ଭାରତର ସେଞ୍ଚୁରିଅନ୍ ଦଖଲ: ଦକ୍ଷିଣ ଆଫ୍ରିକା ୧୧୩ ରନ୍‌ରେ ପରାସ୍ତ, କେଏଲ୍‌ ରାହୁଲ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି

ପ୍ରତୀକ୍ଷିତ ବିଜୟ ସହ ଭାରତ ୧-୦ରେ ଆଗୁଆ, ଦକ୍ଷିଣ ଆଫ୍ରିକା ମାଟିରେ ୪ର୍ଥ ବିଜୟ

ସେଞ୍ଚୁରିଅନ୍‌: ଭାରତୀୟ ବୋଲରଙ୍କ ଚମତ୍କାର ପ୍ରଦର୍ଶନ କାରଣରୁ ବିରାଟ ସେନା ପ୍ରଥମ ଲ‌ଢ଼େଇରେ ସେଞ୍ଚୁରିଅନ୍‌ ଦଖଲ କରିଛି। ସୁପର ସ୍ପୋର୍ଟସ ପାର୍କରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ୍‌କୁ ଭ୍ରମଣକାରୀ ଦଳ ୧୧୩ ରନ୍‌ରେ ଜିତି ୩ ମ୍ୟାଚ୍‌ ଶୃଙ୍ଖଳାରେ ମଧ୍ୟ ୧-୦ରେ ଆଗୁଆ ହୋଇଯାଇଛି। ଘରୋଇ ଦକ୍ଷିଣ ଆଫ୍ରିକା ଦଳ ସମ୍ମୁଖରେ ୩୦୫ ରନ୍‌ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଡିନ୍‌ ଏଲଗାରଙ୍କ ଦଳ କିନ୍ତୁ ଦ୍ବିତୀୟ ପାଳିରେ ୧୯୧ ରନ୍‌ କରି ସମସ୍ତ ୱିକେଟ୍ ହରାଇ ଦେଇଥିଲା। ଯଶପ୍ରୀତ୍ ବୁମରା ଓ ମହମ୍ମଦ ସାମି ୩-୩ ୱିକେଟ୍ ନେଇଥିବା ବେଳେ ମହମ୍ମଦ ସିରାଜ-ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ୨-୨ ୱିକେଟ୍ ନେଇ ପଞ୍ଚମ ଦିନ ମଧ୍ୟାହ୍ନ ଭୋଜନ ବିରତି ପରେ ବିଜୟ ପ୍ରଦାନ କରିଥିଲେ। ଭାରତର ଉଭୟ ପାଳିରୁ ସର୍ବାଧିକ ୧୪୬ ରନ୍ (୧୨୩ ଓ ୨୩) ସଂଗ୍ରହ କରିଥିବା ଉପଅଧିନାୟକ କେଏଲ୍ ରାହୁଲ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ବିଜୟ ସହ ଭାରତୀୟ ଦଳ ୨୦୨୧କୁ ବିଦାୟ ଦେଇଥିବା ବେଳେ ଜାନୁଆରି ୩ରୁ ଜୋହାନ୍ସବର୍ଗ ଟେଷ୍ଟ୍‌ ଖେଳି ୨୦୨୨ ଅଭିଯାନକୁ ଆରମ୍ଭ କରିବ ବିରାଟ କୋହଲିଙ୍କ ଦଳ। ଇନ୍ଦ୍ରଧନୁର ଦେଶରେ ଭାରତ ମଧ୍ୟ ଦ୍ବିତୀୟ ଥର ପାଇଁ ୧-୦ରେ ଆଗୁଆ ହୋଇଛି। କିନ୍ତୁ ଶୃଙ୍ଖଳା ବିଜୟ ସ୍ବପ୍ନ ଅଧୁରା ରହିଛି।

ଗୁରୁବାର ଦକ୍ଷିଣ ଅଫ୍ରିକା ଏହାର ପୂର୍ବଦିନର ଅସମାପ୍ତ ପାଳି ୯୪/୪ରୁ‌ ଖେଳିଥିଲେ ମଧ୍ୟ ଭାରତୀୟଙ୍କୁ ଦିନର ପ୍ରଥମ ୱିକେଟ୍ ପାଇଁ ଢେର ସମୟ ଅପେକ୍ଷା କରିବାକୁ ପଡ଼ିଥିଲା। ୧୦ ଓଭର ଓ ୩୬ ରନ୍‌ ପରେ ଅଧିନାୟକ ଡିନ୍ ଏଲଗାର (୭୭, ୧୫୬ ବଲ୍, ୧୨‌ ଚୌକା)ଙ୍କୁ ଯଶପ୍ରୀତ ବୁମରା ଏଲ୍‌ବିଡବଲ୍ୟୁ କରି ଦେଇଥିଲେ। ଏହା ପରେ ଭାରତୀୟ ବୋଲରମା‌ନେ ଚାପ ପକାଇବାରେ ଲାଗିଥିଲେ। କିଛି ସମୟ ପରେ କ୍ବିଣ୍ଟନ୍ ଡି’କକ୍‌ଙ୍କୁ ମହମ୍ମଦ ସିରାଜ ବୋଲ୍ଡ କରି ଘରୋଇ ଦଳର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ସାମି ଓ ଅଶ୍ବିନ ଶେଷ ୪ ୱିକେଟ୍ ବାଣ୍ଟି ନେଇ ମ୍ୟାଚ୍‌କୁ ତୁରନ୍ତ ଶେଷ କରି ଦେଇଥିଲେ। ବିଶ୍ବ କ୍ରିକେଟ୍‌କୁ ପୁନଃ ପ୍ରବେଶ କରିବାର ୩ ଦଶନ୍ଧି ଭିତରେ ଦକ୍ଷିଣ ଆଫ୍ରିକା ଘରୋଇ ମାଟିରେ ତୃତୀୟ ଥର ଉଭୟ ପାଳିରେ ୨୦୦ ସ୍କୋର୍‌ ଅତିକ୍ରମ କରିପାରିନଥିଲା। ୨୦୦୧-୦୨ରେ ଜୋହାନ୍ସବର୍ଗରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୫୯ ଓ ୧୩୩, ୨୦୧୭-୧୮ରେ ସେହି ଜୋହାନ୍ସବର୍ଗରେ ଭାରତ ବିପକ୍ଷରେ ୧୯୪ ଓ ୧୭୭ ରନ୍‌ କରିଥିବା ବେଳେ ଏବେ ସେଞ୍ଚୁରିଅନ୍‌ରେ ୧୯୭ ଓ ୧୯୧ ରନ୍‌ କରିଛି।

ଦକ୍ଷିଣ ଆଫ୍ରିକା ମାଟିରେ ୪ର୍ଥ ବିଜୟ
ଗୁରୁବାରର ବିଜୟ ସହିତ ଦକ୍ଷିଣ ଆଫ୍ରିକା ମାଟିରେ ଭାରତ ନିଜର ମାତ୍ର ଚତୁର୍ଥ ଟେଷ୍ଟ୍‌ ଜିତିଛି। ପୂର୍ବରୁ ୨୦୦୬-୦୭ରେ ଜୋହାନ୍ସବର୍ଗରେ, ୨୦୧୦-୧୧ ଗସ୍ତରେ ଡର୍ବାନ୍‌ରେ ୮୭ ରନ୍‌ରେ ଏବଂ ୨୦୧୭-୧୮ରେ ଜୋହାନ୍ସବର୍ଗରେ ୬୩ ରନ୍‌ରେ ଜିତିଥିଲା ଭାରତ। ଏଥି ସହିତ ଭାରତ ମଧ୍ୟ ୨୦୨୧ ମସିହାର ପ୍ରଥମ ଓ ଶେଷ ଟେଷ୍ଟ୍‌କୁ ବିଦେଶ ମାଟିରେ ଜିତି ଅପୂର୍ବ ସଫଳତା ପାଇଛି। ଗୋଟିଏ କ୍ୟାଲେଣ୍ଡର୍‌ ବର୍ଷରେ ଭାରତ ଦ୍ବିତୀୟ ଥର ୪ ଟେଷ୍ଟ୍ ଜିତିଛି। ୨୦୨୧ ମସିହାରେ ଭାରତ ବ୍ରିସବେନ୍, ଲର୍ଡସ, ଓଭାଲ୍‌, ସେଞ୍ଚୁରିଅନ୍‌ରେ ଜିତିଥିବା‌ ବେଳେ ୨୦୧୮ରେ ଜୋହାନ୍ସବର୍ଗ, ନଟିଂହାମ୍, ଆଡିଲେଡ୍‌,‌ ମେଲବର୍ଣ୍ଣରେ ସଫଳ ହୋଇଥିଲା। ଭାରତ ତୁଳନାରେ ପାକିସ୍ତାନ ହିଁ ୨୦୨୧ରେ ବିଦେଶରେ ଅଧିକ (୫)‌ ଟେଷ୍ଟ୍ ଜିତିଛି। ତେବେ ସେଞ୍ଚୁରିଅନ୍‌ରେ ଭାରତ ପ୍ରଥମ ଥର ବିଜୟୀ ହୋଇ ୨୯ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଛି। ୨୯ ବର୍ଷ ଓ ୭ ‌ଶୃଙ୍ଖଳା ପରେ ଭାରତ ସେଞ୍ଚୁରିଅନ୍‌ରେ ସଫଳ ହୋଇଛି।

ସାମିଙ୍କୁ ବିରାଟ ପ୍ରଶଂସା
ଭାରତୀୟ ବିଜୟର ଅନ୍ୟତମ କର୍ଣ୍ଣଧାର ସାଜିଥିବା ମହମ୍ମଦ ସାମିଙ୍କୁ ଅଧିନାୟକ ବିରାଟ କୋହଲି ଉଚ୍ଚ ପ୍ରଶଂସା କରିଛନ୍ତି। ବର୍ତ୍ତମାନ ସାମି ବିଶ୍ବର ଶ୍ରେଷ୍ଠ ୩ ବୋଲରଙ୍କ ମଧ୍ୟରେ ଜଣେ ବୋଲି ବିରାଟ କହିଛନ୍ତି। ୨୦୦ ୱିକେଟ୍‌ ଅକ୍ତିଆର କରିବା ସହ ପ୍ରଭାବ ଛାଡ଼ିଥିବାରୁ ସେ ଅଭିନନ୍ଦନର ପାତ୍ର। ବିଗତ ୨/୩ ବର୍ଷ ଭିତରେ ଦଳକୁ ମିଳୁଥିବା ବିଦେଶ ବିଜୟରେ ତାଙ୍କ ପ୍ରମୁଖ ଅବଦାନ ରହିଛି। ବୁମରାଙ୍କ ଅନୁପସ୍ଥିତିରେ ସାମି ପ୍ରଥମ ପାଳିରେ ଯେଭଳି ବୋଲିଂ କରିଥିଲେ ତାହା ସବୁଠାରୁ ପ୍ରଶଂସନୀୟ। ସୂଚନାଯୋଗ୍ୟ, ଗୋଡରେ ଆଘାତ ପାଇବା ପରେ ବୁମରା ପ୍ରଥମ ଦିନ ପ୍ରାୟ ୨ ଘଣ୍ଟା ବାହାରେ ରହିଥିଲେ। ପଡ଼ିଆକୁ ଫେରିବା ପରେ ପୁଣି ୨ ଘଣ୍ଟା ପରେ ବୋଲିଂ ସୁଯୋଗ ପାଇଥିଲେ। ସାମି କିନ୍ତୁ ୫ ୱିକେଟ୍ ନେଇ ଘରୋଇ ଦଳର ପ୍ରଥମ ପାଳିକୁ ୧୯୭ ରନ୍‌ରେ‌ ରୋକିଥିଲେ। ଦ୍ବିତୀୟ ପାଳିର ୩ ୱିକେଟ୍‌କୁ ମିଶାଇ ସାମି ମଧ୍ୟ ସର୍ବାଧିକ ୮ ୱିକେଟ୍‌ ନେଇ ମ୍ୟାଚ୍‌ର ଶ୍ରେଷ୍ଠ‌ ଖେଳାଳି ଦୌଡ଼ରେ ସାମିଲ ହୋଇଥିଲେ। କିନ୍ତୁ ଦୁଇ ଦଳ ମଧ୍ୟରେ ଫରକ ପକାଇଥିବା ରାହୁଲଙ୍କ ଶତକ ତାଙ୍କୁ ଶ୍ରେଷ୍ଠ ଖେଳାଳିର ସମ୍ମାନ ‌ଦେଇଥିଲା।‌ ସେହି ଦଳର ବିଜୟରେ ପ୍ରାରମ୍ଭିକ ଯୋଡ଼ି କେଏଲ୍ ରାହୁଲ ଓ ମୟଙ୍କ ଅଗ୍ରୱାଲଙ୍କୁ ମଧ୍ୟ ବଡ଼ ଶ୍ରେୟ ଦେଇଥିଲେ କୋହଲି। ଆମେ ଭଲ ଜାବେ ଜାଣିଥିଲୁ ଗୋଟିଏ ଦିନ ବର୍ଷାରେ ଧୋଇଯାଇଛି। ସବୁବେଳେ ଦକ୍ଷିଣ ଆଫ୍ରିକାରେ ଖେଳିବା କଷ୍ଟକର ଥିବାରୁ ଏହି ବିଜୟ ଆମର ଆତ୍ମବିଶ୍ବାସ ବଢ଼ାଇଛି ବୋଲି କୋହଲି କହିଛନ୍ତି।

କୋହଲିଙ୍କ ଅଲୋଡ଼ା କୀର୍ତ୍ତି, ବିନା ଶତକରେ ଲଗାତାର ବର୍ଷ ଶେଷ

ନୂଆଦିଲ୍ଲୀ: ଅଧିନାୟକ ବିରାଟ କୋହଲି ଭାରତୀୟ କ୍ରିକେଟ୍‌ ଇତିହାସରେ ଆଉ ଏକ ଅଲୋଡ଼ା‌ କୀର୍ତ୍ତି ସହ ବର୍ଷ ଶେଷ କରିଛନ୍ତି। ଗୁରୁବାର ଦକ୍ଷିଣ ଆଫ୍ରିକା ବିପକ୍ଷ ସେଞ୍ଚୁରିଅନ୍‌ ଟେଷ୍ଟ୍‌ର ପରିସମାପ୍ତି ସହିତ ଭାରତ ଏବଂ ବିଶେଷକରି କୋହଲିଙ୍କ ପାଇଁ ଚଳିତ ୨୦୨୧ ବର୍ଷ ଶେଷ ହୋଇଛି। ସେଞ୍ଚରିଅନ୍‌ ଟେଷ୍ଟ୍‌ର ଉଭୟ ପାଳିରେ କୋହଲି ଯଥାକ୍ରମେ ୩୫ ଓ ୧୮ ରନ୍‌ କରିଥିଲେ। ଆଉ ଦୁଇ ଦିନ ପରେ ନୂଆ ବର୍ଷ (୨୦୨୨) ଆସିଯିବ। ସେହି ଦୃଷ୍ଟିରୁ ଆନ୍ତର୍ଜାତିକ କ୍ରିକେଟ୍‌ରେ ଲଗାତାର ଦୁଇ ବର୍ଷ ଧରି ଶତକଟିଏ ହାସଲ ନକରିପାରିବାର ଅଲୋଡ଼ା କୀର୍ତ୍ତି କୋହଲିଙ୍କ ନାମରେ ଯୋଡ଼ି ହୋଇଯାଇଛି। ତାଙ୍କ ଖରାପ ସମୟର ଅନ୍ତଃ ଘଟିଲା ଭଳି ଲାଗୁନି। ଅନ୍ୟ କୌଣସି ଭାରତୀୟ କ୍ରିକେଟର୍‌ଙ୍କ କ୍ଷେତ୍ରରେ ଏଭଳି ଦୁର୍ଭାଗ୍ୟ ଘଟିନଥିଲା।

୨୦୧୯ ନଭେମ୍ବର ୨୩ ତାରିଖରେ ଐତିହାସିକ ଇଡେନ୍‌ ଗାର୍ଡେନ୍‌ରେ ବାଂଲାଦେଶ ବିପକ୍ଷ ଦିବାରାତ୍ର ଟେଷ୍ଟ୍‌ରେ ଶେଷ ଆନ୍ତର୍ଜାତିକ ଶତକ ହାସଲ କରିଥିଲେ କୋହଲି। ଏହା ଥିଲା ତାଙ୍କର ୭୦ତମ ଆନ୍ତର୍ଜାତିକ ଶତକ। ଏହା ପୂର୍ବରୁ ୨୦୧୬ରୁ ୨୦୧୮ ମଧ୍ୟରେ ସେ ଦ୍ରୁତ ଗତିରେ ଶତକ ଅର୍ଜନ କରୁଥିଲେ। ପ୍ରତି ୫ ପାଳି ମଧ୍ୟରେ ସେ ଗୋଟିଏ ଶତକ ନିଶ୍ଚିତ ହାସଲ କରୁଥିଲେ। ସେହି ଦୃଷ୍ଟିରୁ କିଛି ବର୍ଷ ମଧ୍ୟରେ ମା‌ଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର (୧୦୦)ଙ୍କ ପାଖାପାଖି ପହଞ୍ଚିଯାଇପାରିବେ ବୋଲି କ୍ରିକେଟ୍‌ ପଣ୍ଡିତମା‌ନେ ଆକଳନ କରୁଥିଲେ। ଏପରିକି ଅଷ୍ଟ୍ରେଲିଆର ରିକି ପଣ୍ଟିଂ (୭୧)ଙ୍କ ସଂଖ୍ୟାକୁ ଟପିବା ପାଇଁ ଦୁଇଟି ଶତକ ଆବଶ୍ୟକ କରୁଥିବା କୋହଲି ଦୁଇ ବର୍ଷ ହେଲା ତିନି ଅଙ୍କ ଛୁଇଁ ପାରୁନାହାନ୍ତି।

ଏପରିକି ୨୦୧୯ ପରଠୁ ଗୁରୁବାର ସେଞ୍ଚୁରିଅନ୍‌ ଟେ‌ଷ୍ଟ୍‌ ଶେଷ ମଧ୍ୟରେ ସେ ଗୋଟିଏ ହେଲେ ଶତକ ଅର୍ଜନ କରିପାରିନାହାନ୍ତି। ୨୦୨୦ ଭଳି ୨୦୨୧ ମଧ୍ୟ ତାଙ୍କ ପାଇଁ ଶତକର ନିରାଶା ଭରିଦେଇଛି। ଫଳରେ ୨୦୧୯ ବାଂଲାଦେଶ ବିପକ୍ଷ ଟେଷ୍ଟ୍‌ ପରଠୁ କ୍ରମାଗତ ୧୪ ମ୍ୟାଚ୍‌ ଧରି କୋହଲିଙ୍କ ବ୍ୟାଟିଂ ହାରାହାରି ନିମ୍ନଗାମୀ ହେବାରେ ଲାଗିଛି। ବାଂଲାଦେଶ ବିପକ୍ଷ ସେହି ଟେଷ୍ଟ୍‌ ପରଠୁ କୋହଲିଙ୍କ ହାରାହାରି ୫୪.୯୭ରୁ ୫୦.୩୪କୁ ଖସି ସାରିଲାଣି। ଯାହାକି ୨୦୧୭ ନଭେମ୍ବର ପରଠୁ ସର୍ବନିମ୍ନ। ଟେଷ୍ଟ୍‌ କ୍ରିକେଟ୍‌ରେ ୧୪ ପାଳି ଧରି ନିରାଶ ହେବା କୌଣସି ବି ଭାରତୀୟ ବ୍ୟାଟର୍‌ଙ୍କ ତୁଳନାରେ ସର୍ବାଧିକ। ତାଙ୍କ ପଛକୁ ଅବଶ୍ୟ ଅଜିଙ୍କ୍ୟ ରାହାଣେ (୧୩ ପାଳି) ରହିଛନ୍ତି। ଗତବର୍ଷ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ଜମାଇବା ପରଠୁ ରାହାଣେଙ୍କ ବ୍ୟାଟ୍‌ ଆଉ କଥା କହିପାରୁନି। ରାହାଣେଙ୍କ ପଛକୁ ଚେତେଶ୍ବର ପୂଜାରା (୧୧ ପାଳି) ଏବଂ ଏବର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ୍‌ (୧୦ ପାଳି, ୨୦୦୭ରୁ ୨୦୦୮) ଏହି ଅଲୋଡ଼ା କୀର୍ତ୍ତି ତାଲିକାର ତୃତୀୟ ଓ ଚତୁର୍ଥରେ ରହିଛନ୍ତି।

ସମ୍ବନ୍ଧିତ ଖବର