ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତରେ ୩ ନମ୍ବର ସ୍ଥାନ ଭାରତ ପାଇଁ ବଡ଼ ସଙ୍କଟ ଭାବେ ଉଭା ହୋଇଛି। ପ୍ରଥମେ ସାଇ ସୁଦର୍ଶନ ଏବଂ ପରେ କରୁଣ ନାୟରଙ୍କ କ୍ରମାଗତ ବିଫଳତା ଦଳକୁ ଅଡ଼ୁଆରେ ପକାଉଛି। ଏପରିକି ଏହାକୁ ଲର୍ଡସ୍‌ ଟେଷ୍ଟ୍‌କୁ ଭାରତ ଅଳ୍ପକେ ହାରିବାର ଅନ୍ୟତମ କାରଣ ଭାବେ ମଧ୍ୟ ବିବେଚନା କରାଯାଉଛି। ଚଳିତ ଜୁଲାଇ ୨୩ରୁ ମାଞ୍ଚେଷ୍ଟର୍‌ରେ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ୍‌ ପୂର୍ବରୁ ଏହି ୩ ନମ୍ବର ସ୍ଥାନ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛି। ଏହି ମହତ୍ତ୍ବପୂର୍ଣ୍ଣ ମୁକାବିଲାରେ କରୁଣଙ୍କୁ ବାଦ୍ ଦେଇ ସୁଦର୍ଶନଙ୍କୁ ପୁନର୍ବାର ସୁଯୋଗ ଦେବାର ଦାବି ଜୋର ଧରିଛି। ତେବେ ଏହା ସ୍ଥିର ନିଶ୍ଚିତ ଯେ ୮ବର୍ଷ ପରେ ଭାରତୀୟ ଟେଷ୍ଟ୍ ଦଳକୁ ଫେରି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ନାୟରଙ୍କ ପାଇଁ ସମୟ ସରି ସରି ଆସୁଛି। ମାଞ୍ଚେଷ୍ଟର୍‌ରେ ସେ ଖେଳ‌ିବେ କି ନାହିଁ ଦଳ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହିଁ। ତେବେ ଯଦି ସେଠାରେ ତାଙ୍କୁ ଚୂଡ଼ାନ୍ତ ଭାରତୀୟ ଦଳରେ ସୁଯୋଗ ମିଳେ ଏବଂ ପୁଣି ଥରେ ସେ ନିରାଶ କରନ୍ତି, ତାହେଲେ ତାଙ୍କ କ୍ୟାରିୟର୍‌ ସେହିଠାରେ ହିଁ ଶେଷ ହୋଇଯିବାର ଯଥେଷ୍ଟ ଆଶଙ୍କା ରହିଛି। 

Advertisment

ଚେତେଶ୍ବର ପୂଜାରା ଦଳରୁ ସ୍ଥାୟୀ ଭାବେ ବାଦ୍ ପଡ଼ିବା ପରେ ଭାରତୀୟ ବ୍ୟାଟିଂକ୍ରମର ୩ ନମ୍ବର ସ୍ଥାନକୁ ନେଇ ପରୀକ୍ଷାନିରୀକ୍ଷା ଜାରି ରହିଛି। ବିରାଟ କୋହଲିଙ୍କ ଅବସର ପରେ ସ୍ଥିତି ଆହୁରି ଗମ୍ଭୀର ହୋଇଛି। ୨୦୨୩ ମସିହା ପରଠାରୁ ଟିମ୍ ଇଣ୍ଡିଆ ଖେଳିଥିବା ଅଧିକାଂଶ ମ୍ୟାଚ୍‌ରେ ଏହି ସ୍ଥାନ‌ରେ ବ୍ୟାଟିଂ କରି ଆସୁଥିବା ଶୁବମନ୍ ଗିଲ୍ ଚତୁର୍ଥ ସ୍ଥାନକୁ ଖସିବା ପରେ ଦ୍ବନ୍ଦ୍ବ ଓ ସଂଶୟ ବଢ଼ିଛି। ଜୁଲାଇ ୨୦୨୩ରୁ ଜୁଲାଇ ୨୦୨୫ ମଧ୍ୟରେ ଭାରତ ୩ ନମ୍ବର ସ୍ଥାନରେ ଗିଲ୍, କୋହଲି, ଦେବଦତ୍ତ ପଡ଼ିକଲ, କେଏଲ୍ ରାହୁଲ, ସାଇ ସୁଦର୍ଶନ ଓ କରୁଣ ନାୟରଙ୍କୁ ୩ ନମ୍ବର ସ୍ଥାନରେ ଖେଳାଇ ସାରିଛି। ଏହି ସମୟ ମଧ୍ୟରେ ୩ ନମ୍ବର ସ୍ଥାନରୁ ଭାରତ ମାତ୍ର ତିନିଟି ଶତକ ପାଇଥିଲା ବେଳେ ତିନିଟି ଯାକ ଗିଲ୍ ହିଁ ହାସଲ କରିଛନ୍ତି। ଏସବୁ ଶତକ ସେ ଘରୋଇ ପରିବେଶରେ ହିଁ ଅର୍ଜନ କରିଛନ୍ତି। ୩ ନମ୍ବର ସ୍ଥାନରେ ଗିଲ୍ ମୋଟ୍‌ ଉପରେ ୩୦ ପାଳି ଖେଳି ୩୭.୭୪ ହାରରେ ୧୦୧୯ ରନ୍ କରିଛନ୍ତି। ଗିଲ୍‌ଙ୍କ ଅସୁସ୍ଥତା ପାଇଁ ଗତବର୍ଷ ନ୍ୟୁଜିଲାଣ୍ଡ ବିପକ୍ଷରେ ବେଙ୍ଗାଲୁରୁଠାରେ କୋହଲି ୩ ନମ୍ବର ସ୍ଥାନରେ ଖେଳି ଯଥାକ୍ରମେ ୦ ଓ ୭୦ ରନ୍ କରିଥିଲେ। ପୂଜାରାଙ୍କ ବିଦାୟ ପରେ ଗତ ଦୁଇବର୍ଷ ମଧ୍ୟରେ ଭାରତ ଖେଳିଥିବା ୨୨ ଟେଷ୍ଟ୍‌ରୁ ତିନି ନମ୍ବର ସ୍ଥାନରେ ବ୍ୟାଟିଂ କରିଥିବା ଖେଳାଳିମାନେ ମିଳିତ ଭାବେ ୩୨.୪୨ ହାରରେ ମାତ୍ର ୧୨୩୨ ରନ୍ କରିଛନ୍ତି। 

ଆକାଶ ଦୀପ ଆହତ
ମାଞ୍ଚେଷ୍ଟର୍ ଟେଷ୍ଟ୍ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳର ଚିନ୍ତା ବଢ଼ିବଢ଼ି ଚାଲିଛି। ୱିକେଟ୍‌ରକ୍ଷକ ତଥା ଉପଅଧିନାୟକ ଋଷଭ ପନ୍ତଙ୍କ ଫିଟ୍‌ନେସ୍ ନେଇ ଆଶଙ୍କା ଲାଗି ରହିଥିବା ବେଳେ ଯୁବ ଦ୍ରୁତ ବୋଲର ଆକାଶ ଦୀପ ଆହତ ଥିବା ଜଣାପଡ଼ିଛି। ଗୁରୁବାର ଓଲ୍ଡଟ୍ରାଫୋର୍ଡରେ ଅଭ୍ୟାସ କରୁଥିଲା ବେଳେ ଏଥିଲାଗି ସେ ନିଜ ହାତରେ ମୋଟା ବ୍ୟାଣ୍ଡେଜ୍ ଗୁଡ଼େଇଥିବା ଦେଖିବାକୁ ମିଳିଥିଲା। ଶୃଙ୍ଖଳାରେ ଗୋଟିଏ ହେଲେ ବି ମ୍ୟାଚ୍ ଖେଳିବାର ସୁଯୋଗ ପାଇ ନଥିବା ବାମହାତୀ ଦ୍ରୁତ ବୋଲର ଅର୍ଶଦୀପ ସିଂହ ଢେର୍‌ ସମୟ ଅଭ୍ୟାସ କରିଥିଲେ। ଆକାଶ ଦୀପ ବୋଲିଂ ପରିବର୍ତ୍ତେ ବ୍ୟାଟିଂ କରୁଥିବା ଦେଖିବାକୁ ମିଳିଥିଲା। ବାମହାତୀ ସ୍ପିନର କୁଲଦୀପ ୟାଦବଙ୍କୁ ନେଇ ଚର୍ଚ୍ଚା ‌ଜୋର ଧରିଥିଲେ ମଧ୍ୟ ତାଙ୍କୁ ଅଭ୍ୟାସ କରୁଥିବାର ଦେଖିବାକୁ ମିଳି ନଥିଲା।

ମାଞ୍ଚେଷ୍ଟର୍‌ରେ ୱିକେଟ୍‌ ରକ୍ଷଣ କରି ନପାରନ୍ତି ପନ୍ତ
ଲର୍ଡସ ଟେଷ୍ଟ୍ ଅବସରରେ ଭାରତୀୟ ୱିକେଟ୍‌ରକ୍ଷକ ଋଷଭ ପନ୍ତ ଆହତ ହୋଇଥିଲେ। ତାଙ୍କ ଅଙ୍ଗୁଳିରେ ଜୋରଦାର ଆଘାତ ଲାଗିଥିଲା। ଏହି କାରଣରୁ ତାଙ୍କ ବଦଳରେ ଧ୍ରୁବ ଜୁରେଲ ମ୍ୟାଚ୍‌ର ଇଂଲଣ୍ଡ ପାଳିର ଅଧିକାଂଶ ଓଭରରେ ୱିକେଟ୍‌ ରକ୍ଷଣ କରିଥିଲେ। ଭୀଷଣ ଯନ୍ତ୍ରଣା ଭିତରେ ପନ୍ତ କିନ୍ତୁ ବ୍ୟାଟିଂ କରି ପ୍ରଥମ ପାଳିରେ ୭୪ ଏବଂ ଦ୍ବିତୀୟରେ ମାତ୍ର ୯ ରନ୍ କରିଥିଲେ। ଏଥିରୁ ଦ୍ରୁତ ଗତିରେ ଆରୋଗ୍ୟ ଲାଭ କରୁଥିଲେ ବି ମାଞ୍ଚେଷ୍ଟରର ଓଲ୍ଡଟ୍ରାଫୋର୍ଡଠାରେ ଆସନ୍ତା ୨୩ ତାରିଖରୁ ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ୍‌ରେ ସେ ୱିକେଟ୍‌ ରକ୍ଷଣ କରି ନପାରନ୍ତି। ଏଭଳି ଆଶଙ୍କା ଜାହିର କରିଛନ୍ତି ଭାରତୀୟ କ୍ରିକେଟ୍ ଦଳର କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ରିୟାନ ଟେନ୍ ଡସେଟ୍। ତେବେ ଚୂଡ଼ାନ୍ତ ନିଷ୍ପତ୍ତି ମ୍ୟାଚ୍‌ର ଠିକ୍ ପୂର୍ବରୁ ନିଆଯିବ  ବୋଲି ସ୍ପଷ୍ଟ କରି ଦେଇଛନ୍ତି ସେ। ମ୍ୟାଚ୍ ପୂର୍ବରୁ ପନ୍ତ ବ୍ୟାଟିଂ କରିବେ। ଯଦି କୌଣସି ଅସୁବିଧା ନହୁଏ, ସେ ମାଞ୍ଚେଷ୍ଟର୍ ଟେଷ୍ଟ୍ ଖେଳିବେ। ତେବେ ଏହି ମ୍ୟାଚ୍‌ରେ ପନ୍ତ ୱିକେଟ୍ ରକ୍ଷଣ କରିବାର ସମ୍ଭାବନା କମ୍ ବୋଲି କହିଛନ୍ତି ଡସେଟ୍।