ସିଡନି : ରବୀନ୍ଦ୍ର ଜାଦେଜାଙ୍କ ୪ ୱିକେଟ୍ ସଫଳତା ଏବଂ ଶୁବମନ ଗିଲଙ୍କ ଆକର୍ଷଣୀୟ ପଦାର୍ପଣ ଅର୍ଦ୍ଧଶତକ ବଳରେ ଭାରତ ସିଡନି ଟେଷ୍ଟ୍ରେ ପ୍ରତ୍ୟାବର୍ତ୍ତନ କରିବାର ଭଲ ସୁଯୋଗ ପାଇଛି। ଷ୍ଟିଭେନ୍ ସ୍ମିଥଙ୍କ ବହୁ ପ୍ରତୀକ୍ଷିତ ଶତକ ଏବଂ ମାର୍ନସ ଲାବୁସେନଙ୍କ ୯୧ ରନ୍ ସତ୍ତ୍ବେ ଅଷ୍ଟ୍ରେଲିଆକୁ ଭାରତୀୟ ବୋଲରମାନେ ୩୩୮ ରନ୍ରେ ରୋକି ଦେଇଛନ୍ତି। ଜବାବରେ ଦ୍ବିତୀୟ ଦିନ ଶେଷ ସୁଦ୍ଧା ଅଜିଙ୍କ୍ୟ ରାହାଣେଙ୍କ ଦଳ ୨ ୱିକେଟ୍ ବିନିମୟରେ ୯୬ ରନ୍ ସଂଗ୍ରହ କରିଛି। ହାତରେ ୮ ୱିକେଟ୍ ଥାଇ ଭାରତୀୟ ଦଳ ୨୪୨ ରନ୍ ପଛରେ ଥିବାରୁ ମ୍ୟାଚ୍ ସନ୍ତୁଳିତ ସ୍ଥିତିରେ ରହିଛି।
ଅଷ୍ଟ୍ରେଲିଆ ସୁଯୋଗ ଛାଡ଼ିଲା
ଶୁକ୍ରବାର ସକାଳେ ଅଷ୍ଟ୍ରେଲିଆ ୧୬୬/୨ରୁ ଖେଳିଥିଲା। ପ୍ରଥମ ଘଣ୍ଟା ଭାରତୀୟ ବୋଲରଙ୍କୁ ହାତେଇ ନେଇଥିଲେ ମାର୍ନସ ଲାବୁସେନ୍ ଏବଂ ଷ୍ଟିଭେନ୍ ସ୍ମିଥ୍। ଲଗାତାର ଦ୍ବିତୀୟ ଶତକୀୟ ଭାଗୀଦାରିର ଅଂଶ ରହିଥିଲେ ମଧ୍ୟ ଲାବୁସେନ୍ (୯୧, ୧୯୬ ବଲ୍) ବ୍ୟକ୍ତିଗତ ଶତକରୁ ବଞ୍ଚିତ ରହିଥିଲେ। ରବୀନ୍ଦ୍ର ଜାଦେଜାଙ୍କ ପ୍ରଥମ ଶିକାର ହୋଇଥିଲେ ଲାବୁସେନ୍। ପୂର୍ବଦିନ ପୁକସ୍କିଙ୍କ ସହ ମଧ୍ୟ ୧୦୦ ରନ୍ ଭାଗୀଦାରି କରିଥିଲେ ଲାବୁସେନ୍। ଏହା ପରେ ଜାଦେଜାଙ୍କ ଥଳିରେ ପଡ଼ିଥିଲେ ମାଥ୍ୟୁ ୱାଦେ (୧୩), ପ୍ୟାଟ୍ କମିନ୍ସ (୦) ଏବଂ ନାଥନ୍ ଲାୟନ (୦)। ଘରୋଇ ଦଳର ମଧ୍ୟଭାଗକୁ ବିଗାଡ଼ିଥିଲେ ନିର୍ଭରଯୋଗ୍ୟ ଦ୍ରୁତ ବୋଲର ଯଶପ୍ରୀତ୍ ବୁମ୍ରା। କାମେରନ୍ ଗ୍ରିନ୍ (୦) ଏବଂ ୱିକେଟ୍ରକ୍ଷକ ଅଧିନାୟକ ଟିମ୍ ପେନ୍ (୧)ଙ୍କୁ ଜମିବା ପୂର୍ବରୁ ବିଦାୟ ରାସ୍ତା ଦେଖାଇଥିଲେ ବୁମ୍ରା। ଅଷ୍ଟ୍ରେଲିଆ ଏକଦା ୨୦୬/୨ ସ୍ଥିତିରେ ଥିବାରୁ ୪୫୦ ରନ୍ ସମ୍ଭାବନା ଦେଖିଥିଲା। ହେଲେ ଜାଦେଜା ଏବଂ ବୁମ୍ରାଙ୍କ ଆଗରେ ଘରୋଇ ଦଳ ହାର୍ ମାନିବାରୁ ୩୩୮ ରନ୍ରେ ଅଟକି ଯାଇଥିଲା। ଗୋଟିଏ ପାର୍ଶ୍ବରେ କିନ୍ତୁ ଲଢ଼େଇ କରି ଷ୍ଟିଭେନ୍ ସ୍ମିଥ୍ (୧୩୧ ରନ୍, ୨୨୬ ବଲ୍) ନିଜ ଶତକ ପୂର୍ଣ୍ଣ କରି ନେଇଥିଲେ। ପ୍ରଥମ ଦୁଇ ଟେଷ୍ଟରେ ବିଫଳ ରହିଥିବା ସ୍ମିଥ୍ ମଧ୍ୟ ଅଶ୍ବିନଙ୍କ ଯୋଜନାକୁ ପଣ୍ଡ କରି ତାଙ୍କ ବିପକ୍ଷରେ ଭଲ ଖେଳିଥିଲେ। ସ୍ମିଥ୍ ଏବଂ ଷ୍ଟାର୍କ (୨୪, ୩୦ ବଲ୍)ଙ୍କ କାରଣରୁ ଅଷ୍ଟ୍ରେଲିଆ ମଧ୍ୟ ୨୭୮/୭ରୁ ବାହାରି ୩୩୮ ରନ୍ରେ ପହଞ୍ଚିଥିଲା। ଶେଷକୁ ଜାଦେଜା ୪ ଏବଂ ବୁମ୍ରା-ସୈନି ୨-୨ ୱିକେଟ୍ ନେଇ ଅଷ୍ଟ୍ରେଲିଆ ପାଳିକୁ ଶେଷ କରି ଦେଇଥିଲେ। ସ୍ମିଥଙ୍କୁ ଚମତ୍କାର ଭାବେ ସିଧା ଥ୍ରୋରେ ରନ୍ ଆଉଟ୍ କରି ଜାଦେଜା ହିଁ ଶେଷ ରେଖା ଟାଣିଥିଲେ। ଅଶ୍ବିନ୍ ୨୪ ଓଭର ବୋଲିଂ କରିଥିଲେ ମଧ୍ୟ ୦/୭୪ର ନିରାଶା ଚିତ୍ର ପାଇଥିଲେ।
/sambad/media/post_attachments/wp-content/uploads/2021/01/shubman-gill.jpg)
ପ୍ରାରମ୍ଭିକ ପାଳିରେ ପ୍ରତୀକ୍ଷିତ ଅର୍ଦ୍ଧଶତକ
ସିଡନି କ୍ରିକେଟ୍ ଗ୍ରାଉଣ୍ଡରେ ଶୁକ୍ରବାର ଚା’ପାନ ବିରତିର ୯ ଓଭର ପୂର୍ବରୁ ଭାରତ ପାଳି ଆରମ୍ଭ କରିଥିଲା। ପ୍ରଥମ ୱିକେଟ୍ ଭାଗୀଦାରିରେ ରୋହିତ ଶର୍ମା ଏବଂ ଶୁବମନ୍ ଗିଲ୍ ବହୁ ପ୍ରତୀକ୍ଷିତ ଅର୍ଦ୍ଧଶତକ (୭୦) ହାସଲ କରିଥିଲେ। ପ୍ରାରମ୍ଭିକ ୱିକେଟ୍ ଭାଗୀଦାରିରେ ଭାରତ ପାଇଁ ଏହା ଥିଲା ୧୪ତମ ପାଳିରେ ପ୍ରଥମ ୫୦ରୁ ଊର୍ଧ୍ବ ରନ୍। ସାମ୍ପ୍ରତିକ ସମୟରେ ଭାରତୀୟ ଓପନିଂ ଯୋଡ଼ି ସଂଘର୍ଷ କରୁଥିଲେ ମଧ୍ୟ ଶୁବମନଙ୍କ ଉଦୟ ଏବଂ ରୋହିତ ଶର୍ମାଙ୍କ ପ୍ରତ୍ୟାବର୍ତନ ଅଷ୍ଟ୍ରେଲିଆର ଘାତକ ବୋଲିଂ ଆକ୍ରମଣକୁ ଠିକଣା ମୁକାବିଲା କରିଥିଲେ। ତେବେ ଜମିଯିବା ପରେ ଉଭୟ ଆଉଟ୍ ହୋଇଯାଇଥିଲେ। ୨୭ତମ ଓଭରରେ ହାଲକା ବ୍ୟାଟ୍ରେ ଖେଳି ରୋହିତ ଶର୍ମା (୨୬, ୭୭ ବଲ୍) ଜୋସ୍ ହାଜେଲଉଡଙ୍କୁ ଲେଉଟାଣି କ୍ୟାଚ୍ ଦେଇଥିଲେ। ରୋହିତ ଶର୍ମାଙ୍କ ୱିକେଟ୍ ନେଇ ହାଜେଲଉଡ୍ ନିଜ ଜନ୍ମଦିନ ପାଳିଥିଲେ। ଅନ୍ୟପକ୍ଷରେ ସବୁ ସମୟରେ ରୋହିତ ଶର୍ମାଙ୍କୁ ପଛରେ ରଖିଥିବା ଶୁବମନ୍ ୮ ଚୌକା ସହ ୧୦୦ ବଲ୍ରୁ ୫୦ ରନ୍ ପୂର୍ଣ୍ଣ କରିଥିଲେ। କିନ୍ତୁ ପରବର୍ତୀ ବଲ୍ରେ ସେ କମିନ୍ସଙ୍କ ବୋଲିଂରେ ଗ୍ରିନ୍ଙ୍କୁ କ୍ୟାଚ୍ ଦେଇ ବଡ଼ ପାଳି ଖେଳିବାର ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/Ravindra-Jadeja-celebrates-after-taking-the.jpg)