ଦୁବାଇ: ପୁଣି ଥରେ ଏସିଆ ଦଖଲ କରିଛି ଭାରତୀୟ କ୍ରିକେଟ୍ ଦଳ। ରବିବାର ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ହ୍ୟାଟ୍ରିକ୍ ବିଜୟ ସହ ଭାରତ ନବମ ଥର ପାଇଁ ଏସିଆ କପ୍ ମୁକୁଟ ଜିତିଛି। ଭାରତକୁ ବିଜୟର ଟିକା ପିନ୍ଧାଇଛନ୍ତି ତିଳକ ବର୍ମା (୫୩ ବଲ୍ରୁ ୬୯* ରନ୍, ୩ ଚୌକା, ୪ ଛକା)। ଏଥି ସହିତ ଦଶହରା ଓ ଦୀପାବଳି ପୂର୍ବରୁ ଭାରତୀୟ କ୍ରିକେଟ୍ପ୍ରେମୀଙ୍କୁ ପାର୍ବଣର ମଧୁର ଉପହାର ଦେଇଛି।
କୁଲଦୀପ ଯାଦବ (୪/୩୦)ଙ୍କ ସ୍ପିନ୍ ଯାଦୁ ବଳରେ ପାକିସ୍ତାନକୁ ୧୪୬ ରନ୍ରେ ରୋକିଥିଲା ଭାରତ। ପଶ୍ଚାତ୍ଧାବନ ବେଳେ ଭାରତ ୪ ଓଭର ବେଳକୁ ଅଭିଷେକ ଶର୍ମା, ଶୁବମନ ଗିଲ୍, ସୂର୍ଯ୍ୟକୁମାର ଯାଦବଙ୍କୁ ହରାଇ ୨୦/୩ରେ ସଂଘର୍ଷ କରିଥିଲା। ତିଳକ ବର୍ମା ଓ ସଂଜୁ ସାମସନ୍ (୨୪)ଙ୍କ ୫୭ ରନ୍ ଭାଗୀଦାରି ଭାରତର ବିଗିଡ଼ା ପାଳିକୁ ସଜାଡ଼ି ଦେଇଥିଲା। ସଂଜୁଙ୍କ ବିଦାୟ ପରେ ଶିବମ ଦୁବେ (୩୩)ଙ୍କୁ ସାଥି କରି ତିଳକ ଆଉ ଏକ ଅର୍ଦ୍ଧଶତକୀୟ (୬୦) ଭାଗୀଦାରି ଗଢ଼ିବା ନିର୍ଣ୍ଣାୟକ ହୋଇଥିଲା। ଶେଷ ଓଭରରୁ ୧୦ ରନ୍ ଆବଶ୍ୟକ ପଡ଼ିଥିବା ବେଳେ ହାରିସ ରୌଫଙ୍କୁ ତିଳକ ଛକା ଏବଂ ରିଙ୍କୁ ଚୌକା ମାରି ବିଜୟ ମୁଣ୍ଡି କରିଥିଲେ। ୧୪୫ କୋଟି ଭାରତୀୟ ଅପରେସନ୍ ସିନ୍ଦୂର ପରେ ପାକିସ୍ତାନ ବିପକ୍ଷ ଏହି ବିଜୟକୁ ଭିନ୍ନ ଉତ୍ସାହରେ ପାଳନ କରିବାରେ ଲାଗି ପଡ଼ିଥିଲେ। ଟସ୍ ଜିତି ସୂର୍ଯ୍ୟକୁମାର ପ୍ରଥମେ କ୍ଷେତ୍ରରକ୍ଷଣ କରିବାକୁ ନିଷ୍ପତ୍ତି ନେଇଥିଲେ। ପାକିସ୍ତାନର ପ୍ରାରମ୍ଭିକ ଯୋଡ଼ି ସାହିବଜାଦା ଫରହାନ୍ ଓ ଫଖର ଜମାନ୍ ସତର୍କତାର ସହ ବ୍ୟାଟିଂ କରି ଭାରତୀୟ ବୋଲରଙ୍କୁ ପ୍ରଥମରୁ ସଫଳତା ଦେଇ ନଥିଲେ। ବିଶେଷ କରି ବୁମ୍ରାଙ୍କୁ ଆକ୍ରମଣାତ୍ମକ ଖେଳିଥିଲେ।
ପାକିସ୍ତାନ ବିରୋଧରେ ହ୍ୟାଟ୍ରିକ୍ ବିଜୟ
ତିଳକ ପିନ୍ଧାଇଲେ ବିଜୟ ଟିକା
ପ୍ରଥମ ପାୱାର ପ୍ଲେ ୬ ଓଭର ଭିତରେ ପାକିସ୍ତାନ କୌଣସି ୱିକେଟ୍ ନ ହରାଇ ୪୫ ରନ୍ କରି ଦୃଢ଼ ମୂଳଦୁଆ ପକାଇଥିଲା। ଏହି ଯୋଡ଼ି ପ୍ରଥମ ୱିକେଟ୍ ପାଇଁ ୮୪ ରନ୍ କରିବା ପରେ ଭାରତ ଉପରେ ଚାପ ପଡ଼ିଥିଲା। ଭାରତ ପାଇଁ ବହୁ ପ୍ରତୀକ୍ଷିତ ବ୍ରେକ୍ଥ୍ରୁ ଦେଇଥିଲେ ରହସ୍ୟମୟ ସ୍ପିନର୍ ବରୁଣ ଚକ୍ରବର୍ତ୍ତୀ। ସାହିବଜାଦା (୩୮ ବଲ୍ରୁ ୫୭ ରନ୍)ଙ୍କୁ ସେ ଦଶମ ଓଭରରେ ପ୍ୟାଭିଲିଅନ୍ ଫେରାଇ ଦେଇଥିଲେ। ଏହିଠାରୁ ପାକିସ୍ତାନର ସଂଘର୍ଷ ଆରମ୍ଭ ହୋଇ ଯାଇଥିଲା। ତଥାପି ୧୧.୨ ଓଭରରେ ପାକିସ୍ତାନ ୧୦୦ ରନ୍ ପୂର୍ଣ୍ଣ କରି ନେଇଥିଲା। ଭାରତୀୟ ସ୍ପିନର୍ କିନ୍ତୁ ପାକିସ୍ତାନ ପାଳିକୁ ଚାପମୁକ୍ତ ହେବାର ସୁଯୋଗ ଦେଇ ନଥିଲେ। ବରୁଣ ଚକ୍ରବର୍ତ୍ତୀ, କୁଲଦୀପ ଯାଦବ, ଅକ୍ଷର ପଟେଲ୍ କେହି ବି ସେମାନଙ୍କ ୪ ଓଭର କୋଟାରେ ୩୦ରୁ ଅଧିକ ରନ୍ ବ୍ୟୟ କରି ନଥିଲେ। ତିନିହେଁ ମିଳିତ ଭାବେ ୧୨ ଓଭରରେ ୮୬ ରନ୍ ବିନିମୟରେ ୮ଟି ୱିକେଟ୍ ଅକ୍ତିଆର କରିବା ସହ ପାକିସ୍ତାନର ଯୋଜନାକୁ ପଣ୍ଡ କରି ଦେଇଥିଲେ। ଦୁଇ ପାକ୍ ଓପନର୍ଙ୍କ ୱିକେଟ୍ ବରୁଣ ଚକ୍ରବର୍ତ୍ତୀ (୪-୦-୩୦-୨) ନେଇଥିବା ବେଳେ କୁଲ୍ଦୀପ (୪-୦-୩୦-୪)ଙ୍କ ଥଳିରେ ପଡ଼ିଥିଲେ ଅଧିନାୟକ ସଲମାନ ଅଲୀ ଆଗାଙ୍କ ସହ ସୈମ ଆୟୁବ, ସାହିନ୍ ଶାହ ଆଫ୍ରିଦି ଓ ଫହିମ୍ ଅସରଫ୍। ଅକ୍ଷର ପଟେଲ୍ (୪-୦-୨୬-୨) ସବୁଠାରୁ ମିତବ୍ୟୟୀ ବୋଲିଂ କରିଥିଲେ। ମହମ୍ମଦ ହାରିସ୍ ଓ ହୁସେନ୍ ତଲତଙ୍କୁ ଅକ୍ଷର ତାଙ୍କ ସ୍ପିନ୍ ଯାଦୁରେ ଫସାଇଥିଲେ। ଶେଷ ଦୁଇ ୱିକେଟ୍ ସହ ଯଶପ୍ରୀତ ବୁମ୍ରା (୩.୧-୦-୨୫-୨) ପ୍ରାରମ୍ଭିକ ଧୂଲେଇର ଭରଣା କରିଥିଲେ। ୱିକେଟ୍ରକ୍ଷକ ମହମ୍ମଦ ହାରିସ୍ଙ୍କୁ ଖାତା ଖୋଲିବା ପୂର୍ବରୁ ଅକ୍ଷର ଆଉଟ୍ କରିବା ପରେ ପାକିସ୍ତାନ ୬.୨ ଓଭରରେ ମାତ୍ର ୩୩ ରନ୍ ଭିତରେ ଶେଷ ୯ ୱିକେଟ୍ ଯୋଡ଼ିଥିଲା। ୫ ବଲ୍ ପୂର୍ବରୁ ପାକିସ୍ତାନ ୧୪୬ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା।
ସଂକ୍ଷିପ୍ତ ସ୍କୋର: ପାକିସ୍ତାନ ୧୯.୧ ଓଭରରେ ୧୪୬/୧୦ (ସାହିବଜାଦା ଫରହାନ୍-୫୭, ଫଖର ଜମାନ୍-୪୬, ଯଶପ୍ରୀତ୍ ବୁମ୍ରା-୨/୨୫, ଅକ୍ଷର ପଟେଲ୍-୨/୨୬, କୁଲଦୀପ ଯାଦବ-୪/୩୦, ବରୁଣ ଚକ୍ରବର୍ତ୍ତୀ-୨/୩୦)। ଭାରତ ୧୯.୪ ଓଭରରେ ୧୫୦/୫ (ତିଳକ ବର୍ମା-୬୯*, ଶିବମ ଦୁବେ-୩୩, ସଂଜୁ ସାମସନ୍-୨୪, ସାହିନ୍ ଶାହ ଆଫ୍ରିଦି-୧/୨୦, ଅବ୍ରାର ଅହମ୍ମଦ-୧/୨୯, ଫହିମ୍ ଅସ୍ରଫ୍-୩/୨୯)।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/09/29/asia-cup-2025-09-29-04-30-49.jpg)