ଭଲନାହିଁ ଭାରତର ଦିନିକିଆ ପ୍ରଦର୍ଶନ, ଭାରତକୁ ଜରିମାନା

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳ ପରିବର୍ତ୍ତିତ ପରିସ୍ଥିତିରେ ପାଦ ଥାପିଛି। ଅଧିନାୟକ ବଦଳିଛନ୍ତି। ପ୍ରଶିକ୍ଷକଙ୍କ କାର୍ଯ୍ୟକାଳ ବି‌ ଶେଷ ହୋଇଛି। ଉଭୟ ସ୍ଥାନରେ ନୂଆ ଲୋକ ଅବସ୍ଥାପିତ ହୋଇଛନ୍ତି। ଆଉ ଏହାର ପ୍ରଭାବ ଦଳର ପ୍ରଦର୍ଶନ ଉପରେ ବି ପଡ଼ିଛି। ବି‌ଶେଷ କରି ତାଳମେଳର ଅଭାବ, ଖେଳାଳି ଚୟନରେ ବିଭ୍ରାଟ ସହ ବେପରୁଆ ସଟ୍ ଚୟନ ପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷ ଏକଦିବସୀୟ ଶୃଙ୍ଖଳାକୁ ୦-୩ରେ ହାରିଛି ଭାରତ। ତେବେ ଭାରତୀୟ କ୍ରିକେଟ୍ ଦଳର ଏଭଳି ପ୍ରଦର୍ଶନ ୨୦୧୯ ଏକଦିବସୀୟ ବିଶ୍ବକପ୍‌ର ସେମିଫାଇନାଲ୍ ବିଦାୟ ପରଠାରୁ ହିଁ ଆରମ୍ଭ ‌ହୋଇଯାଇଛି। ଇଂଲଣ୍ଡରେ ଖେଳାଯାଇଥିବା ୨୦୧୯ ବିଶ୍ବକପ୍ ପରଠାରୁ ଭାରତ ୨୪ ଅନ୍ତର୍ଜାତୀୟ ଦିନିକିଆ ଖେଳିଛି। ସେଥିମଧ୍ୟରୁ ୧୨ ମ୍ୟାଚ୍ ହାରିଥିଲା ବେଳେ ୧୧ ମ୍ୟାଚ୍ ଜିତିଛି। ଗୋଟିଏ ମ୍ୟାଚ୍‌ର ଫଳାଫଳ ମିଳିନି। ଏଣୁ ଗତ ଦୁଇ ବର୍ଷ ଭିତରେ ଟିମ୍ ଇଣ୍ଡିଆର ଏକଦିବସୀୟ କ୍ରିକେଟ୍ ସଫଳତା ୫୦ ପ୍ରତିଶତରୁ ବି କମ୍ ‌ରହିଛି। ସଂପ୍ରତି ଭାରତୀୟ କ୍ରିକେଟ୍ ଦଳ ମଧ୍ୟ ଆଇସିସି ଦିନିକିଆ ମାନ୍ୟତାର ଚତୁର୍ଥ ସ୍ଥାନରେ ରହିଛି। ଦଳ ଟେଷ୍ଟ୍‌ ମାନ୍ୟତାର ତୃତୀୟ ସ୍ଥାନକୁ ଖସି ଆସିଥିଲା ବେଳେ ଟ୍ବେଣ୍ଟି-୨୦ ମାନ୍ୟତାର ଦ୍ବିତୀୟ ସ୍ଥାନରେ ରହିଛି। ଏଭଳି ସ୍ଥିତିରେ ଦକ୍ଷିଣ ଆଫ୍ରିକାର ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ଉପରେ ଆଖି ପକା‌ଇବାର ଆବଶ୍ୟକତା ଦେଖା ଦେଇଛି।

ଭାରତକୁ ଜରିମାନା
କେପଟାଉନ୍‌: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ତଥା ଶେଷ ଦିନିକିଆରେ ନିର୍ଦ୍ଧାରିତ ସମୟ ମଧ୍ୟରେ ବୋଲିଂ ଶେଷ କରି ନପାରିବାରୁ ଭାରତୀୟ କ୍ରିକେଟ୍ ଦଳକୁ ଜରିମାନା ହୋଇଛି। ମ୍ୟାଚ୍ ରେଫରି ଆଣ୍ଡ୍ର୍ୟୁ ପାଇକ୍ରପ୍ଟ ଭାରତୀୟ ‌ଖେଳାଳିଙ୍କ ମ୍ୟାଚ୍ ପାଉଣାର ୪୦ ପ୍ରତିଶତ କାଟି ଦେଇଛନ୍ତି। ଏହି ମ୍ୟାଚ୍‌ରେ ଭାରତ ନିର୍ଦ୍ଧାରିତ ସମୟ ମଧ୍ୟରେ ୨ ଓଭର କମ୍ ବୋଲିଂ କରିଥିଲା। ଏଣୁ ଆଇସିସି ଆଚରଣ ସଂହିତାର ଧାରା ୨.୨୨ ଅନୁସାରେ ପ୍ରତି ଓଭର ପିଛା ମ୍ୟାଚ୍ ରେଫରି ଖେଳାଳିଙ୍କ ୨୦ ପ୍ରତିଶତ ଲେଖାଏଁ ମ୍ୟାଚ୍ ପାଉଣା ଜରିମାନା କରିଥିଲେ। ରେଫରିଙ୍କ ନିଷ୍ପତ୍ତିକୁ ଭାରତୀୟ ଅଧିନାୟକ କେଏଲ୍ ରାହୁଲ ଦୋଷ ସ୍ବୀକାର କରିନେବା ପରେ ଶୁଣାଣିର ଦରକାର ପଡ଼ି ନଥିଲା।

ସମ୍ବନ୍ଧିତ ଖବର