ନୂଆଦିଲ୍ଲୀ : ଗ୍ରିକୋ-ରୋମାନରେ କୌଣସି ଭାରତୀୟ ଖେଳାଳି ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିପାରିନଥିବାରୁ ବିଦେଶୀ କୁସ୍ତି ପ୍ରଶିକ୍ଷକ ଜର୍ଜିଆର ତେମୋ କାସାରାସଭିଲିଙ୍କୁ ଶୁକ୍ରବାର ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ବିଦା କରିଦେଇଛି। ଭାରତର ୮ ଜଣ ପୁରୁଷ ଓ ମହିଳା ଫ୍ରିଷ୍ଟାଇଲ କୁସ୍ତିବିତ୍ ଟୋକିଓ ଟିକେଟ୍ କରାୟତ କରିଛନ୍ତି। ହେଲେ ଜୁଲାଇ ୨୩ରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବହୁକ୍ରୀଡ଼ା ପ୍ରତିଯୋଗିତାର ଗ୍ରିକୋ-ରୋମାନରେ କୌଣସି ଭାରତୀୟ ମଲ୍ଲଙ୍କୁ ଦେଖିବାକୁ ମିଳିବନି। ‘‘କୌଣସି ଭାରତୀୟ ଗ୍ରିକୋ-ରୋମାନ୍ରେ ଅଲିମ୍ପିକ୍ ଯୋଗ୍ୟତା ହାସଲ ନକରିବାରୁ ବିଦେଶୀ କୁସ୍ତି ପ୍ରଶିକ୍ଷିକ ତେମୋ କାସାରାସଭିଲିଙ୍କୁ ତାଙ୍କ ଚୁକ୍ତିରୁ ମୁକ୍ତ କରିଛୁ। ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍ଆଇ)ର ସୁପାରିସ ପରେ ଏହି ନିଷ୍ପତ୍ତି ନିଆଯାଇଛି। ସାଇ ସହିତ ତାଙ୍କ ଚୁକ୍ତି ଫେବ୍ରୁଆରି ୨୦୧୯ରୁ ଅଲିମ୍ପିକ୍ସ ଶେଷ ପର୍ଯ୍ୟନ୍ତ ଥିଲା’’ ବୋଲି ସାଇ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।
ନିକଟରେ ସୋଫିଆରେ ଅନୁଷ୍ଠିତ ବିଶ୍ବ ଅଲିମ୍ପିକ୍ କ୍ବାଲିଫାୟର୍ସରେ ଭାରତୀୟ ଗ୍ରିକୋ-ରୋମାନ କୁସ୍ତିବିତ୍ ଖାଲି ହାତରେ ଫେରିଥିଲେ। ଅଂଶୁ (୬୭ କେଜି), ଗୁରପ୍ରୀତ ସିଂହ (୭୭ କେଜି), ସୁନିଲ କୁମାର (୮୭ କେଜି) ଓ ଦୀପାଂଶୁ (୯୭ କେଜି) ପ୍ରଥମ ରାଉଣ୍ଡରୁ ବିଦା ହୋଇଥିଲେ। ସଚିନ ରାଣା (୬୦ କେଜି) ଅସୁସ୍ଥତା ଯୋଗୁଁ ଓହରି ଯାଇଥିଲା ବେଳେ ନବୀନ କୁମାରଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିବାରୁ ମ୍ୟାଟ୍କୁ ଓହ୍ଲାଇନଥିଲେ। ଗତ ମାର୍ଚରେ ଭାରତରେ ଲକ୍ଡାଉନ୍ ଘୋଷଣା ହେବା ପରେ ସେ ନିଜ ଦେଶକୁ ଚାଲିଯାଇଥିଲେ। ଗତ ଅଗଷ୍ଟରେ ଭାରତ ଫେରି ସୋନପାତରେ ଆୟୋଜିତ ଜାତୀୟ ଶିବିରରେ ଯୋଗ ଦେଇଥିଲେ।