ଘରୋଇ ମାଟିରୁ ଭାରତର ୨୦୨୨-୨୩‌ ଋତୁ: ନ୍ୟୁଜିଲାଣ୍ଡ, ସ୍ପେନ୍‌ ବିପକ୍ଷରୁ ଆରମ୍ଭ

ଭୁବନେଶ୍ବର: ଭାରତୀୟ ପୁରୁଷ ହକି ଦଳ ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ର ନୂଆ ଋତୁ (୨୦୨୨-୨୩) ନ୍ୟୁଜିଲାଣ୍ଡ ଓ ସ୍ପେନ୍‌ ବିପକ୍ଷରୁ ଆରମ୍ଭ କରିବ। ଏହି ଦୁଇ ମୁକାବିଲାକୁ ଭାରତ ତା’ ଘରୋଇ ମାଟିରେ ଖେଳିବ ବୋଲି ଗୁରୁବାର ଅନ୍ତର୍ଜାତୀୟ ହକି ମହାସଂଘ ପକ୍ଷରୁ ଘୋଷିତ ଚତୁର୍ଥ ସଂସ୍କରଣ ପ୍ରୋ-ଲିଗ୍‌ ସୂଚୀରେ ରହିଛି। ଏହି ଦୁଇ ମୁକାବିଲା ଅକ୍ଟୋବର ୨୮ରୁ ନଭେମ୍ବର ୬ ତାରିଖରେ ମଧ୍ୟରେ ଖେଳାଯିବ। ପ୍ରଥମ ଚରଣ ଅକ୍ଟୋବର ୨୮ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବା ପରେ ୩୦ ତାରିଖରେ ସ୍ପେନ୍ ବିପକ୍ଷରେ ଖେଳିବ। ଏହାପରେ ଦ୍ବିତୀୟ ଚରଣ ଯଥାକ୍ରମେ ନଭେମ୍ବର ୪ ଓ ୬ରେ ଖେଳାଯିବ। ଏଥିସହ ଅକ୍ଟୋବର ୨୯ରୁ ନଭେମ୍ବର ୫ ତାରିଖ ମଧ୍ୟରେ ନ୍ୟୁଜିଲାଣ୍ଡ ଓ ସ୍ପେନ୍ ଦଳ ଭାରତରେ ଡବଲ ହେଡର ମ୍ୟାଚ୍‌ ଖେଳିବେ। ସେହିପରି ଆସନ୍ତା ବର୍ଷ ଭାରତ ଘରେ ମାର୍ଚ୍ଚ ୧୦ ଓ ୧୩ରେ ଜର୍ମାନି ଓ ମାର୍ଚ୍ଚ ୧୨ ଓ ୧୫ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ। ଏହି ସମୟ ମଧ୍ୟରେ ଜର୍ମାନି ଓ ଅଷ୍ଟ୍ରେଲିଆ ମଧ୍ୟ ଏଠାରେ ନିଜ ନିଜ ମଧ୍ୟରେ ପ୍ରୋ-ଲିଗ୍‌ ମୁକାବିଲାରେ ଅବତୀର୍ଣ୍ଣ ହେବେ। ଏହା ପରେ ଭାରତ ୟୁରୋପ ମହାଦେଶ ଗସ୍ତ କରିବ। ସେଠାରେ ଅଲିମ୍ପିକ୍ ବିଜେତା ବେଲ୍‌ଜିୟମ (ମେ ୨୬ ଓ ଜୁନ୍‌ ୨), ଗ୍ରେଟ୍‌ ବ୍ରିଟେନ୍‌ (ମେ ୨୭ ଓ ଜୁନ୍‌ ୩), ନେଦରଲାଣ୍ଡ୍ସ (ଜୁନ୍‌ ୭ ଓ ଜୁନ୍‌ ୧୦) ଏବଂ ଆର୍ଜେଣ୍ଟିନା (ଜୁନ୍‌ ୮ ଓ ଜୁନ୍‌ ୧୧) ସହ ଖେଳିବ।

ସମ୍ବନ୍ଧିତ ଖବର