ଭୁବନେଶ୍ବର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ଚଳିତ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ର ଭୁବନେଶ୍ବର ଲେଗ୍‌ରେ ଆୟୋଜକ ଭାରତର ପରାଜୟ ଧାରା ଜାରି ରହିଛି। ଚୀନ୍‌ ଓ ଆମେରିକାଠୁ ହାରିଥିବା ଘରୋଇ ଦଳ ବୁଧବାର ଅଷ୍ଟ୍ରେଲିଆଠୁ ୦-୩ ଗୋଲ୍‌ରେ ହାରି ପରାଜୟରେ ହ୍ୟାଟ୍ରିକ୍‌ ଅର୍ଜନ କରିଛି। ମ୍ୟାଚ୍‌ର ଦ୍ବିତୀୟ ମିନିଟ୍‌ରେ ଏକ ପେନାଲ୍‌ଟି କର୍ଣ୍ଣର ଅର୍ଜନ କରିଥିଲେ ମଧ୍ୟ ଗୋଲ୍‌ରେ ପରିଣତ କରିବାରେ ସଫଳ ହୋଇ ନଥିଲା ଘରୋଇ ଦଳ। ଏପରିକି ଏହା ପର ମିନିଟ୍‌ରେ ଆଉ ଏକ ଗୋଲ୍‌ ସୁଯୋଗ ପାଇଥିଲେ ମଧ୍ୟ ହାତଛଡ଼ା କରିଥିଲା। ଅବଶ୍ୟ ବରାବର ଆକ୍ରମଣ ଜାରି ରଖି ଅଷ୍ଟ୍ରେଲିଆକୁ କିଛିଟା ଚାପରେ ରଖିଥିଲା। ହେଲେ ଏକାଧିକ ସୁଯୋଗର ସଦୁପଯୋଗ ନକରିବା କାରଣରୁ ପ୍ରଥମ କ୍ବାର୍ଟରରେ ଆଗୁଆ ହୋଇପାରି ନଥିଲା।

Advertisment

ଏହି କ୍ବାର୍ଟର ଗୋଲ୍‌ଶୂନ୍ୟ ରହିଥିଲା। ଦ୍ବିତୀୟ କ୍ବାର୍ଟରରେ ଅଷ୍ଟ୍ରେଲିଆ ଆକ୍ରମଣ କରିଥିଲା ବେଳେ ଭାରତ ଧିମା ପଡ଼ି ଦୁଇଟି ଗୋଲ୍‌ ବରଣ କରିଥିଲା। ୧୯ତମ ମିନିଟ୍‌ରେ ଅଧିନାୟିକା ଗ୍ରେସ୍‌ ଷ୍ଟିୱାର୍ଟଙ୍କ ଫିଲ୍ଡ ଗୋଲ୍‌ରେ ଭ୍ରମଣକାରୀ ଦଳ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ଏହାପରେ ଟାଟୁମ ଷ୍ଟିୱାର୍ଟ (୨୩ ମିନିଟ୍‌) ପେନାଲ୍‌ଟି କର୍ଣ୍ଣରରୁ ଗୋଲ୍‌ କରିଥିଲେ। ଫଳରେ ପ୍ରଥମାର୍ଦ୍ଧରେ ଅଷ୍ଟ୍ରେଲିଆ ୨-୦ରେ ଆଗୁଆ ରହିଥିଲା ବେଳେ ତୃତୀୟ କ୍ବାର୍ଟର ଗୋଲ୍‌ ଶୂନ୍ୟରେ ଶେଷ ହୋଇଥିଲା। ଚତୁର୍ଥ କ୍ବାର୍ଟରରେ ଭାରତ ଆକ୍ରମଣାତ୍ମକ ଖେଳି ୪୮ ଓ ୫୦ ମିନିଟ୍‌ରେ ଦୁଇଟି ପେନାଲ୍ଟି କର୍ଣ୍ଣର ପାଇଥିଲା। ଏହାକୁ ଗୋଲ୍‌ରେ ରୂପାନ୍ତର କରିବାରେ ବିଫଳ ହୋଇ ପଛରେ ପଡ଼ିଥିଲା। ୫୫ ମିନିଟ୍‌ରେ ନବ୍ସ କାଟଲିନ୍‌ଙ୍କ ଫିଲ୍ଡ ଗୋଲ୍‌ରେ ଅଷ୍ଟ୍ରେଲିଆ ବିଜୟ ବ୍ୟବଧାନକୁ ୩-୦ କରିଥିଲା। ଅନ୍ୟ ଏକ ମ୍ୟାଚ୍‌ରେ ଚୀନ୍‌ ୩-୧ ଗୋଲ୍‌ରେ ଆମେରିକାକୁ ପରାସ୍ତ କରିଛି।