ଇଂଲଣ୍ଡରେ ଭାରତର ୫ ସଫଳ ଓପନର୍‌: ସୁନିଲ ଗାଭାସ୍କର (୧୧୫୨ ରନ୍), କେଏଲ୍ ରାହୁଲ (୫୯୭ ରନ୍)

ବିଜୟ ମର୍ଚ୍ଚାଣ୍ଟ (୫୨୭ ରନ୍), ରବି ଶାସ୍ତ୍ରୀ (୪୦୨ ରନ୍)

ଲଣ୍ଡନ: ଚଳିତ ଇଂଲଣ୍ଡ ଗସ୍ତରେ ଦୁଇ ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ କେଏଲ୍ ରାହୁଲ ଓ ରୋହିତ ଶର୍ମା ଚମତ୍କାର ପ୍ରଦର୍ଶନ କରିଛନ୍ତି। ଶୃଙ୍ଖଳାରେ ଉଭୟ ହେଉଛନ୍ତି ଭାରତର ସର୍ବାଧିକ ରନ୍ ସଂଗ୍ରହକାରୀ। ରାହୁଲ ୮ ପାଳିରୁ ୧ ଶତକ ଏବଂ ୧ ଅର୍ଦ୍ଧଶତକ ସହ ୩୧୫ ରନ୍ କରିଛନ୍ତି। ଅନ୍ୟପକ୍ଷରେ ରୋହିତ ୧ ଶତକ ଓ ୨ ଅର୍ଦ୍ଧଶତକ ସହ ୩୬୮ ରନ୍ କରିଛନ୍ତି। ମଜାଦାର କଥା ହେଲା ଭାରତ-ଇଂଲଣ୍ଡ ଶୃଙ୍ଖଳା ଲାଗି ରାହୁଲ ତୃତୀୟ ଓପନର ଭାବେ ଭାରତୀୟ ଦଳରେ ସାମିଲ ହୋଇଥିଲେ। ଭାଗ୍ୟବଳରେ ହିଁ ସେ ଭାରତୀୟ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଥିଲେ। ଶୁବମନ ଗିଲ୍‌ ଓ ମୟଙ୍କ ଅଗ୍ରୱାଲ ଆହତ ହେବା ପରେ ହିଁ ରାହୁଲଙ୍କୁ ଭାରତୀୟ ଏକାଦଶରେ ରଖାଯାଇଥିଲା। ଦୀର୍ଘ ଦୁଇ ବର୍ଷ ପରେ ମିଳିଥିବା ଏହି ସୁଯୋଗକୁ କିନ୍ତୁ ରାହୁଲ ଦୁଇ ହାତରେ ଜାବୁଡ଼ି ଧରିଥିଲେ। ସଫଳତାର ସହ ଇଂଲଣ୍ଡ ବୋଲରଙ୍କ ମୁକାବିଲା କରି ଉଚ୍ଚ ପ୍ରଶଂସିତ ହୋଇଥିଲେ। ସେହିଭଳି ଉଭୟ ରାହୁଲ ଓ ରୋହିତ ଇଂଲଣ୍ଡ ମାଟିରେ ଭଲ କରିବା ଭାରତ ପାଇଁ ଅତ୍ୟନ୍ତ ସୁଖଦ ଖବର ହୋଇଛି। କାରଣ ଇଂଲଣ୍ଡ ପରିବେଶରେ ଏକତ୍ର ଦୁଇ ଜଣ ଓପନର ସଫଳ ହେବା ଭାରତୀୟ କ୍ରିକେଟ୍ ପାଇଁ ଏକ ବିରଳ ଘଟଣା ବୋଲି କୁହାଯାଇପାରେ। ଏବେସୁଦ୍ଧା ମାତ୍ର ୯ ଜଣ ଭାରତୀୟ ଓପ୍‌ନର ହିଁ ଇଂଲଣ୍ଡରେ ୪୦ କିମ୍ବା ତା’ଠାରୁ ଅଧିକ ହାରରେ ରନ୍ କରିଛନ୍ତି। ଆସନ୍ତୁ ଇଂଲଣ୍ଡ ମାଟିରେ ସଫଳତା ଅର୍ଜନ କରିଥିବା ଶ୍ରେଷ୍ଠ ୫ ଜଣ ଭାରତୀୟ ଓପ୍‌ନରଙ୍କ ଉପରେ ନଜର ପକାଇବା।

ସୁନିଲ ଗାଭାସ୍କର (୧୧୫୨ ରନ୍)
ବିଶ୍ବ କ୍ରିକେଟ୍‌ର ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ ତାରକା ସୁନିଲ ଗାଭାସ୍କର ଇଂଲଣ୍ଡରେ ଓପ୍‌ନର ଭାବେ ଭାରତ ପକ୍ଷରୁ ସର୍ବାଧିକ ୧୧୫୨ ରନ୍ କରିଛନ୍ତି। ୧୯୭୧ରୁ ୧୯୮୬ ମସିହା ମଧ୍ୟରେ ଇଂଲଣ୍ଡ ବିପକ୍ଷରେ ପାଞ୍ଚଟି ଟେଷ୍ଟ୍ ଶୃଙ୍ଖଳା ଖେଳି ସେ ଏହି ରନ୍‌ଗୁଡ଼ିକ ସଂଗ୍ରହ କରିଛନ୍ତି। ୧୫ ଟେଷ୍ଟ୍‌ର ୨୮ ପାଳିରେ ୪୧.୧୪ ହାରରେ ରନ୍ କରିଛନ୍ତି। ସେଥିମଧ୍ୟରେ ଦୁଇଟି ଶତକ ଓ ଆଠଟି ଅର୍ଦ୍ଧଶତକ ସଂପୃକ୍ତ ରହିଛି। ଓଭାଲରେ କରିଥିବା ୨୨୧ ରନ୍ ହେଉଛି ଇଂଲଣ୍ଡ ମାଟିରେ ତାଙ୍କ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର୍‌। ୧୯୭୯ ଗସ୍ତରେ ପ୍ରଥମ ଥର ଇଂଲଣ୍ଡ ଯାଇ ୭ ପାଳିରୁ ୭୭.୪୨ ହାରରେ ଗାଭାସ୍କର ୫୪୨ ରନ୍ କରିଥିଲେ। ଗୋଟିଏ ଦ୍ବିଶତକ ଏବଂ ଚାରିଟି ଅର୍ଦ୍ଧଶତକ ଅର୍ଜନ କରିଥିଲେ। ଇଂଲଣ୍ଡ ମାଟିରେ ଏହା ହେଉଛି କୌଣସି ଶୃଙ୍ଖଳାରେ ଲିଟିଲ ମାଷ୍ଟର ଗାଭାସ୍କରଙ୍କ ଶ୍ରେଷ୍ଠ ବ୍ୟକ୍ତିଗତ ପ୍ରଦର୍ଶନ।

ବିଜୟ ମର୍ଚ୍ଚାଣ୍ଟ (୫୨୭ ରନ୍)
ଇଂଲଣ୍ଡରେ ୧୦ ବର୍ଷ ଅନ୍ତରାଳରେ ଖେଳିଥିବା ଦୁଇଟି ଶୃଙ୍ଖଳାରୁ ଭାରତୀୟ କ୍ରିକେଟ୍‌ର ଅନ୍ୟତମ ମହାନାୟକ ବିଜୟ ମର୍ଚ୍ଚାଣ୍ଟ ୪୭.୯୦ ହାରରେ ୫୨୭ ରନ୍ (୧୧ ପାଳି) କରିଛନ୍ତି। ସେଥିମଧ୍ୟରେ ରହିଛି ଦୁଇଟି ଲେଖାଏଁ ଶତକ ଓ ଅର୍ଦ୍ଧଶତକ। ୧୯୪୬ରେ ଓଭାଲରେ କରିଥିବା ୧୨୮ ରନ୍ ହେଉଛି ଇଂଲଣ୍ଡରେ ମର୍ଚ୍ଚାଣ୍ଟଙ୍କର ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର। ୧୯୩୬ ମସିହାର ପ୍ରଥମ ଇଂଲଣ୍ଡ ଗସ୍ତରେ ୬ ପାଳି ଖେଳି ୨୮୨ ରନ୍ କରିଥିଲେ ସେ। ଏହାପରେ ୧୯୪୬ ମସିହାରେ ପୁନର୍ବାର ଇଂଲଣ୍ଡ ଯାଇ ୫ ପାଳିରୁ ୨୪୫ ରନ୍ ଅମଳ କରିଥିଲେ ମର୍ଚ୍ଚାଣ୍ଟ। ବ୍ୟକ୍ତିଗତ ଭାବେ ସଫଳତା ଅର୍ଜନ କରିଥିଲେ ମଧ୍ୟ ମର୍ଚ୍ଚାଣ୍ଟ ଇଂଲଣ୍ଡରେ ଖେଳିଥିବା ଦୁଇଟି ଯାକ ଟେଷ୍ଟ୍ ଶୃଙ୍ଖଳାରେ ଭାରତ ପରାଜିତ ହୋଇଥିଲା। ୧୯୩୬ରେ ୦-୨ ଏବଂ ୧୯୪୬ରେ ୦-୧ରେ ତିନି ଟିକିଆ ଶୃଙ୍ଖଳା ହାରିଥିଲା।

କେଏଲ୍ ରାହୁଲ (୫୯୭ ରନ୍)
ଚଳିତ ଭାରତ-ଇଂଲଣ୍ଡ ଶୃଙ୍ଖଳା ଆରମ୍ଭ ହେବା ପୂର୍ବରୁ ଅନେକ କ୍ରିକେଟ୍ ବିଶେଷଜ୍ଞ ‌କେଏଲ୍ ରାହୁଲଙ୍କ ଓପନିଂ ଦକ୍ଷତା ନେଇ ପ୍ରଶ୍ନ ଉଠାଇଥିଲେ। ହେଲେ ସେମାନଙ୍କୁ ରାହୁଲ ନିଜ ବଳିଷ୍ଠ ପ୍ରଦର୍ଶନରେ ଭୁଲ ପ୍ରମାଣିତ କରିଛନ୍ତି। ଏପରିକି ୨୦୧୮ ଇଂଲଣ୍ଡ ଗସ୍ତରେ ମଧ୍ୟ ସେତେଟା ଖରାପ ପ୍ରଦର୍ଶନ କରିନଥିଲେ ସେ। ସେତେବେଳେ ୮ ପାଳିରୁ ୨୮୨ ରନ୍ କରିଥିଲେ ରାହୁଲ। ସେଥିମଧ୍ୟରେ ଓଭାଲରେ ଖେଳାଯାଇଥିବା ପଞ୍ଚମ ତଥା ଶେଷ ଟେଷ୍ଟ୍‌ର ଦ୍ବିତୀୟ ପାଳିରେ ସେ ଖେଳିଥିବା ୧୪୯ ରନ୍ ଅନ୍ତର୍ଭୁକ୍ତ ଥିଲା। ଚଳିତ ଶୃଙ୍ଖଳାର ପ୍ରଥମ ୪ ଟେଷ୍ଟ୍‌ରୁ ୩୧୫ ରନ୍ କରିବା ପରେ ରାହୁଲ ଏବେ ଇଂଲଣ୍ଡ ମାଟିରେ ଓପ୍‌ନର ଭାବେ ୫୯୭ ରନ୍‌ରେ ପହଞ୍ଚି ଯାଇଛନ୍ତି। ଏହା ଦ୍ବାରା ବିଜୟ ମର୍ଚ୍ଚାଣ୍ଟଙ୍କୁ ସେ ଟପି ଯାଇଛନ୍ତି। ସେଥିମଧ୍ୟରେ ଦୁଇଟି ଶତକ ରହିଛି। ଭାରତ ଏଥର ଦୀର୍ଘ ୧୪ ବର୍ଷର ବ୍ୟବଧାନ ପରେ ଯଦି ଇଂଲଣ୍ଡ ମାଟିରେ ଟେଷ୍ଟ୍ ଶୃଙ୍ଖଳା ଜିତେ, ତାହାଲେ ଏହି କ୍ଷେତ୍ରରେ ନିଶ୍ଚିତ ଭାବେ ରାହୁଲଙ୍କର ମହତ୍ବପୂର୍ଣ୍ଣ ଭୂମିକା ରହିବ। ରାହୁଲ ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି।

ମୁରଲୀ ବିଜୟ (୪୨୮ ରନ୍)
୨୦୧୪ ଗସ୍ତରେ ଭାରତୀୟ ଓପ୍‌ନର ମୁରଲୀ ବିଜୟ ଇଂଲଣ୍ଡ ମାଟିରେ ବହୁତ ଭଲ କ୍ରିକେଟ୍ ଖେଳିଥିଲେ। ପାଞ୍ଚ ଟିକିଆ ଶୃଙ୍ଖଳାରୁ ୪୨୮ ରନ୍ (୧୪ ପାଳି) ଅମଳ କରିନେଇଥି‌ଲେ। ଇଂଲଣ୍ଡରେ ୧୦ ପାଳି ଖେଳି ଗୋଟିଏ ଶତକ ଏବଂ ଦୁଇଟି ଅର୍ଦ୍ଧଶତକ ବଳରେ ସେ ଏହି ରନ୍ ସଂଗ୍ରହ କରିଛନ୍ତି। ଆଉ ତାଙ୍କ ରନ୍ ସଂଗ୍ରହ ହାର ହେଉଛି ୪୦.୨୦। ଇଂଲଣ୍ଡରେ ଓପ୍‌ନର ଭାବେ ସର୍ବାଧିକ ରନ୍ ସଂଗ୍ରହ କରିବାରେ ବିଜୟ ଚତୁର୍ଥ ସ୍ଥାନରେ ରହିଛନ୍ତି। ନିଜ ପ୍ରଥମ ଇଂଲଣ୍ଡ ଗସ୍ତରେ ଖେଳିଥିବା ପ୍ରଥମ ପାଳିରେ ହିଁ ୧୪୬ ରନ୍‌ର ସ୍ମରଣୀୟ ସ୍କୋର୍‌ କରିଥିଲେ। ୨୦୧୮ ମସିହାର ଦ୍ବିତୀୟ ଗସ୍ତରେ କିନ୍ତୁ ସେ ଆଶାଜନକ ପ୍ରଦର୍ଶନ କରିପାରି ନଥିଲେ। ପ୍ରଥମ ଦୁଇଟି ଟେଷ୍ଟ୍‌ରେ ପାଳି ଆରମ୍ଭ କରିବା ପରେ ‌ଶେଷ ତିନିଟି ଟେଷ୍ଟ୍‌ରେ କେଏଲ୍ ରାହୁଲ ତାଙ୍କ ସ୍ଥାନ ନେଇ ଯାଇଥିଲେ। ଏହି ଗସ୍ତରେ ଚାରିଟି ପାଳି ଖେଳି ସେ ମାତ୍ର ୨୬ ରନ୍ କରିପାରିଥିଲେ। ଇଂଲଣ୍ଡରେ ଓପ୍‌ନର ଭାବେ ବିଜୟ ୩୦.୫୭ ହାରରେ ରନ୍ କରିଛନ୍ତି।

ରବି ଶାସ୍ତ୍ରୀ (୪୦୨ ରନ୍)
ଭାରତୀୟ କ୍ରିକେଟ୍ ଦଳର ଏବେକାର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଏହି ନିଆରା ତାଲିକାର ପଞ୍ଚମ ସ୍ଥାନରେ ରହିଛନ୍ତି। ଇଂଲଣ୍ଡରେ ଓପ୍‌ନର ଭାବେ ଖେଳିଥିବା ୮ ପାଳିରୁ ସେ ୪୦୨ ରନ୍ କରିଛନ୍ତି। ଏହି ୟୁରୋପୀୟ ଦେଶରେ ତାଙ୍କ ରନ୍ ସଂଗ୍ରହ ହାର (୫୦.୨୫) ଅନ୍ୟମାନଙ୍କ ଅପେକ୍ଷା ଯଥେଷ୍ଟ ଭଲ। ବରଂ ସମସ୍ତଙ୍କଠାରୁ ଅଧିକ। ଇଂଲଣ୍ଡରେ ‌ଓପ୍‌ନର ଭାବେ ଖେଳିଥିବା ୫ ଟେଷ୍ଟ୍‌ରେ ଦୁଇଟି ଶତକ ଓ ଗୋଟିଏ ଅର୍ଦ୍ଧଶତକ ଅର୍ଜନ କରିଛନ୍ତି ଶାସ୍ତ୍ରୀ। ୧୯୮୨ ମସିହାରେ ପ୍ରଥମ ଥର ପାଇଁ ଇଂଲଣ୍ଡ ଗସ୍ତ କରି ଶାସ୍ତ୍ରୀ ତିନିଟି ପାଳିରୁ ମାତ୍ର ୬୬ ରନ୍ କରିଥିଲେ। ହେଲେ ୧୯୯୦ ଗସ୍ତରେ ସେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ। ସେହିବର୍ଷ ସେ ୬୭.୨୦ ହାରରେ ପାଞ୍ଚି ପାଳିରୁ ୩୩୬ ରନ୍ କରିଥିଲେ। ଓଭାଲଠାରେ ଖେଳାଯାଇଥିବା ତୃତୀୟ ଟେଷ୍ଟ୍‌ରେ ୧୮୭ ରନ୍‌ର ଅସାଧାରଣ ପାଳି ପାଇଁ ସେ ମଧ୍ୟ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ।

ସମ୍ବନ୍ଧିତ ଖବର