ଭାରତର ଲଗାତାର ଶୃଙ୍ଖଳା ବିଜୟ: ଇଣ୍ଡିଜ୍‌ ୮ ରନ୍‌ରେ ପରାସ୍ତ

ଶ୍ରୀଲଙ୍କା ଟ୍ବେଣ୍ଟି-୨୦ରୁ କୋହଲି ଓହରିପାରନ୍ତି, ଟେଷ୍ଟ୍‌କୁ ଫେରିବେ ଜାଦେଜା, ବୁମରା

କୋଲକାତା: ଦକ୍ଷିଣ ଆଫ୍ରିକା ଗସ୍ତରେ ଲଗାତାର ଶୃଙ୍ଖଳା ହାରି‌ ଫେରିଥିବା ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଲଗାତାର ଶୃଙ୍ଖଳା ଜିତିଛି। ଶୁକ୍ରବାର ଦ୍ବିତୀୟ ଟ୍ବେଣ୍ଟି-୨୦ରେ ଭାରତ ୮ ରନ୍‌ରେ ୱେଷ୍ଟଇଣ୍ଡିଜ୍‌କୁ ପରାସ୍ତ କରିବା ଫଳରେ ରୋହିତ ଶର୍ମାଙ୍କ ଦଳ ୩ ମ୍ୟାଚ୍‌ ଶୃଙ୍ଖଳାକୁ ୨-୦ରେ ଆଗୁଆ ଜିତି ନେଇଛି। ଭାରତ ୧୮୭ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା। ନିକୋଲାସ ପୂରନ (୬୨) ଓ ରୋଭମନ ପାୱେଲ (୬୮*)ଙ୍କ ଶତକୀୟ ଭାଗୀଦାରି ମ୍ୟାଚ୍ ଛଡ଼ାଇନେବାର ଆଶଙ୍କା ସୃଷ୍ଟି କରିଥିଲେ ମଧ୍ୟ ଶେଷ ୩ ଓଭରରେ ଭାରତ ଚମତ୍କାର ପ୍ରତ୍ୟାବର୍ତନ କରି ସୁଯୋଗ ହାତଛଡ଼ା କରିନଥିଲା। ଫଳରେ ଭ୍ରମଣକାରୀ ଦଳ ୧୭୮/୩ରେ ସୀମିତ ରହିଯାଇଥିଲା। ରୋହିତ ଶର୍ମାଙ୍କ ନେତୃତ୍ବରେ ଏହା ଭାରତର ତୃତୀୟ ଶୃଙ୍ଖଳା ବିଜୟ। ଭାରତର ମଧ୍ୟ ଏହା ଦ୍ବିତୀୟ ସର୍ବାଧିକ ଅଷ୍ଟମ ଲଗାତାର ଟି-୨୦ ବିଜୟ। ‌ଋଷଭ ପନ୍ତ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ପୂର୍ବରୁ ଐତିହାସିକ ଇଡେନ୍ ଗାର୍ଡେନ୍ସରେ କିରଣ ପୋଲାର୍ଡ ନିଜ ୧୦୦ତମ ଟ୍ବେଣ୍ଟି-୨୦ରେ ଟସ୍ ଜିତିବା ପରେ ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରାରମ୍ଭିକ‌ ଯୋଡ଼ି ଈଶାନ କିଶନ ଓ ରୋହିତ ଶର୍ମା ସଅଳ ଆଉଟ୍ ହୋଇଯିବାରୁ ଭାରତ ଅଡୁଆରେ ପଡ଼ିଥିଲା। ସୂର୍ଯ୍ୟକୁମାର ଯାଦବ ମଧ୍ୟ ନିରାଶ କରିବାରୁ ଭାରତ ଦଶମ ଓଭର‌ ବେଳକୁ ୭୨/୩ରେ ପହଞ୍ଚିଥିଲା। ତେବେ ବିରାଟ କୋହଲି (୫୨, ୪୧ ବଲ୍‌)ଙ୍କ ଅର୍ଦ୍ଧଶତକ କିନ୍ତୁ ଭାରତର ପାଳିକୁ ଲୟକୁ ଫେରାଇ ଆଣିଥିଲା। ‌ଶେଷ ଭାଗରେ ଦୁଇ ବାମହାତୀ ବ୍ୟାଟର୍‌ ଋଷଭ ପନ୍ତ୍ (୫୨*, ୨୮ ବଲ୍‌) ଏବଂ ଭେଙ୍କଟେଶ ଆୟରର (୩୩, ୧୮ ବଲ୍‌) ବିସ୍ଫୋରକ ବ୍ୟାଟିଂ କରିବାରୁ ରୋହିତ ଶର୍ମାଙ୍କ ଦଳ ୧୮୬ ରନ୍‌ର ଆହ୍ବାନ ଭରା ସ୍କୋର୍‌ କରିଥିଲା। ପ୍ରଥମ ମ୍ୟାଚ୍‌ ଭଳି ରସ୍ତନ ଚେଜ୍‌ ଭଲ ବୋଲିଂ କରି ମାତ୍ର ୨୫ ରନ୍ ବିନିମୟରେ ୩ ୱିକେଟ୍ ଦଖଲ କରିଥିଲେ।

ଶ୍ରୀଲଙ୍କା ଟ୍ବେଣ୍ଟି-୨୦ରୁ କୋହଲି ଓହରିପାରନ୍ତି, ଟେଷ୍ଟ୍‌କୁ ଫେରିବେ ଜାଦେଜା, ବୁମରା

ମୁମ୍ବାଇ: ଫେବ୍ରୁଆରି ୨୪ରୁ ଖେଳାଯିବାକୁ ଥିବା ଶ୍ରୀଲଙ୍କା ବିପକ୍ଷ ଘରୋଇ ଟ୍ବେଣ୍ଟି-୨୦ ଶୃଙ୍ଖଳାରୁ ବିରାଟ କୋହଲି ଓହରିପାରନ୍ତି। ବାସ୍ତବରେ ଏହି ଶୃଙ୍ଖଳା ପରେ ଖେଳାଯିବାକୁ ଥିବା ଦୁଇ ମ୍ୟାଚ୍‌ ଟେଷ୍ଟ୍ ଶୃଙ୍ଖଳା ପୂର୍ବରୁ କୋହଲିଙ୍କୁ ବିଶ୍ରାମ ଦେବାକୁ ଯୋଜନା କରିଛି ବିସିସିଆଇ। ମୋହାଲିରେ ଖେଳାଯିବାକୁ ଥିବା ମ୍ୟାଚ୍‌ କୋହଲିଙ୍କ ୧୦୦ତମ ଟେଷ୍ଟ୍‌ ହେବ।‌ ସେହିଭଳି ଟେଷ୍ଟ୍ ଶୃଙ୍ଖଳା ପାଇଁ ରବୀନ୍ଦ୍ର ଜାଦେଜା ଏବଂ ଯଶପ୍ରୀତ୍ ବୁମରା ଦଳକୁ ଫେରିବା ଏକ ପ୍ରକାର ନିଶ୍ଚିତ ହୋଇଛି। ଦିନେ ଦୁଇ ଦିନ ଭିତରେ ଘୋଷିତ‌ ହେବାକୁ ଥିବା ଦଳ ଲାଗି ରୋହିତ ଶର୍ମା ଅଧିନାୟକ ନିଯୁକ୍ତ ହେବା ମଧ୍ୟ ଏକପ୍ରକାର ନିଶ୍ଚିତ। ଏଭଳି ହେଲେ ରୋହିତ ଭାରତର ସବୁ ଫର୍ମାଟ ନେତୃତ୍ବ ଭାର ପାଇବେ।

ସମ୍ବନ୍ଧିତ ଖବର