ଭାରତର ଅଷ୍ଟ୍ରେଲିଆ ଗସ୍ତ ସୂଚୀ ଘୋଷିତ: ୩ ଟ୍ବେଣ୍ଟି-୨୦, ୪ ଟେ‌ଷ୍ଟ୍‌ ଓ ୩ ଦିନିକିଆ ସାମିଲ

ମେଲ୍‌ବର୍ନ: ସାଂପ୍ରତିକ କୋଭିଡ୍‌-୧୯ ମହାମାରୀ ଯୋଗୁଁ ଅଷ୍ଟ୍ରେଲିଆରେ ଆନ୍ତର୍ଜାତିକ କ୍ରିକେଟ୍‌ ପୁନଃଆରମ୍ଭ ନେଇ ସପ୍ତାହବ୍ୟାପୀ ଲାଗିରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଗୁରୁବାର କ୍ରିକେଟ୍‌ ଅଷ୍ଟ୍ରେଲିଆ ଚଳିତ ବର୍ଷ ଭାରତୀୟ ଦଳର ଗସ୍ତ ସୂଚୀ ଘୋଷଣା କରିବା ପରେ ଏହା ସ୍ପଷ୍ଟ ହୋଇଛି। ବିଶେଷକରି ଭାରତୀୟ ଦଳ ଅଷ୍ଟ୍ରେଲିଆରେ ୩ ଟ୍ବେଣ୍ଟି-୨୦, ୪ ଟେଷ୍ଟ୍‌ ଏବଂ ୩ ଦିନିକିଆ ମ୍ୟାଚ୍‌ ଖେଳିବା ସୂଚୀରେ ସାମିଲ ରହିଛି। ଅକ୍ଟୋବରରୁ ହିଁ ଟ୍ବେଣ୍ଟି-୨୦ ଶୃଙ୍ଖଳା ଆରମ୍ଭ ହେବାକୁ ଥିଲା ବେଳେ ଡିସେମ୍ବରରୁ ଟେଷ୍ଟ୍‌ ଏବଂ ଜାନୁଆରିରେ ଦିନିକିଆ ଶୃଙ୍ଖଳା ଖେଳି ଦୁଇଟି ପର୍ଯ୍ୟାୟରେ ଭାରତୀୟ ଦଳ ଗସ୍ତ ଶେଷ କରିବ।

ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳି ସ୍ବଦେଶ ଫେରିଯିବା ପରେ ବିରାଟ କୋହଲିଙ୍କ ଦଳ ପୁନର୍ବାର ଟେ‌ଷ୍ଟ୍‌ ଓ ଦିନିକିଆ ଶୃଙ୍ଖଳା ପାଇଁ ଅଷ୍ଟ୍ରେଲିଆ ଯିବ ବୋଲି କ୍ରିକେଟ୍‌ ଅଷ୍ଟ୍ରେଲିଆ ପକ୍ଷରୁ ଘୋଷିତ ସୂଚୀରୁ ଜଣାପଡ଼ିଛି। ତଥାପି କୋଭିଡ୍‌-୧୯ ମହାମାରୀ ସ୍ଥିତି ଆମ ନିୟଂତ୍ରଣରେ ନାହିଁ। ପରିସ୍ଥିତି ବାଧ୍ୟ କଲେ ହୁଏତ ସୂଚୀରେ ପରିବର୍ତନ ଘଟିପାରେ। ତଥାପି ଚଳିତ ଗ୍ରୀଷ୍ମରେ ଆମେ ଆନ୍ତର୍ଜାତିକ କ୍ରିକେଟ୍‌ ପୁନଃଆରମ୍ଭ କରିପାରିବାର ସୁଯୋଗ ରଖିଛୁ ବୋଲି କ୍ରିକେଟ୍‌ ଅଷ୍ଟ୍ରେଲିଆ ସିଇଓ କେଭିନ୍‌ ରବର୍ଟସ ଏକ ବିବୃତିରେ କହିଛନ୍ତି। ସୂଚୀରେ କିଛି ପରିବର୍ତନ ହେଲେ ଆମେ ଜଣାଇଦେବୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର