନେଇଛି ମୁମ୍ବାଇ ଇଣ୍ଡିଆନ୍ସ। ମୁମ୍ବାଇର ୧୭୭ ରନ୍‌ ଜବାବରେ ଗୁଜରାଟକୁ ଶେଷ ଓଭରରେ ୯ ରନ୍‌ ଆବଶ୍ୟକ ପଡ଼ିଥିଲା। ଡାନିଏଲ୍ ସାମ୍ସଙ୍କ ଚତୁର ବୋଲିଂ କାରଣରୁ ଗୁଜରାଟ ମାତ୍ର ୩ ରନ୍‌ ସଂଗ୍ରହ କରିପାରିଥିଲା। ସାମ୍ସଙ୍କ ୱାଇଡ୍ ୟର୍କର ଆଗରେ ରାହୁଲ ତିୱାତିଆ, ‌ଡେଭିଡ୍ ମିଲର୍‌ ବେକାବୁ ହୋଇଯାଇଥିଲେ। ପଏଣ୍ଟ ଟେବୁଲ ଶୀର୍ଷରେ ଥିବା ହାର୍ଦିକ ପାଣ୍ଡ୍ୟାଙ୍କ ଦଳ ୧୭୨/୫ରେ ଅଟକିଯାଇଥିଲା। ଫଳରେ ପ୍ରଥମ ୱିକେଟ୍‌ ପାଇଁ ଋଦ୍ଧିମାନ ସାହା (୫୫, ୪୦ ବଲ୍) ଏବଂ ଶୁବମନ ଗିଲ୍ (୫୨, ୩୬ ବଲ୍‌) ପ୍ରତିଷ୍ଠା କରିଥିବା ଶତକୀୟ ଭାଗୀଦାରି (୧୨ ଓଭରରେ ୧୦୬ ରନ୍‌) ନିଷ୍ଫଳ ଯାଇଥିଲା। ଶେଷ ଭାଗରେ ହାର୍ଦିକ ପାଣ୍ଡ୍ୟା ଏବଂ ରାହୁଲ ତିୱାତିଆଙ୍କ ରନ୍‌ ଆଉଟ୍ ଗୁଜରାଟକୁ ବିଜୟରୁ ବଞ୍ଚିତ ରଖିଥିଲା। ସାଇ ସୁଦର୍ଶନ ମଧ୍ୟ ହିଟ୍ ୱିକେଟ୍‌ ହୋଇଥିଲେ। ଏଥି ସହିତ ମୁମ୍ବାଇ ଦଶମ ମ୍ୟାଚ୍‌ରୁ ଦ୍ବିତୀୟ ବିଜୟ ପାଇଥିବା ବେଳେ ଗୁଜରାଟ ୧୧ ମ୍ୟାଚ୍‌ରୁ ଦ୍ବିତୀୟ ପରାଜୟ ବରଣ କରିଥିଲା। ପ୍ରଥମ ୮ ମ୍ୟାଚ୍‌ ହାରିଥିବା ମୁମ୍ବାଇ ଲଗାତାର ବିଜୟ ପାଇଥିବା ବେଳେ ଗୁଜରାଟ ମଧ୍ୟ ଲଗାତାର ପରାଜୟ ବରଣ କରିଛି। ଟିମ୍‌ ଡେଭିଡ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ବ୍ରାବର୍ଣ୍ଣରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରାରମ୍ଭିକ ଯୋଡ଼ି ରୋହିତ ଶର୍ମା ଏବଂ ଈଶାନ କିଶନ ବଢ଼ିଆ ଆରମ୍ଭ କରିଥିଲେ ମଧ୍ୟ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ତଥାପି ଗୁଜରାଟ ଟାଇଟନ୍ସ ବିପକ୍ଷ ଏହି ମ୍ୟାଚ୍‌ରେ ୫ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ୧୭୭ ରନ୍‌ର ଲଢ଼ୁଆ ସ୍କୋର୍‌ ଛିଡ଼ା କରିଥିଲା। ଈଶାନ କିଶନ (୪୫, ୨୯ ବଲ୍‌, ୫ ଚୌକା, ୧ ଛକା) ଏବଂ ରୋହିତ ଶର୍ମା (୪୩, ୨୮ ବଲ୍‌, ୫ ଚୌକା, ୨ ଛକା) ପ୍ରଥମ ୱିକେଟ୍‌ ପାଇଁ ୭.୩ ଓଭରରେ ୭୪ ରନ୍‌ ଉଠାଇଥିଲେ ମଧ୍ୟ ମଧ୍ୟକ୍ରମରେ ସୂର୍ଯ୍ୟକୁମାର ଯାଦବ (୧୧ ବଲରୁ ୧୩ ରନ୍), ତିଳକ ବର୍ମା (୧୬ ବଲରୁ ୨୧ ରନ୍‌), କିରଣ ପୋଲାର୍ଡ (୧୪ ବଲରୁ ୪ ରନ୍‌) ପ୍ରତିଟି ରନ୍‌ ପାଇଁ ସଂଘର୍ଷ କରିଥିଲେ। ନିମ୍ନକ୍ରମରେ ଟିମ୍‌ ଡେଭିଡ୍‌ (୨୧ ବଲରୁ ୪୪ ରନ୍‌, ୨ ଚୌକା, ୪ ଛକା)ଙ୍କ ପାଳି କାରଣରୁ ମୁମ୍ବାଇ ଦଳଗତ ପ୍ରଦର୍ଶନର ନମୁନା ଦେଖାଇଥିଲା। ଗୁଜରାଟ ଲାୟନ୍ସ ବୋଲରମାନେ ମଧ୍ୟ ଦଳଗତ ଭାବେ ଭଲ କରିଥିଲେ। କେବଳ ମହମ୍ମଦ ସାମି ଏବଂ ଅଲଜାରି ଯୋସେଫ ଓଭର ପିଛା ୧୦ରୁ ଊର୍ଧ୍ବ ରନ୍‌ ବ୍ୟୟ କରିଥିଲେ। ସ୍ପିନର ରସିଦ୍ ଖାନ୍‌ (୨-୦-୨୪-୨) ସବୁଠୁ ପ୍ରଭାବୀ ବୋଲିଂ କରିଥି‌ଲେ। ମୁମ୍ବାଇ କିନ୍ତୁ ପାଳି ସାରା ଅସ୍ଥିର ପ୍ରଦର୍ଶନ ଦେଇଥିଲା। ପାୱାର ପ୍ଲେ (ପ୍ରଥମ ୬ ଓଭର)ରେ ୬୩/୦ ସ୍କୋର୍‌ କରିଥିବା ମୁମ୍ବାଇ ମଧ୍ୟକ୍ରମ (୭ରୁ ୧୫ ଓଭର) ୫୭/୪ ଏବଂ ଡେଥ୍‌ ଓଭର (୬ ଓଭର) ଗୁଡିକରୁ ୫୭/୨ ସଂଗ୍ରହ କରିଥିଲା। ମଧ୍ୟକ୍ରମ ୯ ଓଭରରେ ୪ ୱିକେଟ୍ ହରାଇବା ସହ ମାତ୍ର ୬.୩୩ ହାରରେ ରନ୍‌ ସଂଗ୍ରହ କରିବାରୁ ଦଳ ପାଇଥିବା ମୁଳଦୁଆରୁ ଫାଇଦା ଉଠାଇ ପାରିନଥିଲା।

ଟ୍ବେଣ୍ଟି-୨୦ରେ ୧୦୦ ୱିକେଟ୍‌ ପୂରଣ କଲେ ଖଲିଲ

ମୁମ୍ବାଇ : ଦିଲ୍ଲୀ କ୍ୟାପିଟାଲ୍ସ ଦ୍ରୁତ ବୋଲର ଖଲିଲ ଅହମ୍ମଦ ମଙ୍ଗଳବାର ଟି-୨୦ କ୍ରିକେଟ୍‌ରେ ୧୦୦ ୱିକେଟ୍‌ ମାଇଲଖୁଣ୍ଟ ଛୁଇଁଛନ୍ତି। ବ୍ରାବର୍ଣ୍ଣ ଷ୍ଟାଡିୟମରେ ଖେଳାଯାଇଥିବା ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ରେ ସେ ଏହି ମାଇଲଖୁଣ୍ଟ ଛୁଇଁଥିଲେ। ଏହି ମ୍ୟାଚ୍‌ରେ ସେ ୩ ୱିକେଟ୍‌ ନେଇଥିଲେ। ଅଭିଷେକ ଶର୍ମା, ଏଦେନ ମର୍କରାମ ଓ ସିନ୍‌ ଆବଟ ତାଙ୍କ ଶିକାର ହୋଇଥି‌ଲେ। ‌ତାଙ୍କ ବୋଲିଂ ସଫଳତା ଏବଂ ଡେଭିଡ ୱାର୍ଣ୍ଣର ଓ ରୋଭମାନ ପାୱେଲଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ୨୧ ରନ୍‌ରେ ବିଜୟୀ ହୋଇଥିଲା।

ସମ୍ବନ୍ଧିତ ଖବର