ଭାରତର ପ୍ରଥମ ବିଜୟ: ରୋହିତ-ରାହୁଲଙ୍କ ଶତକୀୟ ଭାଗୀଦାରି

ଆବୁଧାବି: ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ୍‌ ନିକଟରୁ ଲଗାତାର ଲଜ୍ଜାଜନକ ପରାଜୟ ବରଣ ପରେ ଭାରତ ଚଳିତ ଟି-୨୦ ବିଶ୍ବକପ୍‌ରେ ବୁଧବାର ଆଫ୍‌ଗାନିସ୍ତାନକୁ ୬୬ ରନ୍‌ରେ ପରାସ୍ତ କରି ପ୍ରଥମ ବିଜୟ ହାସଲ କରିଛି। ଭାରତର ୨୧୦/୨ ଜବାବରେ ଆଫ୍‌ଗାନିସ୍ତାନ ୭ ୱିକେଟ୍‌ ବିନିମୟରେ ୧୪୪ ରନ୍‌ କରିପାରିଥିଲା। ଟି-୨୦ ବିଶ୍ବକପ୍‌ରେ ଆଫ୍‌ଗାନିସ୍ତାନ ବିପକ୍ଷରେ ଭାରତ ମଧ୍ୟ ହ୍ୟାଟ୍ରିକ୍‌ ବିଜୟ ହାସଲ କରିଛି। ଏହି ଫର୍ମାଟ୍‌ ବିଶ୍ବକପ୍‌ରେ ପରସ୍ପର ୩ ଥର ମୁହାଁମୁହିଁ ହୋଇଥିଲା ବେଳେ ସବୁଥର ଭାରତର ହିଁ ଜିତାପଟ ହୋଇଛି। ରୋହିତ ଶର୍ମା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଏହି ବିଜୟ ସହ ଭାରତ ପଏଣ୍ଟ ତାଲିକାର ୫ମରୁ ୪ର୍ଥକୁ ଉଠିଛି।

ବୁଧବାର ମ୍ୟାଚ୍‌ରେ ବିଶେଷକରି ରୋହିତ ଶର୍ମା ଓ କେଏଲ୍‌ ରାହୁଲଙ୍କ ବିସ୍ଫୋରକ ଶତକୀୟ ଭାଗୀଦାରି ପରେ ଋଷଭ ପନ୍ତ୍‌ ଏବଂ ହାର୍ଦିକ୍‌ ପାଣ୍ଡ୍ୟାଙ୍କ ବିସ୍ଫୋରଣ ବଳରେ ଭାରତ ମାତ୍ର ୨ ୱିକେଟ୍‌ ବିନିମୟରେ ୨୧୦ ରନ୍‌ର ବିଶାଳ ସ୍କୋର୍‌ ଛିଡ଼ା କରିଥଲା। ଏହା ମଧ୍ୟ ଟି-୨୦ ବିଶ୍ବକପ୍‌ରେ ଭାରତର ଦ୍ବିତୀୟ ସର୍ବୋଚ୍ଚ ଦଳଗତ ସ୍କୋର୍‌ ଥିଲା। ୨୦୦୭ ପ୍ରଥମ ସଂସ୍କରଣରେ ଦଳ ଡର୍ବାନ୍‌ରେ ଇଂଲଣ୍ଡ ବିପକ୍ଷରେ କରିଥିବା ୨୧୮/୪ ସର୍ବୋଚ୍ଚ ସ୍କୋର୍‌ ରହିଛି। ପୁଣି ଚଳିତ ବିଶ୍ବକପ୍‌ରେ ଭାରତର ୨୧୦/୨ ମଧ୍ୟ ଯେକୌଣସି ଦଳ ପାଇଁ ସର୍ବୋଚ୍ଚ ସ୍କୋର୍‌ ହୋଇଛି। ଏହି ବିଶ୍ବକପ୍‌ରେ ସାର୍‌ଜାରେ ସ୍କଟ୍‌ଲାଣ୍ଡ ବିପକ୍ଷରେ ଆଫ୍‌ଗାନିସ୍ତାନର ୧୯୦/୪ ପଛରେ ପଡ଼ିଯାଇଛି। ଭାରତର ୨୧୦/୨ ମଧ୍ୟ ଟି-୨୦ ଆନ୍ତର୍ଜାତିକରେ ଆଫ୍‌ଗାନିସ୍ତାନ ବିପକ୍ଷରେ ଦ୍ବିତୀୟ ସର୍ବୋଚ୍ଚ ଦଳଗତ ସ୍କୋର୍‌। ଏହି ଭେନ୍ୟୁରେ ୨୦୧୩ରେ ଆୟର୍ଲାଣ୍ଡ୍‌ ହିଁ ଆଫ୍‌ଗାନିସ୍ତାନ ବିପକ୍ଷରେ ସର୍ବୋଚ୍ଚ ଦଳଗତ ସ୍କୋର୍‌ ୨୨୫/୭ କରିଥିଲା।

ବୁଧବାର ଟସ୍‌ ହାରି ଭାରତ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ହୋଇଥିଲା। ଅଧିନାୟକ ବିରାଟ କୋହଲି ଟସ୍‌ ହାରି ନିରାଶ ଜଣାପଡୁଥିଲେ ମଧ୍ୟ ଦୁଇ ଓପ୍‌ନର ରୋହିତ ଓ ରାହୁଲ ଶେଷରେ ତାଙ୍କ ମୁହଁରେ ହସ ଖେଳାଇଥିଲେ। ନେଟ୍‌ ରନ୍‌ ରେଟ୍‌ରେ ବହୁ ପଛରେ ରହିଥିବାରୁ ଏହି ମ୍ୟାଚ୍‌ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିଲା। ଫଳରେ ଯୋଜନା ମୁତାବକ ଏହି ଦୁଇ ଜଣ ଆରମ୍ଭରୁ ଆକ୍ରମଣ କରିଥିଲେ। ଦୁହେଁ ପ୍ରଥମ ୱିକେଟ୍‌ରେ ୧୪୦ ରନ୍‌ (୧୪.୪ ଓଭର) ଯୋଡ଼ିବା ପରେ କରିମ ଜନତଙ୍କ ବଲ୍‌ରେ ପ୍ରତିପକ୍ଷ ଅଧିନାୟକ ନବିଙ୍କୁ କ୍ୟାଚ୍‌ ଦେଇ ରୋହିତ ପାଭିଲିୟନ୍‌ ଫେରିଥିଲେ। ସେ ତାଙ୍କ ପାଳିରେ ୪୭ ବଲରୁ ୮ ଚୌକା ଓ ୩ ଛକା ମାରି ୭୪ ରନ୍‌ କରିଥିଲେ। ଅବଶ୍ୟ ଏହାର ୭ ରନ୍‌ ଏବଂ ୧୧ ବଲ୍‌ ପରେ ରାହୁଲ ମଧ୍ୟ ଆଉଟ୍‌ ହୋଇଯାଇଥିଲେ। ରାହୁଲ ୪୮ ବଲ୍‌ରୁ ୬ ଚୌକା ଓ ୨ ଛକା ଜରିଆରେ ୬୯ ରନ୍‌ କରି ଗୁଲ୍‌ବଦିନ ନାଏବଙ୍କ ଶିକାର ହୋଇଥିଲେ। କିନ୍ତୁ ଏହି ଦୁଇ ୱିକେଟ୍‌ର ପତନ ଘଟିବା ପରେ ମଧ୍ୟ କୋହଲି ବ୍ୟାଟିଂକୁ ଆସିନଥିଲେ। ‌ଏହାସତ୍ତ୍ବେ ଦଳର ରନ୍‌ ସଂଗ୍ରହ ଗତିକୁ ଆଫ୍‌ଗାନିସ୍ତାନ ବୋଲର ଅଟକାଇ ପାରିନଥିଲେ। କୋହଲିଙ୍କ ପୂର୍ବରୁ ଆସିଥିବା ପନ୍ତ୍‌ ଓ ପାଣ୍ଡ୍ୟା ଭୟଙ୍କର ବ୍ୟାଟିଂ କରି ଅବିଭାଜିତ ତୃତୀୟ ୱିକେଟ୍‌ରେ ୨୭ ବଲ୍‌ରୁ ୬୩ ରନ୍‌ ଆଦାୟ କରିଥିଲେ। ଭାରତୀୟ ବ୍ୟାଟର୍‌ଙ୍କ ପ୍ରହାର ଆଗରେ ଅଫ୍‌ଗାନ୍‌ ବୋଲରମାନେ ତ୍ରାହି ତ୍ରାହି ଡାକିଥିଲେ। ପନ୍ତ୍‌ ୧୩ ବଲ୍‌ରୁ ୧ ଚୌକା ଓ ୩ ଛକା ଜରିଆରେ ୨୭* ଏବଂ ପାଣ୍ଡ୍ୟା ୧୩ ବଲ୍‌ରୁ ୪ ଚୌକା ଓ ୨ ଛକା ସହାୟତାରେ ୩୫* ରନ୍‌ କରିଥିଲେ। ଭାରତ ଏହି ମ୍ୟାଚ୍‌ରେ ଈଶାନ କିଶନ ଏବଂ ବରୁଣ ଚକ୍ରବର୍ତୀଙ୍କ ସ୍ଥାନରେ ଯଥାକ୍ରମେ ସୂର୍ଯ୍ୟକୁମାର ଯାଦବ ଏବଂ ରବିଚନ୍ଦ୍ରନ୍‌ ଅଶ୍ବିନ୍‌ଙ୍କୁ ଖେଳାଇଥିଲା।

ଆଫ୍‌ଗାନିସ୍ତାନ ୧୪୪/୭
ବ୍ୟାଟ୍‌ସମ୍ୟାନ୍‌ଙ୍କ ବିସ୍ଫୋରଣ ପରେ ବୋଲରମାନେ ମଧ୍ୟ କମାଲ କରିଥିଲେ। ମହମ୍ମଦ ସାମି, ଯଶ୍‌ପ୍ରୀତ୍‌ ବୁମ୍‌ରା, ରବୀନ୍ଦ୍ର ଜାଦେଜା ଏବଂ ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ଚମତ୍କାର ବୋଲିଂ କରି ଆଫ୍‌ଗାନ୍‌ ବ୍ୟାଟର୍‌ମାନଙ୍କୁ କ୍ରିଜ୍‌ରେ ତିଷ୍ଠି ରହିବାର ସୁଯୋଗ ଦେଇନଥିଲେ। ବହୁ ସମାଲୋଚନା ପରେ ଦଳକୁ ଫେରିଥିବା ଅଶ୍ବିନ୍‌ ତାଙ୍କ ୪ ଓଭରରେ ୧୪ ରନ୍‌ ବ୍ୟୟ କରି ୨ ୱିକେଟ୍‌ ଦଖଲ କରିଥିଲେ। ତେବେ ପ୍ରାରମ୍ଭିକ ଝଟ୍‌କାରୁ ଉଠିନପାରି ଆଫ୍‌ଗାନିସ୍ତାନ ପାଳି ୭ ୱିକେଟ୍‌ ବିନିମୟରେ ୧୪୪ ରନ୍‌ରେ ଅଟକି ଯାଇଥିଲା।

ସମ୍ବନ୍ଧିତ ଖବର