ମାର୍ଲୋ: ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ମହିଳା ହକି ଦଳ ପ୍ରଥମ ପରାଜୟ ବରଣ କରିଛି। ଗ୍ରେଟ୍ ବ୍ରିଟେନ୍ ବିପକ୍ଷ ପ୍ରଥମ ମ୍ୟାଚ୍କୁ ଭାରତ ୨-୧ ଗୋଲ୍ ଜିତି ଅଭିଯାନ ଆରମ୍ଭ କରିଥିଲା। ପରବର୍ତୀ ଦୁଇ ମ୍ୟାଚ୍କୁ ଭାରତ ଯଥାକ୍ରମେ ୧-୧ ଓ ଗୋଲ୍ଶୂନ୍ୟ ଅମୀମାଂସିତ ରଖିଥିଲା। ହେଲେ ବୁଧବାର ଚତୁର୍ଥ ମ୍ୟାଚ୍ରେ ନବମ ମାନ୍ୟତା ଭାରତକୁ ୩-୧ ଗୋଲ୍ରେ ହରାଇ ଘରୋଇ ଗ୍ରେଟ୍ ବ୍ରିଟେନ୍ ପ୍ରଥମ ବିଜୟ ପାଇଛି। ହାନ୍ନା ମାର୍ଟିନ୍ (୫ ମିନିଟ୍), ଚାର୍ଲୋଟ ୱାଟସନ୍ (୨୯ ମିନିଟ୍), ଗିସେଲି ଆନ୍ସଲେ (୫୦ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ଭାରତ ପକ୍ଷରୁ ନେହା ଗୋଏଲ (୧୮ ମିନିଟ୍) ଗୋଟିଏ ଗୋଲ୍ ଶୁଝିବାକୁ ସକ୍ଷମ ହୋଇଥିଲେ। ଭାରତ ଶୁକ୍ରବାର ଶେଷ ମ୍ୟାଚ୍ ଖେଳିବ।
ଦୀପ୍ ଗ୍ରେସ୍ଙ୍କ ଦ୍ବିଶତକ
ଭାରତୀୟ ରକ୍ଷଣଭାଗ ଖେଳାଳି ତଥା ଓଡ଼ିଆ ଝିଅ ଦୀପ୍ ଗ୍ରେସ୍ ଏକ୍କା ବୁଧବାର ଦ୍ବିଶତକୀୟ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ସୁନ୍ଦରଗଡ଼ର ଲୁଲକିଦିହି ଗାଁରେ ଜନ୍ମିତ ୨୫ ବର୍ଷୀୟା ଦୀପ୍ ଗ୍ରେସ୍ ଶୁଭଦ୍ରା ପ୍ରଧାନ ଓ ଜ୍ୟୋତି ସୁନିତା କୁଲୁଙ୍କ ପରେ ତୃତୀୟ ଓଡ଼ିଆ ମହିଳା ଖେଳାଳି ଭାବେ ଏହି ସଫଳତା ଲାଭ କରିଛନ୍ତି। ଦୀପ୍ ଗ୍ରେସ୍ ୨୦୧୧ରେ ଆର୍ଜେଣ୍ଟିନାରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ୨୦୧୩ କନିଷ୍ଠ ବିଶ୍ବକପ୍ରେ ଐତିହାସିକ କାଂସ୍ୟ ଜିତିଥିବା ଭାରତୀୟ ଦଳରେ ସଦସ୍ୟା ଥିବା ଦୀପ୍ ୨୦୧୭ ଏସିଆ କପ୍ରେ ଦଳକୁ ବିଜେତା କରିବାରେ ପ୍ରମୁଖ ଭୂମିକା ନେଇଥିଲେ।