ଭୁବନେଶ୍ବର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ହକି ପ୍ରତିଯୋଗିତାର ପ୍ରଥମ ମ୍ୟାଚ୍‌ ହାରିଥିବା ଭାରତ ରବିବାର ବିଜୟ ସହ ଲୟକୁ ଫେରିଛି। ଶନିବାର ୧-୩ ଗୋଲ୍‌ରେ ସ୍ପେନ୍‌ଠୁ ହାରିଥିବା ଏହି ଦଳ ରବିବାର ପାଲଟା ମ୍ୟାଚ୍‌କୁ ୨-୦  ଗୋଲ୍‌ରେ ଜିତି‌ ନେଇଛି। ଭାରତ ଏହି ବିଜୟ ସହ ସ୍ପେନ୍‌ଠୁ ମଧୁର ପ୍ରତିଶୋଧ ନେଇଛି। ପ୍ରଥମ ମ୍ୟାଚ୍‌ ପରାଜୟ ପରେ ଚାପରେ ଥିବା ଭାରତ ରବିବାର ଆରମ୍ଭରୁ ହିଁ ଆକ୍ରମଣ କରିଥିଲା। ହେଲେ ପ୍ରଥମ କ୍ବାର୍ଟର୍‌ ଶେଷ ହେବାକୁ ଆଉ ମାତ୍ର ୯ ସେକେଣ୍ଡ ଥିଲା ବେଳେ ବ୍ୟାକ୍‌ ଟୁ ବ୍ୟାକ୍‌ ଦୁଇଟି ପେନାଲ୍‌ଟି କର୍ଣ୍ଣର ପାଇଥିଲେ ‌ମଧ୍ୟ ଗୋଲ୍‌ କରିପାରି ନଥିଲା। ଦ୍ବିତୀୟ କ୍ବାର୍ଟର ଗୋଲ୍‌ଶୂନ୍ୟରେ ଶେଷ ହୋଇଥିଲା। ତେବେ ତୃତୀୟ କ୍ବାର୍ଟରରେ ଭାରତ ଦୁଇଟି ଗୋଲ୍‌ ଲଦି ବିଜୟ ଦିଗରେ ଅଗ୍ରସର ହୋଇଥିଲା। ଦିଲ୍‌ପ୍ରୀତ ସିଂହଙ୍କ ଏକ ପାସ୍‌କୁ ତଳେ ଶୋଇ ଚମତ୍କାର ଢଙ୍ଗରେ ମନଦୀପ ସିଂହ (୩୨ ମିନିଟ୍‌) ସ୍ପେନ୍‌ ଗୋଲ୍‌ପୋଷ୍ଟ୍‌କୁ ବଲ୍‌ ପଠାଇ ଭାରତକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। ଏହାର ୭ ମିନିଟ୍‌ରେ ଗୁରଜାଣ୍ଟ ସିଂହଙ୍କ ପାସ୍‌କୁ ଦିଲ୍‌ପ୍ରୀତ ସିଂହ ଗୋଲ୍‌ କରିଦେଇଥିଲେ। ଶେଷ କ୍ବାର୍ଟର ଗୋଲ୍‌ଶୂନ୍ୟରେ ଶେଷ ହେବାରୁ ୨-୦ରେ ବିଜୟ ବାନା ଉଡ଼ାଇଥିଲା। ଏହି ମ୍ୟାଚ୍‌ରେ ଓଡ଼ିଶାରୁ ୩ ଖେଳାଳି ଅମିତ ରୋହିଦାସ, ନୀଲମ ସଂଜୀପ ଖେସ୍‌ ଓ ଶିଳାନନ୍ଦ ଲାକ୍ରା ଘରୋଇ ପଡ଼ିଆରେ ନିଜ ଯାଦୁ ଦେଖାଇଥିଲେ। ମନଦୀପ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

Advertisment

ପୁଣି ଜର୍ମାନୀକୁ ହରାଇଲା ସ୍ପେନ୍‌
ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ ଚାଲିଥିବା ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ହକିରେ ସ୍ପେନ୍‌ ମହିଳା ଦଳର ବିଜୟ ଧାରା ଜାରି ରହିଛି। ଗତ ସଂସ୍କରଣ ରୌପ୍ୟ ବିଜେତା ଦଳ ଜର୍ମାନୀ ବିପକ୍ଷ ଦୁଇ ମ୍ୟାଚ୍‌କୁ ସ୍ପେନ୍‌ ସାମନ ୨-୧ ବ୍ୟବଧାନରେ ବିଜୟ ହାସଲ କରିଛି। ଏଥିସହ ‌ଜର୍ମାନୀ ବିପକ୍ଷରେ ପୂରା ପଏଣ୍ଟ୍‌ ପ‌କେଟସ୍ଥ କରିଛି। ମ୍ୟାଚ୍‌ର ପଞ୍ଚମ ମିନିଟ୍‌ରେ ହିଁ ସ୍ପେନ୍‌ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ‌ସୋଫିଆ ରୋଗୋସ୍କିଙ୍କ ଚମତ୍କାର ଫିଲ୍ଡ ଗୋଲ୍‌ରେ ଏହି ଅଗ୍ରଣୀ ପାଇଥିଲା ସ୍ପେନ୍‌। ‌ତେବେ ଦ୍ବାଦଶ ମିନିଟ୍‌ରେ ଆଇନା କ୍ରି‌ସକେନ୍‌ ଫିଲ୍ଡ ଗୋଲ୍‌ ଦେଇ ସ୍ଥିତି ସାମନ କରିଥିଲେ। ଦ୍ବିତୀୟ କ୍ବାର୍ଟର ଗୋଲ୍‌ଶୂନ୍ୟରେ ଶେଷ ହୋଇଥିଲା ବେଳେ ତୃତୀୟ କ୍ବାର୍ଟରରେ ସ୍ପେନ୍‌ ପୁଣି ଆଗୁଆ ହୋଇଥିଲା। ଲୁସିଆନା ମୋଲିନା (୩୮ ମିନିଟ୍‌) ଫିଲ୍ଡ ଗୋଲ୍‌ ଦେଇ ସ୍ପେନ୍‌କୁ ୨-୧ରେ ଆଗୁଆ କରିଥିଲେ। ଶେଷ କ୍ବାର୍ଟର ଗୋଲ୍‌ଶୂନ୍ୟରେ ଶେ‌ଷ ହେବାରୁ ସ୍ପେନ୍‌ ବିଜୟ ବାନା ଉଡ଼ାଇଥିଲା।

ସଡନ୍‌ଡେଥ୍‌ରେ ହାରିଲେ ଭାରତୀୟ ମହିଳା

ଚଳିତ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ହକି ପ୍ରତିଯୋଗିତାରେ ଭାରତୀୟ ମହିଳା ଦଳ କଡ଼ା ସଂଘର୍ଷ କରି ୧-୨ (୨-୨) ସୁଟ୍‌ଆଉଟ୍‌ରେ ଇଂଲଣ୍ଡଠୁ ହାରିଯାଇଛି। ମ୍ୟାଚ୍‌ ନିର୍ଦ୍ଧାରିତ ସମୟରେ ୨-୨ ଗୋଲ୍‌ରେ ଶେଷ ହୋଇଥିଲା। ଫଳରେ ସୁଟ୍‌ଆଉଟ୍‌ର ସହଯୋଗ ନିଆଯାଇଥିଲା। ଏଥିରେ ମଧ୍ୟ ଉଭୟ ଦଳ ୧-୧ ସ୍ଥିତିରେ ରଖିଥିଲେ। ‌ତେବେ ସଡନ୍‌‌ ଡେଥ୍‌ରେ ଭାରତ ପଛରେ ପଡ଼ି ପରାଜୟ ବରଣ କରିଥିଲା। ଏହି ବିଜୟ ସହ ଇଂଲଣ୍ଡ ଗତକାଲି ପରାଜୟର ପ୍ରତିଶୋଧ‌ ନେଇଛି।

ଉଭୟ ଦଳ ମଧ୍ୟରେ ଶନିବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ର ଫଳାଫଳ ଶେଷ ମିନିଟ୍‌ରେ ବାହାରିଥିଲା। ଏଥ‌ିରେ ଭାରତ ୩-୨ ଗୋଲ୍‌ରେ ବାଜି ମାରିନେଇଥିଲା। ରବିବାର ମଧ୍ୟ ସେହିପରି ଖେଳ ଦେଖିବାକୁ ମିଳିଥିଲା। ଭାରତ ପୂରା ଜୋସ୍‌ରେ ପଡ଼ିଆକୁ ଓହ୍ଲାଇଥିଲା। ଅନ୍ୟପକ୍ଷରେ ଇଂଲଣ୍ଡ ପରାଜୟ ବରଣ କରିଥିବାରୁ ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଥିଲା। ଫଳରେ ପ୍ରଥମ ଦୁଇ କ୍ବାର୍ଟର‌ରେ ଉଭୟ ଦଳ କେହିକାହାରିକୁ ‌ବାଟ ଛାଡ଼ି ନଥିଲେ। ଦ୍ବିତୀୟ କ୍ବାର୍ଟର ଶେଷ ୫ ମିନିଟ୍‌ରେ ଋତୁଜା ଦାଦାସୋ ପିସାଲ (୨୬ ମିନିଟ୍‌) ଓ ନବନୀତ କୌର (୨୯ ମିନିଟ୍‌) ‌ଗ୍ରିନ୍‌ କାର୍ଡ ପାଇବାରୁ ପଡ଼ିଆ ଛାଡ଼ିଥିଲା। ଫଳରେ ଭାରତ ୯ ଜଣଙ୍କୁ ନେଇ ଖେଳିବାରୁ ରକ୍ଷଣାତ୍ମକ ଶୈଳୀ ଆପଣାଇ ପ୍ରଥମାର୍ଦ୍ଧକୁ ୦-୦ ସ୍ତରରେ ଶେଷ କରିବାରେ ସଫଳ ହୋଇଥିଲା। 

ତେବେ ୪୦ତମ ମିନିଟ୍‌ରେ ପାଇଗେ ଗିଲେଟ୍‌ ପେନାଲ୍ଟି କର୍ଣ୍ଣର ଗୋଲ୍‌ରେ ଇଂଲଣ୍ଡ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ୫୩ମିନିଟ୍‌ରେ ଭାରତକୁ ମିଳିଥିବା ପେନାଲ୍ଟି ସୁଟ୍‌କୁ ନବନୀତ ସିଧା ଇଂଲଣ୍ଡ ଗୋଲ୍‌ ପୋଷ୍ଟ୍‌କୁ ବଲ୍‌ ପଠାଇ ସ୍ଥିତି ସମାନ କରିଥିଲେ। ୫୬ ମିନିଟ୍‌ରେ ତିଶା ହୋୱାର୍ଡଙ୍କ ପେନାଲ୍‌ଟି କର୍ଣ୍ଣର ଗୋଲ୍‌ରେ ପୁଣି ଆଗୁଆ ହୋଇଥିଲା ଇଂଲଣ୍ଡ। ୫୭ତମ ମିନିଟ୍‌ରେ ଓଡ଼ିଆ ଝିଅ ସୁନେଲିତା ଟପ୍ପୋଙ୍କୁ ଏକ ସୁନ୍ଦର ପାସ୍‌କୁ ପଦାର୍ପଣକାରୀ ଋତୁଜା ଗୋଲ୍‌ରେ ପରିଣତ କରି ମ୍ୟାଚ୍‌ ଅମୀମାଂସିତ ରଖିଥିଲେ। ଫଳରେ ଉଭୟ ଦଳ ୧-୧ ପକଟେସ୍ଥ କରିଥିଲେ। ଗୁରୁତ୍ବପୂର୍ଣ୍ଣ ବୋନସ ପଏଣ୍ଟ ପାଇଁ ମ୍ୟାଚ୍‌ ସୁଟ୍‌ଆଉଟ୍‌କୁ ଯାଇଥିଲା। ପ୍ରଥମ ୫ ପ୍ରୟାସରେ ଭାରତର ନବନୀତ ଓ ଇଂଲଣ୍ଡର ଲିଲି ୱାଲ୍‌କର ଗୋଲ୍‌ କରିବାରୁ ସ୍ଥିତି ସମାନ ହେବାରୁ ସଡନ୍‌ଡେଥ୍‌କୁ ମ୍ୟାଚ୍‌ ଯାଇଥିଲା। ଏଥିରେ ଇଂଲଣ୍ଡ ଅଧିନାୟିକା ସୋଫି ହାମିଲ୍‌ଟନ୍‌ ବିଜୟସୂଚକ ଗୋଲ୍‌ ଦେଇ ଦଳକୁ ବୋନସ ପଏଣ୍ଟ୍‌ ଭେଟି ଦେଇଥିଲେ।