ଭାରତର ଚିନ୍ତା ବଢ଼ାଉଛି ଡେଥ୍ ଓଭର ବୋଲିଂ: କାର୍ତ୍ତିକଙ୍କ ଉପରେ ରୋହିତ ଖପ୍ପା

ଟ୍ବେଣ୍ଠି-୨୦ ମାନ୍ୟତା: ସୂର୍ଯ୍ୟକୁମାର ଦ୍ବିତୀୟକୁ ଉଠିଲେ, ହାର୍ଦିକ୍‌ଙ୍କ ୨୨ ସ୍ଥାନ ଲମ୍ଫ

ମୁମ୍ବାଇ: ପାଳିର ଡେଥ୍ ଓଭର ବା ଶେଷ ଓଭରଗୁଡ଼ିକରେ ଅଭିଜ୍ଞ ଦ୍ରୁତ ବୋଲର ଭୁବନେଶ୍ବର କୁମାର ମାତ୍ରାଧିକ ରନ୍ ବ୍ୟୟ କରିବା ଭାରତୀୟ କ୍ରିକେଟ୍ ଦଳର ଚିନ୍ତାକୁ ବହୁଗୁଣ ବଢ଼ାଇ ଦେଇଛି। କିଂବଦନ୍ତି କ୍ରିକେଟର୍ ସୁନିଲ ଗାଭାସ୍କର ମଧ୍ୟ ଏଥିସହିତ ଏକମତ ହୋଇଛନ୍ତି। ଏହି ବିଷୟରେ ନିଜ ମତ ରଖିବାକୁ ଯାଇ ଗାଭାସ୍କର କହିଛନ୍ତି ଯେ ମୋହାଲି‌ରେ କାକର ଏକ ସମସ୍ୟା ଥିଲା ବୋଲି ମୁଁ ଭାବୁନି। କ୍ଷେତ୍ରରକ୍ଷକ ଏବଂ ବୋଲରମାନେ ସେମାନଙ୍କ ଅଙ୍ଗୁଳିକୁ ଶୁଖିଲା ରଖିବା ଲାଗି ତଉଲିଆ ବ୍ୟବହାର କରୁଥିବାର ଦୃଶ୍ୟ ବି ଦେଖିବାକୁ ମିଳିନଥିଲା। ଏହା ଏକ ବାହାନା ମାତ୍ର। ମୁଁ କହିବି ଆମେ ଆଦୌ ଭଲ ବୋଲିଂ କଲେନି। ମହଙ୍ଗା ଊନ୍ନବିଂଶ ଓଭର ହିଁ ଦିନକୁ ଦିନ ଭାରତର ଚିନ୍ତା ବଢ଼ାଉଛି। ଭୁବନେଶ୍ବର କୁମାରଙ୍କ ଭଳି ବୋଲର୍‌ ନିୟମିତ ଭାବେ ଅଧିକରୁ ଅଧିକ ରନ୍ ଖର୍ଚ୍ଚ କରୁଛନ୍ତି। ପାକିସ୍ତାନ, ଶ୍ରୀଲଙ୍କା ଏବଂ ଏବେ ଅଷ୍ଟ୍ରେଲିଆ ବିପକ୍ଷରେ ସେ ବୋଲିଂ କରିଥିବା ୧୮ ବଲ୍ (ଊନ୍ନବିଂଶ ଓଭର)ରେ ୪୯ ‌ରନ୍ ଦେଇଛନ୍ତି। ଯାହା ବଲ୍ ପିଛା ପାଖାପାଖି ୩ ରନ୍ ହେଉଛି। ତାଙ୍କଭଳି ଜଣେ ଅଭିଜ୍ଞ ଏବଂ ଉଚ୍ଚ ସ୍ତରର ବୋଲର ୧୮ ବଲ୍‌ରୁ ସର୍ବାଧିକ ୩୫-୩୬ ରନ୍ ବ୍ୟୟ କରିବେ ବୋଲି ଆଶା କରାଯାଇପାରେ।

ଭାରତ ପରାଜିତ ହେଉଥିବା ମ୍ୟାଚ୍‌ଗୁଡ଼ିକରେ ଏହା ସବୁଠାରୁ ବଡ଼ ଦୁର୍ବଳ ଦିଗ ବୋଲି ଆମେ କହିପାରିବା। ଏଥିପାଇଁ ଭଲ ସ୍କୋର ବି ଆଉ ସେମାନଙ୍କ (ଭାରତୀୟ କ୍ରିକେଟ୍ ଦଳ ପାଇଁ ) ପାଇଁ ସୁରକ୍ଷିତ ହେଉନି। ବୁମ୍‌ରା ଫେରିବା ପରେ ହୁଏତ ଏହି ସ୍ଥିତି ବଦଳିପାରେ। ସେ ଆସିଲେ ଶୀର୍ଷକ୍ରମରେ ଭାରତକୁ ଅଧିକ ୱିକେଟ୍ ମିଳିବ ବୋଲି ଆଶା କରାଯାଇପାରେ। ସେହିଭଳି ପୂର୍ବତନ ପ୍ରଶିକ୍ଷକ ରବି ଶାସ୍ତ୍ରୀ ମଧ୍ୟ ଭାରତର ଦୁର୍ବଳ ‌କ୍ଷେତ୍ରରକ୍ଷଣକୁ ତୀବ୍ର ସମାଲୋଚନା କରିଛନ୍ତି। କାରଣ ମଙ୍ଗଳବାର ଭାରତୀୟ କ୍ଷେତ୍ରରକ୍ଷକମାନେ କାମେରନ୍ ଗ୍ରିନ୍ ଓ ମାଥ୍ୟୁ ୱେଦ୍‌ଙ୍କ ସହ ତିନିଟି ସହଜ କ୍ୟାଚ୍ ହାତଛଡ଼ା କରିଥିଲେ। ଦୀର୍ଘଦିନ ପରେ ଭାରତୀୟ ଦଳକୁ ଫେରିଥିବା ହର୍ଷଲ ପଟେଲ ନିଜ ୪ ଓଭରରେ ୪୯ ରନ୍‌ ବ୍ୟୟ କରିବା ମଧ୍ୟ ଭାରତ ପରାଜୟର ଅନ୍ୟତମ କାରଣ ଥିଲା।

ଭାରତୀୟ ବୋଲିଂ ଉପରେ ଭରସା ରଖିବାକୁ ଅଲ୍‌ରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଆହ୍ବାନ କରିଛନ୍ତି। ବିଶ୍ବକପ୍‌ ପୂର୍ବରୁ ଡେଥ୍‌ ଓଭରରେ ମାତ୍ରାଧିକ ରନ୍‌ ବ୍ୟୟ କରିବା ଏକ ବଡ଼ ସମସ୍ୟା ବୋଲି କିନ୍ତୁ ସେ ସ୍ବୀକାର କରିଛନ୍ତି। ପୂର୍ବ ପରିସଂଖ୍ୟାନକୁ ଦେଖିଲେ ଭୁବନେଶ୍ବର ଗତ ତିନିଟି ମ୍ୟାଚ୍‌ରେ ଦେଇଥିବା ରନ୍‌ ତାଙ୍କ ଖେଳ ଜୀବନର ସବୁଠାରୁ ମହଙ୍ଗା ଊନଂବିଶ ଓଭର୍‌। ଅନ୍ୟପକ୍ଷରେ ୨୦୨୦ ମସିହା ପରଠାରୁ ଭୁବି ଭାରତର ତୃତୀୟ ଶ୍ରେଷ୍ଠ ଡେଥ୍‌ ଓଭର ବୋଲର ଥିଲେ। ଯଶପ୍ରୀତ ବୁମ୍‌ରା ଓ ଅର୍ଶଦୀପ ସିଂହ ଏହି କ୍ଷେତ୍ରରେ ହେଉଛନ୍ତି ଭାରତର ଦୁଇ ଶ୍ରେଷ୍ଠ ବୋଲର୍‌।

ଟ୍ବେଣ୍ଠି-୨୦ ମାନ୍ୟତା: ସୂର୍ଯ୍ୟକୁମାର ଦ୍ବିତୀୟକୁ ଉଠିଲେ, ହାର୍ଦିକ୍‌ଙ୍କ ୨୨ ସ୍ଥାନ ଲମ୍ଫ
ଦୁବାଇ, ୨୧ା୯: ଭାରତୀୟ ବ୍ୟାଟର୍‌ ସୂର୍ଯ୍ୟକୁମାର ଯାଦବ ଏବଂ ଅଲ୍‌ରାଉଣ୍ଡର ହାର୍ଦିକ୍‌ ପାଣ୍ଡ୍ୟା ସଦ୍ୟ ପ୍ରକାଶିତ ଆଇସିସି ଟ୍ବେଣ୍ଟି-୨୦ ବ୍ୟାଟର୍‌ଙ୍କ ମାନ୍ୟତା ତାଲିକାରେ ବଡ଼ ଲମ୍ଫ ମାରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ମୋହାଲି ଟ୍ବେଣ୍ଟି-୨୦ରେ ୨୫ ବଲ୍‌ରୁ ୪୬ ରନ୍‌ କରିଥିବା ସୂର୍ଯ୍ୟକୁମାର ବୁଧବାର ପ୍ରକାଶିତ ତାଲିକାରେ ପାକିସ୍ତାନର ବାବର ଆଜମ୍‌ଙ୍କୁ ପଛକୁ ଠେଲି ଦ୍ବିତୀୟ ସ୍ଥାନକୁ ଉଠିଛନ୍ତି। ଏବେ ସେ ମହମ୍ମଦ ରିଜ୍‌ୱାନ ଏବଂ ଐଦେନ୍‌ ମର୍କରାମଙ୍କ ପଛକୁ ରହିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ୩୦ ବଲ୍‌ରୁ ବିସ୍ଫୋରକ ୭୧ ରନ୍‌ କରିଥିବା ପାଣ୍ଡ୍ୟା ୨୨ ସ୍ଥାନ ଲମ୍ଫ ମାରି ୬୫ରେ ପହଞ୍ଚି ଯାଇଛନ୍ତି। ସେ ମଧ୍ୟ ଅଲ୍‌ରାଉଣ୍ଡରଙ୍କ ମାନ୍ୟତା ତାଲିକାରେ ପଞ୍ଚମ ସ୍ଥାନକୁ ଉଠିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ୪ ଓଭରରେ ୧୭ ରନ୍‌ ଦେଇ ୩ ୱିକେଟ୍‌ ଅକ୍ତିଆର କରିଥିବା ସ୍ପିନର ଅକ୍ଷର ପଟେଲ ବୋଲରଙ୍କ ମାନ୍ୟତାରେ ୫୭ରୁ ୩୩ତମ ସ୍ଥାନକୁ ଉଠିଛନ୍ତି।

କାର୍ତ୍ତିକଙ୍କ ଉପରେ ରୋହିତ ଖପ୍ପା
ମୋହାଲି: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦ରେ ଭାରତୀୟ କ୍ରିକେଟ୍ ଦଳ ୨୦୮ ରନ୍‌ର ବଡ଼ ସ୍କୋର କରିବା ସତ୍ତ୍ବେ ମ୍ୟାଚ୍ ବଞ୍ଚାଇ ପାରିନଥିଲା। ଦୁର୍ବଳ ବୋଲିଂ ସହ କିଛି ନିଶ୍ଚିତ ଆଉଟ୍ ସୁଯୋଗରେ ୱିକେଟ୍ ରକ୍ଷକ ଦୀନେଶ କାର୍ତ୍ତିକ ଅପିଲ କରିନଥିଲେ। ସେଥିପାଇଁ ଅଧିନାୟକ ରୋହିତ ଶର୍ମା ତାଙ୍କ ଆଡ଼କୁ ଆକ୍ରମଣାତ୍ମକ ତଥା ବିରକ୍ତିଭରା ଇଙ୍ଗିତ ଦେଖାଇଥିଲେ। ଏବେ ରୋହିତଙ୍କ ସେହି ଅସନ୍ତୋଷ ପ୍ରକାଶର ଭିଡିଓ ଭାଇରାଲ ହେବାରେ ଲାଗିଛି। କ୍ରିକେଟ୍ ପ୍ରଶଂସକମାନେ ଏହାକୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କିଛି ପ୍ରଶଂସକ ଏହାକୁ ସମର୍ଥନ କରିଥିଲା ବେଳେ ଆଉ କେତେକ ଏହାକୁ ବିରୋଧ କରିଛନ୍ତି।

ମଙ୍ଗଳବାରର ଏହି ମ୍ୟାଚ୍‌ରେ ଅକ୍ଷର ପଟେଲ ପ୍ରତିପକ୍ଷ ଅଧିନାୟକ ଆରୋନ ଫିଞ୍ଚ୍‌ଙ୍କୁ ସଅଳ ପ୍ୟାଭିଲିୟନ ଫେରାଇ ଦେଇଥିଲେ। ସ୍ପିନର ୟୁଝବେନ୍ଦ୍ର ଚହଲ ଏହା ପରେ ପରେ ଷ୍ଟିଭେନ୍ ସ୍ମିଥ୍‌ଙ୍କୁ ଷ୍ଟମ୍ପ୍ ସମ୍ମୁଖରେ ଫଶାଇ ଦେଇଥିଲେ। ହେଲେ ଚହଲ କିମ୍ବା କାର୍ତ୍ତିକ କେହି ବି ଆଉଟ୍‌ ପାଇଁ ଅପିଲ କରିନଥିଲେ କିମ୍ବା ଡିଆର୍‌ଏସ୍ ନେଇନଥିଲେ। ଟେଲିଭିଜନ୍ ରିପ୍ଲେରୁ ବଲ୍ ଷ୍ଟମ୍ପକୁ ହିଟ୍ କରୁଥିବା ଜଣାପଡ଼ିବା ପରେ ଉଭୟଙ୍କ ଉପରେ ରୋହିତ କ୍ଷୁବ୍ଧ ହୋଇଥିଲେ। ସେପଟେ ସ୍ମିଥ୍‌ ୩୫ ରନ୍‌ର ଉପଯୋଗୀ ପାଳି ଖେଳି ଅଷ୍ଟ୍ରେଲିଆ ବିଜୟରେ ମହତ୍ବପୂର୍ଣ୍ଣ ଯୋଗଦାନ ଦେଇଥିଲେ। ଦ୍ବାଦଶ ଓଭରରେ ଅବଶ୍ୟ ସ୍ମିଥ୍ ଏବଂ ଗ୍ଲେନ୍ ମ୍ୟାକ୍ସୱେଲଙ୍କୁ ଆଉଟ୍ କରି ଉମେଶ ଯାଦବ ଭାରତକୁ ମ୍ୟାଚ୍‌କୁ ଫେରାଇ ଆଣିଥିଲେ। ହେଲେ ମ୍ୟାକ୍ସୱେଲ୍ କ୍ୟାଚ୍ ଦେଇଥିଲେ ମଧ୍ୟ କାର୍ତ୍ତିକ ଏହାକୁ ଧରି ପାରିନଥିଲେ। ଫଳରେ ଥରେ ହେଲେ ବି ଅପିଲ କରି ନଥିଲେ। ରୋହିତ ଡିଆର୍‌ଏସ୍ ନେବା ପରେ ଯାଇ ମ୍ୟାକ୍ସୱେଲଙ୍କ ବ୍ୟାଟ୍‌ରେ ବଲ୍ ବାଜିଥିବା ସ୍ପଷ୍ଟ ହୋଇଥିଲା ଏବଂ ସେ କ୍ରିଜ୍ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ଏହା ପରେ ରୋହିତ କୌତୁକିଆ ଢଙ୍ଗରେ କାର୍ତ୍ତିକଙ୍କ ବେକକୁ ଧରି ଚିପି ଦେଇଥିଲେ।

ସମ୍ବନ୍ଧିତ ଖବର