ଶ୍ରୀଲଙ୍କାରେ ଭାରତର ସହଜ ବିଜୟ, ପଦାର୍ପଣରେ ଈଶାନଙ୍କ ଛକା ଓ ଅର୍ଦ୍ଧଶତକ

କଲମ୍ବୋ: ଶ୍ରୀଲଙ୍କା ଗସ୍ତର ପ୍ରଥମ ଦିନିକିଆରେ ଭାରତୀୟ ଦଳ ସହଜ ବିଜୟରୁ ଅଭିଯାନ ଆରମ୍ଭ କରିଛି। ବୋଲର ଓ ବ୍ୟାଟ୍ସମ୍ୟାନଙ୍କ ମିଳିତ ପ୍ରଦର୍ଶନ ବଳରେ ଭାରତୀୟ ଦଳ ଘରୋଇ ଶ୍ରୀଲଙ୍କାକୁ ୭ ୱିକେଟ୍‌ରେ ହରାଇ ୩ ମ୍ୟାଚ୍‌ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଯାଇଛି। ଘରୋଇ ଦଳ ମିଳିତ ପ୍ରୟାସରେ ୨୬୨ ରନ୍‌ କରିଥିବା ବେଳେ ଭାରତ ପାଇଁ ଅଧିନାୟକ ଶିଖର ଧାୱନ (୮୬*) ଏବଂ ପଦାର୍ପଣକାରୀ ଈଶାନ କିଶନ (୫୯)ଙ୍କ ଅର୍ଦ୍ଧଶତକ ଯଥେଷ୍ଟ ହୋଇଥିଲା। ଭାରତ ୮୦ ବଲ୍‌ ପୂର୍ବରୁ ୩ ୱିକେଟ୍ ହରାଇ ୨୬୩ ରନ୍ ସଂଗ୍ରହ କରି ନେଇଥିଲା। ବିସ୍ଫୋରକ ପାଳି ପାଇଁ ପୃଥ୍ବୀ ସ’ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ଶ୍ରୀଲଙ୍କା ଟସ୍ ଜିତିଲା, ୩ ପଦାର୍ପଣ
କଲମ୍ବୋର ଆର୍ ପ୍ରେମଦାସା ଷ୍ଟାଡିୟମ୍‌ରେ ଶ୍ରୀଲଙ୍କା ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ପସନ୍ଦ କରିଥିଲା। ଉଭୟ ଦଳରୁ ୩ ଖେଳାଳି ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ଭାରତ ପକ୍ଷରୁ ୱିକେଟରକ୍ଷକ ଈଶାନ କିଶନ, ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବ ଏବଂ ଶ୍ରୀଲଙ୍କା ପକ୍ଷରୁ ୩୦ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍‌ ଭାନୁକା ରାଜପାକ୍ସ ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ କରିଥିଲେ। ସମସ୍ତ ପଦାର୍ପଣକାରୀ ଭଲ ବ୍ୟାଟିଂ କରିଥିବା ବେଳେ କିଶନ ଅର୍ଦ୍ଧଶତକ ହାସଲ କରି ବିରଳ କ୍ଲବ୍‌ରେ ସାମିଲ ହୋଇଯାଇଥିଲେ। ମ୍ୟାଚ୍‌ ଆରମ୍ଭ ପୂର୍ବରୁ ସଞ୍ଜୁ ସାମସନ୍‌ ଅଭ୍ୟାସ ବେଳେ ଆହତ ହେବାରୁ ଈଶାନ କିଶନ ପଦାର୍ପଣର ସୁଯୋଗ ପାଇଥିଲେ।

ବିନା ଅର୍ଦ୍ଧଶତକରେ ୨୬୨
ଯୁବ ଓ ଅନଭିଜ୍ଞ ଖେଳାଳିଙ୍କୁ ନେଇ ପଡ଼ିଆକୁ ଓହ୍ଲାଇଥିବା ଶ୍ରୀଲଙ୍କା ପାଇଁ ପ୍ରଥମ ୭ ଜଣ ଖେଳାଳି ଭଲ ଆରମ୍ଭ କରିଥିଲେ। କିନ୍ତୁ କେହି ବି ୪୦ ଅତିକ୍ରମ କରିପାରିନଥିଲେ। ପ୍ରଥମ ୱିକେଟ୍‌ ପାଇଁ ଅଭିଷ୍କା ଫର୍ଣ୍ଣାଣ୍ଡୋ ଓ ମିନୋଦ ଭାନୁକା ୪୯ ରନ୍‌ ଉଠାଇଥିଲେ ମଧ୍ୟ ଘରୋଇ ଦଳ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ଚାଲିଥିଲା। ଚହଲ ପ୍ରଥମ ସଫଳତା ଦେବା ପରେ କୁଲଦୀପ ଯାଦବଙ୍କ ଯୁଗଳ ଝଟକା ଶ୍ରୀଲଙ୍କାକୁ ରୋକିଥିଲା। ମଧ୍ୟକ୍ରମରେ ଚରିତ ଅସଲଙ୍କା (୩୮, ୬୫ ବଲ୍‌), ଅଧିନାୟକ ଦାସୁନ ସନକା (୩୯, ୫୦ ବଲ୍‌) ଅର୍ଦ୍ଧଶତକରୁ ବଞ୍ଚିତ‌ ହୋଇଥିଲେ। ତେବେ ନିମ୍ନକ୍ରମରେ ଚାମିକା କରୁଣାରତ୍ନେ (୪୩*, ୩୫ ବଲ୍)ଙ୍କ କିଛି ଆକର୍ଷଣୀୟ ବ୍ୟାଟିଂ ଶ୍ରୀଲଙ୍କାକୁ ୨୬୨ ରନ୍‌ରେ ପହଞ୍ଚାଇ ଦେଇଥିଲା। ବିନା ଅର୍ଦ୍ଧଶତକରେ ଶ୍ରୀଲଙ୍କା ୨୬୨ ରନ୍‌ କରିବା ଦଳ ପାଇଁ ସର୍ବାଧିକ ସ୍କୋର‌ ହୋଇଥିଲା।

ପୂର୍ବରୁ ୨୦୦୬ ମସିହାରେ ଜୟପୁରଠାରେ ପାକିସ୍ତାନ ବିପକ୍ଷରେ ଶ୍ରୀଲଙ୍କା ବିନା ଅର୍ଦ୍ଧଶତକରେ କରିଥିବା ୨୫୩ ରନ୍‌ ପଛରେ ପଡ଼ିଯାଇଥିଲା। ସେହିଭଳି ଚାମିକା କରୁଣାରତ୍ନେ ୮ ନମ୍ବରରେ ଆସି ପାଳିର ସର୍ବୋଚ୍ଚ ବ୍ୟକ୍ତିଗତ ୪୩ ରନ୍‌ କରିବା ପରେ ଚଳିତ ବର୍ଷର ପଞ୍ଚମ ଖେଳାଳି ହୋଇଥିଲେ। ବିଶ୍ବରେ ଏହା ୩୫ତମ ଉଦାହରଣ ହୋଇଥିଲା। ଭାରତ ପକ୍ଷରୁ ଦୀପକ ଚହର, ୟୁଝ‌ବେନ୍ଦ୍ର ଚହଲ, କୁଲଦୀପ ଯାଦବ ପ୍ରତ୍ୟେକ ୨ ଲେଖାଏଁ ୱିକେଟ୍ ନେଇଥିଲେ। ତେବେ କୃନାଲ ପାଣ୍ଡ୍ୟା ସବୁଠୁ ମିତବ୍ୟୟୀ (୧୦-୧-୨୬-୧) ବୋଲିଂ କରିଥିଲେ।

ପଦାର୍ପଣରେ ଈଶାନଙ୍କ ଛକା ଓ ଅର୍ଦ୍ଧଶତକ
ଭାରତୀୟ ପାଳି ବେଳକୁ ଯୁବ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ପୃଥ୍ବୀ ସ’ ତାଙ୍କ ଚିରାଚରିତ ଢଙ୍ଗରେ ଖେଳି ୨୪ ବଲ୍‌ରୁ ୯ ଚୌକା ସହ ୪୩ ରନ୍‌ କରିଥିଲେ। ତେବେ ପଦାର୍ପଣ କରିଥିବା ଝାଡ଼ଖଣ୍ଡ ୱିକେଟରକ୍ଷକ ବ୍ୟାଟ୍ସମ୍ୟାନ୍‌ ଈଶାନ କିଶନ ପ୍ରଥମ ବଲକୁ ଛକା ମାରିବା ସହ ଚୌକାରେ ଅର୍ଦ୍ଧଶତକ ପୂର୍ଣ୍ଣ କରି ଦିନଟିକୁ ସ୍ମରଣୀୟ କରିଥିଲେ। ଏହି ବାମହାତୀ ବ୍ୟାଟ୍ସମ୍ୟାନ୍ ୪୨ ବଲ୍‌ରୁ ୮ ଚୌକା, ୨ ଛକା ସହାୟତାରେ ୫୯ ରନ୍‌ କରିଥିଲେ। ଅଧିନାୟକ ଶିଖର ଧାୱନଙ୍କ ସହ ୮୫ ରନ୍‌ ଭାଗୀଦାରି କରିଥିଲେ। ମନୀଷ ପାଣ୍ଡେ (୨୬, ୪୦ ବଲ୍) ପୁଣି ଥରେ ସୁଯୋଗ ହାତଛଡ଼ା କରିଥିଲେ। ଶିଖର ଧାୱନ (୮୬*, ୯୫ ବଲ୍, ୬ ‌ଚୌକା, ୧ ଛକା) ଏବଂ ସୂର୍ଯ୍ୟକୁମାର ଯାଦବ (୩୧*, ୨୦ ବଲ, ୫‌ ଚୌକା) ଭାରତକୁ ୧୩.୨ ଓଭର ପୂର୍ବରୁ ବିଜୟୀ କରାଇଥିଲେ। ଦାୟିତ୍ବପୂର୍ଣ୍ଣ ପାଳି ଖେଳିଥିବା ଧାୱନ ଏହି ଅବସରରେ ଶ୍ରୀଲଙ୍କା ବିପକ୍ଷରେ ୧,୦୦୦ ରନ୍‌ କରିବାରେ ଦ୍ରୁତତମ (୧୭ ପାଳି) ଖେଳାଳି ହୋଇଥିଲେ। ସେ ହାସିମ୍ ଆମଲା (୧୮ ପାଳି)ଙ୍କୁ ପଛରେ ପକାଇଥିଲେ। ଏହି ଅବସରରେ ସେ ମଧ୍ୟ ୬,୦୦୦ ଦିନିକିଆ ରନ୍‌ ପୂର୍ଣ୍ଣ କରିଥିଲେ।

ସମ୍ବନ୍ଧିତ ଖବର