ଭାରତର ପ୍ରଥମ ପ୍ରତିଦ୍ୱଦ୍ୱୀ ଇଂଲଣ୍ଡ

ନୂଆଦିଲ୍ଲୀ: ଆସନ୍ତାବର୍ଷ ଲଣ୍ଡନରେ ଆୟୋଜିତ ହେବାକୁ ଯାଉଥିବା ୨୦୧୮ ମହିଳା ହକି ବିଶ୍ୱକପ୍‌ ପାଇଁ ଭାରତ ବିଶ୍ୱ ମାନ୍ୟତାର ଦ୍ୱିତୀୟ ତଥା ଆୟୋଜକ ଇଂଲଣ୍ଡ ସହ ଗୋଟିଏ ପୁଲ୍‌ରେ ସାମିଲ ହୋଇଛି। ପୁଲ୍‌-ବିରେ ଇଂଲଣ୍ଡ ଓ ଭାରତ ସହିତ ବିଶ୍ୱ ମାନ୍ୟତାର ସପ୍ତମ ଆମେରିକା ଓ କମ୍‌ ଅଭିଜ୍ଞତାସଂପନ୍ନ ଆୟର୍ଲାଣ୍ଡ୍‌ ବି ସ୍ଥାନ ପାଇଛନ୍ତି। ଏହି ୧୬ ଦଳୀୟ ସମ୍ମାନଜନକ ପ୍ରତିଯୋଗିତା ପାଇଁ ରବିବାର ସୂଚୀ ସ୍ଥିର ହୋଇଛି। ଆନ୍ତର୍ଜାତିକ ହକି ମହାସଂଘ ଦ୍ୱାରା ଜାରି ହୋଇଥିବା ସୂଚୀ ଅନୁଯାୟୀ ବିଶ୍ୱ ମାନ୍ୟତାର ଦଶମ ତଥା ଏସୀୟ ବିଜୟିନୀ ଭାରତର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ଆୟୋଜକ ଇଂଲଣ୍ଡ ରହିଛି। ଜୁଲାଇ ୨୧ ତାରିଖ ପ୍ରତିଯୋଗିତାର ପ୍ରଥମ ଦିନ ହିଁ ଭାରତ-ଇଂଲଣ୍ଡ ମୁହାଁମୁହିଁ ହେବେ। ଇଂଲଣ୍ଡ ସହ ଖେଳି ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବାକୁ ଥିବା ଭାରତ ପରର୍ବତୀ ମ୍ୟାଚ୍‌ ଆୟର୍ଲାଣ୍ଡ୍‌ (୨୬ ତାରିଖ) ଓ ଆମେରିକା (୨୯ ତାରିଖ) ସହ ଖେଳି ପୁଲ୍‌ ପର୍ଯ୍ୟାୟ ଶେଷ କରିବ। ଅନ୍ୟପକ୍ଷରେ ଏହି ବିଶ୍ୱକପ୍‌ ପାଇଁ ପୁଲ୍‌-ଏରେ ବିଶ୍ୱ ମାନ୍ୟତାର ଶୀର୍ଷ ଦଳ ତଥା ବିଶ୍ୱ ବିଜେତା ନେଦରଲାଣ୍ଡ୍‌, ଏସୀୟ ଶକ୍ତିଶାଳୀ ଦଳ ଚୀନ୍‌, କୋରିଆ ଓ ଇଟାଲି ଦଳ ସ୍ଥାନ ପାଇଛନ୍ତି। ସେହିପରି ବିଶ୍ୱ ମାନ୍ୟତାର ତୃତୀୟ ଆର୍ଜେଣ୍ଟିନା, ଜର୍ମାନି, ସ୍ପେନ୍‌ ଓ ଆଫ୍ରିକା ମହାଦେଶ ବିଜେତା ଦକ୍ଷିଣ ଆଫ୍ରିକା ପୁଲ୍‌-ସିରେ ରହିଥିଲା ବେଳେ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ୍‌, ଜାପାନ ଓ ୨୦୧୭ ରାବୋବ୍ୟାଙ୍କ୍‌ ୟୁରୋ ହକି ଉପବିଜେତା ବେଲ୍‌ଜିୟମ୍‌ ପୁଲ୍‌-ଡିରେ ସାମିଲ ହୋଇଛନ୍ତି।

ସମ୍ବନ୍ଧିତ ଖବର