ନୂଆଦିଲ୍ଲୀ: ୨୦୩୬ ଅଲିମ୍ପିକ୍ସ ଓ ପାରାଲିମ୍ପିକ୍ସ ଆୟୋଜନ ପାଇଁ ଆନ୍ତର୍ଜାତିକ ଅଲିମ୍ପିକ୍ ସମିତି (ଆଇଓସି) ନିକଟରେ ଭାରତ ଆଗ୍ରହପତ୍ର ଉପସ୍ଥାପନ କରିଛି। ଆଇଓସି ସହିତ ଅନୌପଚାରିକ ଭାବେ ଅଲିମ୍ପିକ୍ସ ଆୟୋଜନ ପାଇଁ ଆଲୋଚନା କରିବାର କିଛି ମାସ ପରେ ଭାରତ ବିଧିବଦ୍ଧ ଆଗ୍ରହପତ୍ର ଉପସ୍ଥାପନ କରିଛି। ଅକ୍ଟୋବର ୧ ତାରିଖରେ ଏହି ଆବେଦନ ସମ୍ବଳିତ ‘ଆଗ୍ରହ ପତ୍ର’କୁ ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ) ଦାଖଲ କରିଛି। ଅଲିମ୍ପିକ୍ସ ଆୟୋଜନ ସୁଯୋଗ ମିଳିଲେ, ଏହା ଭାରତ ପାଇଁ ଅନେକ ସୁଫଳ ଆଣିଦେବ। ଦେଶବ୍ୟାପୀ ଅର୍ଥନୈତିକ ଅଭିବୃଦ୍ଧି ହେବା ସହିତ ସାମାଜିକ ପ୍ରଗତି ଓ ଯୁବ ସଶକ୍ତୀକରଣ ହେବ ବୋଲି କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷରେ ଅଲିମ୍ପିକ୍ସ ଆୟୋଜନ ତାଙ୍କ ସରକାରଙ୍କ ଅଭିଳାଷ ଥିବା ବିଷୟରେ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ। ତେବେ ଅଲିମ୍ପିକ୍ସ ଆୟୋଜକଙ୍କ ବିଷୟରେ ଶୀଘ୍ର ନିଷ୍ପତ୍ତି ହେବନି। ଆସନ୍ତାବର୍ଷ ଆଇଓସିର ନିର୍ବାଚନ ପରେ ଭାରତକୁ ସାଉଦି ଆରବ, କତର, ତୁର୍କୀ ଭଳି ଦେଶମାନଙ୍କ ସହ ମଧ୍ୟ ଏହି କ୍ରୀଡ଼ା ମହାକୁମ୍ଭର ଆୟୋଜନ ପାଇଁ ଲଢ଼େଇ କରିବାକୁ ହେବ। ତଥାପି ଆଇଓସି ସଭାପତି ଥୋମାସ ବାକ୍ଙ୍କ ସମର୍ଥନ ଥିବାରୁ ଭାରତକୁ ଆୟୋଜନ ଅଧିକାର ମିଳିବା ସମ୍ଭାବନା ରହିଛି। ପୂର୍ବରୁ ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ାକୁ ଦିଲ୍ଲୀରେ ସଫଳତାର ସହ ଆୟୋଜନ କରିସାରିଥିବା ଭାରତ ଏବେ ଅଲିମ୍ପିକ୍ସ ପାଇଁ ଅହମଦାବାଦ ସହରକୁ ପ୍ରସ୍ତୁତ କରୁଛି। ଏପରିକି ଏହା ପୂର୍ବରୁ ଅହମଦାବାଦରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅୟୋଜନ କରି ନିଜ ସାମର୍ଥ୍ୟକୁ ଦେଖାଇବାକୁ ଯୋଜନା କରିଛି। ସେହି ଅନୁସାରେ ଗୁଜରାଟର କ୍ରୀଡ଼ା ଭିତ୍ତିଭୂମିକୁ ମଧ୍ୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମିଳିତ ଭାବେ ବିକଶିତ କରି ଚାଲିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/post_attachments/wp-content/uploads/2018/04/200px-Olympic_rings_without_rims_svg.png)