ଆଇସିସି ଟ୍ବେଣ୍ଟି-୨୦ ବିଶ୍ୱକପ୍‌: ଭାରତ ଆଶା ଉଜ୍ଜୀବିତ

ଦୁବାଇ : ଲଗାତାର ଦୁଇଟି ବଡ଼ ବିଜୟ ସହ ଭାରତୀୟ କ୍ରିକେଟ୍‌ ଦଳର ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ ସେମିଫାଇନାଲ୍ ସୁଯୋଗ ଉଜ୍ଜୀବିତ ହୋଇଛି। ଭାରତ ଶୁକ୍ରବାର ୮ ୱିକେଟ୍‌ରେ ସ୍କଟଲାଣ୍ଡ୍‌କୁ ପରାସ୍ତ କରିବା ପରେ ଏବେ ରବିବାରର ନ୍ୟୁଜିଲାଣ୍ଡ୍‌-ଆଫଗାନିସ୍ତାନ ମୁକାବିଲା ଉପରେ ନଜର ରଖିବ। ନ୍ୟୁଜିଲାଣ୍ଡ୍‌ ହାରିଲେ ଭାରତ ପାଇଁ ସୁଯୋଗ ରହିବ। ତଥାପି ସୋମବାର ଭାରତ ନିଜ ଶେଷ ମ୍ୟାଚ୍‌ରେ ନାମିବ୍ୟାକୁ ଭଲ ବ୍ୟବଧାନରେ ହରାଇବାର ଆବଶ୍ୟକତା ରହିବ। ଶୁକ୍ରବାର ବିଜୟ ପରେ ଭାରତର ନେଟ୍ ରନ୍ ରେଟ୍‌ (+୧.୬୧୯) ଉଭୟ ଆଫଗାନିସ୍ତାନ (+୧.‌୪୮୧) ଏବଂ ନ୍ୟୁଜିଲାଣ୍ଡ୍‌ (+୧.୨୭୭)କୁ ମଧ୍ୟ ପଛରେ ପକାଇଦେଇଛି। ଏହି ତିନି ଦଳ ଲିଗ୍ ଶେଷରେ ସମାନ ୬ ପଏଣ୍ଟ ଲେଖାଏଁ ପାଇଲେ ଏନ୍‌ଆର୍‌ଆର୍‌ ନିର୍ଣ୍ଣାୟକ ଭୂମିକା ତୁଲାଇବ। ରବିବାର ଯଦି ଆଫଗାନିସ୍ତାନ୍ ୧୦ ରନ୍‌ରେ ଜିତେ ତେବେ ଭାରତ ସୋମବାର ୨ ରନ୍‌ରେ ଜିତିଲେ ସେମିଫାଇନାଲ୍ ପହଞ୍ଚିଯିବ।

ଶୁକ୍ରବାର ଭାରତୀୟ ବୋଲରମାନେ ସ୍କଟ୍‌ଲାଣ୍ଡ୍‌ ପାଳିକୁ ମାତ୍ର ୮୫ ରନ୍‌ରେ ଅଲ୍ଆଉଟ୍ କରିଦେଇଥିଲେ। ପ୍ରାରମ୍ଭିକ ବ୍ୟାଟର୍‌ ଜର୍ଜ ମୁନସେ (୨୪, ୧୯ ବଲ୍‌)ଙ୍କ ସହ ମାଇକେଲ୍ ଲିସ୍କ (୨୧) କେବଳ ୨୦ ଅତିକ୍ରମ କରିଥିଲେ। ପ୍ରାରମ୍ଭିକ ଯୋଡ଼ିକୁ ଦ୍ରୁତ ବୋଲର ମହମ୍ମଦ ସାମି ଏବଂ ଯଶପ୍ରୀତ୍ ବୁମରା ବିଦାୟ ରାସ୍ତା ଦେଖାଇବା ପରେ ଭାରତୀୟ ସ୍ପିନରମାନେ ରବୀନ୍ଦ୍ର ଜାଦେଜାଙ୍କ ନେତୃତ୍ବରେ ସୁଯୋଗକୁ ମାଡ଼ି ବସିଥିଲେ। ଜାଦେଜାଙ୍କ ସ୍ପିନ୍‌ ଓ ଟର୍ଣ୍ଣକୁ ଖେଳିବା ସ୍କଟ୍‌ଲାଣ୍ଡ୍‌ ବ୍ୟାଟରଙ୍କ ପାଇଁ କାଠିକର ପାଠ ହୋଇଥିଲା। ଶେଷକୁ ଏହି ବାମହାତୀ ସ୍ପିନର୍ ୪-୦-୧୫-୩ ଚିତ୍ର ପାଇଥିଲେ। ଶେଷ ଭାଗରେ ମହମ୍ମଦ ସାମି (୩-୧-୧୫-୩)ଙ୍କ ୟର୍କର୍‌ଭରା ଶୃଙ୍ଖଳିତ ବୋଲିଂ ମଧ୍ୟ ବିରାଟ କୋହଲିଙ୍କ ଜନ୍ମଦିନରେ ବଡ଼ ବିଜୟର ବାଟ ଦେଖାଇଥିଲା। ରହସ୍ୟମୟ ସ୍ପିନର୍‌ ବରୁଣ ଚକ୍ରବର୍ତ୍ତୀ (୩-୦-୧୫-୦) ୱିକେଟଶୂନ୍ୟ ରହିଥିଲେ ମଧ୍ୟ ମିତ୍ତବ୍ୟୟୀ ବୋଲିଂ କରି ପ୍ରଭାବୀ ଯୋଗଦାନ ରଖିଥିଲେ।

ଭାରତକୁ ୭.୧ ଓଭର ଭିତରେ ବିଜୟୀ ହେଲେ ଉଭୟ ନ୍ୟୁଜିଲାଣ୍ଡ୍‌ ଓ ଆଫଗାନିସ୍ତାନର ଏନ୍ଆର୍‌ଆର୍‌କୁ ଅତିକ୍ରମ କରିବାର ସୁଯୋଗ ଥିଲା। ଭାରତ ମଧ୍ୟ ଏହାକୁ କରି ଦେଖାଇଥିଲା। ୬.୩ ଓଭରରେ ଦଳ ୨ ୱିକେଟ୍ ହରାଇ ୮୯ ରନ୍‌ କରି ନେଇଥିଲା। କେଏଲ୍ ରାହୁଲ୍ (୫୦, ୧୯ ବଲ୍‌, ୬‌ ଚୌକା, ୩ ଛକା) ଏବଂ ରୋହିତ ଶର୍ମା (୩୦, ୧୬ ବଲ୍‌) ପାୱାର ପ୍ଲେ ଭିତରେ ‌ବିସ୍ଫୋରକ ବ୍ୟାଟିଂ କରି ଭାରତର ଯୋଜନାକୁ ସଫଳ ରୂପାୟନ କରିଥିଲେ। କ୍ରିସ୍‌ ଗ୍ରିଭ୍ସଙ୍କୁ ମୁଣ୍ଡ ଉପରେ ଛକା ମାରି ସୂର୍ଯ୍ୟକୁମାର ଯାଦବ ଦଳକୁ ୮୧ ବଲ୍ ପୂର୍ବରୁ ବିଜୟୀ କରାଇଥିଲେ। ‌ଶୁକ୍ରବାର ନିଜ ଶ୍ରେଷ୍ଠ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ବୋଲିଂ ଚିତ୍ର (୩/୧୫) ପାଇଥିବା ରବୀନ୍ଦ୍ର ଜାଦେଜା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ଭାରତ ବିପକ୍ଷରେ ଦ୍ବିତୀୟ ସର୍ବନିମ୍ନ
ଅଷ୍ଟମ ଥର ପାଇଁ ଚଳିତ ଆଇସିସି‌ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ କୌଣସି ଦଳ ୧୦୦ ରନ୍‌ ଭିତରେ ଆଲ୍ଆଉଟ୍ ହେଲା। ଯାହାକି ୨୦୧୪ ସଂସ୍କରଣ ସହିତ ସମକକ୍ଷ ହୋଇଛି। ତେବେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଇତିହାସରେ ଭାରତ ବିପକ୍ଷରେ ତୃତୀୟ ଥର ଏକ ଦଳ ୧୦୦ ରନ୍‌ ତଳେ ସୀମିତ ରହିଲା। ଭାରତ ୨୦୧୨ରେ କଲମ୍ବୋରେ ଇଂଲଣ୍ଡକୁ ୮୦ ଏବଂ ୨୦୧୪ରେ ମୀରପୁରରେ ଅଷ୍ଟ୍ରେଲିଆକୁ ୮୬ ରନ୍‌ରେ ଅଲ୍‌ଆଉଟ୍ କରିଥିଲା। ସେହିଭଳି ଭାରତ ମଧ୍ୟ ୮୧ ବଲ୍ ବଳକା ଥାଇ ଜିତିବା ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ସର୍ବାଧିକ। ୨୦୧୬ରେ ଭାରତ ମୀରପୁରରେ ୟୁଏଇକୁ ୫୯ ବଲ୍ ପୂର୍ବରୁ ଏବଂ ସେହିବର୍ଷ ହରାରେଠାରେ ଜିମ୍ବାୱେକୁ ୪୧ ବଲ୍‌ ପୂର୍ବରୁ ହରାଇଥିଲା। ବିଶ୍ବକପ୍‌ରେ କିନ୍ତୁ ୮୧ ବଲ୍ ବଳକା ବିଜୟ ତୃତୀୟ ସ୍ଥାନରେ ରହିଛି। ୨୦୧୪ରେ ଚଟ୍ଟଗାଁରେ ନେଦରଲାଣ୍ଡ୍ସକୁ ୯୦ ବଲ୍ ପୂର୍ବରୁ ଶ୍ରୀଲଙ୍କା ଏବଂ ଚଳିତ ସଂସ୍କରଣରେ ବାଂଲାଦେଶକୁ ୮୨ ବଲ୍‌ ପୂର୍ବରୁ ଅଷ୍ଟ୍ରେଲିଆ ପରାସ୍ତ କରିଥିଲା।

ଜନ୍ମଦିନରେ ଟସ୍ ଜିତିଲେ କୋହଲି
ବିରାଟ କୋହଲିଙ୍କ ଟସ୍ ଭାଗ୍ୟ ଖୋଲିଲା ୧୫ ମ୍ୟାଚ୍‌ରେ। ଜନ୍ମଦିନରେ ଟସ୍ ଜିତିବା ପରେ ସ୍କଟଲାଣ୍ଡ୍‌କୁ ବ୍ୟାଟିଂ ପାଇଁ ଡାକିଥିଲେ। ଶାର୍ଦୁଳ ଠାକୁରଙ୍କ ବଦଳରେ ବରୁଣ ଚକ୍ରବର୍ତ୍ତୀଙ୍କୁ ଖେଳାଇ ୩ ଜଣିଆ ସ୍ପିନ୍ ଆକ୍ରମଣ ଯୋଜନାରେ ବି ସଫଳ ହୋଇଥିଲେ। ଭାରତ ମଧ୍ୟ ପାୱାର ପ୍ଲେରେ ୮୨ ରନ୍ ସଂଗ୍ରହ କରି ବିଶ୍ବକପ୍‌ ଇତିହାସରେ ନିଜ ସର୍ବାଧିକ ସଫଳତା ପାଇଥିଲା। ସେହିଭଳି କେଏଲ୍ ରାହୁଲ୍ ମାତ୍ର ୧୮ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରି ବିଶ୍ବକପ୍‌ରେ ତୃତୀୟ ସ୍ଥାନରେ ପହଞ୍ଚିଥିଲେ। ୨୦୦୭ରେ ଯୁବରାଜ ସିଂହ ୧୨ ବଲ୍‌ରୁ ଏବଂ ୨୦୧୪ରେ ଆୟର୍ଲାଣ୍ଡ୍ ବିପକ୍ଷରେ ଷ୍ଟିଫେନ୍ ମାୟବର୍ଗ ୧୭ ବଲ୍‌ରୁ ଅର୍ଦ୍ଧଶତକ ପୂର୍ଣ୍ଣ କରିଥିଲେ। ୨୦୧୪ରେ ଗ୍ଲେନ୍ ମ୍ୟାକ୍ସୱେଲ୍‌ ପାକିସ୍ତାନ ବିପକ୍ଷରେ ମଧ୍ୟ ୧୮ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିଲେ।

ସମ୍ବନ୍ଧିତ ଖବର