ଭାରତର ବିଜୟ ସମ୍ଭାବନା ଉଜ୍ଜ୍ବଳ

ଡିଆର୍‌ଏସ୍‌କୁ ପୁଙ୍ଖାନୁପୁଙ୍ଖ‌ ଭାବେ ଦେଖିବାକୁ ସଚିନଙ୍କ ଆହ୍ବାନ

ମେଲ୍‌ବର୍ନ: ଆଡିଲେଡ୍‌ ଟେଷ୍ଟ୍‌ରେ ଲଜ୍ଜାଜନକ ଦ୍ବିତୀୟ ପାଳି ପାଇଁ ପରାଜିତ ହୋଇଥିବା ଭାରତୀୟ ଦଳ ମେଲବର୍ନରେ କିନ୍ତୁ ବିଜୟ ସମ୍ଭାବନା ସୃଷ୍ଟି କରିଛି। ତିନି ଦିନ ଧରି ପ୍ରାଧାନ୍ୟ ବିସ୍ତାର କରିବା ପରେ ଅଜିଙ୍କ୍ୟ ରାହାଣେଙ୍କ ଦଳ ଡ୍ରାଇଭର୍‌ ସିଟ୍‌ରେ ବସିଛି। ଭାରତର ପ୍ରଥମ ପାଳିକୁ ୩୨୬ ରନ୍‌ରେ ଶେଷ କରି ଦେଇଥିଲେ ମଧ୍ୟ ଘରୋଇ ଦଳ ତୃତୀୟ ଦିନ‌‌ ଖେଳ ଶେଷ ସୁଦ୍ଧା ୧୩୩ ରନ୍‌ରେ ୬ ୱିକେଟ୍ ହରାଇ ସୁଯୋଗ ହାତଛଡ଼ା କରିଛି। ହାତରେ ୪ ୱିକେଟ୍ ଥାଇ ଅଷ୍ଟ୍ରେଲିଆ ମାତ୍ର ୨ ରନ୍‌ରେ ଆଗୁଆ ହୋଇଥିବାରୁ ମ୍ୟାଚ୍‌ ଭ୍ରମଣକାରୀ ଦଳ ନିୟନ୍ତ୍ରଣରେ ରହିଛି।

ରାହାଣେଙ୍କ ପ୍ରଥମ ରନ୍‌ ଆଉଟ୍‌
ସୋମବାର ଭାରତ ୨୭୭/୫ ଦୃଢ଼ ସ୍ଥିତିରୁ ଖେଳିଥିଲେ ମଧ୍ୟ ତୃତୀୟ ଦିନ ସକାଳେ ସେଭଳି ପ୍ରଭାବୀ ରହିନଥିଲା। ପୂର୍ବ ସଂଧ୍ୟାରେ ଶତକ ପୂର୍ଣ୍ଣ କରିଥିବା ଅଧିନାୟକ ଅଜିଙ୍କ୍ୟ ରାହାଣେ (୧୧୨, ୨୨୩ ବଲ୍‌) ପ୍ରଥମ ୱିକେଟ୍ ରୂପରେ ରନ୍‌ଆଉଟ୍ ହୋଇଯାଇଥିଲେ। ଟେଷ୍ଟ୍‌ କ୍ରିକେଟ୍‌ରେ ରାହାଣେ ପ୍ରଥମ ଥର ରନ୍‌ ଆଉଟ୍‌ ହୋଇଥିଲେ। ଅର୍ଧଶତକର ନିକଟତର ଜାଦେଜା ଏକ ଅନାବଶ୍ୟକ ଏକ ରନ୍‌ ନେବାକୁ‌ ଡାକିଥିବା ବେଳେ ରାହାଣେ ଠିକଣା ସମୟରେ ପହଞ୍ଚି ପାରିନଥିଲେ। ରାହାଣେଙ୍କ ସହ ୧୨୩ ରନ୍‌ ଭାଗୀଦାରି ଗଢ଼ିଥିବା ଜାଦେଜା (୫୭, ୧୫୯ ବଲ୍)ଙ୍କୁ ଷ୍ଟାର୍କ ଆଉଟ୍ କରିଦେବା ପରେ ଭାରତର ବଡ଼ ଅଗ୍ରଣୀ ସମ୍ଭାବନା ମଉଳି ଯାଉଥିଲା। ରବିଚନ୍ଦ୍ରନ ଅଶ୍ବିନ (୧୪)ଙ୍କୁ ହାଜେଲଉଡ୍‌ ପ୍ୟାଭିଲିଅନନ୍‌ ପଠାଇ ଦେଇଥିଲେ। ଉମେଶ ଯାଦବ ଏବଂ ଯଶପ୍ରୀତ୍ ବୁମରାଙ୍କୁ ଲଗାତାର ଓଭରରେ ଆଉଟ୍ କରି ନାଥନ୍ ଲାୟନ୍ ଭାରତ ପାଳିକୁ ୩୨୬ ରନ୍‌ରେ ଶେଷ କରି ଦେଇଥିଲେ। ଏଥିସହ ଭାରତକୁ ପ୍ରଥମ ପାଳିରେ ୧୩୧ ରନ୍‌ ଅଗ୍ରଣୀ ମିଳିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟାର୍କ ଓ ଲାୟନ୍‌ ପ୍ରତ୍ୟେକ ୩ ଲେଖାଏଁ ୱିକେଟ୍ ନେଇଥିଲେ।

ଅଷ୍ଟ୍ରେଲିଆର ଖରାପ ଆରମ୍ଭ
ପ୍ରଥମ ପାଳିରେ ୧୩୧ ରନ୍‌ ପଛରେ ପଡ଼ିଯିବା ପରେ ଅଷ୍ଟ୍ରେଲିଆ ଦ୍ବିତୀୟ ପାଳିରେ ପ୍ରତ୍ୟାବର୍ତନ କରିବା ଆଶାରେ ରଖିଥିଲା। ଭାରତୀୟ ବୋଲରମାନେ କିନ୍ତୁ ନିଜ ଲୟ ଜାରି ରଖି ଏହା କରାଇ‌ ଦେଇନଥିଲେ। ଉମେଶ ଯାଦବଙ୍କ ଦ୍ବିତୀୟ ଓଭରରେ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ଜୋ ବର୍ନସ (୪) ୱିକେଟ୍‌ ପଛପଟେ ଋଷବ ପନ୍ତଙ୍କ ଗ୍ଲୋଭ୍ସରେ ଧରା ପଡ଼ିଥିଲେ। ମାଥ୍ୟୁ ୱାଦେଙ୍କ ସହ ମିଶି ମାର୍ନସ ଲବୁସାନ୍‌ ୩୮ ରନ୍ ଯୋଡ଼ିଥିଲେ। ଅଫସ୍ପିନର୍‌ ରବିଚନ୍ଦ୍ରନ ଅଶ୍ବିନ୍ କିନ୍ତୁ ଲବୁସାନଙ୍କୁ ରାହାଣେଙ୍କ ହାତରେ କ୍ୟାଚ୍‌ କରାଇ ଆଗକୁ ବଢ଼ିବାକୁ ଦେଇନଥିଲେ। ଚା’ପାନ ବିରତି ପରେ କିନ୍ତୁ ସଂଘର୍ଷରତ ଷ୍ଟିଭେନ୍‌ ସ୍ମିଥ୍‌ଙ୍କୁ ଚକ୍‌ମା ଦେଇଥିଲେ ଯଶପ୍ରୀତ୍ ବୁମ୍‌ରା। ବୁମ୍‌ରାଙ୍କ ଲାଇନ୍‌ରେ ସମ୍ପୂର୍ଣ୍ଣ ପରାସ୍ତ ହୋଇ କେବଳ ଲେଗ୍‌ ଷ୍ଟମ୍ପ୍‌ ବେଲ୍ ହରାଇବା ପରେ ଆଶ୍ଚର୍ଯ୍ୟ ଚକିତ ହୋଇ ଫେରିଥିଲେ ସ୍ମିଥ୍‌। ଶେଷ ଅଧିବେଶନରେ ଅଷ୍ଟ୍ରେଲିଆ ୪ ୱିକେଟ୍ ହରାଇବାରୁ ଭାରତ ଏହି ଟେଷ୍ଟ୍‌କୁ ନିଜ ନିୟନ୍ତ୍ରଣକୁ ନେଇଛି। ଟ୍ରାଭିସ ହେଡ୍‌ଙ୍କୁ ମହମ୍ମଦ ସିରାଜ ଆଉଟ୍ କରିଥିବା ବେଳେ ରବୀନ୍ଦ୍ର ଜାଦେଜା ଦୁଇଟି ପ୍ରମୁଖ ୱିକେଟ୍‌ ନେଇଥିଲେ। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ମାଥ୍ୟୁ ୱାଦେ (୪୦) ଏବଂ ଅଧିନାୟକ ଟିମ୍ ପେନ୍‌ (୧)ଙ୍କୁ ନେଇ ଦୁଇଟି ବଡ଼ ଶିକାର କରିଥିଲେ ଜାଦେଜା। ଅଷ୍ଟ୍ରେଲିଆ ୯୯ ରନ୍‌ରେ ଷଷ୍ଠ ୱିକେଟ୍ ହରାଇଥିବା ବେଳେ କାମେରନ୍ ଗ୍ରିନ୍‌ (୧୭*) ଓ ପ୍ୟାଟ୍ କମିନ୍ସ (୧୫*) ଅତୁଟ ସପ୍ତମ ୱିକେଟ୍ ପାଇଁ ୩୪ ରନ୍ ଯୋଡ଼ି ପାଳି ପରାଜୟର ଦଳକୁ ବାହ‌ାର କରିଛନ୍ତି।

ଉମେଶ ଯାଦବ ଆହତ
ଚଳିତ ଶୃଙ୍ଖଳାକୁ ଆହତ ସମସ୍ୟା ପିଛା କରିବା ଛାଡୁନାହିଁ। ମହମ୍ମସ ସାମି, ଈଶାନ୍ତ ଶର୍ମାଙ୍କ ପରେ ଏବେ ଉମେଶ ଯାଦବ ଏହି ତାଲିକାରେ ନିଜ ନାମକୁ‌ ଯୋଡିଛନ୍ତି। ସୋମବାର ନିଜ ଦ୍ବିତୀୟ ଓଭରରେ ଜୋ ବର୍ନସଙ୍କ ୱିକେଟ୍ ନେଇଥିଲେ ମଧ୍ୟ ଚତୁର୍ଥ ଓଭର ଅଧାରେ ବାମ ଗୋଡ଼ରେ ଯନ୍ତ୍ରଣା ଅନୁଭବ କରିବାରୁ ଡ୍ରେସିଂ ରୁମ୍‌କୁ ଫେରିବାକୁ ବାଧ୍ୟ‌ ହୋଇଥିଲେ। ମହମ୍ମଦ ସିରାଜ ତାଙ୍କ ବୋଲିଂ ଓଭର ପୂର୍ଣ୍ଣ କରିଥିଲେ। ବିସିସିଆଇ ଡାକ୍ତରୀ ଦଳ ତାଙ୍କ ଆହତ ସମସ୍ୟାର ଅନୁଧ୍ୟାନ କରୁଛି ଏବଂ ତାଙ୍କୁ ସ୍କାନ୍‌ ପାଇଁ ନିଆଯାଇଛି‌ ବୋଲି ବିସିସିଆଇ ଏକ ପ୍ରେସ୍ ବିବୃତ୍ତିରେ ଦର୍ଶାଇଛି। ଉମେଶଙ୍କ ସହ ଭାରତ ଚଳିତ ମେଲବର୍ନ ଟେଷ୍ଟ୍‌ରେ ୫ ଜଣିଆ ବୋଲିଂ ଆକ୍ରମଣରେ ଖେଳି ଫାଇଦା ପାଇଥିଲା। ଚଳିତ ଟେଷ୍ଟ୍‌ରେ ନ ହେଲେ ବି ଶୃଙ୍ଖଳାର ଅବଶିଷ୍ଟ ଭାଗରେ ଖେଳି ନ ପାରିଲେ ଭାରତ ଚିନ୍ତା ବଢ଼ିଯିବ।

ମେଲବର୍ନ: କ୍ରିକେଟ୍‌ରେ ପ୍ରଚଳିତ ଡିଆର୍‌ଏସ୍‌ (ଡିସିସନ୍‌ ରିଭ୍ୟୁ ସିଷ୍ଟମ୍‌)କୁ ନେଇ ପୁଣି ଅସନ୍ତୋଷ ପ୍ରକାଶ କରିଛନ୍ତି ବିଗତ ଦିନର ମାଷ୍ଟର ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର। ଡିଆର୍‌ଏସକୁ ନେଇ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିବାକୁ ସଚିନ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)କୁ ଅନୁରୋଧ କରିଛନ୍ତି। ବିଶେଷ କରି ‘ଅମ୍ପାୟାରଙ୍କ ସଙ୍କେତ’ ଡିଆର୍‌ଏସ୍‌କୁ ନଜର ପକାଇବାକୁ ସେ ଟ୍ବିଟ୍‌ କରି ପ୍ରସ୍ତାବ ଦେଇଛନ୍ତି। ଚଳିତ ଅଷ୍ଟ୍ରେଲିଆ ବିପକ୍ଷ ମେଲବର୍ନ ଟେଷ୍ଟ୍‌ରେ ଭାରତ ଡିଆର୍‌ଏସ୍‌ କାରଣରୁ ଦୁଇଟି ୱିକେଟ୍‌ ପାଇବାରୁ ବଞ୍ଚିତ ହେବା ପରେ ସଚିନ ଏଭଳି ସ୍ବର ଉଠାଇଛନ୍ତି। ‘ଅମ୍ପାୟାରଙ୍କ ସଙ୍କେତ’ ନିୟମ ଅନୁସାରେ ବଲ୍‌ ଯଦି ୫୦:୫୦ ଭାଗ ଷ୍ଟମ୍ପ୍‌ ଛୁଉଁଥିବ ତେବେ ପଡ଼ିଆ ଅମ୍ପାୟାରଙ୍କ ନିଷ୍ପତ୍ତି କାଏମ ରଖାଯାଉଛି। ଷ୍ଟମ୍ପ୍‌ ବାହାର ପାର୍ଶ୍ବରୁ ଛୁଉଁଥିଲେ ଅମ୍ପାୟାର୍‌ ଆଉଟ୍ ଦେଇଥିଲେ ଆଉଟ୍, ଆଉଟ୍ ଦେଇନଥିଲେ ନଟ୍ ଆଉଟ୍ ରହୁଛି। ସଚିନ ଏହ‌ାକୁ ନାପସନ୍ଦ କରିଛନ୍ତି।

ସୂଚନାଯୋଗ୍ୟ, ସୋମବାର ତୃତୀୟ ଦିନ‌ ଖେଳରେ ବୁମରାଙ୍କ ୟର୍କର ଜୋ ବର୍ନସଙ୍କ ବାମ ପାଦ ହିଟ୍‌ କରିଥିଲା। ଅମ୍ପାୟାର୍‌ ନଟ୍‌ ଆଉଟ୍ ଦେଇଥିଲେ। ଭାରତ ରିଭ୍ୟୁ କରିଥିଲା। ବଲ୍‌ ଲାଇନ୍‌ରେ ପଡ଼ିଥିଲା, ଇମ୍ପାକ୍ଟ ବି ଭଲ ଥିଲା। କିନ୍ତୁ ବଲ୍‌ ଷ୍ଟମ୍ପ୍‌ର ପାର୍ଶ୍ବରେ ବାଜିବାର ସଙ୍କେତ ଆସିବାରୁ ଏହା ନଟ୍‌ ଆଉଟ୍ ରଖାଯାଇଥିଲା। କିଛି ଓଭର ପରେ ମାର୍ନସ ଲବୁସାନଙ୍କ ବିପକ୍ଷରେ ମହମ୍ମଦ ସିରାଜଙ୍କ ବୋଲିଂ ବେଳେ ସମାନ କଥା ଘଟିଥିଲା। ଅମ୍ପାୟାରଙ୍କ ନିଷ୍ପତ୍ତି ନିୟମ ବ୍ୟାଟ୍ସମ୍ୟାନ୍ ସପକ୍ଷରେ ଯାଇଥିଲା। ଉଭୟ ଥର ଭାରତ ରିଭ୍ୟୁ ବଳବତ୍ତର ରଖିଥିଲେ ମଧ୍ୟ ୱିକେଟ୍ ପାଇନଥିଲା। ଅମ୍ପାୟାର୍‌ ଯଦି ଆଉଟ୍ ଦେଇଥାନ୍ତେ ତେବେ ଉଭୟ ଆଉଟ୍ ହୋଇପାରିଥାନ୍ତେ।

ପନ୍ତଙ୍କୁ ୱାଦେଙ୍କ ‘ମୋଟା’ କଟାକ୍ଷ
ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟେଷ୍ଟ୍‌ର ତୃତୀୟ ଦିନରେ ଏକ କୌତୁକିଆ ଘଟଣା ଘଟିଥିଲା। ଭାରତୀୟ ୱିକେଟ୍‌ରକ୍ଷକ ଋଷବ ପନ୍ତଙ୍କ ଚିତ୍କାର ଓ ବଡ଼ ପାଟିରେ ହସିବାକୁ ଅଷ୍ଟ୍ରେଲୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ମାଥ୍ୟୁ ୱାଦେ ସହି ପାରି ନଥିଲେ। ତଥାପି ଅଷ୍ଟ୍ରେଲିଆ ପାଳିର ପ୍ରଥମାର୍ଧରେ ପନ୍ତ ନିୟମିତ ପାଟି କରି ବୋଲରଙ୍କୁ ଉତ୍ସାହିତ କରୁଥିଲେ। ଏଥିପାଇଁ ଏକାଗ୍ରତାର ସହ ବ୍ୟାଟିଂ କରି ପାରୁ ନଥିବା ୱାଦେ ଷୋଡ଼ଶ ଓଭରରେ ପନ୍ତଙ୍କୁ ପାଲଟା ସ୍ଲେଜିଂ କରିଥିଲେ। ‘‘ତୁମେ ୨୫ କିଲୋଗ୍ରାମ ଅଧିକ ମୋଟା। ସତ କୁହ ତୁମ ମେଦବହୁଳତା ୨୦, ୨୫ ନା ୩୦ କିଲୋ ଅଧିକ’’ ବୋଲି ପନ୍ତଙ୍କୁ ୱାଦେ କହୁଥିବା ସ୍ପଷ୍ଟ ଭାବେ ଶୁଣା ଯାଇଥିଲା। ଏପରିକି ୱାଦେ ମଧ୍ୟ ପନ୍ତଙ୍କ ହସର ନକଲ କରିଥିଲେ। ବଡ଼ ପରଦାର ତୁମ ହସ ଦେଖ, ଏହା ଅତ୍ୟନ୍ତ କୌତୁକିଆ, ତୁମକୁ ମୁଁ ଏହା କରିକି ଦେଖାଉଛି ବୋଲି ମଧ୍ୟ କହି ଚାଲିଥିଲେ ସେ। ଅପରାହ୍ନ ଅଧିବେଶନରେ ଆର୍‌ ଅଶ୍ବିନଙ୍କ ଏକ ଅଫ୍ ଷ୍ଟମ୍ପ ବାହାରେ ଥିବା ବଲ୍‌କୁ ଛାଡ଼ିବା ବେଳେ ୱାଦେ-ପନ୍ତ ପୁଣି ଥରେ ମୁହାଁମୁହିଁ ହୋଇଥିଲେ। ଯାହା ଦର୍ଶକଙ୍କ ପାଇଁ ମନୋରଞ୍ଜନର ଭଲ ଖୋ‌ରାକ ହୋଇଥିଲା। ଚା’ ପାନ ବିରତି ବେଳେ ୱାଦେଙ୍କୁ ଏହି ବିଷୟ ପଚରାଗଲା ବେଳେ ସେ କହିଥି‌ଲେ ଯେ ‘‘ସେ (ପନ୍ତ) ବିଶେଷ କିଛି କୁହନ୍ତିନି, ସବୁବେଳେ ଖାଲି ଯାହା ହସୁଥା’ନ୍ତି। ମୁଁ ବୁଝି ପାରୁନି ତାଙ୍କୁ କେଉଁ କଥା କୌତୁକିଆ ଲାଗେ। ଏହା ମୋ ବ୍ୟାଟିଂ ବୋଲି ଭାବୁଛି। ଦିନର ଖେଳ ଆରମ୍ଭ ହେବାର କିଛି କ୍ଷଣ ପରେ ରବୀନ୍ଦ୍ର ଜାଦେଜାଙ୍କୁ ଘରୋଇ ଦଳର ଅଧିନାୟକ ତଥା ୱିକେଟ୍ ରକ୍ଷକ ଟିମ୍ ପେନ୍ କିଛି କହୁଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର