ହାଙ୍ଗ୍ଝୌ: ଚଳିତ ଉନ୍ନବିଂଶ ଏସୀୟ କ୍ରୀଡ଼ାରେ ହକି ସ୍ବର୍ଣ୍ଣ ପଦକ ସହିତ ଭାରତ ପ୍ୟାରିସ୍ ଅଲିମ୍ପିକ୍ସ ଟିକେଟ୍ ଅର୍ଜନ କରିନେଇଛି। ଏଥି ସହିତ ଭାରତର ପଦକ ସଂଖ୍ୟା ମଧ୍ୟ ପ୍ରଥମ ଥର ନିଶ୍ଚିତ ଶତକ ମୁହାଁ ହୋଇଛି। ଅଦ୍ୟାବଧି ଭାରତ ୨୨ ସ୍ବର୍ଣ୍ଣ, ୩୪ ରୌପ୍ୟ, ୩୯ କାଂସ୍ୟ ସହ ଭାରତ ମୋଟ ୯୫ ପଦକ ଜିତିଛି। ପୁରୁଷ କ୍ରିକେଟ୍, ପୁରୁଷ ଓ ମହିଳା କବାଡ଼ି ଏବଂ ପରୁଷ ଯୁଗଳ ବ୍ୟାଡମିଣ୍ଟନ୍ ଦଳ ଫାଇନାଲ୍ ଖେଳିବା ନିଶ୍ଚିତ କରିଛନ୍ତି। ଅନ୍ୟ ଖେଳକୁ ମିଶାଇ ଭାରତ ଅନ୍ୟୁନ ୧୦ ପଦକ ନିଶ୍ଚିତ କରିଥିବାରୁ ଭାରତର ପଦକ ବସ୍ତୁତଃ ୧୦୦ ଅତିକ୍ରମ କରିସାରିଛି। ଏସୀୟ କ୍ରୀଡ଼ାର ୭୨ ବର୍ଷ ଇତିହାସରେ ଭାରତ କେବେ ଏତେ ସଂଖ୍ୟକ ପଦକ ଜିତି ପାରିନଥିଲା। ୨୦୧୮ ସଂସ୍କରଣରେ ଭାରତ ୧୬ ସ୍ବର୍ଣ୍ଣ ସହ ୭୦ ପଦକ ଜିତି ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲା। ୫ ବର୍ଷ ପରେ ଏହା ପଛରେ ପଡ଼ିଯାଉଛି। ଶୁକ୍ରବାର ଭାରତ ଗୋଟିଏ ସ୍ବର୍ଣ୍ଣ, ୨ ରୌପ୍ୟ ଏବଂ ୬ କାଂସ୍ୟ ପଦକ ଜିତିନେଇଛି।
ତୀନ୍ଦରାଜିରୁ ୨ ପଦକ
ଭାରତକୁ ଶୁକ୍ରବାର ସକାଳେ ତୀରନ୍ଦାଜିରୁ ଦୁଇଟି ପଦକ ମିଳିଥିଲା। ମହିଳା ରିକର୍ଭ ଦଳ କାଂସ୍ୟ ପଦକରେ ଅବଶ୍ୟ ସନ୍ତୁଷ୍ଟ ରହିଥିଲେ। ପୁରୁଷ ରିକର୍ଭ ଦଳ କିନ୍ତୁ ରୌପ୍ୟ ପଦକ ହାସଲ କରି ନେଇଥିଲେ। ୧୩ ବର୍ଷର ପ୍ରତୀକ୍ଷା ପରେ ଏହା ସମ୍ଭବ ହୋଇଛି। ୨୦୧୦ରେ ଭାରତକୁ ଏହିଂ ଖେଳରୁ ପ୍ରଥମ ପଦକ ମିଳିଥିଲା। ଅଙ୍କିତା ଭକତ, ସିମ୍ରନଜିତ କୌର, ଭଜନ କୌରଙ୍କ ନେଇ ଗଠିତ ଭାରତୀୟ ମହିଳା ରିକର୍ଭ ଦଳ ୬-୨ (୫୬-୫୨, ୫୫-୫୬, ୫୭-୫୦, ୫୧-୪୮)ରେ ଭିଏତନାମକୁ ପରାସ୍ତ କରିଥିଲା। ଏହା ପରେ ଅତନୁ ଦାସ, ତୁଷାର ସେଲକେ, ଧୀରାଜ ବୋମାଡେଭାରାଙ୍କୁ ନେଇ ଗଠିତ ଭାରତୀୟ ପୁରୁଷ ଦଳ ୫-୩ (୫୮-୫୧, ୫୭-୫୪, ୫୬-୫୮, ୫୭-୫୭)ରେ ବାଂଲାଦେଶକୁ ପରାସ୍ତ କରିଥିଲା। କିନ୍ତୁ ସ୍ବର୍ଣ୍ଣ ମୁକାବିଲାରେ ଦକ୍ଷିଣ କୋରିଆଠାରୁ ୧-୫ରେ ହାରି ରୌପ୍ୟ ପଦକ ହାସଲ କରିଥିଲେ। ଚଳିତ ସଂସ୍କରଣରେ ଭାରତ ତୀରନ୍ଦାଜିରୁ ମୋଟ ୮ ପଦକ ଜିତି ସାରିଛି। ଜ୍ୟୋତି ସୁରେଖା ଭେନ୍ନମ ମହିଳା କମ୍ପାଉଣ୍ଡ ଫାଇନାଲ୍ରେ ପ୍ରବେଶ କରିଥିବାରୁ ଅନ୍ୟୁନ ରୌପ୍ୟ ପଦକ ଜିତିବା ନିଶ୍ଚିତ ରହିଛି। ସେହିଭଳି ଅଭିଷେକ ବର୍ମା ଓ ଓଜାସ ଦେଓତାଲେ କମ୍ପାଉଣ୍ଡ ବ୍ୟକ୍ତିଗତ ଫାଇନାଲ୍କୁ ଉଠିଥିବାରୁ ଭାରତକୁ ସ୍ବର୍ଣ୍ଣ-ରୌପ୍ୟ ପଦକ ମିଳିବା ନିଶ୍ଚିତ ରହିଛି।
ପ୍ରଣୟ ଜିତିଲେ କାଂସ୍ୟ, ଫାଇନାଲ୍ରେ ସାତ୍ତ୍ବିକ-ଚିରାଗ
ଏକାଧିକ ତ୍ରୁଟି କରିବାରୁ ଏଚ୍ଏସ୍ ପ୍ରଣୟ ଏସୀୟ କ୍ରୀଡ଼ାରେ କାଂସ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ଅବଶ୍ୟ ୪୧ ବର୍ଷ ପରେ ଭାରତ ପାଇଁ ଏହା ଏସୀୟ କ୍ରୀଡ଼ାରୁ ପ୍ରଥମ ବ୍ୟାଡମିଣ୍ଟନ୍ ଏକକ ପଦକ ହୋଇଥିବାରୁ ଐତିହାସିକ ସଫଳତା ମିଳିଛି। ଶୁକ୍ରବାର ସେମିଫାଇନାଲ୍ରେ ପ୍ରଣୟ ଚୀନର ଲି ସି ଫେଙ୍ଗଙ୍କଠାରୁ ୧୬-୨୧, ୯-୨୧ରେ ହାରିଯାଇଥିଲେ। ପ୍ରଣୟ ବିଶ୍ବର ୭ ନମ୍ବର ଖେଳାଳି ହୋଇଥିବାବେଳେ ଫେଙ୍ଗ ୮ ନମ୍ବର ଭାବେ ଖେଳିଥିଲେ। ପ୍ରଣୟ କିନ୍ତୁ ଆହତ ସମସ୍ୟା ଭିତରେ ଥିବାରୁ ପୁରା ଦମ୍ରେ ଖେଳିପାରିନଥିଲେ। ଲି ଏହାକୁ ୫୧ ମିନିଟ୍ ଲଢ଼େଇରେ ଜିତି ନେଇଥିଲେ। ଏସୀୟ କ୍ରୀଡ଼ାର ପୁରୁଷ ବ୍ୟାଡମିଣ୍ଟନ୍ ଇଭେଣ୍ଟରେ ପୂର୍ବରୁ ଭାରତ ପାଇଁ କେବଳ ସୟଦ ମୋଦୀ କାଂସ୍ୟ (୧୯୮୨) ପଦକ ଜିତିଥିଲେ। ଚଳିତ ସଂସ୍କରଣରେ କିନ୍ତୁ ପ୍ରଣୟଙ୍କ ପାଇଁ ଏହା ଦ୍ବିତୀୟ ପଦକ। ଗତ ସପ୍ତାହରେ ରୌପ୍ୟ ପଦକ ବିଜୟୀ ଭାରତୀୟ ପୁରୁଷ ଦଳରେ ସେ ଅନ୍ୟତମ ସଦସ୍ୟ ଥିଲେ। ଅନ୍ୟପକ୍ଷରେ ସାତ୍ତ୍ବିକ ସାଇରାଜ ରାଙ୍କିରେଡ୍ଡୀ ଏବଂ ଚିରାଗ ସେଟ୍ଟୀଙ୍କ ଯୋଡ଼ି ମାଲେସିଆ ପ୍ରତିଦ୍ବନ୍ଦ୍ବୀଙ୍କୁ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଥିବାରୁ ଏବେ ଆଉ ଏକ ହଳଦିଆ ପଦକର ଆଶା ବଢ଼ିଛି।
କୁସ୍ତିରୁ ମିଳିଲା ୩ କାଂସ୍ୟ
କୁସ୍ତିରୁ ଭାରତକୁ ଅପେକ୍ଷାକୃତ ନିରାଶ ମିଳିଛି। ୩ ଜଣ ଭାରତୀୟ କୁସ୍ତିଯୋଦ୍ଧା କାଂସ୍ୟ ପଦକ ଜିତିବାରେ କେବଳ ସକ୍ଷମ ହୋଇଛନ୍ତି। ସୋନମ ମଲ୍ଲିକ ମହିଳା ୬୨ କିଲୋଗ୍ରାମ, କିରଣ ବିଷ୍ଣୋଇ ମହିଳା ୭୬ କିଲୋଗ୍ରାମ, ଅମନ ସେରାୱତ ପୁରୁଷ ଫ୍ରିଷ୍ଟାଇଲ୍ ୫୭ କିଲୋଗ୍ରାମରେ ଏହି ୩ କାଂସ୍ୟ ପଦକ ଜିତିଥିଲେ।
ବ୍ରିଜ୍ରୁ ରୌପ୍ୟ
ବ୍ରିଜ୍ରୁ ଭାରତ ରୌପ୍ୟ ପଦକ ଜିତିଛି। ହଂ କଂ ଚୀନ ବିପକ୍ଷ ଫାଇନାଲ୍ରେ ଭାରତର ସମସ୍ତ ୬ ପୁରୁଷ ଦଳ ହାରିଯାଇଥିଲେ। ହଂ କଂ ଚୀନ ୨୨୯.୧ ପଏଣ୍ଟ୍ ସ୍କୋର୍ କରିଥିବାବେଳେ ଭାରତ ୧୫୨ ପଏଣ୍ଟରେ ସୀମିତ ରହିଥିଲା। ଫଳରେ ଜାଗି ଶିବଦଶାନି, ସନ୍ଦୀପ ଠକରାଲ, ରାଜେଶ୍ବର ତିୱାରୀ, ସୁମିତ ମୁଖାର୍ଜୀ, ରାଜୁ ତୋଲାନି ଏବଂ ଅଜୟ ଖାରେ ରୌପ୍ୟ ପଦକ ଜିତିଥିଲେ। ଜାପାନ ଓ ଚୀନ କାଂସ୍ୟ ପଦକ ମୁକାବିଲା ଜିତି ନେଇଥିଲେ। ୨୦୧୮ରେ ପ୍ରଥମ ଥର ବ୍ରିଜ୍ ସାମିଲ ହୋଇଥିଲା। ସେଥର ଭାରତୀୟ ପୁରୁଷ ପେୟାର ଦଳ ସ୍ବର୍ଣ୍ଣ ଜିତିଥିଲା ଏବଂ ପୁରୁଷ ଓ ମିଶ୍ରିତ ଦଳ କାଂସ୍ୟ ପଦକ ହାସଲ କରିଥିଲେ। ଏଥର କିନ୍ତୁ ପୁରୁଷ ଦଳ ପାଦେ ଆଗକୁ ବଢ଼ିଥିବାବେଳେ ମିଶ୍ରିତ ଓ ମହିଳା ଦଳ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି।
କବାଡ଼ିରେ ଫାଇନାଲ୍ରେ ପୁରୁଷ ଓ ମହିଳା
୫ ବର୍ଷ ତଳେ ନିରାଶାଜନକ ପ୍ରଦର୍ଶନ କରି କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଥିବା ଭାରତୀୟ ପୁରୁଷ କବାଡ଼ି ଦଳ ଏଥର ଫାଇନାଲକୁ ଉଠିଥିବାରୁ ନିଜ ସ୍ବର୍ଣ୍ଣିମ ଯୁଗକୁ ଫେରିବାର ସଙ୍କେତ ଦେଇଛି। ଶୁକ୍ରବାରର ସେମିଫାଇନାଲ୍ରେ ଭାରତୀୟ ଦଳ ୬୧-୧୪ରେ ଏକତରଫା ଭାବେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ମାତ ଦେଇଥିଲା। ଅନ୍ୟପକ୍ଷରେ ଦୁଇ ଥର ବିଜେତା ଭାରତୀୟ ମହିଳା କବାଡ଼ି ଦଳ ମଧ୍ୟ ଏକତରଫା ଭାବେ ୬୧-୧୭ରେ ନେପାଳକୁ ପରାସ୍ତ କରି ଫାଇନାଲ୍ ଖେଳିବାକୁ ନିଶ୍ଚିତ କରିଛି। ଏଥି ସହିତ କବାଡ଼ିରୁ ଭାରତ ଅନ୍ୟୂନ ୨ଟି ରୌପ୍ୟ ପଦକ ପାଇବା ନିଶ୍ଚିତ ହୋଇଛି। ଏକଦା ୭ ଥର କ୍ରମାଗତ ବିଜେତା ହୋଇଥିବା ଭାରତୀୟ ପୁରୁଷ ଦଳ ଶୁକ୍ରବାର ପ୍ରଥମରୁ ପଛରେ ପଡ଼ିଯାଇଥିଲେ ମଧ୍ୟ ଏହା ସାମୟିକ ଥିଲା। ପ୍ରଥମ ଅଧିବେଶନ ସୁଦ୍ଧା ଭାରତ ୩୦-୫ରେ ଆଗୁଆ ରହିଥିଲା। ପବନ ସେରାୱତଙ୍କ ଚମତ୍କାର ପ୍ରଦର୍ଶନ ଭାରତକୁ ଏକତରଫା ବିଜୟ ଦେଇଥିଲା। ୫ ବର୍ଷ ତଳେ ଜାକର୍ତ୍ତାରେ କିନ୍ତୁ ଭାରତୀୟ ଦଳ ସେମିଫାଇନାଲ୍ରେ ଇରାନଠାରୁ ହାରିଯିବା ପରେ କାଂସ୍ୟ ପଦକ ଜିତିଥିଲା। ୧୯୯୦ରେ କବାଡ଼ି ଏସୀୟ କ୍ରୀଡ଼ାରେ ସାମିଲ ପରଠାରୁ ଭାରତ ପ୍ରାଧାନ୍ୟ ବିସ୍ତାର କରି ଆସିଛି। ଭାରତୀୟ ପୁରୁଷ ଦଳ ସ୍ବର୍ଣ୍ଣ ପଦକ ମୁକାବିଲାରେ ଇରାନ୍ କିମ୍ବା ଚାଇନିଜ୍ ତାଇପେକୁ ଭେଟିବ। ମହିଳା ବର୍ଗରେ ଗତ ଥରର ରୌପ୍ୟ ପଦକ ବିଜେତା ଭାରତୀୟ ଦଳ ୨୯-୧୦ରେ ପ୍ରଥମାର୍ଦ୍ଧ ଶେଷ କରିବା ପରେ ଆଉ ପଛକୁ ଫେରିନଥିଲା। ପୂଜା ହାଥୱଲା, ପୁଷ୍ପା ରାଣାଙ୍କ ସହ ଯୁବ ଖେଳାଳି ଅକ୍ଷିମା ଚମତ୍କାର ପ୍ରଦର୍ଶନ କରୁଥିବାରୁ ଭାରତ ସ୍ବର୍ଣ୍ଣ ପଦକ ଜିତିବା ସମ୍ଭାବନା ସୃଷ୍ଟି କରିଛି।
ମହିଳା ସିପକଟାକ୍ରରୁ ସର୍ବପ୍ରଥମ ପଦକ
ଭାରତ ମଧ୍ୟ ଶୁକ୍ରବାର ମହିଳା ସିପକଟାକ୍ରରୁ ସର୍ବପ୍ରଥମ ଏସୀୟ କ୍ରୀଡ଼ା ପଦକ ଜିତିଛି। ଥାଇଲାଣ୍ଡ ଏହି ଖେଳର ମହାଶକ୍ତି ଭାବେ ପରିଚିତ ଥିଲେ ମଧ୍ୟ ଭାରତ ଐତିହାସିକ ସଫଳତା ପାଇ ଆଗକୁ ବଢ଼ିଛି। ଆୟେକପାମ ମୈପକ ଦେବୀ, ଓନୈମ ଚାଓବା ଦେବୀ, ଖୁସବୁ, ଏଲଙ୍ଗବାମ ପ୍ରିୟା ଦେବୀ, ଏଲଙ୍ଗବାମ ଲୈରେନଟୋମ୍ବି ଦେବୀଙ୍କୁ ନେଇ ଗଠିତ ଭାରତୀୟ ମହିଳା ଦଳ ରେଗୁ ସେମିଫାଇନାଲ୍ରେ ୧୦-୨୧, ୧୩-୨୧ରେ ହାରିଯାଇଥିଲେ। ଗ୍ରୁପ୍ ପର୍ଯ୍ୟାୟରେ ଭିଏତନାମ ପଛକୁ ରହି ଭାରତ ସେମିଫାଇନାଲ୍ ଉଠିଥିଲା। ସିପକଟାକ୍ରରେ ଉଭୟ ସେମିଫାଇନାଲିଷ୍ଟ୍ଙ୍କୁ କାଂସ୍ୟ ପଦକ ପ୍ରଦାନର ବ୍ୟବସ୍ଥା ଥିବାରୁ ଏହା ମିଳିଥିଲା। ଏସୀୟ କ୍ରୀଡ଼ା ଇତିହାସରେ ଭାରତ ପାଇଁ ଏହା ଦ୍ବିତୀୟ ଏବଂ ମହିଳା ବର୍ଗରେ ସର୍ବପ୍ରଥମ ପଦକ। ୨୦୧୮ ଏସୀୟ କ୍ରୀଡ଼ାରେ ଭାରତୀୟ ପୁରୁଷ ରେଗୁ ଦଳ ସର୍ବପ୍ରଥମ ଥର କାଂସ୍ୟ ପଦକ ଜିତିଥିଲେ।
ଚେସ୍ରେ ରୌପ୍ୟ ସ୍ଥିତି
ଭାରତର ଉଭୟ ପୁରୁଷ ଓ ମହିଳା ଚେସ୍ ଦଳ ଅଷ୍ଟମ ରାଉଣ୍ଡ ସୁଦ୍ଧା ଦ୍ବିତୀୟ ସ୍ଥାନରେ ଥିବାରୁ ରୌପ୍ୟ ପଦକ ପାଇବା ସମ୍ଭାବନା ରହିଛି। ଶନିବାର ନବମ ତଥା ଅନ୍ତିମ ରାଉଣ୍ଡ୍ ସହ ଏହି ଇଭେଣ୍ଟ ଶେଷ ହେବ। ପୁରୁଷ ଦଳ ଶୁକ୍ରବାର ୩.୫-୦.୫ରେ କୋରିଆକୁ ପରାସ୍ତ କରିଥିଲା। ପି ହରିକ୍ରିଷ୍ଣା ତାଙ୍କ ଗେମ୍ ଡ୍ର ରଖିଥିବାବେଳେ ଡି ଗୁକେଶ, ଅର୍ଜୁନ ଏରିଜୈସି ଓ ଆର୍ ପ୍ରଜ୍ଞାନନ୍ଦ ବିଜୟୀ ହୋଇଥିଲେ। ମହିଳା ବର୍ଗରେ ଦ୍ରୋନୋବଳି ହାରିକା, ବୈଶାଳୀ ରମେଶବାବୁ, ବନ୍ତିକା ଅଗ୍ରୱାଲ, ସବିତା ଶ୍ରୀ ଭାସ୍କର ନିଜ ନିଜ ଅଷ୍ଟମ ରାଉଣ୍ଡ୍ ଗେମ୍ ଜିତିବାରୁ ଭାରତ ୪-୦ରେ ହଂ କଂ ଚୀନକୁ ପରାସ୍ତ କରିଛି।