ଭାରତର ପ୍ରଥମ ଦୁର୍ଦ୍ଧର୍ଷ ଦ୍ରୁତ ବୋଲର: ମହମ୍ମଦ ନିସାର

ବିଭାଜନ ଯୋଗୁଁ ଭାରତ ହରାଇଥିଲା କ୍ରିକେଟ୍ ହିରା, ଟେଷ୍ଟ୍ କ୍ରିକେଟ୍‌ରେ ଭାରତର ପ୍ରଥମ ବଲ୍ ପକାଇଥିଲେ

ମୁମ୍ବାଇ: ସମସ୍ତେ ଜାଣନ୍ତି ଭାରତ ଦୀର୍ଘ ୮୮ ବର୍ଷ ପୂର୍ବେ ଅର୍ଥାତ୍ ୧୯୩୨ ମସିହାରେ ଇଂଲଣ୍ଡ ବିପକ୍ଷରେ ତା’ର ପ୍ରଥମ ଟେଷ୍ଟ୍ ମ୍ୟାଚ୍ ଖେଳିଥିଲା। ହେଲେ ଏହି ଐତିହାସିକ ମୁକାବିଲାରେ ଭାରତ ପକ୍ଷରୁ ପ୍ରଥମ ବଲ୍ ପକାଇଥିବା ଦୁର୍ଦ୍ଧର୍ଷ ଦ୍ରୁତ ବୋଲର ମହମ୍ମଦ ନିସାରଙ୍କୁ ଖୁବ୍ କମ୍ ଲୋକ ଜାଣିଥିବେ। ସେହିବର୍ଷ କ୍ରିକେଟ୍‌ର ମକ୍କା ଲର୍ଡସରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଶ୍ରଷ୍ଠା ଇଂଲଣ୍ଡକୁ ଭାରତ ଆଦୌ ଟକ୍କର ଦେଇପାରିବନାହିଁ ବୋଲି କ୍ରିକେଟ୍ ପଣ୍ଡିତମାନେ ଭବିଷ୍ୟବାଣୀ କରିଥିଲେ। ତେବେ ଇଂଲଣ୍ଡରେ ପ୍ରଥମ ଥର ପାଇଁ କୌଣସି ଅଣସ୍ବେତାଙ୍ଗ କ୍ରିକେଟ୍ ଦଳ ଖେଳିବାକୁ ଯାଇଥିବାରୁ ମ୍ୟାଚ୍‌ର ପ୍ରଥମ ଦିନରେ ହିଁ ଖେଳ ଦେଖିବାକୁ ୨୫,୦୦୦ ଦର୍ଶକ ଆସିଥିଲେ। ଇଂଲଣ୍ଡର ପ୍ରାରମ୍ଭିକ ଯୋଡ଼ି ପର୍ସି ହୋମ୍ସ ଓ ହବର୍ଟ ସଟକ୍ଲିଫ୍ ମାତ୍ର ୯ ଦିନ ପୂର୍ବରୁ ୫୫୫ ରନ୍‌ର ବିଶ୍ବ କୀର୍ତ୍ତିମାନଭରା ଭାଗୀଦାରି କରିଥି‌ଲେ। ହେଲେ ନିସାର ନିଜ ଅଗ୍ନିବର୍ଷୀ ବୋଲିଂରେ ଉଭୟ ହୋମ୍ସ ଓ ସଟକ୍ଲିଫଙ୍କୁ ପ୍ୟାଭିଲିୟନ ଫେରାଇ ଇଂଲିସ୍ ଦର୍ଶକଙ୍କୁ ସ୍ତବ୍ଧ କରି ଦେଇଥିଲେ।

ମାତ୍ର ୧୧ ରନ୍ ଭିତରେ ଏହି ଦୁଇ ତାରକାଙ୍କୁ କ୍ଲିନ୍ ବୋଲ୍ଡ କରି ବିଶ୍ବକୁ ନିଜ ଅନନ୍ୟ ପେସ୍ ବୋଲିଂ ପ୍ରତିଭାର ପରିଚୟ ‌ଦେଇଥିଲେ। ଏହାର ଠିକ୍ ପରେ ଫ୍ରାଙ୍କ ୱିଲି ରନ୍ ଆଉଟ୍ ହୋଇଯିବାରୁ ଇଂଲଣ୍ଡ ୧୯ ରନ୍‌ରେ ୩ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ନିସାର ଓ ତାଙ୍କ ନୂଆ ବଲ୍ ଯୋଡ଼ିଦାର ଅମର ସିଂହ ନିଜ ଯାଦୁଗରୀ ବୋଲିଂରେ ଇଂଲଣ୍ଡକୁ ପ୍ରଥମ ୨୦ ମିନିଟ୍‌ର ଖେଳରେ ଘାଇଲା କରି ଦେଇଥିଲେ। ଇଂଲଣ୍ଡ ଅବଶ୍ୟ ପରେ ଏହି ଧକ୍କାରୁ ମୁକୁଳି ପ୍ରଥମ ପାଳିରେ ୨୫୯ ରନ୍‌ର ସମ୍ମାନଜନକ ସ୍କୋର କରି ନେଇଥିଲା। ତେବେ ଭାରତର ପ୍ରଥମ ଟେଷ୍ଟ୍‌ର ପ୍ରଥମ ପାଳିରେ ହିଁ ନିସାର ପ‌ାଞ୍ଚ ୱିକେଟ୍ ସଫଳତା ଲାଭ କରିଥିଲେ। ପ୍ରଥମ ପାଳିରେ ୯୩ ରନ୍ ଦେଇ ୫ ୱିକେଟ୍ ନେଇଥିବା ଭାରତର ଏହି ପ୍ରଥମ ବିଶ୍ବସ୍ତରୀୟ ଦ୍ରୁତ ବୋଲର ଦ୍ବିତୀୟ ପାଳିରେ ୪୨ ରନ୍ ଦେଇ ଗୋଟିଏ ୱିକେଟ୍ କରାୟତ୍ତ କରିଥିଲେ। ଇଂଲଣ୍ଡ ଅବଶ୍ୟ ଏହି ମ୍ୟାଚ୍‌କୁ ୧୫୮ ରନ୍‌ରେ ଜିତି ନେଇଥିଲା। ଭାରତ କିନ୍ତୁ ନିସାରଙ୍କ ରୂପରେ ଜଣେ ମହାନ ଓ ବିପଜ୍ଜନକ ଦ୍ରୁତ ବୋଲର ପାଇଯାଇଥିଲା।

ସର୍ବକାଳୀନ ଶ୍ରେଷ୍ଠ ଭାରତୀୟ ଦଳର ସଦସ୍ୟ ଯୋଗ୍ୟତା
ଭାରତୀୟ ଉପମହାଦେଶ ବି‌ଶେଷ କରି ଭାରତରୁ ସେତେବେଳେ ଅନେକ ମହାନ ସ୍ପିନର ସୃଷ୍ଟି ହୋଇଥିଲେ। ଦ୍ରୁତ ବୋଲର ମିଳିବା କିନ୍ତୁ କଷ୍ଟକର ହେଉଥିଲା। ସେଥିପାଇଁ ପ୍ରଥମ ବିଶ୍ବଯୁଦ୍ଧ ପୂର୍ବ କାଳରେ ବିଜୟ ମର୍ଚାଣ୍ଟ ଓ ମହମ୍ମଦ ନିସାରଙ୍କୁ ଭାରତର ପ୍ରଥମ ସଫଳ ଦ୍ରୁତ ବୋଲର ଯୋଡ଼ିର ମାନ୍ୟତା ମିଳିପାରେ। ଉଭୟ ମଧ୍ୟ ସର୍ବକାଳୀନ ଶ୍ରେଷ୍ଠ ଭାରତୀୟ ଦଳରେ ସ୍ଥାନ ପାଇବାକୁ ହକ୍‌ଦାର। ଦେଶର ପ୍ରଥମ ୱିକେଟ୍ ଓ ପ୍ରଥମ ପାଞ୍ଚ ୱିକେଟ୍ ସଫଳତା ସତ୍ତ୍ବେ ବିଭାଜନ ଯୋଗୁଁ ନିସାର ଧୀରେଧୀରେ ବିଶ୍ବ କ୍ରିକେଟ୍‌ର ଦୃଶ୍ୟପଟ୍ଟରୁ ଦୂର ହୋଇ ଯାଇଥିଲେ। ଏବେ ବି ଏହି ମହାନ ବୋଲରଙ୍କ ସ୍ମୃତିରେ କୌଣସି ଷ୍ଟାଡିୟମ କିମ୍ବା ପ୍ୟାଭିଲିୟନର ନାମକରଣ ହୋଇନି। ବିଭା‌ଜନ ପରେ ପାକିସ୍ତାନ ଚାଲି ଯାଇଥିବାରୁ ଭାରତ ପକ୍ଷରୁ ସମ୍ମାନ ମିଳୁନି। ପାକିସ୍ତାନ ଭାବୁଛି ନିସାର ଭାରତ ପକ୍ଷରୁ ଖେଳିଥିବାରୁ, ତାଙ୍କୁ ସମ୍ମାନିତ କରିବାର କୌଣସି ଆବଶ୍ୟକତା ନାହିଁ। ମହମ୍ମଦ ନିସାରଙ୍କ ପୁଅ ୱାକର ନିସାର ଏବେ ପାକିସ୍ତାନର ଲାହୋରରେ ରହୁଛନ୍ତି। ତାଙ୍କ ପିତାଙ୍କୁ ଏପର୍ଯ୍ୟନ୍ତ କୌଣସି ସମ୍ମାନ ଓ ସ୍ବୀକୃତି ନମିଳିବା ନେଇ ସେ ଦୁଃଖର ସହ କହିଛନ୍ତି ଯେ ମୋ ପିତା ଏବଂ ୧୯୩୨ ମସିହା ଦଳ ଭାରତୀୟ ଉପମହାଦେଶ କ୍ରିକେଟ୍‌କୁ ବିଶ୍ବସ୍ତରକୁ ନେଇଥିଲେ। ସେହି ମ୍ୟାଚ୍‌ର ମାତ୍ର ଦୁଇ ବର୍ଷ ପରେ ଭାରତ ଆସି ଇଂଲଣ୍ଡ ଟେଷ୍ଟ୍ କ୍ରିକେଟ୍ ଖେଳିଥିଲା। କାରଣ ଭାରତ ଏକ ଶକ୍ତିଶାଳୀ ଦଳ ବୋଲି ସେମାନେ ହୃଦୟଙ୍ଗମ କରିଥିଲେ।

ଘରୋଇ ପରିବେଶରେ ଦ୍ବିତୀୟ ପାଞ୍ଚ ୱିକେଟ୍ ସଫଳତା
ଲର୍ଡସରେ ଭାରତୀୟ କ୍ରିକେଟ୍ ଦଳ ତା’ର ପ୍ରଥମ ଟେଷ୍ଟ୍ ଖେଳିବାର ପାଖାପାଖି ଦୁଇ ବର୍ଷ ପରେ ଭାରତ ଗସ୍ତ କରିଥିଲା ଇଂଲଣ୍ଡ। ୧୯୩୩-୩୪ ମସିହାର ସେହି ଘରୋଇ ଶୃଙ୍ଖଳାରେ ନିସାର ବୋଲିଂ ଓପନ୍ କରି ଆଉ ଏକ ପାଞ୍ଚ ୱିକେଟ୍ ସଫଳତା ପାଇଥିଲେ। ବନାରସରେ ଖେଳା ଯାଇଥିବା ବିଜୟନଗର ମହାରାଜାଙ୍କ ଏକାଦଶ ବିପକ୍ଷ ୧୪ ରନ୍ ପରାଜୟ ବ୍ୟତୀତ ଇଂଲଣ୍ଡ ସେହି ଗସ୍ତର ସବୁ ମ୍ୟାଚ୍ ଜିତି ନେଇଥିଲା। ନିସାର ମଧ୍ୟ ଏହି ମ୍ୟାଚ୍‌ର ମୁଖ୍ୟ ନାୟକ ଥି‌ଲେ। ସେ ୧୧୭ ରନ୍ ଦେଇ ୯ ୱିକେଟ୍ ଅକ୍ତିଆର କରିଥିଲେ। ଦ୍ବିତୀୟ ବିଶ୍ବଯୁଦ୍ଧ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ ଦୀର୍ଘ ୧୦ ବର୍ଷ ପାଇଁ ବନ୍ଦ ରହିବା ପୂର୍ବରୁ ଭାରତ ଶେଷ ଥର ପାଇଁ ୧୯୩୬ ମସିହାରେ ଇଂଲଣ୍ଡ ଗସ୍ତ କରିଥିଲା। ଶୃଙ୍ଖଳାର ତୃତୀୟ ଟେଷ୍ଟ୍‌ରେ ନିସାର ଆଉ ଏକ ପାଞ୍ଚ ୱିକେଟ୍ ସଫଳତା (ଗୋଟିଏ ପାଳିରେ) ପାଇଥିଲେ। ହେଲେ ଦୁର୍ଭାଗ୍ୟଜନକ ଭା‌ବେ ଶୃଙ୍ଖଳା ‌ଶେଷ ହେବା ପୂର୍ବରୁ ନିଯୁକ୍ତିଦାତା ଭାରତୀୟ ରେଳବାଇ ତାଙ୍କୁ ସ୍ବଦେଶ ଫେରି ଆସିବାକୁ କହିଥିଲା। ତୁରନ୍ତ ଯୋଗ ନଦେଲେ ତାଙ୍କ ଚାକିରି ଚାଲିଯିବ ବୋଲି ମଧ୍ୟ ଧମକ ଦେଇଥିଲା। ଏହା ପରେ ନିସାର କ୍ରିକେଟ୍ ଖେଳିବା ରେଳବାଇର ଦୟା ଉପରେ ନିର୍ଭରଶୀଳ ହୋଇ ଯାଇଥିଲା। ସେତେବେଳେ କ୍ରିକେଟ୍‌କୁ ଏକ ପେସା ଭାବେ ନିଆଯାଉ ନଥିବାରୁ ରେଳବାଇ ଚାକିରି ହରାଇବା ଭୟରେ ନିସାର ବହୁ ମ୍ୟାଚ୍‌ରୁ ନିଜ ଆଡ଼ୁ ଓହରି ଯାଇଥିଲେ। ସେଥିପାଇଁ ମାତ୍ର ୨୬ ବର୍ଷ ବୟସରେ ସେ ନିଜ ଶେଷ ଅନ୍ତର୍ଜାତୀୟ କ୍ରି‌କେଟ୍ ମ୍ୟାଚ୍ ଖେଳିବାକୁ ବାଧ୍ୟ ହୋଇଥିଲେ।

ବିଭାଜନ ପରେ ଲାହୋରରେ ରହିବାକୁ ନିଷ୍ପତ୍ତି
୧୯୪୭ ମସିହାରେ ଭାରତ ଓ ପାକିସ୍ତାନ ସ୍ବାଧୀନ ହେବା ପୂର୍ବରୁ ଦେଶ ବିଭାଜନ ହେବ ବୋଲି ନାସିର ଜାଣି ସାରିଥିଲେ। ଭାରତୀୟ ଦଳକୁ ସେ ବହୁତ ଭଲ ପାଉଥିଲେ। ହେଲେ ତାଙ୍କ ହୃଦୟରେ ଲାହୋର ସହର ବସି ଯାଇଥିଲା। ସେଥିପାଇଁ ଲାହୋର ଯାହା ଭାଗରେ ପଡ଼ିବ ସେହି ଦେଶରେ ରହିବାକୁ ନିଷ୍ପତ୍ତି ନେଇଥିଲେ ନିସାର। ସେ ମଧ୍ୟ ଚୟନକର୍ତ୍ତା ଭାବେ ପାକିସ୍ତାନର ପ୍ରଥମ ଟେଷ୍ଟ୍ ଦଳ ବାଛିଥିଲେ। ‌ତେବେ ରାଜନୈତିକ ହସ୍ତକ୍ଷେପ ପାଇଁ କ୍ରିକେଟ୍ ପରିଚାଳନାରୁ ଦୂରେଇ ଯାଇଥିଲେ। ନିଜ ଶ୍ରେଷ୍ଠ ସମୟରେ ଖେଳୁଆଡ଼ ମନୋଭାବ ଓ କ୍ରିକେଟ୍ ନିୟମକୁ ସମ୍ମାନ ଜଣାଉଥିବା ଜଣେ ଭଦ୍ର କ୍ରିକେଟର ଥିଲେ ସେ । ଏକ ହିନ୍ଦୁ-ମୁସଲିମ୍ ମ୍ୟାଚ୍ ବେଳେ ମୁସଲିମ୍ ଦଳର ଅଧିନାୟକ ୱାଜିର ଅଲ୍ଲୀ ତାଙ୍କୁ ଭିନୁ ମଙ୍କଡ଼ଙ୍କୁ ବାଉନ୍ସର ପକାଇବାକୁ କହିଥିଲେ। ହେଲେ ନିସାର ସିଧାସିଧା ମନାକରି ଦେଇଥିଲେ। ତାଙ୍କର ଏହି ଗୁଣ ଲାଗି ଭାରତର ପ୍ରଥମ ଟେଷ୍ଟ୍ ଦଳରେ ସେ ସ୍ଥାନ ପାଇପାରିଥିଲେ। ତାଙ୍କ ୨୨ ଗଜ ରନ୍ ଅପ୍ ଦେଖି ସେତେବେଳର ବଡ଼ ବଡ଼ କ୍ରିକେଟରମାନେ ମଧ୍ୟ ଡରି ଯାଉଥିଲେ।

ଭାରତୀୟ ଉପମହାଦେଶର ଦ୍ରୁତତମ ବୋଲର ଥିଲେ
ନିସାର ନିଜ ସମୟରେ ଭାରତୀୟ ଉପମହାଦେଶର ସବୁଠାରୁ ଦ୍ରୁତତମ ବୋଲର ଥି‌ଲେ। ମହାନ ଭାରତୀୟ କ୍ରିକେଟର ସିକେ ନାଇଡ଼ୁ ଏକଦା କହିଥିଲେ ଯେ ନିଜ ପ୍ରାରମ୍ଭିକ ସମୟରେ ନିସାର ସେତେବେଳେ ବିଶ୍ବର ଦ୍ରୁତତମ ବୋଲର ଥିବା ହାରୋଲ୍ଡ ଲାରଉଡ୍‌ଙ୍କଠାରୁ ମଧ୍ୟ ଅଧିକ ବେଗରେ ବଲ୍ ପକାଉଥିଲେ। ଅବିଭାଜିତ ଭାରତୀୟ ଦଳର ୱିକେଟ୍ ରକ୍ଷକ ଥିବା ଦିଲାୱର ହୁସେନ ନିସାର ବୋଲିଂ କରୁଥିଲା ବେଳେ ଗ୍ଲୋଭ୍ସ ଭିତରେ ମାଂସ ଖଣ୍ଡ ରଖି ୱିକେଟ୍ ରକ୍ଷଣ କରୁଥିଲେ। କାରଣ ନିସାରଙ୍କ ବଲ୍ ଏଭଳି ଗତିରେ ଆସୁଥିଲା ଯେ ଏହାକୁ ଧରିବା ତାଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ‌ହେଉଥିଲା।

ତଥାପି ଅଜଣା, ଅକୁହା
ନିସାର ପଞ୍ଜାବର ହୋସିଆରପୁରରେ ଜନ୍ମଗ୍ରହଣ କରିଥିଲେ। ବିଭାଜନ ପରେ ଲାହୋର ଚାଲିଯିବା ପରେ କିନ୍ତୁ ଦ୍ବିତୀୟବାର ସେ ନିଜ ଜନ୍ମସ୍ଥାନକୁ ଆଉ ଫେରି ପାରି ନଥିଲେ। ନିସାର କିନ୍ତୁ ରେଳବାଇ (ପାକିସ୍ତାନ)ରେ କାର୍ଯ୍ୟ କରିବା ଛାଡ଼ି ନଥିଲେ। ସେ ନିଜ କ୍ରିକେଟ୍ କିଟ୍ ସାଙ୍ଗରେ ନେଇ ଯାଉଥିଲେ। ଟ୍ରେନ୍ ରାତିରେ ଯେଉଁଠାରେ ରହୁଥିଲା, ସେଠାକାର ଘରୋଇ ଦଳ ସହ କ୍ରିକେଟ୍ ଖେଳିବା ଆରମ୍ଭ କରି ଦେଇଥିଲେ। ୨୨ ଗଜ ରନ୍‌ ଅପ୍ ପାଇଁ ପ୍ରସିଦ୍ଧ ଲାଭ କରିଥିବା ନିସାର କିନ୍ତୁ ମାତ୍ର ୪-୫ ଗଜରୁ ରନ୍ ଅପ୍ ନିଅନ୍ତି। ତଥାପି ତାଙ୍କୁ ଦେଖିବାକୁ ଲୋକ ରୁଣ୍ଡ ହୋଇଯାଆନ୍ତି।

ଟ୍ରେନ୍ ଡବାରେ ମୃତ୍ୟୁ
୧୯୬୩ ମସିହାରେ ଏକ ଟ୍ରେନ୍‌ ଯାତ୍ରା ବେଳେ ହୃଦଘାତରେ ନିସାରଙ୍କର ମୃତ୍ୟୁ ହୋଇଯାଇଥିଲା। ୨୦୦୬ ମସିହାରେ ଭାରତ ଓ ପାକିସ୍ତାନ କ୍ରିକେଟ୍ ବୋର୍ଡ ମିଳିତ ଭାବେ ମହମ୍ମଦ ନିସାର ଟ୍ରଫି କ୍ରି‌କେଟ୍ ପ୍ରତିଯୋଗିତା ଆରମ୍ଭ କରିଥିଲେ। ଏଥିରେ ଭାରତ ଓ ପାକିସ୍ତାନର ଘରୋଇ କ୍ରିକେଟ୍ ବିଜେତା ଖେଳୁଥି‌ଲେ। ପ୍ରଥମ ଦୁଇ ବର୍ଷ ଉତ୍ତର ପ୍ରଦେଶ ଓ ମୁମ୍ବାଇ ବିଜେତା ହୋଇଥିଲେ। ୨୦୦୮ରେ ଅନୁଷ୍ଠିତ ଶେଷ ମ୍ୟାଚ୍‌ରେ ସିଆଲକୋଟ ଦଳ ବିଜେତା ଆଖ୍ୟା ଅର୍ଜନ କରିଥିଲା। ଭାରତୀୟ କ୍ରିକେଟ୍ ଦଳର ଏବେକାର ଅଧିନାୟକ ବିରାଟ କୋହଲି କିନ୍ତୁ ଏହି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲା। ଏହା ପରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣା ପାଇଁ ଭାରତ-ପାକିସ୍ତାନ ସଂପର୍କରେ ତିକ୍ତତା ବଢ଼ିଥିଲା ଏବଂ ଏହି ପ୍ରତିଯୋଗିତା‌ ସବୁଦିନ ପାଇଁ ବନ୍ଦ ହୋଇ ଯାଇଥିଲା।

ସମ୍ବନ୍ଧିତ ଖବର