ଭାରତର ଲଗାତାର ଦ୍ବିତୀୟ ବିଜୟ, ଆର୍ଜେଣ୍ଟିନାକୁ ୩-୦ରେ ହରାଇଲା

ବୁଏନସ ଏୟାର୍ସ: ଭାରତ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ରେ ବହୁତ ଦିନ ବ୍ୟବଧାନ ପରେ ଲଗାତାର ଦ୍ବିତୀୟ ବିଜୟ ପାଇଛି। ଗତ ବର୍ଷ ଜାନୁଆରିରେ ଭୁବନେଶ୍ବରରେ ଖେଳାଯାଇଥିବା ନେଦରଲାଣ୍ଡ୍‌ସ ବିପକ୍ଷ ଦୁଇଟି ଯାକ ମ୍ୟାଚ୍‌ ଭାରତ ଜିତିଥିଲା। ଶନିବାର ଏହି ଲିଗ୍‌ର ପ୍ରଥମ ମ୍ୟାଚ୍‌ରେ ଘରୋଇ ଆର୍ଜେଣ୍ଟିନାକୁ ୩-୨ (୨-୨) ସୁଟ୍‌ଆଉଟ୍‌ରେ ହରାଇଥିବା ଭ୍ରମଣକାରୀ ଭାରତ ରବିବାର ଦ୍ବିତୀୟ ମ୍ୟାଚ୍‌କୁ ୩-୦ ଗୋଲ୍‌ରେ ଜିତି ବହୁଦିନର ଆଶା ପୂରଣ କରିଛି। ହର୍ମନପ୍ରୀତ ସିଂହ (୧୧ ମିନିଟ୍‌), ଲଳିତ ଉପାଧ୍ୟାୟ (୨୫ ମିନିଟ୍‌) ଓ ମନଦୀପ ସିଂହ (୫୮ ମିନିଟ୍‌)ଙ୍କ ଗୋଲ୍‌ ବଳରେ ଭାରତ ଏହି ବିଜୟ ପାଇଥିଲା।

ବୁଏନସ ଏୟାର୍ସରେ ଖେଳାଯାଇଥିବା ଏହି ମ୍ୟାଚ୍‌ର ଆରମ୍ଭରୁ ଆର୍ଜେଣ୍ଟିନା ଭଲ ଆରମ୍ଭ କରିଥିଲା। ୫୦ତମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳୁଥିବା ଭାରତୀୟ ଗୋଲ୍‌ରକ୍ଷକ କ୍ରିଷନ୍‌ ବାହାଦୁର ପାଠକ ପ୍ରଥମ କ୍ବାର୍ଟର୍‌ରେ ଚମତ୍କାର ପ୍ରଦର୍ଶନ କରି ଆର୍ଜେଣ୍ଟିନାର ୩ ନିଶ୍ଚିତ ଗୋଲ୍‌କୁ ଅଟକାଇ ଦଳକୁ ପ୍ରାରମ୍ଭିକ ଅଗ୍ରଣୀ ଦେବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ତେବେ ୧୧ତମ ମିନିଟ୍‌ରେ ହର୍ମନପ୍ରୀତ ପେନାଲ୍‌ଟି କର୍ଣ୍ଣର ଜରିଆରେ ଗୋଲ୍‌ ଦେଇ ଭାରତକୁ ଅଗ୍ରଣୀ କରାଇଥିଲେ। ଏହା ହର୍ମନପ୍ରୀତଙ୍କ ଦୁଇ ଦିନ ମଧ୍ୟରେ ତୃତୀୟ ଗୋଲ୍‌ ଥିଲା। ଦ୍ବିତୀୟ କ୍ବାର୍ଟର ସରିବାର ୫ ମିନିଟ୍‌ ପୂର୍ବରୁ ଲଳିତ ଏକ ଫିଲ୍ଡ ଗୋଲ୍‌ ଦେଇ ପ୍ରଥମାର୍ଧରେ ଭାରତକୁ ୨-୦ରେ ଆଗୁଆ ରଖିଥି‌ଲେ। ତୃତୀୟ କ୍ବାର୍ଟର ଗୋଲ୍‌ ଶୂନ୍ୟ ଭାବେ ଶେଷ ହୋଇଥିଲା। ଚତୁର୍ଥ କ୍ବାର୍ଟର ଶେଷ ହେବାର ଦୁଇ ମିନିଟ୍‌ ପୂର୍ବରୁ ମନଦୀପଙ୍କ ଗୋଲ୍‌ ସହୟତାରେ ଭାରତର ବିଜୟ ବ୍ୟବଧାନ ୩-୦ ହୋଇଥିଲା। ଏହି ବିଜୟ ସହ ଭାରତ ୮ ମ୍ୟାଚ୍‌ରୁ ୧୫ ପଏଣ୍ଟ୍‌ ପାଇ ଟେବୁଲର ଚତୁର୍ଥ ସ୍ଥାନରେ ପହଞ୍ଚିଛି।

ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ର ପରବର୍ତ୍ତୀ ମ୍ୟାଚ୍‌ ଭାରତ ମେ ୮ ଓ ୯ ତାରିଖରେ ଲଣ୍ଡନରେ ଗ୍ରେଟ୍‌ ବ୍ରିଟେନ୍‌ ବିପକ୍ଷରେ ଖେଳିବ। ଏହି ଲିଗ୍‌ ପୂର୍ବରୁ ଆର୍ଜେଣ୍ଟିନା ବିପକ୍ଷରେ ମଙ୍ଗଳବାର ଓ ବୁଧବାର ଆଉ ଦୁଇଟି ବନ୍ଧୁତ୍ବପୂର୍ଣ୍ଣ ମ୍ୟ‌ାଚ୍‌ ଖେଳିବ। ପ୍ରୋ-ଲିଗ୍‌ ମ୍ୟାଚ୍‌ ପୂର୍ବରୁ ଆର୍ଜେଣ୍ଟିନା ବିପକ୍ଷରେ ଖେଳା ଯାଇଥିବା ଦୁଇଟି ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍‌ରୁ ପ୍ରଥମଟିରେ ଭାରତ ୪-୩ରେ ଜିତିଥିଲା ବେଳେ ଦ୍ବିତୀୟଟି ୪-୪ରେ ଅମୀମାଂସିତ ରହିଥିଲା।

ସମ୍ବନ୍ଧିତ ଖବର