ବିଶ୍ବକପ୍‌ରେ ଭାରତର ପ୍ରଥମ ପ୍ରତିଦ୍ବନ୍ଦ୍ବୀ ଅଷ୍ଟ୍ରେଲିଆ: ଅକ୍ଟୋବର ୧୫ରେ ଭାରତ-ପାକିସ୍ତାନ!

ଅହମଦାବାଦରେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ ଉଦ୍‌ଘାଟନୀ ମୁକାବିଲା, ଦକ୍ଷିଣ ଆଫ୍ରିକାକୁ ବିଶ୍ବକପ୍‌ ଯୋଗ୍ୟତା

ନୂଆଦିଲ୍ଲୀ: ଭାରତ ଆୟୋଜନ କରିବାକୁ ଯାଉଥିବା ଚଳିତ ବର୍ଷର ୫୦ ଓଭରିଆ ପୁରୁଷ ବିଶ୍ବକପ୍‌ ପାଇଁ ପୂର୍ଣ୍ଣାଙ୍ଗ ସୂଚୀ ଘୋଷଣା ହୋଇନି। ମୁଖ୍ୟତଃ ସମସ୍ତ ଦଳଗୁଡ଼ିକର ଅନୁମୋଦନ ପରେ ଚଳିତ ଆଇପିଏଲ୍‌ ଶେଷ ବେଳକୁ ବିସିସିଆଇ ପକ୍ଷରୁ ସୂଚୀ ପ୍ରକାଶ ପାଇପାରେ ବୋଲି ଜଣାପଡ଼ିଛି। ତଥାପି ଆୟୋଜକ ଭାବେ ବିସିସିଆଇ ତାରିଖ ଓ ଭେନ୍ୟୁର ଚୂଡାନ୍ତ ନିଷ୍ପତ୍ତି ନେବ। କିନ୍ତୁ ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି, ଆୟୋଜକ ଭାରତର ପ୍ରଥମ ପ୍ରତିଦ୍ବନ୍ଦ୍ବୀ ଅଷ୍ଟ୍ରେଲିଆ ରହିବ। ଉଭୟ ଦଳ ଚେନ୍ନାଇରେ ମୁହାଁମୁହିଁ ହେବେ। ସେହିପରି ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ସହ ଭାରତର ମୁକାବିଲା ଅକ୍ଟୋବର ୧୫ ତାରିଖରେ ଖେଳାଯାଇପାରେ। ତେବେ ବିଶ୍ବକପ୍‌ର ଉଦ୍‌ଘାଟନୀ ମୁକାବିଲା ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ୍‌ ମଧ୍ୟରେ ଅହମଦାବାଦରେ ଅକ୍ଟୋବର ୫ ତାରିଖରେ ଖେଳାଯାଇପାରେ ବୋଲି ଏହି ସୂତ୍ରରୁ ସୂଚନା ମିଳିଛି।

ମୋଟେରାର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ନଭେମ୍ବର ୧୯ ତାରିଖ ଦିନ ବିଶ୍ବକପ୍‌ ଫାଇନାଲ୍‌ ମ୍ୟାଚ୍‌ ଅନୁଷ୍ଠିତ ହେବ। ଯଦି ତାଙ୍କ ଦଳ ଟ୍ରଫି ମୁକାବିଲାରେ ଅବତୀର୍ଣ୍ଣ ହୁଏ ତାହାଲେ ଅହମଦାବାଦରେ ଫାଇନାଲ୍‌ ଖେଳିବାକୁ ପାକିସ୍ତାନ ରାଜି ବୋଲି ପିସିବି କହିଛି। ତେଣୁ ପ୍ରାଥମିକ ସୂଚୀ ଅନୁଯାୟୀ ଅହମଦାବାଦ, ହାଇଦ୍ରାବାଦ, ଚେନ୍ନାଇ ଏବଂ ବେଙ୍ଗାଲୁରୁରେ ପାକିସ୍ତାନ ମ୍ୟାଚ୍‌ ଖେଳିପାରେ। ବିଶେଷକରି ବିସିସିଆଇ ଦକ୍ଷିଣାଞ୍ଚଳରେ ପାକିସ୍ତାନର ମ୍ୟାଚ୍‌ ସବୁ କରିବାର ନିଷ୍ପତ୍ତି ନେଇଛି। ଅହମଦାବାଦ ଓ ୩ ଦକ୍ଷିଣାଞ୍ଚଳ କେନ୍ଦ୍ର ବ୍ୟତୀତ କୋଲ୍‌କାତା, ଦିଲ୍ଲୀ, ଇନ୍ଦୋର, ଧର୍ମଶାଳା, ଗୌହାଟୀ, ରାଜକୋଟ, ରାୟପୁର ଏବଂ ମୁମ୍ବାଇକୁ ମଧ୍ୟ ବିଶ୍ବକପ୍‌ ଭେନ୍ୟୁ ତାଲିକାରେ ରଖିଛି ବିସିସିଆଇ। ଫଳରେ ମୋହାଲି ଏବଂ ନାଗପୁର ଏହି ତାଲିକାରୁ ବାଦ୍‌ ପଡ଼ିଛି। ମୁମ୍ବାଇର ୱାଙ୍ଖ୍‌ଡେ ସମ୍ଭବତଃ ସେମିଫାଇନାଲ ମ୍ୟାଚ୍‌ ଆୟୋଜନ ଅଧିକାର ପାଇବ।

ଆଗାମୀ ବିଶ୍ବକପ୍‌ରେ ମୋଟ ୧୦ ଦଳ ଭାଗ ନେଉଥିଲା ବେଳେ ୪୮ ମ୍ୟାଚ୍‌ ଖେଳାଯିବ। ପ୍ରତ୍ୟେକ ଦଳ ୯ ଲେଖାଏଁ ଲିଗ୍‌ ମ୍ୟାଚ୍‌ ଖେଳିବେ। ଏପର୍ଯ୍ୟନ୍ତ ଆୟୋଜକ ଭାରତ ସହିତ ଇଂଲଣ୍ଡ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଆଫ୍‌ଗାନିସ୍ତାନ, ପାକିସ୍ତାନ, ବାଂଲାଦେଶ ଏବଂ ଦକ୍ଷିଣ ଆଫ୍ରିକା ଯୋଗ୍ୟତା ହାସଲ କରିସାରିଛନ୍ତି। ଅବଶିଷ୍ଟ ୨ ସ୍ଥାନ ଲାଗି ୯ ଦଳ ଯୋଗ୍ୟତାପର୍ଯ୍ୟାୟରେ ପ୍ରତିଦ୍ବନ୍ଦ୍ବିତା କରିବେ। ଏହି ଯୋଗ୍ୟତାପର୍ଯ୍ୟାୟ ଜୁନ୍‌-ଜୁଲାଇରେ ଜିମ୍ବାୱେରେ ଆୟୋଜିତ ହେବ। ଦୁଇ ପୂର୍ବତନ ବିଜେତା ୱେଷ୍ଟଇଣ୍ଡିଜ୍‌ ଓ ଶ୍ରୀଲଙ୍କା ସହିତ ନେଦରଲାଣ୍ଡ୍‌ସ, ଆୟର୍ଲାଣ୍ଡ, ନେପାଳ, ଓମାନ, ସ୍କଟ୍‌ଲାଣ୍ଡ୍‌, ୟୁଏଇ ଓ ଜିମ୍ବାୱେ ମୁହାଁମୁହିଁ ହେବେ।

ଦକ୍ଷିଣ ଆଫ୍ରିକାକୁ ବିଶ୍ବକପ୍‌ ଯୋଗ୍ୟତା
ଦୁବାଇ: ଚଳିତ ବର୍ଷ ଅକ୍ଟୋବରରେ ‌ଭାରତରେ ହେବାକୁଥିବା ଦିନିକିଆ ବିଶ୍ବକପ୍‌କୁ ଦକ୍ଷିଣ ଆଫ୍ରିକା ଯୋଗ୍ୟତା ଅର୍ଜନ କରିଛି। ଆୟର୍ଲାଣ୍ଡ ଓ ବାଂଲାଦେଶ ମଧ୍ୟରେ ଆରମ୍ଭ ହୋଇଥିବା ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ମଙ୍ଗଳବାର ବର୍ଷା ଯୋଗୁଁ ବାତିଲ ହେବାରୁ ଦକ୍ଷିଣ ଆଫ୍ରିକା ଏହି ଟିକେଟ୍‌ ହାସଲ କରିନେଇଥିଲା। ଆୟର୍ଲାଣ୍ଡ ୩ ମ୍ୟାଚ୍‌ ବିଶିଷ୍ଟ ଏହି ଶୃଙ୍ଖଳାକୁ ୩-୦ରେ ଜିତି ନେଇଥିଲେ ବିଶ୍ବକପ୍‌ ଯୋଗ୍ୟତା ଅର୍ଜନ କରିନେଇଥା’ନ୍ତା। ହେଲେ ବର୍ଷା ଯୋଗୁଁ ପ୍ରଥମ ମ୍ୟାଚ୍‌ରୁ ଫଳାଫଳ ନବାହାରିବାରୁ ଦଳ ପଏଣ୍ଟ ଟେବୁଲର ୧୧କୁ ଖସିଯାଇଛି। ଯଦି ବାଂଲାଦେଶ ବିପକ୍ଷ ପରବର୍ତ୍ତୀ ୨ ମ୍ୟାଚ୍‌ ଜିତିଲେ ମଧ୍ୟ ଦକ୍ଷିଣ ଆଫ୍ରିକା (ଅଷ୍ଟମ)କୁ ଟପି ପାରିବନି। ତେବେ ବିଶ୍ବକପ୍‌ ଲାଗି ଏହି ଦଳ ଏବେ ଜୁନ୍‌ ୧୮ରୁ ଜୁଲାଇ ୯ ତାରିଖ ପର୍ଯ୍ୟନ୍ତ ଜିମ୍ବାୱେରେ ହେବାକୁଥିବା ଯୋଗ୍ୟତାପର୍ଯ୍ୟାୟ ପ୍ରତିଯୋଗିତାରେ ପୂର୍ବତନ ବିଜେତା ୱେଷ୍ଟଇଣ୍ଡିଜ ଓ ଶ୍ରୀଲଙ୍କା ସହ ସାମିଲ ହୋଇଛି।

ସମ୍ବନ୍ଧିତ ଖବର