ନୂଆଦିଲ୍ଲୀ: ଗତବର୍ଷ (୨୦୨୧) ବିଦେଶମାଟିରେ ଭାରତ ୪ ଟେଷ୍ଟ୍ ବିଜୟ ହାସଲ କରିଥିଲା। ତେବେ ଏହି ୪ରୁ ୩ ବିଜୟରେ ଭାରତର ଦୃଢ଼ ଓପ୍ନିଂ ଭାଗୀଦାରିକୁ ଶ୍ରେୟ ମିଳିଥିଲା। ପ୍ରଥମେ ଅଷ୍ଟ୍ରେଲିଆ ବିପକ୍ଷ ବ୍ରିସ୍ବର୍ଣ୍ଣରେ ଭାରତ ବିଜୟୀ ହୋଇଥିଲା। ଜାନୁଆରି ୨୦୨୧ରେ ଏହି ମ୍ୟାଚ୍ରେ ଭାରତ ୩ ୱିକେଟ୍ରେ ଅଷ୍ଟ୍ରେଲିଆକୁ ତା’ ଘରୋଇ ମାଟିରେ ଦାବି ଦେଇଥିଲା। ଅବଶ୍ୟ ଏହି ଟେଷ୍ଟ୍ରେ ଓପ୍ନିଂ ଭାଗୀଦାରି ସଫଳ ନଥିଲା। ଶୁଭମନ୍ ଗିଲ୍ (୭) ଓ ରୋହିତ ଶର୍ମା (୪୪) ପ୍ରଥମ ପାଳିରେ ୧୧ ରନ୍ର ଭାଗୀଦାରି କରିଥିଲା ବେଳେ ଦ୍ବିତୀୟ ପାଳିରେ ଶୁଭମନ୍ ଗିଲ୍ (୯୧) ଓ ରୋହିତ ଶର୍ମା (୭) ୧୮ ରନ୍ ଯୋଡ଼ିଥିଲେ। ଅବଶ୍ୟ ଅଷ୍ଟ୍ରେଲିଆ ବିପକ୍ଷ ସେହି ୩ ମ୍ୟାଚ୍ ଶୃଙ୍ଖଳାକୁ ଭାରତ ୨-୧ରେ ଜିତିଥିଲା।
ତେବେ ପରବର୍ତୀ ୩ଟି ଟେଷ୍ଟ୍ରେ ଓପ୍ନିଂ ଭାଗୀଦାରି ଚମତ୍କାର ରହିଥିଲା। ଐତିହାସିକ ଲର୍ଡସରେ ଅଗଷ୍ଟ ୨୦୨୧ରେ ଇଂଲଣ୍ଡକୁ ୧୫୧ ରନ୍ରେ ପରାସ୍ତ କରିଥିଲା ଭାରତ। ସେହି ଟେଷ୍ଟ୍ର ପ୍ରଥମ ପାଳିରେ ରୋହିତ ଶର୍ମା (୮୩) ଓ କେଏଲ୍ ରାହୁଲ (୧୨୯) ଓପ୍ନିଂ ଭାଗୀଦାରିରେ ୧୨୬ ଏବଂ ଦ୍ବିତୀୟ ପାଳିରେ ରାହୁଲ (୫) ଓ ରୋହିତ (୨୧) ୧୮ ରନ୍ ଯୋଡ଼ିଥିଲେ। ପୁଣି ସେହି ଇଂଲଣ୍ଡ ବିପକ୍ଷରେ ଦି ଓଭାଲ୍ରେ ଭାରତ ୧୫୭ ରନ୍ର ବିଜୟ ହାସଲ କରିଥିଲା। ସେଥିରେ ରୋହିତ (୧୧) ଓ ରାହୁଲ (୧୭) ପ୍ରଥମ ପାଳିରେ ୨୮ ଏବଂ ରୋହିତ (୧୨୭) ଓ ରାହୁଲ (୮୬) ଦ୍ବିତୀୟ ପାଳିରେ ୮୩ ରନ୍ର ଭାଗୀଦାରି ଗଢ଼ିଥିଲେ। ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ସେହି ଶୃଙ୍ଖଳାର ୪ ଟେଷ୍ଟ୍ ଖେଳାଯାଇଥିଲା ବେଳେ ଭାରତ ୨-୧ରେ ଆଗୁଆ ରହିଥିଲା। କିନ୍ତୁ କୋଭିଡ୍ ସଂକଟ ଯୋଗୁ ପଞ୍ଚମ ତଥା ଶେଷ ଟେଷ୍ଟ୍ ସ୍ଥଗିତ ରହିଥିଲା। ଯାହାକି ୨୦୨୨ରେ ଚୂଡାନ୍ତ ରୂପ ନେବ।
ଗତ ବର୍ଷର ଶେଷ ବିଦେଶ ବିଜୟ ଚଳିତ ଦକ୍ଷିଣ ଆଫ୍ରିକା ଗସ୍ତରେ ହାସଲ କରିଛି ଭାରତ। ଡିସେମ୍ବର ୩୦ରେ ବିରାଟ କୋହଲିଙ୍କ ଦଳ ୧୧୩ ରନ୍ରେ ଡିନ୍ ଏଲ୍ଗାରଙ୍କ ଦକ୍ଷିଣ ଆଫ୍ରିକା ଦଳକୁ ପରାସ୍ତ କରିଦେଇଛି। ସେଞ୍ଚୁରିଅନ୍ରେ ଶେଷ ହୋଇଥିବା ଏହି ଟେଷ୍ଟ୍ର ପ୍ରଥମ ପାଳିରେ ରାହୁଲ (୧୨୩) ଓ ମୟଙ୍କ ଅଗ୍ରୱାଲ (୬୦) ୧୧୭ ରନ୍ ଯୋଡ଼ିଥିଲା ବେଳେ ଦ୍ବିତୀୟ ପାଳିରେ ରାହୁଲ (୨୩) ଓ ମୟଙ୍କ (୪) ୧୨ ରନ୍ ଯୋଡ଼ିଥିଲେ। ଭାରତ ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୧-୦ର ଅଗ୍ରଣୀ ହାସଲ କରିନେଇଛି। ଆସନ୍ତାକାଲିଠାରୁ ଦ୍ବିତୀୟ ଟେଷ୍ଟ୍ ହୋଜନ୍ସବର୍ଗର ୱଣ୍ଣରର୍ସରେ ଆରମ୍ଭ ହେବାକୁ ଯାଉଛି। ଏହା କିନ୍ତୁ ନୂଆବର୍ଷ ୨୦୨୨ର ପ୍ରଥମ ଟେଷ୍ଟ୍ ହେବ। ଫଳରେ ଗତ ବର୍ଷ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ପରେ ଏବର୍ଷ ବିଦେଶରେ ଆଉ ଏକ ଶୃଙ୍ଖଳା ବିଜୟର ସୁଯୋଗ ଭାରତ ପାଇଁ ଆସିଛି। ୱଣ୍ଣରର୍ସ ଟେଷ୍ଟ୍ ଜିତିଲେ ଭାରତ ଦକ୍ଷିଣ ଆଫ୍ରିକାରେ ପ୍ରଥମ ଥର ଶୃଙ୍ଖଳା ଜିତିବାର ଇତିହାସ ରଚିବ। ଅବଶ୍ୟ ଏଭଳି ଐତିହାସିକ ବିଜୟ ଲକ୍ଷ୍ୟ ପୂର୍ବରୁ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼୍ ଖେଳାଳିମାନଙ୍କୁ ସତର୍କ କରାଇଛନ୍ତି। ତାଙ୍କ କହିବା କଥା ହେଲା ତୁମେ ଯେତେବେଳେ ଦକ୍ଷିଣ ଆଫ୍ରିକାରେ ଖେଳୁଛ, ସେତେବେଳେ ତୁମ ପ୍ରଦର୍ଶନ ଭଲ ରହିନଥାଏ। ହେଲେ ଏବେ ଯୋଜନାକୁ କାର୍ଯ୍ୟକାରୀ କରିବା ସାଙ୍ଗକୁ ଶୃଙ୍ଖଳିତ ପ୍ରଦର୍ଶନ ଏହାକୁ ସମ୍ଭବ କରିପାରିଛି। ତେଣୁ ସମ୍ଭାବନାକୁ ହାତଛଡ଼ା ନକରି ବୋର୍ଡରେ ରନ୍ ଯୋଡ଼ିପାରିଲେ ବିଜୟ ନିଶ୍ଚିତ ମିଳିବ ବୋଲି କହିଛନ୍ତି। ଶେଷରେ ଏବର ଦଳରେ ପେସର୍ଙ୍କ ଦମ୍ଦାର ପ୍ରଦର୍ଶନ ଭାରତ ପାଇଁ ଫଳପ୍ରଦ ହୋଇପାରିବ ବୋଲି ଦ୍ରାବିଡ଼୍ ଆଶା ବାନ୍ଧିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/65465h465sfhsh.jpg)