ଟୋକିଓ: ଚଳିତ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଦଳ ହ୍ୟାଟ୍ରିକ୍ ପରାଜୟ ବରଣ କରିଛି। ପୁଲ୍-ଏ’ର ପ୍ରଥମ ମ୍ୟାଚ୍କୁ ଜର୍ମାନିଠାରୁ ୦-୨ ଗୋଲ୍ରେ ହାରିବା ପରେ ଦ୍ବିତୀୟ ମ୍ୟାଚ୍ରେ ବିଶ୍ବ ମାନ୍ୟତାର ଶୀର୍ଷ ନେଦରଲାଣ୍ଡ୍ ନିକଟରୁ ୧-୫ରେ ହାରିଯାଇଥିଲା ରାଣୀ ରାମ୍ପଲଙ୍କ ଭାରତୀୟ ଦଳ। ସେହି ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରଖିଥିବା ଭାରତ ବୁଧବାର ତୃତୀୟ ମ୍ୟାଚ୍ରେ ବିଜେତା ବ୍ରିଟେନ୍ଠାରୁ ୧-୪ ଗୋଲ୍ରେ ହାରିଗଲା। ଫଳରେ କ୍ରମାଗତ ତୃତୀୟ ପରାଜୟ ସହ ଭାରତ ଏବେ କ୍ବାର୍ଟର ଫାଇନାଲ୍କୁ ଉନ୍ନୀତ ହେବା ଆଶଙ୍କାରେ ପଡ଼ିଯାଇଛି। ଏହି ତିନିଟି ମ୍ୟାଚ୍ରେ ଭାରତ ମୋଟ ୧୧ ଗୋଲ୍ ବରଣ କରିଥିଲା ବେଳେ ମାତ୍ର ୨ ଗୋଲ୍ ଦେଇଛି। ଫଳରେ ଗୋଲ୍ ବ୍ୟବଧାନରେ ମଧ୍ୟ ଭାରତ ବହୁ ପଛରେ ପଡ଼ିଯାଇଛି ଏବଂ ଏକରକମ ଭାବେ କ୍ବାର୍ଟର ଫାଇନାଲ୍ରୁ ବିଦାୟ ଦ୍ବାରରେ ପହଞ୍ଚିଯାଇଛି। ତଥାପି ଏହି ଗ୍ରୁପ୍ରେ ଭାରତ ଆଉ ଦୁଇଟି ମ୍ୟାଚ୍ ଖେଳିବାକୁ ବାକି ରହିଛି। ଚତୁର୍ଥ ମ୍ୟାଚ୍ରେ ୩୦ ତାରିଖ ଦିନ ଆୟର୍ଲାଣ୍ଡ୍କୁ ଏବଂ ପଞ୍ଚମ ତଥା ଶେଷ ଗ୍ରୁପ୍ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ଭେଟିବାକୁ ଅଛି। ତେଣୁ ଏହି ୬ ଦଳୀୟ ଗ୍ରୁପ୍ରେ ୪ ସ୍ଥାନ ମଧ୍ୟରେ ରହିବାକୁ ହେଲେ ଭାରତ ନିକଟରେ ଦୁଇଟି ବିକଳ୍ପ ରହିଛି।
ପ୍ରଥମେ ଆୟର୍ଲାଣ୍ଡ୍କୁ ପରାସ୍ତ କଲେ ଏବଂ ଆୟର୍ଲାଣ୍ଡ୍ ମଧ୍ୟ ବ୍ରିଟେନ୍ ବିପକ୍ଷ ମ୍ୟାଚ୍ରେ ପରାସ୍ତ ହେଲେ ଭାରତର ଆଶା ରହିବ। ଶେଷରେ ଦକ୍ଷିଣ ଆଫ୍ରିକା ପରାସ୍ତ କଲେ ଭାରତ କ୍ବାର୍ଟର ଫାଇନାଲ୍ ପହଞ୍ଚିବାର କିଛିଟା ସମ୍ଭାବନା ଦେଖାଦେବ। କେବଳ ସେତିକି ନୁହେଁ ଅବଶିଷ୍ଟ ଦୁଇଟି ମ୍ୟାଚ୍ରେ ଅଧିକ ଗୋଲ୍ ବ୍ୟବଧାନର ବିଜୟ ମଧ୍ୟ ଭାରତକୁ କ୍ବାର୍ଟର ଫାଇନାଲ୍ ପହଞ୍ଚାଇବାର ସମୀକରଣ ରହିବ। ଯାହାକି ଏତେଟା ସମ୍ଭବ ମନେ ହେଉନାହିଁ।
ବୁଧବାର ବିଜେତା ବ୍ରିଟେନ୍ ବିପକ୍ଷ ମ୍ୟାଚ୍ରେ ଭାରତ ଭଲ ଲଢ଼ିଥିଲା। ଏପରିକି ପୂରା ମ୍ୟାଚ୍ରେ ପ୍ରାୟ ୮ଟି ପେନାଲ୍ଟି କର୍ନର ସୁଯୋଗ ସୃଷ୍ଟି କରିଥିଲା। ହେଲେ ସେଥିରୁ ମାତ୍ର ଗୋଟିକୁ ଗୋଲ୍ରେ ରୂପାନ୍ତରିତ କରିପାରିଥିବାରୁ ପରାଜୟ ପାଇଁ ବାଧ୍ୟ ହୋଇଥିଲା। ଅନ୍ୟପକ୍ଷରେ ଏହି ମ୍ୟାଚ୍ରେ ବ୍ରିଟେନ୍ ୬ଟି ପେନାଲ୍ଟି କର୍ନର ପାଇଥିଲେ ମଧ୍ୟ ମାତ୍ର ଗୋଟିଏ ଗୋଲ୍ କରିପାରିଥିଲା। ତେଣୁ ଉଭୟ ଦଳର ରକ୍ଷଣଭାଗ ଚମତ୍କାର ଖେଳିଥିବା ସ୍ପଷ୍ଟ ହୋଇଛି। କିନ୍ତୁ ଏହି ମ୍ୟାଚ୍ର ଦ୍ବିତୀୟ ମିନିଟ୍ରେ ଭାରତୀୟ ସର୍କଲକୁ ଭେଦ କରି ହାନା ମାର୍ଟିନ୍ ପ୍ରଥମ ଗୋଲ୍ କରି ବ୍ରିଟେନ୍କୁ ଅଗ୍ରଣୀ ଦେଇଥିଲେ। ଏହାପରେ ୧୯ ମିନିଟ୍ରେ ସେହି ମାର୍ଟିନ୍ ଭାରତୀୟ ଗୋଲ୍ରକ୍ଷିକା ସବିତା ପୂନିଆଙ୍କୁ ଚକ୍ମା ଦେଇ ନିଜର ତଥା ଦଳ ପାଇଁ ଦ୍ବିତୀୟ ଗୋଲ୍ କରିଥିଲେ। ମାର୍ଟିନ୍ ଦୁଇଟିଯାକ ଫିଲ୍ଡ ଗୋଲ୍ କରି ଭାରତକୁ ଚାପରେ ରଖିଥିଲେ। ହେଲେ ୨୩ତମ ମିନିଟ୍ରେ ମିଳିଥିବା ପେନାଲ୍ଟିରେ ଗୁର୍ଜିତ୍ଙ୍କ ଷ୍ଟ୍ରାଇକ୍କୁ ଶର୍ମିଲା ଦେବୀ ଗୋଲ୍ରେ ରୂପାନ୍ତରିତ କରି ବ୍ୟବଧାନ ୧-୨ କରିଥିଲେ। ମଧ୍ୟାନ୍ତର ୨-୧ରେ ବ୍ରିଟେନ୍ ପକ୍ଷରେ ରହିଥିଲା। ମଧ୍ୟାନ୍ତର ପରେ ୪୧ତମ ମିନିଟ୍ରେ ଲିଲି ଓସ୍ଲେ ପେନାଲ୍ଟିରୁ ଗୋଲ୍ କରି ବ୍ରିଟେନ୍କୁ ୩-୧ର ଅଗ୍ରଣୀ ଦେଇଥିଲେ। ପୁଣି ୫୭ତମ ମିନିଟ୍ରେ ଏକ ପେନାଲ୍ଟି ଷ୍ଟ୍ରୋକ୍ ଜରିଆରେ ସବିତାକୁ ଚକ୍ମା ଦେଇଥିଲେ। ସବିତା ଭୁଲ୍ ଦିଗକୁ ଡାଇଭ୍ ମାରିଥିଲା ବେଳେ ଗ୍ରେସ୍ ବାଲ୍ସଡନ୍ ଚତୁର୍ଥ ଗୋଲ୍ କରି ବ୍ରିଟେନ୍କୁ ଏକପାଖିଆ ବିଜୟ ଭେଟି ଦେଇଥିଲେ। ବ୍ରିଟେନ୍ ଏହି ମ୍ୟାଚ୍ର ପ୍ରତି କ୍ବାର୍ଟରରେ ହିଁ ଗୋଟିଏ ଲେଖାଏଁ ଗୋଲ୍ କରିଥିଲା ବେଳେ ଭାରତ କେବଳ ଦ୍ବିତୀୟ କ୍ବାର୍ଟରରେ ହିଁ ଏକମାତ୍ର ଗୋଲ୍ଟି କରିଥିଲା।
ବୁଧବାର ଏହି ଗ୍ରୁପ୍ରେ ଅନ୍ୟ ମ୍ୟାଚ୍ରେ ନେଦରଲାଣ୍ଡ୍ ୫-୦ରେ ଦକ୍ଷିଣ ଆଫ୍ରିକାକୁ, ସ୍ପେନ୍ ୨-୧ରେ ନ୍ୟୁଜିଲାଣ୍ଡ୍କୁ ଏବଂ ଜର୍ମାନି ୪-୨ରେ ଆୟର୍ଲାଣ୍ଡ୍କୁ ପରାସ୍ତ କରିଛି। ଫଳରେ ନିଜ ନିଜର ହ୍ୟାଟ୍ରିକ୍ ବିଜୟ ସହ ଉଭୟ ନେଦରଲାଣ୍ଡ୍ସ ଓ ଜର୍ମାନି ଯଥାକ୍ରମେ ପ୍ରଥମ ଦୁଇଟି ସ୍ଥାନରେ କ୍ବାର୍ଟର ଫାଇନାଲ୍ ସ୍ଥାନ ପକ୍କା କରିନେଇଛନ୍ତି।