ଚେନ୍ନାଇ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚେନ୍ନାଇର ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ଟିମ୍‌ ଇଣ୍ଡିଆର ଓପନ୍‌ର ତଥା ହିଟମ୍ୟାନ ରୋହିତ ଶର୍ମା ବିସ୍ଫୋରକ ବ୍ୟାଟିଂ କରିଛନ୍ତି । ରୋହିତଙ୍କ ଧୁଆଁଧାର ୧୬୧ ରନ୍‌ ବଳରେ ଟିମ୍ ଇଣ୍ଡିଆର ସ୍କୋର ୩୦୦ ରନ୍‌କୁ ଛୁଇଁଛି । ଅନ୍ୟପଟେ ଭାରତ ହାତରେ ଏବେ ବି ଆହୁରି ୪ଟି ୱିକେଟ୍ ବାକି ଥିବାରୁ ଦଳର ସ୍କୋର ଆହୁରି ଆଗକୁ ବଢିବାର ଆଶା ବଢ଼ିଛି।

Advertisment

ଶନିବାର ଚେନ୍ନାଇରେ ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ଭାରତର ଅଧିନାୟକ ବିରାଟ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ହେଲେ ଶୁଭମନ୍‌ ଗିଲଙ୍କ ୩ଟି ବଲ୍‌ର ସମ୍ମୁଖୀନ ହୋଇ କୌଣସି ରନ୍‌ ନକରି ପାଭଲିଅନ୍‌କୁ ଫେରିଆସିିଥିଲେ। ଏଥି ସହିତ ଦଳକୁ ମିଳିଥିଲ ପ୍ରାରମ୍ଭିକ ଝଟକା । ଏହାପରେ ପୂଜାରା ଓ ରୋହିତ ଶର୍ମା ୮୫ ରନର ଭାଗିଦାରୀ ହେବା ସହିତ ଭାରତର ସ୍କୋର ଆଗକୁ ନେଇଥିଲେ । ହେଲେ ୨୧ତମ ଓଭରରେ ପୂଜାରା ଓ ୨୨ତମ ଓଭରରେ କୋହଲିଙ୍କ ୱିକେଟ ଭାବେ ଦଳକୁ ମିଳିଥିଲା ଡବଲ ଝଟକା । ପୂଜାରା (୨୧ରନ୍‌)ଙ୍କ ପରେ ପରେ ଅଧିନାୟକ କୋହଲି ବିନା କୌଣସି ରନ କରି ଆଉଟ୍ ହୋଇଯାଇଥିଲେ । ହେଲେ ଏହାପରେ ଆଜିଙ୍କ୍ୟ ରାହାଣେ (୬୭ ରନ୍‌) ଓ ରୋହିତ ଯୋଡି ଦଳର ସ୍କୋରକୁ ଆଗକୁ ବଢାଇଥିଲେ । ରୋହିତ ନିଜର ଟେଷ୍ଟ କ୍ୟାରିୟରର ସପ୍ତମ ଶତକ ଅର୍ଜନ କରିଥିଲେ । ଆଜିର ମ୍ୟାଚ ପରେ ପଡ଼ିଆରୁ ବିଦାୟ ନେବା ପୂର୍ବରୁ ଭାରତୀୟ ଯୁବ କ୍ରିକେଟର ଋଷଭ ପନ୍ତ (୩୩ ରନ୍‌) ଓ ଅକ୍ଷର ପଟେଲ (୫ରନ୍‌) ଅପରାଜିତ ଥିଲେ।

publive-image Photo: ICC twitter

ଇଂଲଣ୍ଡ ଏହି ମ୍ୟାଚରେ ୬ ଜଣ ବୋଲରକୁ ବ୍ୟବହାର କରିଥିବାବେଳେ ଜ୍ୟାକ୍ ଲିଚ୍ ଓ ମୋଇନ ଅଲ୍ଲୀଙ୍କୁ ଦୁଇଟି ଲେଖାଏଁ ସଫଳତା ମିଳିଥିଲା । ତା ସହିତ ଷ୍ଟୋନ ଓ ଜୋ ରୁଟଙ୍କ ମଧ୍ୟ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା । ଏହି ମ୍ୟାଚ୍ ଜିତି ଭାରତ ଟେଷ୍ଟ ଚାମ୍ପିୟନସିପର ଫାଇନାଲରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଥିବାବେଳେ ଇଂଲଣ୍ଡ ପାଇଁ ମଧ୍ୟ ସିରିଜ୍ କବଜା କରିବାକୁ ଏହା ସୁବର୍ଣ୍ଣ ସୁଯୋଗ ବୋଲି କୁହାଯାଉଛି ।