ଦିନିକିଆରେ ଭାରତର ଷଷ୍ଠ ୧୦ ୱିକେଟ୍‌ ପରାଜୟ

ବିଶାଖାପାଟଣା: ମିଚେଲ୍‌ ଷ୍ଟାର୍କଙ୍କ ଘାତକ ବୋଲଂ ଆଗରେ ଭାରତୀୟ ଦଳ ଉଭୟ ଦିନିକିଆରେ ଆଣ୍ଠେଇ ପଡ଼ିଥିଲା। ଦ୍ବିତୀୟ ଦିନିକିଆରେ ଗୋଟିଏ ବି ୱିକେଟ୍‌ ନନେଇପାରିବା ଭାରତୀୟ ବୋଲିଂର ବିଫଳତାକୁ ଦର୍ଶାଇଛି। ୧୦ ୱିକେଟ୍‌ରେ ପରାଜୟ ବରଣ କରିବା ଘଟଣା ବହୁତ କମ୍‌ ଦେଖିବାକୁ ମିଳିଥାଏ। ଭାରତ କ୍ଷେତ୍ରରେ ଏହି ଘଟଣା ୬ ଥର ଘଟିସାରିଛି। ଏହି ୬ ଥର ମଧ୍ୟରୁ ତିନିଥର ବିଦେଶରେ ଓ ତିନିଥର ଘରୋଇ ମାଟିରେ ଭାରତ ଏଭଳି ଲଜ୍ଜାଜନକ ପରାଜୟର ସାମ୍ନା କରିଛି।

୧) ବନାମ ନ୍ୟୁଜିଲାଣ୍ଡ (୧୯୮୧)
ବେନସନ୍‌ ଆଣ୍ଡ ହେଜେସ୍‌ ବିଶ୍ବ ସିରିଜ୍‌ କପ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ସର୍ବାଧିକ ୩୪ ଓଭରର ପାଳି ରହିଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ୍‌ ବିନିମୟରେ ୧୧୨ ରନ୍‌ କରିଥିଲା। ଗୁଣ୍ଡାପା ବିଶ୍ବନାଥ ସର୍ବାଧିକ (୩୩) ଓ କପିଲ୍‌ ଦେବ (୨୧)ଙ୍କୁ ଛାଡ଼ିଦେଲେ ଆଉକେହି ଦୁଇ ଅଙ୍କରେ ପହଞ୍ଚିପାରିନଥିଲେ। ଅଲ୍‌ରାଉଣ୍ଡର ଜେରେମି ‌କୋନି ଓ ଦ୍ରୁତ ବୋଲର ମାର୍ଟିନ୍‌ ସ୍ନିଡେନ୍‌ ୨ ୱିକେଟ୍‌ ଲେଖାଏଁ ଅକ୍ତିଆର କରିଥିଲେ। ଏହି ପାଳିରେ ଭାରତୀୟ ବ୍ୟାଟର୍‌ ଅଧିକ ରନ୍‌ଆଉଟ୍‌ ହୋଇଥିବା ଦେଖାଯାଇଥିଲା। ଜବାବରେ ନ୍ୟୁଜିଲାଣ୍ଡ ଦମ୍‌ଦାର ଆରମ୍ଭ କରିଥିଲା ବେଳେ ଜନ୍‌ ରାଇଟ୍‌ ଓ ବ୍ରୁସ୍‌ ଏଡଗରଙ୍କ ଅବିଭାଜିତ ପାଳି କାରଣରୁ ଭାରତକୁ ୨୯ ଓଭରରେ ହରାଇଥିଲେ।

୨) ବନାମ ୱେଷ୍ଟଇଣ୍ଡିଜ୍‌ (୧୯୯୭)
ଦ୍ବିତୀୟ ଥର ୧୦ ୱିକେଟ୍‌ ପରାଜୟର ସାମ୍ନା କରିବାକୁ ଭାରତକୁ ୧୬ ବର୍ଷ ସମୟ ଲାଗିଥିଲା। ଏଥର ୱେଷ୍ଟଇଣ୍ଡିଜ୍‌ର ପାଳି ଥିଲା। ଅଧିନାୟକ କର୍ଟନି ୱାଲ୍ସ ଟସ୍‌ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ ଦେଇଥିଲେ। ରାହୁଲ ଦ୍ରାବିଡ, ମହମ୍ମଦ ଆଝାରୁଦ୍ଦିନ୍‌, ଅଜୟ ଜାଦେଜା, ରବିନ ସିଂହଙ୍କ ଯୋଗୁଁ ଭାରତ ୧୯୯/୭ରେ ପାଳି ଶେଷ କରିଥିଲା। ଜାଦେଜା ସର୍ବାଧିକ ୬୮ ରନ୍‌ କରିଥିଲେ। କର୍ଟନୀ ୱାଲ୍‌ସ ୨, କର୍ଟଲି ଆମ୍ବ୍ରୋସ୍‌, ଓଟିସ୍‌ ଗିବସନ୍‌, ଫ୍ରାଙ୍କଲିନ୍‌ ରୋଜ୍‌, ଶିବନାରାୟଣ ଚନ୍ଦରପଲ୍‌ ୧ ୱିକେଟ୍‌ ଲେଖାଏଁ‌ ନେଇଥିଲେ। ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଷ୍ଟୁଆର୍ଟ ୱିଲିୟମ୍ସ ଓ ଚନ୍ଦରପଲ୍‌ ୪୪.୪ ଓଭରରେ ମ୍ୟାଚ୍‌ ଜିତିଥିଲେ। ଭାରତୀୟ ଅଧିନାୟକ ସଚିନ ତେନ୍ଦୁଲକର ୮ଜଣ ବୋଲରଙ୍କୁ ବୋଲିଂ କରାଇଥିଲେ ବି କେହି ସଫଳତା ପାଇନଥିଲେ।

୩) ବନାମ ଦକ୍ଷିଣ ଆଫ୍ରିକା (୨୦୦୦)
ତିନିବର୍ଷ ବ୍ୟବଧାନ ପରେ ପୁଣି ଥରେ ଭାରତୀୟ ଦଳ ୧୦ ୱିକେଟ୍‌ ପରାଜୟର ସାମ୍ନା କରିଥିଲା। ସାରଜାରେ କୋକାକୋଲା କପ୍‌ର ଦିବାରାତ୍ରୀ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୧୦ ୱିକେଟ୍‌ରେ ବିଜୟୀ ହୋଇଥିଲା। ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଟସ୍‌ ଜିତି ବ୍ୟାଟିଂ କରିଥିଲା ବେଳେ ଦଳ ୪୫.୨ ଓଭରରେ ୧୬୪ ରନ୍‌ କରିଥିଲା। ଅଜୟ ଜାଦେଜା ସର୍ବାଧିକ ୪୩*, ଜାଭାଗଲ ଶ୍ରୀନାଥ ୩୦ ରନ୍‌ କରିଥିଲେ। ପ୍ରତିପକ୍ଷର ମାଖୟା ଏନ୍‌ଟିନି ଓ ଷ୍ଟିଭ୍‌ ଏଲ୍‌ୱର୍ଦ୍ଦି ୩ ୱିକେଟ୍‌ ଲେଖାଏଁ ଅକ୍ତିଆର କରିଥିଲେ। ଗ୍ୟାରି କର୍ଷ୍ଟେନ୍‌ ଓ ହର୍ଷଲ ଗିବ୍ସ ଯଥାକ୍ରମେ ୭୧* ଓ ୮୭* ରନ୍‌ କରି ୨୯.୨ ଓଭରରେ ଭାରତକୁ ହରାଇଥିଲେ।

୪) ବନାମ ଦକ୍ଷିଣ ଆଫ୍ରିକା (୨୦୦୫)
୫ ବର୍ଷ ପରେ ଭାରତକୁ ପୁଣି ଥରେ ଦକ୍ଷିଣ ଆଫ୍ରିକା ୧୦ ୱିକେଟ୍‌ରେ ହରାଇଥିଲା କୋଲ୍‌କାତାରେ। ଇଡେନ୍‌ ଗାର୍ଡେନ୍‌ରେ ହୋଇଥିବା ମ୍ୟାଚ୍‌ରେ ଗ୍ରେମ୍‌ ସ୍ମିଥ୍‌ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ ଦେବା ପରେ ଘରୋଇ ଦଳ ୪୫.୫ ଓଭରରେ ୧୮୮ ରନ୍‌ କରିଥିଲା। ୬ ନମ୍ବର ସ୍ଥାନରେ ବ୍ୟାଟିଂ ଆସିଥିବା ଯୁବରାଜ ସିଂହ ଏକମାତ୍ର ବ୍ୟାଟର୍‌ ଭାବେ ଅର୍ଦ୍ଧଶତକ ମାରିଥିଲେ। ମହମ୍ମଦ କୈଫ ୪୬ ଓ ବୀରେନ୍ଦ୍ର ସେହବାଗ୍‌ ୩୦ ରନ୍‌ କରିଥିଲେ। ଭ୍ରମଣକାରୀଙ୍କ ପାଇଁ ସନ୍‌ ପୋଲକ୍‌ ଓ ଆଣ୍ଡ୍ରିଉ ହଲ୍‌ ୩ ୱିକେଟ୍‌ ଲେଖାଏଁ ନେଇଥିଲେ। ୧୮୯ ରନ୍‌ର ଲକ୍ଷ୍ୟକୁ ପ୍ରାରମ୍ଭିକ ଯୋଡ଼ି ସ୍ମିଥ୍‌ ଓ ହଲ୍‌ ୩୫.୫ ଓଭରରେ ହାସଲ କରିଥିଲେ। ସ୍ମିଥ୍‌ ୧୩୪* ରନ୍‌ ଏବଂ ହଲ୍‌ ୪୮* ରନ୍‌ କରିଥିଲେ।

୫) ବନାମ ଅଷ୍ଟ୍ରେଲିଆ (୨୦୨୦)
୧୫ ବର୍ଷ ପରେ ଦିନିକିଆରେ ୧୦ ୱିକେଟ୍‌ ପରାଜୟର ସାମ୍ନା କରିଥିଲା ଭାରତ। ଭାରତ ଗସ୍ତରେ ଆସିଥିବା ଅଷ୍ଟ୍ରେଲିଆ ୱାଙ୍ଖଡେ ଷ୍ଟାଡିୟମ୍‌ରେ ଘରୋଇ ଦଳକୁ ପ୍ରଥମ ଥର ୧୦ ୱିକେଟ୍‌ରେ ହରାଇଥିଲା। ଆରୋନ ଫିଞ୍ଚ୍‌ ଟସ୍‌ ଜିତି ଭାରତକୁ ବ୍ୟାଟିଂ ପାଇଁ ସୁଯୋଗ ଦେଇଥିଲେ। ଶିଖର ଧାୱନଙ୍କ ୭୪, କେଏଲ୍‌ ରାହୁଲଙ୍କ ୪୭, ଋଷଭ ପନ୍ତ୍‌ଙ୍କ ୨୮ ଓ ରବୀନ୍ଦ୍ର ଜାଦେଜାଙ୍କ ୨୫ ରନ୍‌ ସହାୟତାରେ ଭାରତ ୨୫୬ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଏହି ମ୍ୟାଚ୍‌ରେ ମିଚେଲ୍‌ ଷ୍ଟାର୍କ ୩ ୱିକେଟ୍‌ ନେଇଥିଲେ। ଅଷ୍ଟ୍ରେଲିଆ ପାଇଁ ପାଳି ଆରମ୍ଭ କରିବାକୁ ଆସିଥିବା ଡେଭିଡ୍‌ ୱାର୍ଣ୍ଣର ଓ ଫିଞ୍ଚ୍‌ ଯଥାକ୍ରମେ ୧୨୮* ଓ ୧୧୦* ରନ୍‌ର ପାଳି ଖେଳିବା ସହ ଭାରତକୁ ୩୭.୪ ଓଭରରେ ହରାଇଥିଲେ।

୬) ବନାମ ଅଷ୍ଟ୍ରେଲିଆ (୨୦୨୩)
ତିନିବର୍ଷ ପରେ ପୁଣି ଥରେ ଅଷ୍ଟ୍ରେଲିଆ ଘରୋଇ ଦଳକୁ ୧୦ ୱିକେଟ୍‌ରେ ହରାଇଛି। ନିୟମିତ ଅଧିନାୟକ ରୋହିତ ଶର୍ମା ଦଳକୁ ଫେରିବା ସତ୍ତ୍ବେ ଭାରତକୁ କିଛି ଫାଇଦା ମିଳିନଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ୧୧୭ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା। ବିରାଟ କୋହଲି ସର୍ବାଧିକ ୩୧ ରନ୍‌ କରିଥିଲେ। ମିଚେଲ୍‌ ଷ୍ଟାର୍କଙ୍କ ବିଧ୍ବଂସୀ ବୋଲିଂ (୫/୫୩) ଆଗରେ ଭାରତୀୟ ବ୍ୟାଟର୍‌ ତିଷ୍ଠି ପାରିନଥିଲେ। ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଆସିଥିବା ଟ୍ରାଭିସ୍‌ ହେଡ୍‌ (୫୧*) ଓ ମିଚେଲ୍‌ ମାର୍ସ (୬୬*) ୧୧ ଓଭରରେ ବିନା କ୍ଷତିରେ ଦଳକୁ ଜିତାଇଥିଲେ।

ସମ୍ବନ୍ଧିତ ଖବର