ଆଜିଠୁ ଭାରତର ହକି ଅଭିଯାନ

ପୁରୁଷ ନ୍ୟୁଜିଲାଣ୍ଡ, ମହିଳା ନେଦରଲାଣ୍ଡ୍ସକୁ ଭେଟି‌ବେ

ଟୋକିଓ : ଭାରତର ଉଭୟ ପୁରୁଷ ଓ ମହିଳା ହକି ଦଳ ‌ଶନିବାରଠୁ ଅଲିମ୍ପିକ୍ସ ଅଭିଯାନ ଆରମ୍ଭ କରିବ। ପୁରୁଷ ଦଳ ଅଷ୍ଟମ ମାନ୍ୟତାପ୍ରାପ୍ତ ନ୍ୟୁଜିଲାଣ୍ଡକୁ ଏବଂ ମହିଳା ଦଳ ନେଦରଲାଣ୍ଡ୍ସ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ। ଅଲିମ୍ପିକ୍ସରେ ୮ ସ୍ବର୍ଣ୍ଣ ପଦକ ଜିତିଥିବା ଭାରତୀୟ ପୁରୁଷ ଦଳ ଏହି ହୃତଗୌରବ ଫେରିପାଇବା ଅଶାରେ ରହିଛି। ଶେଷ ଥର ଲାଗି ଭାରତ ୧୯୮୦ ମସ୍କୋ ଅଲିମ୍ପିକ୍ସରେ ଜିତିଥିଲା। ଏହି ୪୧ ବର୍ଷର ପଦକ ମରୁଡ଼ି ଅବସାନ ଘଟାଇବା ଲକ୍ଷ୍ୟରେ ରହିଛି ମନ୍‌ପ୍ରୀତ ସିଂହଙ୍କ ଦଳ। ଗତ ଦୁଇ ବର୍ଷ ହେଲା ଭାରତୀୟ ଦଳର ପ୍ରଦର୍ଶନ ଉଚ୍ଚକୋଟୀର ରହିଛି। ଦଳ ଏବେ ବିଶ୍ବ ମାନ୍ୟତାରେ ଚତୁର୍ଥ ସ୍ଥାନରେ ମଧ୍ୟ ଅଛି। ଗ୍ରୁପ୍‌ ‘ଏ’ରେ ସ୍ଥାନ ପାଇଥିବା ଭାରତ ଶନିବାର ନିଜଠୁ କମ୍‌ ମାନ୍ୟତାପ୍ରାପ୍ତ ଦଳ ବିପକ୍ଷରେ ଖେଳୁଥିବାରୁ ବିଜୟରୁ ଅଭିଯାନ ଆରମ୍ଭ କରିବା ଅଶା ରଖିଛି। ୨୦୧୬ ରିଓ ଅଲିମ୍ପିକ୍ସ ପରେ ଉଭୟ ଦଳ ୧୧ ଥର ‌ମୁହାଁମୁହିଁ ହୋଇଥିଲା ବେଳେ ଭାରତ ୮ ଥର ଏହି ବ୍ଲାକ୍‌ କ୍ୟାପ୍‌ ଦଳକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ଗୁଡ଼ିକରେ ଭାରତ ୩୪ ଗୋଲ୍‌ ଦେଇଥିଲା ‌ବେଳେ ୧୪ ଗୋଲ୍‌ ବରଣ କରିଛି। ଶେଷ ଥର ଲାଗି ଭାରତ ଟୋକିଓରେ ଆୟୋଜିତ ୨୦୧୯ ଏଫ୍‌ଆଇଏଚ୍‌ ଇଭେଣ୍ଟ୍‌ରେ ନ୍ୟୁଜିଲାଣ୍ଡକୁ ୫-୦ ‌ଗୋଲ୍‌ରେ ପରାସ୍ତ କରିଥିଲା। ଏହି ପରିସଂଖ୍ୟାନ ଅନୁଯାୟୀ ଆସନ୍ତାକାଲି ଭାରତର ପଲ୍ଲା ଭାରି ରହିବାର ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ଲଗାତାର ଦ୍ବିତୀୟ ଥର ଲାଗି ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ମହିଳା ଦଳ ଗ୍ରୁପ୍‌-‘ଏ’ରେ ବିଶ୍ବର ଏକ ନମ୍ବର ଦଳ ନେଦରଲାଣ୍ଡ୍ସ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ। ୩୬ ବର୍ଷ ପରେ ରିଓରେ ୨୦୧୬ ଅଲିମ୍ପିକ୍ସ ଖେଳିଥିବା ଏହି ଦଳର ପ୍ରଦର୍ଶନ ପରବର୍ତ୍ତୀ ସମୟରେ ଉନ୍ନତି ହେବାକୁ ଲାଗିଥିଲା। ୨୦୧୬ରେ ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି ଓ ୨୦୧୭ ଏସିଆ କପ୍‌ ଜିତିଥିଲା ବେଳେ ୨୦୧୮ ଏସୀୟ କପ୍‌ରେ ରୌପ୍ୟ ଏବଂ ୨୦୧୮ ବିଶ୍ବକପ୍‌‌ କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚି ଇତିହାସ ରଚିଥିଲା। ଏହି ପ୍ରଦର୍ଶନକୁ ଆଧାର କରି ଦୃଢ଼ ମନୋବଳ ସହ ଦଳ ଶନିବାର ପଡ଼ିଆକୁ ଓହ୍ଲାଇବ।

ସମ୍ବନ୍ଧିତ ଖବର