ନୂଆଦିଲ୍ଲୀ : ଚଳିତ ବର୍ଷ ସେପ୍ଟେମ୍ବରରେ ଇଂଲଣ୍ଡ ବିପକ୍ଷରେ ଭାରତ ୬ ମ୍ୟାଚ୍ ବିଶିଷ୍ଟ ସୀମିତ ଓଭର (ଧଳା ବଲ୍) ଘରୋଇ ଶୃଙ୍ଖଳା ଖେଳିବାର ସୂଚୀ ରହିଛି। ହେଲେ କରୋନା ମହାମାରୀର ପ୍ରକୋପ ସ୍ଥିତିରୁ ଏହି ଶୃଙ୍ଖଳା ସ୍ଥଗିତ ରହିବାର ଆଶଙ୍କା ଉପୁଜିଛି। ଯଦିଓ ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ଏନେଇ ଆନୁଷ୍ଠାନିକ ଘୋଷଣା କରିନାହିଁ, ତଥାପି ଖୁବ୍ ଶୀଘ୍ର ନିଷ୍ପତ୍ତି ନେବାର ଆଶା ରହିଛି। ଭାରତ ଗସ୍ତରେ ଇଂଲଣ୍ଡ ଦଳ ୩ ଲେଖାଏଁ ଦିନିକିଆ ଏବଂ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିବାର ପ୍ରସ୍ତାବ ରହିଛି। କିନ୍ତୁ ଭାରତରେ ସେପ୍ଟେମ୍ବର ବେଳକୁ ସ୍ଥିତିରେ କିଛିଟା ଉନ୍ନତି ପରିଲକ୍ଷିତ ହେବାର ଆଶା ଥିଲେ ମଧ୍ୟ ସାଂପ୍ରତିକ କୋଭିଡ୍-୧୯ ସ୍ଥିତିକୁ ଦେଖିଲେ ଇଂଲଣ୍ଡ ଦଳ ଭାରତ ଆସିବା ସମ୍ଭବ ହେବନି ବୋଲି ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ। ତଥାପି ଶୁକ୍ରବାର ବିସିସିଆଇର ବୋର୍ଡ ବୈଠକରେ ଇଂଲଣ୍ଡର ଗସ୍ତ ସୂଚୀ ସହିତ ଭାରତର ଫ୍ୟୁଚର ଟୁର୍ସ ଆଣ୍ଡ୍ ପ୍ରୋଗ୍ରାମ (ଏଫ୍ଟିପି) କ୍ୟାଲେଣ୍ଡର ମୁଖ୍ୟ ଆଲୋଚନାର ବିଷୟ ରହିବ। ବୈଠକରେ ଏଜେଣ୍ଡା ନେଇ ଆଲୋଚନା ପରେ ପରେ ଆନୁଷ୍ଠାନିକ ଘୋଷଣା କରାଯାଇପାରେ ବୋଲି ସଂପୃକ୍ତ ଅଧିକାରୀ କହିଛନ୍ତି। ଏପରିକି ସୀମିତ ଓଭର ଶୃଙ୍ଖଳା ପାଇଁ ଇଂଲଣ୍ଡ ଦଳର ଭାରତ ଗସ୍ତ ଆସନ୍ତାବର୍ଷ ସେପ୍ଟେମ୍ବରକୁ ଘୁଞ୍ଚିପାରେ ବୋଲି ବ୍ରିଟିସ୍ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ଇଂଲଣ୍ଡର ଭାରତ ଗସ୍ତ ବ୍ୟତୀତ ଆସନ୍ତା ମାସରେ ନ୍ୟୁଜିଲାଣ୍ଡ୍-ଏ ଦଳର ଗସ୍ତ ମଧ୍ୟ ସ୍ଥଗିତ ରହିବ ଆଶଙ୍କା ସୃଷ୍ଟି ହୋଇଛି।
ଅନ୍ୟପକ୍ଷରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି ଯେ ଯଦି କୋଭିଡ୍-୧୯ ପରିସ୍ଥିତି ଅନୁମତି ଦିଏ ତାହାଲେ ଅଗଷ୍ଟରେ ଶିବିର ଆୟୋଜନର ଯୋଜନା କରିବୁ। ହେଲେ ଏବେ ଯେଉଁ ସ୍ଥିତି ରହିଛି ମ୍ୟାଚ୍ ଆୟୋଜନ ସମ୍ଭବ ହୋଇନପାରେ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି। ଅନ୍ୟଏକ ସୂତ୍ରରୁ ଜଣାପଡ଼ିଛି, ଇଂଲଣ୍ଡର ଗସ୍ତ ସୂଚୀ ସେପ୍ଟେମ୍ବର ଶେଷ ସପ୍ତାହକୁ ଧାର୍ଯ୍ୟ କରାଯାଇଥିଲା ବେଳେ ଅକ୍ଟୋବରରେ ଅଷ୍ଟ୍ରେଲିଆରେ ଆୟୋଜିତ ଟ୍ବେଣ୍ଟି-୨୦ ବିଶ୍ବକପ୍ ସ୍ଥଗିତ ହେବାର ସମ୍ଭାବନା ରହିଛି। ଏପରିସ୍ଥଳେ ବିସିସିଆଇ ଆଇପିଏଲ୍ ଆୟୋଜନକୁ ଅଗ୍ରାଧିକାର ଦେବ। ଫଳରେ ଇଂଲଣ୍ଡର ଭାରତ ଗସ୍ତ ଏଥିପାଇଁ ପ୍ରଭାବିତ ଏକ କାରଣ ହୋଇପାରେ।