ଭୁବନେଶ୍ବର: ଜର୍ମାନିର ବର୍ଲିନରେ ଆୟୋଜିତ ସ୍ବତନ୍ତ୍ର ଅଲିମ୍ପିକ୍ସ ବିଶ୍ବ କ୍ରୀଡ଼ାରେ ଭାରତରୁ ପ୍ରତିନିଧିତ୍ବ କରିଥିବା ଓଡ଼ିଶାର ଖେଳାଳି ୮ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଗତ ଥର (୨୦୧୯)ରେ ଓଡ଼ିଶାକୁ ୪ ପଦକ ଆସିଥିଲା ଏଥର ଏହି ସଂଖ୍ୟା ଦ୍ବିଗୁଣ ହୋଇଛି। ଓଏଲ୍ଏସ୍ ଭୁବନେଶ୍ବରର ଆରିଦିତା ଚକ୍ରବର୍ତ୍ତୀ ୪୦୦ ମିଟର ରେସ୍ରେ ରୌପ୍ୟ ଏବଂ ସଟ୍ପୁଟ୍ରେ କାଂସ୍ୟ ଜିତିଥିଲେ। ବଲାଙ୍ଗୀରସ୍ଥିତ ଆର୍ଏସ୍ଡି ସଇନ୍ତଳାର ବୈଷ୍ଣବ ରାଜପାଲିଆ ସଟପୁଟ୍ରେ ରୌପ୍ୟ, ଆଠଗଡ଼ସ୍ଥିତ ବିଭିଏମ୍ଏମ୍ଏମ୍ଆର୍ବିଟିର କଳ୍ପନା ଜେନା ସାଇକେଲିଂରେ ରୌପ୍ୟ ଜିତିଥିଲେ। ୟୁନିଫାଏଡ ବିଚ୍ ଭଲିବଲ୍ କାଂସ୍ୟ ବିଜେତା ଭାରତୀୟ ଦଳରେ ଓଡ଼ିଶାର ୩ ଜଣ ଜ୍ୟୋତିରଂଜନ ଓଝା (ନିମାପଡ଼ାସ୍ଥିତ ସିବିଆଇଡି), ଶିବାନୀ ପ୍ରିୟଦର୍ଶିନୀ ଓ ମାମାଲି ନାଗ (କିଟ୍) ଥିଲେ। ରୌପ୍ୟ ପଦକ ବିଜେତା ମହିଳା ବାସ୍କେଟବଲ୍ ଦଳର ପ୍ରଶିକ୍ଷକ ରହି କଟକସ୍ଥତ ସହାୟାର ସସ୍ମିତା ରାଉତରାୟ ମଧ୍ୟ ରାଜ୍ୟ ପାଇଁ ଗୌରବ ଆଣିଥିଲେ। ଚତୁର୍ଥ ସ୍ଥାନରେ ରହି ପଦକରୁ ବଞ୍ଚିତ ରହିଥିବା ଫୁଟ୍ସାଲ ଦଳରେ ଥିଲେ ବରପାଲିର ସରସ୍ବତୀ ସଂଘର ଖେଳାଳି ସଚିନ ବାରିକ ଓ ଆସ୍ରା ବଲାଙ୍ଗୀରର ଝସକେତନ ସାହୁ (ପ୍ରଶିକ୍ଷକ)। ଓଡ଼ିଶା ଖେଳାଳିଙ୍କ ଏହି ସଫଳତା ଲାଗି ଏସ୍ଓବି-ଓଡ଼ିଶା ସଭାପତି କସ୍ତୁରୀ ମହାପାତ୍ର ଏବଂ ଏରିଆ ନିର୍ଦେଶକ ପ୍ରକାଶ ରଥ ଅଭିନନ୍ଦନ ଜଣାଇଛନ୍ତି।
ଭାରତର ପଦକ ସଂଖ୍ୟା ୧୫୦ ଡେଇଁଲା
ସ୍ବତନ୍ତ୍ର ଅଲିମ୍ପିକ୍ସ ବିଶ୍ବ କ୍ରୀଡ଼ାରେ ଶନିବାର ସୁଦ୍ଧା ଭାରତର ପଦକ ସଂଖ୍ୟା ୧୫୬ (୬୬ ସ୍ବର୍ଣ୍ଣ, ୫୦ ରୌପ୍ୟ, ୪୧ କାଂସ୍ୟ)ରେ ପହଞ୍ଚିଛି। ପ୍ରତିଦିନ ଭଳି ରୋଲର ସ୍କେଟିଂରୁ ଭାରତର ପଦକ ଅମଳ ଆରମ୍ଭ ହୋଇଥଲା। ରୋଲର ସ୍କେଟିଂ ଦଳ ୫ (୨ ସ୍ବର୍ଣ୍ଣ, ୩ ରୌପ୍ୟ) ପଦକ ଜିତିଥିଲେ। ଆର୍ଯ୍ୟନ (୩୦୦ ମିଟର) ଓ ଦୀପେନ (୧୦୦୦ ମିଟର) ସ୍ବର୍ଣ୍ଣ ଜିତିଥିଲେ। ବାସ୍କେଟବଲ୍ ଓ ଭଲିବଲ୍ରୁ ମଧ୍ୟ ସ୍ବର୍ଣ୍ଣ ଆସିଥିଲା। ପୁରୁଷ/ମିଶ୍ରିତ ବାସ୍କେଟବଲ୍ ଫାଇନାଲ୍ରେ ଭାରତ ୬-୩ରେ ପର୍ତ୍ତୁଗାଲକୁ ହରାଇ ସ୍ବର୍ଣ୍ଣ ଜିତିଥିଲା। ମହିଳା ଦଳ ଫାଇନାଲ୍ରେ ସ୍ବିଡେନ୍ଠୁ ହାରି ରୌପ୍ୟରେ ସନ୍ତୁଷ୍ଟ ରହିଥିଲା। ଭଲିବଲ୍ରେ ପୁରୁଷ/ମିଶ୍ରିତ ଦଳ ୨-୦ରେ କୋରିଆକୁ ହରାଇ କାଂସ୍ୟ ଜିତିଥିଲା ବେଳେ ମହିଳା ୟୁନିଫାଏଡ ଦଳ ୨-୧ରେ ୟୁଏଇକୁ ହରାଇ ସ୍ବର୍ଣ୍ଣ ପଦକ କରାୟତ୍ତ କରିଥିଲା। ଟେନିସ ପୁରୁଷ ଏକକ ଲେବଲ-୫ରେ ସ୍ବରାଜ ସିଂହ ଏବଂ ମହିଳା ହାଣ୍ଡବଲ୍ ଦଳ ଫାଇନାଲ୍ରେ ହାରି ରୌପ୍ୟ ପାଇଥିଲେ।