ମୁମ୍ବାଇ: ଜୁନ୍ ମାସର ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍ ପରାଜାୟର ମଧୁର ପ୍ରତିଶୋଧ ନେଇଛି ଭାରତ। ୱାଙ୍ଖ୍ଡେ ଷ୍ଟାଡିୟମ୍ରେ ଖେଳାଯାଇଥିବା ଦ୍ବିତୀୟ ତଥା ଶେଷ ଟେଷ୍ଟ୍ରେ ନ୍ୟୁଜିଲାଣ୍ଡକୁ ୩୭୨ ରନ୍ର ସର୍ବବୃହତ୍ ବ୍ୟବଧାନରେ ପରାସ୍ତ କରି ଭାରତ ଶୃଙ୍ଖଳାକୁ ୧-୦ରେ ଜିତି ନେଇଛି। କାନପୁରରେ ମାତ୍ର ଗୋଟିଏ ୱିକେଟ୍ ପାଇଁ ପ୍ରଥମ ଟେଷ୍ଟ୍କୁ ଜିତି ପାରିନଥିବା ଭାରତୀୟ ଦଳ ମୁମ୍ବାଇରେ କିନ୍ତୁ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବସ୍ତାର କରିଥିଲା। ୫୪୦ ରନ୍ର ଅସମ୍ଭବ ବିଜୟ ଲକ୍ଷ୍ୟକୁ ପିଛା କରିଥବା ଭ୍ରମଣକାରୀ ଦଳ ସୋମବାର ସକାଳେ ୧୪୦/୫ରୁ ଖେଳିଥିଲା। ପ୍ରତ୍ୟାବର୍ତନ କରିଥିବା ଅଫସ୍ପିନର୍ ଜୟନ୍ତ ଯାଦବ ବଳକା ୫ ୱିକେଟରୁ ଏକା ୪ଟି ଦଖଲ କରିନେଇଥିଲେ।
ଅବଶିଷ୍ଟ ଗୋଟିଏ ୱିକେଟ୍କୁ ନେଇ ଅଶ୍ବିନ୍ ମଧ୍ୟ ୪ ୱିକେଟ୍ ସଫଳତା ପାଇଥିଲେ। ନ୍ୟୁଜିଲାଣ୍ଡ୍ ସୋମବାର ସକାଳେ ୪୩ ମିନିଟ୍ରେ ୧୧.୩ ଓଭର ଖେଳି ୨୭ ରନ୍ ଯୋଡ଼ି ଶେଷ ୫ ୱିକେଟ୍ ହରାଇ ଦେଇଥିଲା। ୫୬.୩ ଓଭରରେ ଭ୍ରମଣକାରୀ ଦଳ ୧୬୭ ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା। ଉଭୟ ପାଳିରେ ଚମତ୍କାର ବ୍ୟାଟିଂ କରି ନିଜ ଟେଷ୍ଟ୍ ଜୀବନକୁ ବଞ୍ଚାଇଥିବା ମୟଙ୍କ ଅଗ୍ରୱାଲ୍ (୧୫୦ ଏବଂ ୬୨) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ରବିଚନ୍ଦ୍ରନ ଅଶ୍ବିନ୍ (୧୪ ୱିକେଟ୍) ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ସେ ପ୍ରଥମ ଟେଷ୍ଟ୍ରେ ୩-୩ ଏବଂ ଦ୍ବିତୀୟରେ ୪-୪ ୱିକେଟ୍ ନେଇ ସ୍ଥିର ପ୍ରଦର୍ଶନ ଦେଇଥିଲେ। ଏହା ପରେ ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ ଡିସେମ୍ବର୨୬ରୁ ଆରମ୍ଭ ହେବ।
‘‘ଏକ ଶୃଙ୍ଖଳାରେ ବିଜେତା ହେବା ଭଲ କଥା। କାନପୁରରେ ଆମେ ନିକଟତର ହୋଇଥିଲେ ମଧ୍ୟ ଗୋଟିଏ ୱିକେଟ୍ ପାଇଁ ବଞ୍ଚିତ ହୋଇଥିଲୁ। ୱାଙ୍ଖ୍ଡେର ବାଉଁସ୍ ଓ ଟର୍ଣ୍ଣ କିୱି ବ୍ୟାଟରଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିଲା। ଏ ଫଳାଫଳା ଏକପାଖିଆ ରହିଲା, ଆମେ କିନ୍ତୁ ଢେର ପରିଶ୍ରମ କରିଥିଲୁ। ଦଳକୁ ସବୁ ଶ୍ରେୟ ଯିବ। ନ୍ୟୁଜିଲାଣ୍ଡ୍ ନିଶ୍ଚିତ ଏଜାଜ ପଟେଲଙ୍କ ୧୦ ୱିକେଟ୍କୁ ଅନେକ ଦିନ ମନେ ରଖିବ’’ ବୋଲି କହିଥିଲେ ଭାରତୀୟ ଦଳ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼।
ସର୍ବବୃହତ ବିଜୟ-ପରାଜୟ କୀର୍ତ୍ତିମାନ
ଭାରତର ୩୭୨ ରନ୍ ବ୍ୟବଧାନ ବିଜୟ ଟେଷ୍ଟ୍ ମ୍ୟାଚ୍ରେ ଘରୋଇ ଦଳ ପାଇଁ ସର୍ବବୃହତ୍ କୀର୍ତ୍ତିମାନ ପ୍ରତିଷ୍ଠା କରିଛି। ପୂର୍ବରୁ ଭାରତ ୨୦୧୫ରେ ଦକ୍ଷିଣ ଆଫ୍ରିକାକୁ ଦିଲ୍ଲୀରେ ୩୩୭ ରନ୍ରେ ପରାସ୍ତ କରିଥିଲା। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ୍ ପାଇଁ ଏହା ସର୍ବବୃହତ ପରାଜୟ ମଧ୍ୟ। ପୂର୍ବରୁ ଏହି ଦଳ ୨୦୦୭ରେ ଦକ୍ଷିଣ ଆଫ୍ରିକାଠାରୁ ଜୋହାନ୍ସବର୍ଗରେ ୩୫୮ ରନ୍ରେ ହାରିଥିଲା। ଭାରତ ଶେଷ ଥର ପାଇଁ ଏକ ଆଇସିସି ପ୍ରତିଯୋଗିତାରେ ୧୮ ବର୍ଷ ତଳେ ନ୍ୟୁଜିଲାଣ୍ଡ୍କୁ ହରାଇଥିଲା। ୨୦୦୩ ଦକ୍ଷିଣ ଆଫ୍ରିକା ଦିନିକିଆ ବିଶ୍ବକପ୍ରେ ସେଞ୍ଚୁରିଅନ୍ରେ ଜିତିଥିଲା। ସେଞ୍ଚୁରିଅନ୍ ଓ ମୁମ୍ବାଇ ବିଜୟ ମଧ୍ୟରେ ଦୁଇ ଦେଶ ମଧ୍ୟରେ ଖେଳାଯାଇଥିବା ୮ ମ୍ୟାଚ୍ରୁ ଭାରତ ୭ ହାରିଛି।
ଅଶ୍ବିନଙ୍କ ନୂଆ ମାଇଲଖୁଣ୍ଟ
ମୁମ୍ବାଇ ଟେଷ୍ଟ୍ ମ୍ୟାଚ୍ରେ ୮ ୱିକେଟ୍ ନେଇଥିବା ରବିଚନ୍ଦ୍ରନ ଅଶ୍ବିନ୍ ଦ୍ବିତୀୟ ଭାରତୀୟ ବୋଲର ଭାବେ ଘରୋଇ ମାଟିରେ ୩୦୦ ୱିକେଟ୍ ନେଲେ। ପୂର୍ବରୁ କେବଳ ଅନିଲ କୁମ୍ବଲେ (୩୫୦) ଏହି କ୍ଲବ୍ରେ ଥିଲେ। ଅଶ୍ବିନଙ୍କୁ ମିଶାଇ ମାତ୍ର ୬ ଜଣ ସେମାନଙ୍କ ଘରୋଇ ମାଟିରେ ୩୦୦ରୁ ଊର୍ଧ୍ବ ୱିକେଟ୍ ନେଇଛନ୍ତି। ନବମ ଥର ପାଇଁ ଅଶ୍ବିନ୍ ଏକ ଟେଷ୍ଟ୍ ଶୃଙ୍ଖଳାରେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ଏହି ଫର୍ମାଟରେ ଏହା ଯୁଗ୍ମ ଦ୍ବିତୀୟ ସର୍ବାଧିକ। ଜ୍ୟାକ୍ କାଲିସ୍ ମଧ୍ୟ ୯ ଥର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।
ଶ୍ରୀଲଙ୍କାର ମୁଥୟା ମୁରଲୀଧରନ (୧୧ ଥର) ଶୀର୍ଷରେ ରହିଛନ୍ତି। ନ୍ୟୁଜିଲାଣ୍ଡ୍ ବିପକ୍ଷରେ ଅଶ୍ବିନ୍ ମଧ୍ୟ ବିଶ୍ବର ଅଗ୍ରଣୀ ଟେଷ୍ଟ୍ ବୋଲର ହୋଇଛନ୍ତି। ସେ ୬୬ ୱିକେଟ୍ ନେଇ ନ୍ୟୁଜିଲାଣ୍ଡ୍ର ସାର୍ ରିଚାର୍ଡ ହାଡଲିଙ୍କୁ ପଛରେ ପକାଇ ଦେଇଛନ୍ତି। ଅଶ୍ବିନ୍ଙ୍କ ୨୦୨୧ ୱିକେଟ୍ ୫୨ରେ ପହଞ୍ଚିଛି। ପ୍ରଥମ ବୋଲର ଭାବେ ସେ ଏ ବର୍ଷ ୫୦ ଟପିଛନ୍ତି। ଚତୁର୍ଥ ଥର ପାଇଁ ସେ ଗୋଟିଏ କ୍ୟାଲେଣ୍ଡର୍ ବର୍ଷରେ ଏଭଳି ସଫଳତା ପାଇଛନ୍ତି। ପୂର୍ବରୁ ୨୦୧୫, ୨୦୧୬, ୨୦୧୭ରେ ଲଗାତାର ୩ ବର୍ଷ ଏଭଳି କରିଥିଲେ। ଅଶ୍ବିନଙ୍କ ଏହି କୃତିତ୍ବଠାରୁ କେବଳ ସେନ୍ ୱର୍ଣ୍ଣ (୮), ମୁଥୟା ମୁରଲୀଧରନ (୬), ଗ୍ଲେନ୍ ମ୍ୟାକ୍ଗ୍ରା (୫) ଆଗରେ ରହିଛନ୍ତି। ଗୋଟିଏ ଟେଷ୍ଟ୍ରେ ବିନା ୫ ୱିକେଟ୍ ସଫଳତା ସହ ୮ ୱିକେଟ୍ ଦଖଲ କରିବାରେ ଅଶ୍ବିନ୍ (୮/୪୨) ଦ୍ବିତୀୟ ଶ୍ରେଷ୍ଠ ବୋଲର ହେଲେ। ୨୦୦୨ରୁ ସେନ୍ ୱର୍ଣ୍ଣ (୮/୨୪ ବନାମ ପାକିସ୍ତାନ, ସାରଜା) ଶୀର୍ଷରେ ରହିଛନ୍ତି।
ପରାଜୟ ପାର୍ଶ୍ବରେ ପଟେଲ୍
ମୁମ୍ବାଇ ଟେଷ୍ଟ୍ରେ ପ୍ରଥମ ପାଳିରେ ପରଫେକ୍ଟ୍ ଟେନ୍ ସହ ମୋଟ ୧୪/୨୨୫ ବୋଲିଂ ଚିତ୍ର ପାଇଥିବା ନ୍ୟୁଜିଲାଣ୍ଡ୍ର ବାମହାତୀ ସ୍ପିନର୍ ଏଜାଜ ପଟେଲ୍ କେବଳ ସ୍ବତନ୍ତ୍ର ସମ୍ମାନ ପାଇ ସନ୍ତୁଷ୍ଟ ହୋଇଥିଲେ। ପରାଜୟ ପାର୍ଶ୍ବରେ ରହିଥିବା ଖେଳାଳି ପାଇଁ ଏହା ଶ୍ରେଷ୍ଠ ବୋଲିଂ ଚିତ୍ର। ସେ ଜଭାଗାଲ୍ ଶ୍ରୀନାଥ (୧୩/୧୩୨ ବନାମ ପାକିସ୍ତାନ, କୋଲକାତା, ୧୯୯୯)ଙ୍କୁ ପଛରେ ପକାଇଥିଲେ। ଶେଷ ଥର ପାଇଁ କିନ୍ତୁ କପିଳ ଦେବ (୯/୮୩ ବନାମ ୱେଷ୍ଟଇଣ୍ଡିଜ୍, ୧୯୮୩) ଏଭଳି ବଞ୍ଚିତ ବୋଲର ଥିଲେ। ସେହିଭଳି ପରଫେକ୍ଟ ଟେନ୍ ନେବା ପରେ ପ୍ରଥମ ବୋଲର ଭାବେ ସେ ମଧ୍ୟ ପରାଜୟ ପାର୍ଶ୍ବରେ ରହିଲେ। ପୂର୍ବ ଦୁଇ ଖେଳାଳି ଜିମ୍ ଲେକର ଏବଂ ଅନିଲ କୁମ୍ବଲେ ପରଫେକ୍ଟ ଟେନ୍ ନେଇଥିବା ବେଳେ ତାଙ୍କ ଦଳ ଜିତିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/22-7.jpg)