ନୂଆଦିଲ୍ଲୀ: ନାଗପୁରରେ ବର୍ଡର-ଗାଭାସ୍କର ଟ୍ରଫି ଆରମ୍ଭ ହେବାକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଲା। କିନ୍ତୁ ଏପର୍ଯ୍ୟନ୍ତ ଭାରତୀୟ ଦଳର ୱିକେଟ୍ରକ୍ଷକ ଦାୟିତ୍ବ କାହାକୁ ଦିଆଯିବ, ତାହା ଏଯାଏଁ ସ୍ଥିର ହୋଇପାରୁନି। ଋଷଭ ପନ୍ତ୍ଙ୍କ ଆହତ ଘଟଣା ପରେ ତାଙ୍କ ସ୍ଥାନକୁ କିଏ ପୂରଣ କରିବ ତାହା ଏପର୍ଯ୍ୟନ୍ତ ରହସ୍ୟ ହୋଇଯାଇଛି। ଯଦିଓ ଭାରତୀୟ ଦଳରେ ଏବେ ତିନିଜଣ ୱିକେଟ୍ରକ୍ଷକ ଅଛନ୍ତି। କିନ୍ତୁ ସେମାନଙ୍କ ମଧ୍ୟରୁ ଅନ୍ୟୁନ ଜଣକୁ ୪ ମ୍ୟାଚ୍ ପାଇଁ ଫିଟ୍ ରହିବା ଜରୁରି ହୋଇପଡ଼ିଛି। ଏବେ ଦଳରେ କେଏଲ୍ ରାହୁଲ, ଇଶାନ କିଶନ ଓ କେଏସ୍ ଭରତ ୱିକେଟରକ୍ଷକ ଭାବେ ସ୍ଥାନ ପାଇଛନ୍ତି। କିନ୍ତୁ ୱିକେଟ୍ ପଛରେ ରାହୁଲଙ୍କୁ ନେବା ପାଇଁ ଦଳ ସେତେଟା ଆଗ୍ରହ ଦେଖାଉନାହିଁ। କାରଣ ରାହୁଲ କିଛି ବର୍ଷ ହେବ ଆହତ ଜନିତ ସମସ୍ୟାରେ ଗତି କରିଆସୁଛନ୍ତି। ଅନ୍ୟପକ୍ଷରେ ଟେଷ୍ଟ କ୍ରିକେଟ୍ ପାଇଁ ବିଶେଷଜ୍ଞ ୱିକେଟ୍ରକ୍ଷକ ଉପରେ ହିଁ ଦଳ ନିର୍ଭର କରିବ। ତେଣୁ ଇଶାନ ଓ ଭରତଙ୍କ ମଧ୍ୟରୁ ଜଣଙ୍କୁ ବାଛିବାକୁ ହେବ।
ଇଶାନ ବର୍ତ୍ତମାନ ଧଳାବଲ୍ କ୍ରିକେଟ୍ରେ ଭାରତର ଶ୍ରେଷ୍ଠ ୱିକେଟ୍ ରକ୍ଷକ ଭାବେ ନିଜକୁ ପ୍ରମାଣିତ କରିପାରିଛନ୍ତି।
ଏବେ ପନ୍ତ୍ଙ୍କ ଅନୁପସ୍ଥିତିରେ ତାଙ୍କୁ ନାଲି ବଲ୍ ପାଇଁ ପରୀକ୍ଷା କରିବାକୁ କେତେକ ଆଗ୍ରହ ରଖୁଥିଲେ ବି ଟେଷ୍ଟରେ ତାଙ୍କୁ କେବଳ ଜଣେ ବ୍ୟାଟର ଭାବେ ଖେଳାଇବା ପାଇଁ କିଛି ବିଶେଷଜ୍ଞ ଯୁକ୍ତି ରଖୁଛନ୍ତି। ଇଶାନ ଧଳା ବଲ୍ରେ ଭଲ ପ୍ରଦର୍ଶନ କରୁଥିବାରୁ ତାଙ୍କ ଉପରେ ଅତିରିକ୍ତ ଚାପ ନପକାଇବାକୁ ଦଳ ଚାହିଁବ। କାରଣ ଆଗକୁ ଦିନିକିଆ ବିଶ୍ବକପ୍ ଆସୁଛି। ଏଭଳିସ୍ଥିତିରେ ଭରତ ଭାରତର ଟେଷ୍ଟ ୱିକେଟରକ୍ଷକ ମାନ୍ୟତା ପାଇବାକୁ ଶ୍ରେଷ୍ଠ ବିକଳ୍ପ ହୋଇପାରିବେ। କାରଣ ଯେତେବେଳେ ରିଦ୍ଧିମାନ ଶାହ ଭାରତୀୟ ଟେଷ୍ଟ ଦଳରେ ୱିକେଟ୍ ରକ୍ଷକ ଥିଲେ, ସେତେବେଳେ ଭରତଙ୍କୁ ଦ୍ବିତୀୟ ୱିକେଟ୍ରକ୍ଷକ ଭାବେ ବିବେଚନା କରାଯାଉଥିଲା। ପ୍ରାୟ ଦେଢ ବର୍ଷ ହେବ ଭରତ ଭାରତୀୟ ଦଳ ସହିତ ରହିଆସୁଥିଲେ ବି ଏପର୍ଯ୍ୟନ୍ତ ଥରେ ବି ଖେଳିବାକୁ ସୁଯୋଗ ପାଇନାହାନ୍ତି। ଦଳ ସହିତ ଦୀର୍ଘ ଦିନରୁ ଥିବାରୁ ପଡ଼ିଆ ବାହାରୁ ନାଲି ବଲ୍ର ଅଭିଜ୍ଞତାକୁ ସେ ପରଖିସାରିଲେଣି। ଯେଉଁଥିପାଇଁ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ପଦାର୍ପଣ ଉପଯୁକ୍ତ ସମୟ ବୋଲି କୁହାଯାଇପାରେ। ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ବି ତାଙ୍କର ଭଲ ପ୍ରଦର୍ଶନ ରହିଆସିଛି। ତେଣୁ ନାଗପୁରରେ ତାଙ୍କ ଦେଢ ବର୍ଷ ଧରି ଧୈର୍ଯ୍ୟର ଅନ୍ତଃ ହୋଇପାରେ।
ଅଶ୍ବିନ୍ଙ୍କ ଫର୍ମ ଶୃଙ୍ଖଳାର ନିର୍ଣ୍ଣାୟକ ହେବ: ଶାସ୍ତ୍ରୀ
ନୂଆଦିଲ୍ଲୀ: ଭାରତରେ ଟେଷ୍ଟ୍ ଶୃଙ୍ଖଳା ସାଧାରଣତଃ ରୢାଙ୍କ ଟର୍ଣ୍ଣରରେ ଖେଳାଯାଉଥିବା ବେଳେ ସ୍ପିନର୍ମାନେ ପ୍ରମୁଖ ଭୂମିକା ତୁଲାଇଥା’ନ୍ତି। ବ୍ୟାଟରଙ୍କୁ ସ୍ପିନରମାନେ ନଚାନ୍ତି। ସେହି ଦୃଷ୍ଟିରୁ ଭାରତର ଅଭିଜ୍ଞ ଅଫ୍ସ୍ପିନର୍ ରବିଚନ୍ଦ୍ରନ ଅଶ୍ବିନଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଭାରତୀୟ ଦଳର ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ କହିଛନ୍ତି, ‘ଅଶ୍ବିନଙ୍କ ଭୂମିକା ନିଶ୍ଚିତ ଶୃଙ୍ଖଳା ନିର୍ଣ୍ଣାୟକ ହେବ। ଭାରତୀୟ ପରିବେଶରେ ସେ ମାରାତ୍ମକ ସାବ୍ୟସ୍ତ ହୋଇଥା’ନ୍ତି। ବଲ୍ ସ୍ପିନିଂ କଲେ ଅଶ୍ବିନ ସମସ୍ତଙ୍କୁ ଅଡୁଆରେ ପକାଇବେ।’ ସମାନ ସମୟରେ ଶାସ୍ତ୍ରୀ ମଧ୍ୟ ଅଶ୍ବିନଙ୍କୁ ମାତ୍ରାଧିକ ଯୋଜନା ନକରିବାକୁ ପରାମର୍ଶ ଦେଇଛନ୍ତି। ‘ଅଶ୍ବିନ୍, ଆମେ ଆଶା କରୁଛୁ ତୁମେ ଅଧିକ କିଛି ଯୋଜନା କରନାହିଁ। ନିଜ ପୂର୍ବ ଯୋଜନାରେ ଅଟଳ ରୁହ। ବ୍ୟାଟିଂରେ ମଧ୍ୟ ତୁମେ କିଛି ରନ୍ କରିବ ଏ ଆଶା ରହିଛି’। ପ୍ରଥମ ଦିବସରେ ଯଦି କେହି ସ୍ପିନିଂ କରିପାରିବ ତେବେ ସେ ହେଉଛନ୍ତି କୁଲଦୀପ ଯାଦବ ବୋଲି ମଧ୍ୟ ଶାସ୍ତ୍ରୀ କହିଛନ୍ତି।
ନାଗପୁର ଟେଷ୍ଟ୍ ଖେଳିନପାରନ୍ତି ଗ୍ରିନ୍
ନାଗପୁର: ଗୁରୁବାରଠାରୁ ସ୍ଥାନୀୟ ଭିସିଏ ଷ୍ଟାଡିୟମ୍ରେ ଆରମ୍ଭ ହେବାକୁ ଥିବା ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ଅଲରାଉଣ୍ଡର୍ କାମେରନ୍ ଗ୍ରିନ୍ ଖେଳିନପାରିବା ସ୍ଥିତି ଉପୁଜିଛି। ଗତ ବକ୍ସିଂ ଡେ ଟେଷ୍ଟରେ ସେ ଆଙ୍ଗୁଠିରେ ଆଘାତ ପାଇଥିବା ବେଳେ ବେଙ୍ଗାଲୁରୁରେ ଅଭ୍ୟାସ ବେଳେ ଏହା ସାମାନ୍ୟ ବିଗିଡ଼ିଥିଲା। ଦୁଇ ଦିନ ତଳେ ଅଷ୍ଟ୍ରେଲିଆ ପ୍ରଶିକ୍ଷକ ଆଣ୍ଡ୍ରିଉ ମ୍ୟାକଡୋନାଲ୍ଡ କହିଥିଲେ, ଗ୍ରିନ୍ ବୋଲିଂ କରିବା ସ୍ଥିତିରେ ନାହାନ୍ତି। ମଙ୍ଗଳବାର ଉପଅଧିନାୟକ ଷ୍ଟିଭେନ ସ୍ମିଥ୍ କହିଛନ୍ତି, ଗ୍ରିନ୍ ଖେଳିବା କଷ୍ଟକର, ତେବେ ଏବେଠାରୁ ନିଶ୍ଚିତ ଭାବେ କିଛି କହି ହେବ ନାହିଁ। ଭିସିଏରେ ମଧ୍ୟ ଅଷ୍ଟ୍ରେଲିଆର ପ୍ରଥମ ତାଲିମ ସେସନ୍ରେ ଗ୍ରିନ୍ ସାମିଲ ହୋଇନାହାନ୍ତି। କିଛି ଫିଟନେସ୍ ଅଭ୍ୟାସ କରିବା ସହ ସେଣ୍ଟର ୱିକେଟ୍ରେ କେବଳ ହାଲକା ବୋଲିଂ କରିଥିଲେ। ଗ୍ରିନ୍ ନ ଖେଳିଲେ ଅଷ୍ଟ୍ରେଲିଆକୁ ଆଉ ଏକ ଝଟ୍କା ଲାଗିବ। ପୂର୍ବରୁ ମିଚେଲ ଷ୍ଟାର୍କ, ଜୋସ୍ ହାଜେଲଉଡ୍ ଆହତ ତାଲିକାରେ ଥିବାରୁ ନାଗପୁର ଟେଷ୍ଟ୍ ଲାଗି ଉପଲବ୍ଧ ହୋଇନାହାନ୍ତି। ଲାନ୍ସ ମୋରିସ୍ ଏବେ ଭ୍ରମଣକାରୀ ଦଳର ଅନ୍ୟ ଏକମାତ୍ର ଦ୍ରୁତ ବୋଲର ଭାବେ ଉପଲବ୍ଧ ଅଛନ୍ତି। ଗ୍ରିନ୍ଙ୍କ ବଦଳରେ ମ୍ୟାଟ୍ ରେନ୍ସା କିମ୍ବା ପିଟର୍ ହ୍ୟାଣ୍ଡସ୍କମ୍ବ ଖେଳିବା ସମ୍ଭାବନା ରହିଛି। ଗ୍ରିନ୍ଙ୍କ ସମ୍ପର୍କରେ କିନ୍ତୁ ପୂର୍ବତନ ଅଷ୍ଟ୍ରେଲିଆ ୱିକେଟରକ୍ଷକ ବ୍ୟାଟର୍ ଆଡାମ୍ ଗିଲକ୍ରିଷ୍ଟ ଭିନ୍ନ ମତ ରଖିଛନ୍ତି। ପରିସ୍ଥିତି ଦୃଷ୍ଟିରୁ ଅଷ୍ଟ୍ରେଲିଆ ଗ୍ରିନ୍ଙ୍କୁ କେବଳ ବ୍ୟାଟର୍ ଭାବେ ଖେଳାଇବ ବୋଲି ସେ ପୂର୍ବାନୁମାନ କରିଛନ୍ତି।