ଭୁବନେଶ୍ବର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଫୁଟ୍ବଲ୍ ପ୍ରତିଯୋଗିତାରେ ସୋମବାର ଦୁଇଟି ମ୍ୟାଚ୍ ଖେଳାଯିବ। ଅପରାହ୍ଣ ୪.୩୦ରେ ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍ରେ ମଙ୍ଗୋଲିଆ ଓ ଲେବାନନ ଏବଂ ରାତି ୭.୩୦ରେ ଭାରତ ଓ ଭାନୁଆତୁ ମୁହାଁମୁହିଁ ହେବେ। ଭାରତ ନିଜର ପ୍ରଥମ ମ୍ୟାଚ୍ରେ ୨-୦ରେ ମଙ୍ଗୋଲିଆକୁ ହରାଇ ଅଭିଯାନ ଆରମ୍ଭ କରିଥିଲା। ଭାନୁଆତୁ ବିପକ୍ଷ ମ୍ୟାଚ୍ ଜିତି ୪ ରାଷ୍ଟ୍ରୀୟ ପ୍ରତିଯୋଗିତାର ଫାଇନାଲ୍ ସ୍ଥାନ ପକ୍କା କରିବା ଲକ୍ଷ୍ୟ ନେଇ ସୋମବାର ପଡ଼ିଆକୁ ଓହ୍ଲାଇବ ଭାରତ। ଅନ୍ୟପକ୍ଷରେ ଭାନୁଆତୁ ତା’ର ପ୍ରଥମ ମ୍ୟାଚ୍ରେ ଲେବାନନଠୁ ୧-୩ରେ ଗୋଲ୍ରେ ପରାସ୍ତ ହୋଇଥିଲା।
ପୂର୍ବ ଏସିଆ ଦଳ ବିପକ୍ଷ ବିଜୟ ପରେ ଭାରତର ମୁଖ୍ୟ ପ୍ରଶିକ୍ଷକ ଇଗୋର ଷ୍ଟିମାକ ନିଜର ଖେଳାଳିଙ୍କ ଉପରେ ଖୁସି ଅଛନ୍ତି। କିନ୍ତୁ ଅଧିକ ଗୋଲ୍ ହେବାର ଥିଲା ବୋଲି ସେ ସ୍ବୀକାର କରିଛନ୍ତି। ପ୍ରଥମ ୧୫ ମିନିଟ୍ରେ ସାହାଲ ଅବଦୁଲ ସମାଦ ଓ ଲାଲ୍ଲିଆଞ୍ଜୁଆଲା ଚାଙ୍ଗ୍ଟେଙ୍କ ଗୋଲ୍ରେ ଭାରତ ଘରୋଇ ପଡ଼ିଆରେ ଲଗାତାର ଷଷ୍ଠ ବିଜୟ ହାସଲ କରିଥିଲା। ‘‘ଆମେ ଏଠାରେ ପ୍ରାୟ ଏକ ମାସ ହେଲା ଅଭ୍ୟାସ କରିଛୁ। ତେଣୁ ପିଚ୍କୁ ଭଲ ଭାବେ ପଢ଼ି ପାରିଥିବାରୁ ଆଗରେ ରହୁଛୁ। ଭାନୁଆତୁ ଓ ଲେବନାନ ମ୍ୟାଚ୍ର ପ୍ରଥମାର୍ଦ୍ଧରେ ସେମାନଙ୍କ କିଛି ଖେଳାଳି ଆହତ ହୋଇଥିଲେ। ଏହାର କାରଣ ହେଲା ସେମାନେ ଏଠାକାର ଗରମ ପରିବେଶକୁ ଗ୍ରହଣ କରିପାରୁନାହାନ୍ତି। ଭାନୁଆତୁର ମାନ୍ୟତା ୧୬୪ ରହିଥିଲେ ମଧ୍ୟ ଲେବନାନ ବିପକ୍ଷରେ ଭଲ ଖେଳିଥିଲେ। ଆମେ ତାଙ୍କ ଦକ୍ଷତା ଏବଂ ଦୁର୍ବଳତା ଉଭୟକୁ ଦେଖି ରଣନୀତି ପ୍ରସ୍ତୁତ କରିବୁ’’ ବୋଲି ମୁଖ୍ୟ ପ୍ରଶିକ୍ଷକ ଷ୍ଟିମାକ କହିଛନ୍ତି। ଭାନୁଆତୁ ବିପକ୍ଷରେ ଭାରତର ବରିଷ୍ଠ ପୁରୁଷ ଦଳର ଏହା ପ୍ରଥମ ମ୍ୟାଚ୍ ହେବ। କିନ୍ତୁ ୨୦୧୯ରେ ୧୮ ବର୍ଷରୁ କମ୍ ଭାରତୀୟ ଦଳ ଭାନୁଆତୁ ଗସ୍ତ କରିଥିଲା। ସେଠାରେ ଆୟୋଜକ ଦଳକୁ ୧-୦ରେ ପରାସ୍ତ କରିଥିଲା। ଏହି ଗସ୍ତରେ ଯାଇଥିବା ଲେଫ୍ଟ ବ୍ୟାକ୍ ଆକାଶ ମିଶ୍ର କେବଳ ସଂପ୍ରତି ଭାରତୀୟ ଦଳରେ ରହିଛନ୍ତି।