ଅହମଦାବାଦ: ଅହମଦାବାଦରେ ଚାଲିଥିବା ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଟେଷ୍ଟ୍ରେ ଟିମ୍ ଇଣ୍ଡିଆର ରନ୍ ବର୍ଷା ଜାରି ରହିଛି। ଓପନର କେଏଲ୍ ରାହୁଲ (୧୦୦), ୱିକେଟ୍ରକ୍ଷକ ଧ୍ରୁବ ଜୁରେଲ (୧୨୫) ଏବଂ ବାମହାତୀ ଅଲରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା (୧୦୪*)ଙ୍କ ଶତକ ବଳରେ ମାତ୍ର ୫ ୱିକେଟ୍ ହରାଇ ୪୪୮ ରନ୍ କରିନେଇଛି ଗିଲ୍ ବାହିନୀ। ଫଳରେ ଏକ ବିଶାଳ ସ୍କୋର୍ ଲାଗି ଦୃଢ଼ ମୂଳଦୁଆ ପକାଇଥିଲା ବେଳେ ମ୍ୟାଚ୍କୁ ସଂପୂର୍ଣ୍ଣ ନିୟନ୍ତ୍ରଣକୁ ନେଇ ଯାଇଛି। ହାତରେ ଅଧାଦଳ ବାକି ଥିଲା ବେଳେ ଘରୋଇ ଭାରତ ଏବେ ୨୮୬ ରନ୍ର ଆଧିପତ୍ୟଭରା ଅଗ୍ରଣୀ ଲାଭ କରି ନେଇଛି। ଶୁକ୍ରବାର ଦ୍ବିତୀୟ ଦିବସ ଖେଳ ଶେଷ ସୁଦ୍ଧା ଜାଡ଼େଜା ୧୦୪* ଏବଂ ଅନ୍ୟତମ ଅଲ୍ରାଉଣ୍ଡର୍ ୱାସିଂଟନ୍ ସୁନ୍ଦର ୯* ରନ୍ କରି ଅପରାଜିତ ରହିଛନ୍ତି। ଯାହା ଇଣ୍ଡିଜ୍ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି। ଅନ୍ୟପକ୍ଷରେ ଭାରତୀୟ ବୋଲିଂ ଆଗରେ ଆତ୍ମସମର୍ପଣ କରି କେବଳ ୧୬୨ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିବା ଭ୍ରମଣକାରୀ ଇଣ୍ଡିଜ୍ ବୋଲିଂରେ ବି ପ୍ରଭାବହୀନ ପ୍ରଦର୍ଶନ କରି ଭାରତୀୟ ବ୍ୟାଟର୍ଙ୍କ ଉପରେ ଚାପ ସୃଷ୍ଟି କରିବାରେ ଅସମର୍ଥ ହୋଇଛି।
ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଇଣ୍ଡିଜ୍ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ହେଲେ ନେପାଳ ଭଳି ଅନଭିଜ୍ଞ ଓ ଅପରିପକ୍ବ ଦଳଠାରୁ ଟ୍ବେଣ୍ଟି-୨୦ ଶୃଙ୍ଖଳା ହାରିବାର ଲଜ୍ଜାଜନକ ସ୍ଥିତିରୁ ଦଳ ଯେମିତି ଆଦୌ ବାହାରି ପାରି ନଥିଲା। ଦୁଇ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ୍ ବୁମ୍ରା (୩/୪୨) ଏବଂ ମହମ୍ମଦ ସିରାଜ (୪/୪୦) ତଥା ବାମହାତୀ ସ୍ପିନର କୁଲଦୀପ ଯାଦବ (୨/୨୫)ଙ୍କ ଉଚ୍ଚକୋଟୀର ବୋଲିଂର ମୁକାବିଲା କରିବାକୁ ଯେମତି ଏହି ଦଳର ବ୍ୟାଟର୍ଙ୍କ ପାଖରେ ଆଦୌ କଳାକୌଶଳ ନଥିଲା। ଦୁଇ ଓପନର୍ ଜନ୍ କ୍ୟାମ୍ପବେଲ୍ ଓ ଟାଗିନାରାୟଣ ଚନ୍ଦରପଲ୍ ପ୍ରଥମ ୬ ଓଭର ଭିତରେ ହିଁ ପ୍ୟାଭିଲିୟନ ଫେରି ଯାଇଥିଲେ। କୌଣସି ବ୍ୟାଟର୍ ଆତ୍ମବିଶ୍ବାସର ସହ ଖେଳୁଥିବା ଭଳି ମନେ ହୋଇ ନଥିଲେ। ବେପରୁଆ ଖେଳ ଖେଳୁଥିବାରୁ ଭାରତୀୟ ବୋଲର୍ ସେମାନଙ୍କୁ ଗୋଟିଏ ପରେ ଗୋଟିଏ ଶିକାର କରି ଚାଲିଥିଲେ। ସ୍ଥିତି ଏମିତି ହୋଇଥିଲା ଯେ ଇଣ୍ଡିଜ୍ ମାତ୍ର ୪୪.୧ ଓଭରରେ ନିଜର ସମସ୍ତ ୱିକେଟ୍ ହରାଇ ବସିଥିଲା। ନବାଗତ ଜଷ୍ଟିନ୍ ଗ୍ରେଭ୍ସ ସର୍ବାଧିକ ୩୨ ରନ୍ କରିଥିଲେ। ଏହା ପରେ ଯଶସ୍ବୀ ଜୟସ୍ବାଲ୍ ଓ କେଏଲ୍ ରାହୁଲ ପ୍ରଥମ ୱିକେଟ୍ରେ ଭାରତ ପାଇଁ ୬୮ ରନ୍ ଯୋଡ଼ିଥିଲେ।
ଜୟସ୍ବାଲ ଭଲ ଖେଳୁଥିଲେ ମଧ୍ୟ ସାମାନ୍ୟ ଏକାଗ୍ରତା ହରାଇ ଅର୍ଦ୍ଧଶତକର ୧୪ ରନ୍ ପୂର୍ବରୁ ପ୍ରଥମ ୱିକେଟ୍ ଭାବେ ଆଉଟ୍ ହୋଇଥିଲେ। ତୃତୀୟ ସ୍ଥାନ ଭଳି ଗୁରୁତ୍ବପୂର୍ଣ୍ଣ କ୍ରମରେ ଖେଳୁଥିବା ସାଇ ସୁଦର୍ଶନ କିନ୍ତୁ ପୁଣି ଥରେ ନିରାଶ କରିଥିଲେ। ରାହୁଲ କିନ୍ତୁ ଅସୀମ ଧୈର୍ଯ୍ୟର ପରିଚୟ ଦେଇ କ୍ରିଜ୍ରେ ତିଷ୍ଠି ରହିଥିଲେ। ଗୁରୁବାର ପ୍ରଥମ ଦିନ ଷ୍ଟମ୍ପ୍ସ ବେଳକୁ ସେ ୫୩ ଏବଂ ଅଧିନାୟକ ଗିଲ୍ ୧୮ରନ୍ କରି ଅପରାଜିତ ରହିଥିଲେ। ଶୁକ୍ରବାର ଖେଳ ଆରମ୍ଭ କରି ରାହୁଲ ନିଜ ଏକାଦଶ ଏବଂ ଗିଲ୍ ଅଷ୍ଟମ ଅର୍ଦ୍ଧଶତକ ପୂରଣ କରିଥିଲେ। ହେଲେ ସଂଯୋଗବଶତଃ ଉଭୟ ଏହାଠାରୁ ଆଗକୁ ବଢ଼ିପାରି ନଥିଲେ। ଅର୍ଥାତ୍ ରାହୁଲ ଠିକ୍ ୧୦୦ ଏବଂ ଗିଲ୍ ୫୦ରେ ଆଉଟ୍ ହୋଇଯାଇଥିଲେ। ଘରୋଇ ପରିବେଶରେ ରାହୁଲଙ୍କର ଏହା ୯ବର୍ଷ ପରେ ପ୍ରଥମ ଶତକ ଥିଲା। ଶେଷ ଥର ପାଇଁ ୨୦୧୬ରେ ଚେନ୍ନାଇଠାରେ ଇଣ୍ଡିଜ୍ ବିପକ୍ଷରେ ହିଁ ଘରୋଇ ପରିବେଶରେ ସେ ଶତକ ଅର୍ଜନ କରିଥିଲେ। ଉଭୟଙ୍କ ଆଉଟ୍ ପରେ ଜୁରେଲ-ଜାଡ଼େଜା ଧମାକାଦାର ବ୍ୟାଟିଂ କରି ପଞ୍ଚମ ୱିକେଟ୍ରେ ଦ୍ରୁତ ୨୦୬ ରନ୍ ଯୋଡ଼ିଥିଲେ। ଜୁରେଲଙ୍କୁ ଇଣ୍ଡିଜ୍ର ୩୪ବର୍ଷୀୟ ସ୍ପିନର ଖରି ପିଏରେ ଆଉଟ କରି ଏହି ଯୋଡ଼ି ଭାଙ୍ଗିଥିଲେ। ଏହା ଭିତରେ ଜାଡ଼େଜା ନିଜର ଷଷ୍ଠ ଏବଂ ଜୁରେଲ ପ୍ରଥମ ଶତକ ପୂରଣ କରି ଭାରତର ସ୍ଥିତିକୁ ଅତ୍ୟନ୍ତ ସୁଦୃଢ଼ କରି ନେଇଥିଲେ। ଜୁରେଲ ତାଙ୍କ ସ୍ମରଣୀୟ ଶତକକୁ ଅଦମ୍ୟ ପରାକ୍ରମ ଓ ଅନନ୍ୟ ତ୍ୟାଗ ପାଇଁ ପରିଚିତ ଭାରତୀୟ ସେନାକୁ ଉତ୍ସର୍ଗ କରିଥିଲେ।
ସଂକ୍ଷିପ୍ତ ସ୍କୋର୍: ୱେଷ୍ଟଇଣ୍ଡିଜ୍ ୪୪.୧ ଓଭରରେ ୧୬୨ (ଜଷ୍ଟିନ୍ ଗ୍ରେଭ୍ସ ୩୨, ସାଇ ହୋପ୍ ୨୬, ରସ୍ତନ ଚେଜ୍ ୨୪, ମହମ୍ମଦ ସିରାଜ ୪/୪୦, ଯଶପ୍ରୀତ୍ ବୁମ୍ରା ୩/୪୨, କୁଲଦୀପ ଯାଦବ ୨/୨୫)। ଭାରତ ୧୨୮ ଓଭରରେ ୪୪୮/୫ (ଧ୍ରୁବ ଜୁରେଲ ୧୨୫, ରବୀନ୍ଦ୍ର ଜାଡ଼େଜା ୧୦୪*, କେଏଲ୍ ରାହୁଲ ୧୦୦, ଶୁବମନ ଗିଲ୍ ୫୦, ରସ୍ତନ ଚେଜ୍ ୨/୯୦)।