ଲଣ୍ଡନ୍‌: ଭାରତୀୟ ପୁରୁଷ କ୍ରିକେଟ୍‌ ଦଳର ଟସ୍ ପରାଜୟ ଧାରା ଲମ୍ବି ଲମ୍ବି ଚାଲିଛି। କେନିଙ୍ଗଟନ୍‌ ଓଭାଲ୍‌ରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ତଥା ଅନ୍ତିମ ଟେଷ୍ଟ୍‌ରେ ମଧ୍ୟ ଶୁବମନ ଗିଲ୍‌ ଟସ୍ ହାରିଛନ୍ତି। ଏଥି ସହ ଗିଲ୍‌ ତାଙ୍କ ନେତୃତ୍ବର ପ୍ରଥମ ୫ ଟେଷ୍ଟ୍‌ରେ ଟସ୍ ହାରିଛନ୍ତି ଏବଂ ଭାରତୀୟ ପୁରୁଷ କ୍ରି‌କେଟ୍ ଦଳ ବିଗତ ସମସ୍ତ ୧୫ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଟସ୍ ହାରିଛନ୍ତି। ଟସ୍ ପରାଜୟ ଧାରାକୁ ନେଇ କିନ୍ତୁ ବିଶେଷ ଚିନ୍ତିତ ହୋଇନାହାନ୍ତି ଗିଲ୍‌। ‘‘ମ୍ୟାଚ୍‌ ଜିତୁଥିଲେ ଟସ୍ ପରାଜୟକୁ ନେଇ ଚିନ୍ତା ନାହିଁ। ମୁଁ ବି ଗତକାଲି ଦ୍ବନ୍ଦ୍ବରେ ଥିଲି କ’ଣ କରିବି। ମେଘୁଆ ଆକାଶ ଓ ଘାସୁଆ ପିଚ୍‌ ଥିବାରୁ ଆମକୁ ଏବେ ପ୍ରଥମ ପାଳିରେ ଭଲ ରନ୍‌ କରିବାକୁ ପଡ଼ିବ। ବୋଲରଙ୍କ ପାଇଁ ଏହା ଭଲ ପିଚ୍’’ ବୋଲି ଟସ୍ ସମୟରେ ଭାଷ୍ୟକାର ରବି ଶାସ୍ତ୍ରୀଙ୍କୁ କହିଥ‌ିଲେ ଗିଲ୍‌। ଅନ୍ୟପକ୍ଷରେ କାମଚଳା ଅଧିନାୟକ ଓଲି ପୋପ୍‌ ତାଙ୍କ ପଞ୍ଚମ ଟେଷ୍ଟ୍ ନେତୃତ୍ବ ଭିତରେ ପ୍ରଥମ ଥର ଟସ୍ ଜିତିବାର ସୌଭାଗ୍ୟ ପାଇଛନ୍ତି। ଏକ ୫ ମ୍ୟାଚ୍‌ ଟେଷ୍ଟ୍ ଶୃଙ୍ଖଳାରେ ସମସ୍ତ ଟସ୍ ହାରିବା ଏକ ବିରଳ ଘଟଣା। ଟେଷ୍ଟ୍ କ୍ରିକେଟ୍‌ରେ ଏହାର ପୂର୍ବ ରେକର୍ଡ ରହିଛି ୧୪। ଆଉ ଏକ ମଜାଦାର ତଥ୍ୟ ହେଉଛି ଅତୀତରେ ସମସ୍ତ ୫ ଟସ୍ ହାରିଥିବା ଦଳ ଥରେ ଶୃଙ୍ଖଳା ଜିତିଛି। ୧୯୬୩ ମସିହାର ଆସେସ୍‌ରେ ଇଂଲଣ୍ଡ ଘରୋଇ ମାଟିରେ ଅଷ୍ଟ୍ରେଲିଆକୁ ହରାଇଥିଲା। ୩ଟି ଶୃ୍ଙ୍ଖଳା ମଧ୍ୟ ଡ୍ର’ ରହିଛି।

Advertisment

ଉଭୟ ଦଳରେ ୪ ଲେଖାଏଁ ପରିବର୍ତ୍ତନ
ଦ ଓଭାଲ୍‌ରେ ନିର୍ଣ୍ଣାୟକ ଟେଷ୍ଟ୍ ଖେଳିବାକୁ ପଡ଼ିଆକୁ ଓହ୍ଲାଇଥିବା ଉଭୟ ଭାରତ ଓ ଇଂଲଣ୍ଡ ସମାନ ୪ ଲେଖାଏଁ ଖେଳାଳିଙ୍କୁ ପରିବର୍ତ୍ତନ କରିଛନ୍ତି। ଭାରତର ୩ଟି ପରିବର୍ତ୍ତନ ଆଶାଜନକ ଥିବାବେଳେ ଗୋଟିଏ ଅପ୍ରତ୍ୟାଶିତ ରହିଛି। ଆହତ ୱିକେଟ‌୍‌ରକ୍ଷକ ଋଷଭ ପନ୍ତ୍‌ଙ୍କ ବଦଳରେ ଧ୍ରୁବ ଜୁରେଲ, କାର୍ଯ୍ୟଭାର ପରିଚାଳନା ପାଇଁ ଯଶପ୍ରୀତ୍ ବୁମ୍‌ରାଙ୍କ ବଦଳରେ ପ୍ରସିଦ୍ଧ କୃଷ୍ଣ, ପ୍ରଭାବହୀନ ପଦାର୍ପଣ ପାଇଁ ଅଂଶୁଲ କମ୍ବୋଜଙ୍କ ସ୍ଥାନରେ ଆକାଶ ଦୀପ ଖେଳିଛନ୍ତି। କିନ୍ତୁ ଏକ‌ କୌଶଳପୂର୍ଣ୍ଣ ଚାଲ୍‌ରେ ନିଷ୍ଫଳ ଅଲ୍‌ରାଉଣ୍ଡର୍‌ ଶାର୍ଦୁଳ ଠାକୁରଙ୍କ ସ୍ଥାନରେ ବ୍ୟାଟ୍‌ସମ୍ୟାନ୍‌ କରୁଣ ନାୟାରଙ୍କୁ ନେଇଛି ଭାରତ। ସେହିଭଳି ଇଂଲଣ୍ଡ ଏହାର ପୂର୍ବ ଘୋଷିତ ସୂଚନା ଅନୁସାରେ ବେନ୍‌ ଷ୍ଟୋକ୍ସ, ଜୋଫ୍ରା ଆର୍ଚର, ବ୍ରାଏଡନ୍ କାର୍ସ ଓ ଲିଆମ୍ ଡ’ସନ୍‌ଙ୍କ ବଦଳରେ ଜ୍ୟାକବ୍ ବେଥେଲ,‌ ଜୋସ୍ ଟଙ୍ଗ୍‌, ଜାମି ଓଭର୍‌ଟନ୍‌, ଗସ୍ ଆଟ୍‌କିନ୍‌ସନ୍‌ଙ୍କୁ ଖେଳାଇଛି। ଓଭାଲ୍‌ରେ ୨୦୨୩ ମସିହା ପରଠାରୁ ଖେଳାଯାଇଥିବା ୨୨ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ (୪ ଟେଷ୍ଟ୍)ରେ ଟସ୍ ଜିତୁଥିବା ଦଳ ପ୍ରଥମେ ଫିଲ୍‌ଡିଂ କରି ଆସିଛନ୍ତି। ୨୦୨୩ ପ୍ରାରମ୍ଭରୁ ସିମରମାନେ ଏଠାରେ ୬୧୭ ୱିକେଟ୍ ଏବଂ ସ୍ପିନର୍‌ମାନେ ୭୯ ୱିକେଟ୍‌ ଅକ୍ତିଆର କରିଛନ୍ତି।