ଭାରତର ଲର୍ଡସ ଷ୍ଟାଇଲ୍ ଅତି ଚମତ୍କାର

ଲର୍ଡସ: ସୋମବାର ରାତିରେ ଭାରତର ଐତିହାସିକ ଲର୍ଡସ ଟେଷ୍ଟ୍ ବିଜୟ ଅନେକ ଦୃଷ୍ଟିକୋଣରୁ ଚମତ୍କାର ସାବ୍ୟସ୍ତ ହୋଇଛି। ପ୍ରତ୍ୟାବର୍ତନ ଶୃଙ୍ଖଳାରେ କେଏଲ୍ ରାହୁଲଙ୍କ ସୁନ୍ଦର ବ୍ୟାଟିଂ, ଭାରତର ୪ ଜଣିଆ ପେସ୍‌ ଆକ୍ରମଣରୁ ସୁଫଳ, ନିମ୍ନକ୍ରମ ବ୍ୟାଟ୍ସମ୍ୟାନଙ୍କ ଉପଯୋଗୀ ଅବଦାନ ଆଦିର ମିଳିତ ପ୍ରୟାସ କାରଣରୁ ଭାରତ ଲର୍ଡସରେ ପୁଣି ଥରେ ବିଜୟ ହାସଲ କରିଛି। ବିଶ୍ବ କ୍ରିକେଟ୍ ଇତିହାସରେ ଭାରତ ମାତ୍ର ଦ୍ବିତୀୟ ଦଳ ଭାବେ କୌଣସି ‌ଏକ ଟେଷ୍ଟ୍‌ରେ ତୃତୀୟ ପାଳିକୁ ପଞ୍ଚମ ଦିନ ମଧ୍ୟାହ୍ନ‌ ଭୋଜନ ବିରତି ପରେ ‌ଘୋଷଣା କରି ଜିତିଛି। ପୂର୍ବରୁ ୧୯୮୪ରେ କାଣ୍ଡି ଟେଷ୍ଟ୍‌କୁ ଏଭଳି ଭାବେ ଶ୍ରୀଲଙ୍କା ବିପକ୍ଷରେ ଜିତିଥିଲା ନ୍ୟୁଜିଲାଣ୍ଡ୍‌। ସୋମବାର ମ୍ୟାଚ୍‌ ଆରମ୍ଭ ବେଳକୁ ଭାରତର ବିଜୟ ସମ୍ଭାବନା ନଥିଲା। କାରଣ ମାତ୍ର ୧୫୪ ରନ୍‌ ଅଗ୍ରଣୀ ସହ ଦଳ ୬ ୱିକେଟ୍ ହରାଇ ସାରିଥିଲା। କିନ୍ତୁ ପ୍ରତିକୂଳ ପରିସ୍ଥିତିକୁ ଓଲଟ ପାଲଟ କିଭଳି କରାଯାଏ ତାହା ଭାରତୀୟ ଖେଳାଳିମାନେ କରି ଦେଖାଇ ଦେଇଥିଲେ। ସାମି-ବୁମରାଙ୍କ ବଢ଼ିଆ ବ୍ୟାଟିଂ ଓ ନବମ ୱିକେଟ୍‌ ପାଇଁ ୮୯* ରନ୍‌ ଭାଗୀଦାରି ବଳରେ ସବୁ ଓଲଟ ପାଲଟ ହୋଇଯାଇଥିଲା। ୨୭୨ ରନ୍‌ ବିଜୟ ଲକ୍ଷ୍ୟ ଦେବା ପରେ ମଧ୍ୟ ଏହି ବୋଲିଂ ଯୋଡ଼ି ମଧ୍ୟ ପ୍ରଥମ ୨ ୱିକେଟ୍ କାଢ଼ି ନେଇଥିଲେ। ନିୟମିତ ୱିକେଟ୍ ହରାଇ ଇଂଲଣ୍ଡ ୯୦/୭ରୁ ୧୨୦/୭ରେ ପହଞ୍ଚିଲା ବେଳକୁ ଆଉ ୫୫ ବଲ୍‌ ବଳକା ଥିଲା। ବଟ୍ଟଲର୍‌ ଓ ରବିନସନ୍‌ ମଧ୍ୟ ଦୃଢ଼ ଭାବେ ବ୍ୟାଟିଂ କରୁଥିଲେ। ବୁମରା ଏମାନଙ୍କ ଭାଗୀଦାରିକୁ ଅଲଗା କରିବା ପେର ବଟ୍ଟଲର ଓ ଆଣ୍ଡରସନଙ୍କୁ ସିରାଜ ପ୍ୟାଭିଲିଅନ୍ ଫେରାଇ ସେହି ୧୨୦ ରନ୍‌ରେ ହିଁ ଇଂଲଣ୍ଡ ପାଳିକୁ ଶେଷ କରି ଦେଇଥିଲେ।

ଲର୍ଡସରେ ତୃତୀୟ ବିଜୟ
କ୍ରିକେଟ୍‌ର ମକ୍କା ଭାବେ ବିବେଚିତ ଐତିହାସିକ ଲର୍ଡସ ପଡିଆରେ ଭାରତର ଏହା ୧୯ ଟେଷ୍ଟରୁ ତୃତୀୟ ବିଜୟ। ଇଂଲଣ୍ଡର କୌଣସି ପଡିଆରେ ମଧ୍ୟ ଭାରତ ପାଇଁ ଏହା ସର୍ବାଧିକ। ମୋଟ ଉପରେ ଇଂଲଣ୍ଡରେ ଭାରତ ୬୪ ଟେଷ୍ଟ୍‌ ଖେଳି ୮ ଜିତିଥିବାବେଳେ ୩୪ ପରାଜୟ, ୨୨ ଅମୀମାଂସିତ ରଖିଛି। ପୂର୍ବରୁ ଭାରତ ଲର୍ଡସରେ ୧୯୮୬ରେ କପିଳ ଦେବଙ୍କ ନେତୃତ୍ବରେ ଏବଂ ୨୦୧୪ରେ ମହେନ୍ଦ୍ର ସିଂହ ‌ଧୋନିଙ୍କ ନେତୃତ୍ବ ବିଜୟୀ ‌ହୋଇଥିଲା।

ପ୍ରଥମ ୩ ଜଣ ଶୂନ
ପ୍ରଥମ ଥର ପାଇଁ ଇଂଲଣ୍ଡର ପ୍ରଥମ ୩ ଜଣ ବ୍ୟାଟ୍ସମ୍ୟାନଙ୍କୁ ଏହି ମ୍ୟାଚ୍‌ରେ ଭାରତୀୟ ବୋଲର ଶୂନରେ ଆଉଟ୍ କରିଥିଲେ। ପ୍ରଥମ ପାଳିରେ ୩ ନମ୍ବର ହସିବ୍ ହମିଦ୍‌, ଦ୍ବିତୀୟ ପାଳିରେ ରୋରି ବର୍ଣ୍ଣସ, ଡବ୍ ଶିବଲେ ଶୂନରେ ଆଉଟ୍‌ ହୋଇଥିଲେ। ଇଂଲଣ୍ଡ ପାଇଁ ଏହା ଚତୁର୍ଥ ଉଦାହରଣ ହୋଇଥିଲେ ମଧ୍ୟ ଘରୋଇ ମାଟିରେ ପ୍ରଥମ ଥର। ଚଳିତ ବର୍ଷ ଅହମ୍ମଦାବାଦରେ ମଧ୍ୟ ଭାରତୀୟ ବୋଲର ଡବ୍ ଶିବଲେ, ଜନି ବେୟାରଷ୍ଟୋ ଓ ଜ୍ୟାକ୍ କ୍ରଲିଙ୍କୁ ଖାତା ଖୋଲିବାକୁ ଦେଇନଥିଲା। ସେହିଭଳି ଇଂଲଣ୍ଡର ପ୍ରାରମ୍ଭିକ ଯୋଡ଼ି ମଧ୍ୟ ଭାରତ ବିପକ୍ଷ ଗୋଟିଏ ପାଳିରେ ଉଭୟ ଶୂନରେ ଆଉଟ୍ ହେବା ପ୍ରଥମ ଉଦାହରଣ। ଘରୋଇ ମାଟିରେ ତ ସମ୍ପୂର୍ଣ୍ଣ ପ୍ରଥମ। ମୋଟ ଉପରେ ଷଷ୍ଠ। ଶେଷ ଥର ପାଇଁ ୨୦୦୫ରେ ଫୈସଲାବାଦରେ ମାର୍କସ ଟ୍ରେସ୍କୋଥିକ ଓ ଆଣ୍ଡ୍ରିଉ ଷ୍ଟ୍ରସ୍‌ ଖାତା ଖୋଲି ପାରିନଥିଲେ। ଲର୍ଡସ ଟେଷ୍ଟରେ କିନ୍ତୁ ଇଂଲଣ୍ଡକୁ ମୋଟ ୮ ଶୂନ ମିଳିଥିଲା। ସପ୍ତମ ଥର ପାଇଁ ଇଂଲଣ୍ଡକୁ ଏଭଳି ଲଜ୍ଜା ମିଳିଛି।

ଚା’ବିରତି ପରେ ୬
ପଞ୍ଚମ ଦିନ ଚା’ପାନ ବିରତି ପରେ ୬ ୱିକେଟ୍ ଅକ୍ତିଆର କରି ବିଜୟୀ ହୋଇ ୨୦୧୬ ଚେପକ୍‌ ପ୍ରଦର୍ଶନର ସମକକ୍ଷ ‌ହୋଇଛି। ଏହା କିନ୍ତୁ ଦ୍ବିତୀୟ ଶ୍ରେଷ୍ଠ। ୨୦୦୧ରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଚା’ପାନ ବିରତି ପରେ ୭ ୱିକେଟ୍ ନେଇ ବିଜୟୀ ହୋଇଥିଲା ଯାହା ଶୀର୍ଷରେ ରହିଛି।

ନିର୍ଣ୍ଣାୟକ ନବମ ୱିକେଟ୍ ଭାଗୀଦାରି
ଭାରତର ଦ୍ବିତୀୟ ପାଳିରେ ମହମ୍ମଦ ସାମି (୫୬*) ଏବଂ ଯଶପ୍ରୀତ୍ ବୁମରା (୩୪*)ଙ୍କ ଦ୍ବାରା ସଂଗୃହୀତ ୮୯* ରନ୍‌ର ନବମ ୱିକେଟ୍‌ ଭାଗୀଦାରି ହିଁ ମ୍ୟାଚ୍‌ରେ ‌ନିର୍ଣ୍ଣାୟକ ‌ହୋଇଥିଲା। କେବଳ ନିର୍ଣ୍ଣାୟକ ନୁହେଁ ଇଂଲଣ୍ଡ ହାତରୁ ଭାରତ ଏହିଠାରୁ ହିଁ ମ୍ୟାଚ୍‌ ଛଡ଼ାଇବା ପର୍ବ ଆରମ୍ଭ କରିଥିଲା। ଏହି ଅତୁଟ ଭାଗୀଦାରି ନବମ ତଥା ଏହାଠାରୁ ନିମ୍ନ କ୍ରମରେ ଭାରତ ପାଇଁ ୭ ବର୍ଷ ପରେ ସର୍ବୋଚ୍ଚ। ୨୦୧୪ ମସିହାରେ ସେହି ଇଂଲଣ୍ଡ ବିପକ୍ଷରେ ମହମ୍ମଦ ସାମି ଏବଂ ଭୁବନେଶ୍ବର କୁମାର ଦଶମ ୱିକେଟ୍‌ ପାଇଁ ୧୧୧ ରନ୍‌ ଯୋଡ଼ିଥିଲେ।

ଈଶାନ୍ତଙ୍କ ଇଂଲଣ୍ଡ୍‌ ଅର୍ଦ୍ଧଶତକ
ସୋମବାର ଭାରତୀୟ ଦ୍ରୁତ ବୋଲର ଈଶାନ୍ତ ଶର୍ମା ପ୍ରଥମ ଭାରତୀୟ ବୋଲର ଭାବେ ଇଂଲଣ୍ଡ ମାଟିରେ ୫୦ ୱିକେଟ୍‌ ପୂର୍ଣ୍ଣ କରିଥିଲେ। ଇଂଲଣ୍ଡରେ ସେ ନିଜର ୧୪ତମ ଟେଷ୍ଟରେ ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ୱାସିମ୍ ଆକ୍ରମଙ୍କ ପରେ ସେ କେବଳ ଦ୍ବିତୀୟ ଏସୀୟ ବୋଲର ଭାବେ ଏହା କରିଛନ୍ତି।

ପେସ୍‌ ଆକ୍ରମଣକୁ ୩୯
ଚଳିତ ଗସ୍ତରେ ଭାରତ ୫ ଟେଷ୍ଟ୍ ଖେଳିବ। ତ‌େବେ ପ୍ରଥମ ଦୁଇ ଟେଷ୍ଟରୁ ଭାରତୀୟ ଦ୍ରୁତ ବୋଲରମାନେ ୩୯ ୱିକେଟ୍ ବାହାର କରି ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ଟ୍ରେଣ୍ଟ ବ୍ରିଜ୍‌ରେ ସମସ୍ତ ୨୦ ୱିକେଟ୍ ନେଇଥିଲେ ମଧ୍ୟ ଶେଷ ଦିନରେ ବ‌ର୍ଷା ଭାରତକୁ ବିଜୟରୁ ବଞ୍ଚିତ ରଖିଥିଲା। ଲର୍ଡସରେ ଭାରତୀୟ ପେସ୍‌ ବୋଲରମାନେ ୧୯ ୱିକେଟ୍ ନେଇ ୧୫୧ ରନ୍‌ର ବଡ଼ ବିଜୟ ଦେଇଛନ୍ତି। ମହମ୍ମଦ ସାମିଙ୍କ ମ୍ୟାଚ୍‌ ଚିତ୍ର ୮/୧୨୬ ଲର୍ଡସରେ ଭାରତ ପାଇଁ ଶ୍ରେଷ୍ଠ। ୧୯୮୨ରେ କପିଳ ଦେବ ୮/୧୬୮ ନେଇଥିଲେ।

ରାହୁଲଙ୍କୁ ତୃତୀୟ ପୁରସ୍କାର
କେଏଲ୍ ରାହୁଲ୍‌ ନିଜ ଟେଷ୍ଟ୍ ଜୀବନରେ ତୃତୀୟ ଥର ପାଇଁ ଶ୍ରେଷ୍ଠ ଖେଳାଳି ବ‌ିବେଚିତ ହୋଇଛନ୍ତି। ପୂର୍ବରୁ ସେ ୨୦୧୫ରେ ଶ୍ରୀଲଙ୍କା ବିପକ୍ଷରେ ଏବଂ ୨୦୧୭ରେ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଲର୍ଡସ ଟେଷ୍ଟର ପ୍ରଥମ ପାଳିରେ ୧୨୯ ରନ୍‌ ପାଳି ଖେଳିଥିବାରୁ ତୃତୀୟ ଥର ଏହି ଗୌରବ ଅର୍ଜନ କରିଛନ୍ତି।

ସମ୍ବନ୍ଧିତ ଖବର