ଭାରତର ୫ ସ୍ମରଣୀୟ ଟେଷ୍ଟ୍‌ ବିଜୟ

ନୂଆଦିଲ୍ଲୀ: ବ୍ରିସ୍‌ବେନ୍‌ର ଗାବା ଷ୍ଟାଡିୟମ୍‌ରେ ଅଷ୍ଟ୍ରେଲିଆକୁ ଧୂଳି ଚଟାଇ ଭାରତ ଚତୁର୍ଥ ଟେଷ୍ଟ୍‌ ସହିତ ଶୃଙ୍ଖଳା ଜିତିନେଇଥିଲା। କଙ୍ଗାରୁ ଗଡ଼ ଦଖଲ କରି ଭାରତୀୟ ଖେଳାଳିମାନେ ତ୍ରିରଙ୍ଗା ଉଡାଇଥିଲେ। ଏହାକୁ ଭାରତର ସୁବୁଠୁ ମହାନ୍‌ ବିଜୟ ଆଖ୍ୟା ଦିଆଯାଉଛି। ତେବେ ଗାବା ବ୍ୟତୀତ ଆଉ କିଛି ଭାରତର ସ୍ମରଣୀୟ ଟେଷ୍ଟ୍‌ ବିଜୟ ମଧ୍ୟ ରହିଛି। ଆସନ୍ତୁ ସେଭଳି ୫ ଟେଷ୍ଟ୍‌ ବିଜୟ ଉପରେ ନଜର ପକାଇବା।

ଭାରତ ବନାମ ଅଷ୍ଟ୍ରେଲିଆ, କୋଲ୍‌କାତା (୨୦୦୧)
ମ୍ୟାଚ୍‌ ଫିକ୍ସିଂ ଲଜ୍ଜା ପରେ ପରେ ୨୦୦୧ରେ କୋଲ୍‌କାତାର ଐତିହାସିକ ଇଡେନ୍‌ଗାର୍ଡେନ୍‌ ଷ୍ଟାଡିୟମ୍‌ରେ ଭାରତ ଖେଳିଥିଲା ପ୍ରଥମ ବଡ଼ ଶୃଙ୍ଖଳା। ପ୍ରତିଦ୍ବନ୍ଦ୍ବୀ ଥିଲା ଅଷ୍ଟ୍ରେଲିଆ। ଭ୍ରମଣକାରୀ ଦଳ ଲଗାତାର ୧୬ ଟେଷ୍ଟ୍‌ ବିଜୟଧାରାରେ ରହିଥିଲା। ପୁଣି ପ୍ରଥମ ଟେଷ୍ଟ୍‌ ମଧ୍ୟ ଭାରତରେ ଜିତି ନେଇଥିଲା। କୋଲ୍‌କାତାରେ ସେମାନେ ୪୪୫ ରନ୍‌ କରିବା ପରେ ଭାରତକୁ ୧୭୧ରେ ଆଉଟ୍‌ କରିଦେଇଥିଲେ। ଫଳରେ ‌ଅଧିନାୟକ ଷ୍ଟିଭ୍‌ ୱ’ ଭାରତକୁ ଫଲୋଅନ୍‌ ଖେଳିବାକୁ ଡାକିଥିଲେ। ତେବେ ଭିଭିଏସ୍‌ ଲକ୍ଷ୍ମଣ (୨୮୧) ଓ ରାହୁଲ ଦ୍ରାବିଡ୍‌ (୧୮୦) ରନ୍‌ ଯୋଡ଼ିବା ପରେ ଅଷ୍ଟ୍ରେଲିଆ ନିକଟରେ ୭୫ ଓଭରରେ ୩୮୪ ରନ୍‌ର ବିଜୟ ଲକ୍ଷ୍ୟ ଛାଡ଼ିଥିଲେ। ହରଭଜନ ସିଂହ ୬ ୱିକେଟ୍‌ ଦଖଲ କରିନେବାରୁ ଭାରତ ଏହି ଟେଷ୍ଟ୍‌ ଜିତିଥିଲା। ଫଲୋଅନ୍‌ ଖେଳି ଭାରତ ଟେଷ୍ଟ୍‌ ଜିତିବା ତୃତୀୟ ଥର ଦେଖାଯାଇଥିଲା।
ଭାରତ ବନାମ ୱେଷ୍ଟ୍‌ଇଣ୍ଡିଜ୍‌, ତ୍ରିନିଦାଦ୍‌ (୧୯୭୬)
୧୯୪୮ରେ ଡନ୍‌ ବ୍ରାଡ୍‌ମ୍ୟାନ୍‌ଙ୍କ ଅଷ୍ଟ୍ରେଲିଆ ଦଳ ପରେ ଆଉ କୌଣସି ଦଳ ଚତୁର୍ଥ ପାଳିରେ ୪୦୦ରୁ ଉର୍ଦ୍ଧ୍ବ ରନ୍‌ ଲକ୍ଷ୍ୟକୁ ପଶ୍ଚାତ୍‌ଧାବନ କରିପାରିନଥିଲେ। ‌ତାହାକୁ ନଜରରେ ରଖି ୱେଷ୍ଟଇଣ୍ଡିଜ୍‌ ଅଧିନାୟକ କ୍ଲାଇବ୍‌ ଲୟଡ୍‌ ୪୦୩ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ କରିବା ପରେ ଭାରତକୁ ଆମନ୍ତ୍ରଣ କରିଥିଲେ। ଅନେକ ମଧ୍ୟ ଭାବିନେଇଥିଲେ ୱେଷ୍ଟ୍‌ଇଣ୍ଡିଜ୍‌ର ବିଜୟ ଏକ ଅନୌପଚାରିକ ହେବ। କିନ୍ତୁ ସୁନିଲ ଗାଭାସ୍କର ଓ ଗୁଣ୍ଡାପ୍ପା ବିଶ୍ବନାଥ ଶତକ ଜମାଇବା ସାଙ୍ଗକୁ ମହିନ୍ଦର ଅମରନାଥ ଓ ବ୍ରିଜେଶ ପଟେଲଙ୍କ ମୂଲ୍ୟବାନ ସହଯୋଗ ବଳରେ ଭାରତ ମାତ୍ର ୪ ୱିକେଟ୍‌ ହରାଇ ବିଜୟ ହାସଲ କରିନେଇଥିଲା। ଏହା ଏବେ ବି ଟେଷ୍ଟ୍‌ ବିଜୟରେ ଭାରତର ସର୍ବୋଚ୍ଚ ଚତୁର୍ଥ ପାଳି ପଶ୍ଚାତ୍‌ଧାବନ ହୋଇ ରହିଯାଇଛି।
ଭାରତ ବନାମ ଇଂଲଣ୍ଡ, ଦି ଓଭାଲ (୧୯୭୧)
ୱେଷ୍ଟଇଣ୍ଡିଜ୍‌ରେ ୧-୦ର ଶୃଙ୍ଖଳା ବିଜୟ ପରେ ଭାରତୀୟ ଦଳ ଇଂଲଣ୍ଡ ଗସ୍ତ କରିଥିଲା। ହେଲେ ସେତେବେଳକୁ ଇଂଲଣ୍ଡରେ ଗୋଟିଏ ହେଲେ ଟେଷ୍ଟ୍‌ ବିଜୟ ଭାରତକୁ ମିଳିନଥିଲା। ଦୁଇଟି ଟେଷ୍ଟ୍‌ ଅମୀମାଂସିତ ରଖିବା ପରେ ଉଭୟ ଦଳ ଦି ଓଭାଲ ମ୍ୟାଚ୍‌କୁ ଓହ୍ଲାଇଥିଲେ। ୭୧ ରନ୍‌ର ଅଗ୍ରଣୀ ପରେ ଲେଗ୍‌ ସ୍ପିନର ଭଗବତ ଚନ୍ଦ୍ରଶେଖରଙ୍କ ୬/୩୮ ବୋଲିଂ ଚିତ୍ର ଘରୋଇ ଇଂଲଣ୍ଡ ପାଳିକୁ ୧୦୧ ରନ୍‌ରେ ସଫା କରିଦେଇଥିଲା। ଅଜିତ ୱାଦେକର ଡ୍ରେସିଂ ରୁମ୍‌ରେ ବିଶ୍ରାମ ନେବା ସତ୍ତ୍ବେ ଫାରୁକ୍‌ ଇଞ୍ଜିନିୟରଙ୍କ ସହିତ ଆବିଦ୍‌ ଅଲ୍ଲୀ ଯେତେବେଳେ ବିଜୟ ସୂଚକ ରନ୍‌ ସଂଗ୍ରହ କଲେ ସେତେବେଳେ ୱାଦେକର ଉତ୍ସବ ମନାଇବାକୁ ପଡ଼ିଆକୁ ଆସିଥିଲେ।
ଭାରତ ବନାମ ଅଷ୍ଟ୍ରେଲିଆ, ପର୍ଥ (୨୦୦୮)
ପୁନର୍ବାର ଅଷ୍ଟ୍ରେଲିଆ ଦଳର ଲଗାତାର ୧୬ ଟେଷ୍ଟ୍‌ ବିଜୟ ଧାରାକୁ ଭାଙ୍ଗି ଦେଇଥିଲା ଭାରତ। ଅମ୍ପାୟାରଙ୍କ ତ୍ରୁଟୀ ଯୋଗୁଁ ଭାରତ ସିଡ୍‌ନିରେ ପରାଜୟର ଶିକାର ହୋଇଥିଲା। କିନ୍ତୁ ପର୍ଥର ୱାକା ଷ୍ଟାଡିୟମ୍‌ରେ ବିଜୟ ବାନା ଉଡାଇଥିଲା। ଯେଉଁ ଷ୍ଟାଡିୟମ୍‌ରେ ଘାତକ ପେସ୍‌ ଓ ବାଉଁସ ଯୋଗୁଁ କୌଣସି ଏସୀୟ ଦଳ ଗୋଟିଏ ହେଲେ ଟେଷ୍ଟ୍‌ ବିଜୟ ପାଇନଥିଲେ ସେଠାରେ କିନ୍ତୁ ଭାରତ ଘରୋଇ ଦଳକୁ ମାଟି କାମୁଡ଼ିବାକୁ ବାଧ୍ୟ କରିଥିଲା। ଇର୍ଫାନ୍‌ ପଠାନ୍‌ ଚମତ୍କାର ଅଲ୍‌ରାଉଣ୍ଡ ପ୍ରଦର୍ଶନ କରିଥିଲା ବେଳେ ପଦାର୍ପଣକାରୀ ବାମହାତୀ ଦ୍ରୁତ ବୋଲର ରୁଦ୍ରପ୍ରତାପ ସିଂହ ଓ ଡାହାଣ ହାତୀ ଈଶାନ୍ତ ଶର୍ମା ମାରାତ୍ମକ ସିମ୍‌ ବୋଲିଂର ନମୂନା ଛାଡ଼ିଥିଲେ। ଫଳରେ ଭାରତ ୭୨ ରନ୍‌ରେ ପର୍ଥ ଟେଷ୍ଟ୍‌ ଜିତି ଇତିହାସ ରଚିଥିଲା।
ଭାରତ ବନାମ ଅଷ୍ଟ୍ରେଲିଆ, ଆଡିଲେଡ୍‌ (୨୦୦୩)
ପର୍ଥରେ ଐତିହାସିକ ବିଜୟର ୫ ବର୍ଷ ପୂର୍ବରୁ ଆଡିଲେଡ୍‌ରେ ମଧ୍ୟ ଭାରତୀୟ ଦଳ ଘରୋଇ ଅଷ୍ଟ୍ରେଲିଆକୁ ଚକ୍‌ମା ଦେଇଥିଲା। ରିକି ପଣ୍ଟିଂଙ୍କ ଦ୍ବିଶତକ ବଳରେ ଅଷ୍ଟ୍ରେଲିଆ ୫୫୬ ରନ୍‌ର ବିଶାଳ ସ୍କୋର୍‌ ଛିଡ଼ା କରିଥିଲା। ଜବାବରେ ଏକ ସମୟରେ ୮୫ ରନ୍‌ରେ ୪ ୱିକେଟ୍‌ ହରାଇ ସଂକଟରେ ପଡ଼ିଥିବା ଭାରତ ୨ ବର୍ଷ ପୂର୍ବରୁ କୋଲ୍‌କାତାର ଇଡେନ୍‌ଗାର୍ଡେନ୍‌ ଭଳି ମିରାକଲ୍‌ କରିଥିଲା। ରାହୁଲ ଦ୍ରାବିଡ୍‌ (୨୩୩) ଓ ଭିଭିଏସ୍‌ ଲକ୍ଷ୍ମଣ (୧୪୮)ଙ୍କ ବଳରେ ଭାରତ ୫୨୩ ରନ୍‌ରେ ଆଉଟ୍‌ ହୋଇଯାଇଥିଲା। ଏହାପରେ ଦ୍ରୁତ ବୋଲର ଅଜିତ ଅଗରକରଙ୍କ ୬/୪୧ ବୋଲିଂ ଚିତ୍ର ଯୋଗୁଁ ଅଷ୍ଟ୍ରେଲିଆ ଦ୍ବିତୀୟ ପାଳି ୧୯୬ରେ ଅଟକି ଯାଇଥିଲା ଏବଂ ଭାରତ ନିକଟରେ ୨୩୦ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ପୁଣି ଦ୍ରାବିଡ୍‌ ଚମକ (ଅପରାଜିତ ୭୨ ରନ୍‌) ହିଁ ଭାରତକୁ ପଶ୍ଚା‌ତ୍‌ଧାବନ ବିଜୟ ଭେଟି ଦେଇଥିଲା।

 

ସମ୍ବନ୍ଧିତ ଖବର