ନୂଆଦିଲ୍ଲୀ: ଗ୍ରୀଷ୍ମ ଅଲିମ୍ପିକ୍ସରେ ଭାଗନେବାରେ ଭାରତ ୧୦୦ ବର୍ଷ ପୂରଣ କରିଛି। ଏହି ଶତକୀୟ ମାଇଲଖୁଣ୍ଟ ଉତ୍ସବ ପାଳନ ଲାଗି ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ) ଏକ ଆନୁଷ୍ଠାନିକ ଓ ବ୍ୟାବସାୟିକ ଲୋଗୋ ଆସନ୍ତା ଅଗଷ୍ଟ ୧୫ ତାରିଖରେ ଉନ୍ମୋଚନ କରିବାକୁ ଯାଉଥିଲା ବେଳେ ନୂଆ ବ୍ରାଣ୍ଡିଂ ଏବଂ ଦୃଶ୍ୟମାନ ପରିଚୟ ଗ୍ରହଣ କରିଛି। ଅଲିମ୍ପିକ୍ ଗେମ୍ସରେ ଭାରତୀୟ ଆଥଲେଟ୍ମାନଙ୍କ ୧୦୦ ବର୍ଷର ଅଂଶଗ୍ରହଣ ଉତ୍ସବ ପାଳନ ଅବସରରେ ଏକ ନୂତନ ପରିଚୟ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଟିମ୍ ଇଣ୍ଡିଆକୁ ଗଢ଼ିବାରେ ଆଥଲେଟ୍ସ ଓ ଅଧିକାରୀଙ୍କ ପ୍ରମୁଖ ଅବଦାନ ରହିଛି।
ଦେଶବ୍ୟାପୀ ଏକ ଶତାବ୍ଦୀର ଏହି ମାଇଲଖୁଣ୍ଟ ଲାଗି ଉତ୍ସବ ପାଳନ କରାଯିବ ବୋଲି ଆଇଓଏ କହିଛି। ଭାରତୀୟ ଅଲିମ୍ପିକ୍ ସଂଘର ନୂତନ ଲୋଗୋ ହେଉଛି ଆମ ଦେଶର ପରିଚୟ ଏବଂ କ୍ରୀଡ଼ାରେ ମୂଲ୍ୟବୋଧର ପ୍ରତୀକ ବୋଲି ଆଇଓଏ ସଭାପତି ନରିନ୍ଦର ବାତ୍ରା ଓ ମହାସଚିବ ରାଜୀବ ମେହତା ମିଳିତ ଭାବେ ଏକ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି। ଖେଳାଳିମାନେ ଟିମ୍ ଇଣ୍ଡିଆ ପାଇଁ ବିଶ୍ବ ମଞ୍ଚକୁ ଯିବାବେଳେ ଯେଉଁ ଗର୍ବ ଦେଖାଇଥାନ୍ତି ତାହାକୁ ନେଇ ଏହି ଲୋଗୋ ନିର୍ମାଣ ହୋଇଛି। ଏହି ନୂଆ ପରିଚୟରେ ତ୍ରିରଙ୍ଗା, ଗର୍ବ, ମର୍ଯ୍ୟାଦା ଏବଂ ଜୀବନବ୍ୟାପୀ ଆମ ଆଥ୍ଲେଟ୍ମାନଙ୍କ କଠିନ କାର୍ଯ୍ୟ, ମୂଲ୍ୟ, ଏକତା, ବନ୍ଧୁତ୍ବ, ଯୋଗ୍ୟତାକୁ ଆଇଓଏ ବଜାୟ ରଖିଛି। ପୂର୍ବରୁ ଥିବା ଆନୁଷ୍ଠାନିକ ଲୋ ଗୋ ବ୍ରିଟିସ ରାଜ ସମୟରେ ପ୍ରସ୍ତୁତ ହୋଇଥିଲା ବେଳେ ଆଇଓଏ ପ୍ରତିଷ୍ଠା ହେବା ଦିନରୁ ଏହା ବ୍ୟବହାର ହେଉଥିଲା। ସଂପ୍ରତି ଆଇଓଏର ନୂଆ ଲୋ ଗୋକୁ ଅନ୍ତର୍ଜାତୀୟ ଅଲିମ୍ପିକ୍ସ ସମିତି ସ୍ବୀକୃତି ଦେଇଛି। ଏହାକୁ ଚଳିତ ବର୍ଷ ଅଗଷ୍ଟ ୧୫ ତାରିଖରେ ଏକ ସ୍ବତନ୍ତ୍ର ଉତ୍ସବରେ ଉନ୍ମୋଚନ କରିବାକୁ ଆଇଓଏ ଯୋଜନା ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/olympic-logo.jpg)