ମୁମ୍ବାଇ: କୋଭିଡର ନୂଆ ଭ୍ୟାରିଆଣ୍ଟ୍ ଓମିକ୍ରନ୍ ପ୍ରଭାବରେ ଯାତାୟତ କଟକଣାକୁ ନଜରରେ ରଖି ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ ଏବେ ଆଶଙ୍କା ଭିତରେ ରହିଛି। ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଏବଂ କ୍ରିକେଟ୍ ଦକ୍ଷଣ ଆଫ୍ରିକା (ସିଏସ୍ଏ) ଏବେ ଏହି ଗସ୍ତର ଖେଳସୂଚୀକୁ ପରିବର୍ତନ କରିବା ଯୋଜନାରେ ଲାଗି ପଡ଼ିଛନ୍ତି। ପରିସ୍ଥିତିକୁ ନେଇ ଉଭୟ ପକ୍ଷ ହାତ ବାନ୍ଧି ବସିଥିଲେ ମଧ୍ୟ ପରବର୍ତୀ ୪୮ ଘଣ୍ଟା ମଧ୍ୟରେ କିଛି ନିଷ୍ପତ୍ତି ନେବାକୁ ଯାଉଛନ୍ତି।
ନ୍ୟୁଜିଲାଣ୍ଡ୍ ବିପକ୍ଷ ଟେଷ୍ଟ୍ ଶୃଙ୍ଖଳା ପରେ ଭାରତୀୟ ଦଳ ଜୈବ ବଳୟ ଭିତରକୁ ପ୍ରବେଶ କରିବାକୁ ଥିବାରୁ ଖେଳାଳିମାନେ ମଧ୍ୟ ସମ୍ପୂର୍ଣ୍ଣ ଏକମତ ହୋଇନାହାନ୍ତି। ଏହି ଗସ୍ତରେ ଭାରତ ୩ ଟେଷ୍ଟ୍, ୩ ଦିନିକିଆ ଏବଂ ୪ ଟ୍ବେଣ୍ଟି-୨୦ ଖେଳିବାର କାର୍ଯ୍ୟକ୍ରମ ରହିଛି। ଦକ୍ଷିଣ ଆଫ୍ରିକାର ଅନ୍ତର୍ଜାତୀୟ ସମ୍ପର୍କ ମନ୍ତ୍ରଣାଳୟ ବିସିସିଆଇକୁ ଚିଠି ଲେଖି ଏହି ଗସ୍ତରେ ଏକ ସୁରକ୍ଷିତ ତଥା କଡ଼ା ଜୈବ ବଳୟ ରଖାଯିବ ବୋଲି ପ୍ରତିଶ୍ରୁତି ଦେଇଛି। ଘୋର ଆର୍ଥିକ ସଙ୍କଟ ଭିତରେ ଥିବାରୁ କ୍ରିକେଟ୍ ଦକ୍ଷିଣ ଆଫ୍ରିକା (ସିଏସ୍ଏ) ମଧ୍ୟ ଏହି ଗସ୍ତ ଯଥାରୀତି ଚାଲୁ ବୋଲି ଆଶା କରୁଛି।
ଦକ୍ଷିଣ ଆଫ୍ରିକା ଗସ୍ତ ଲାଗି ଭାରତୀୟ ଦଳ ଚୟନକୁ ମଧ୍ୟ ବିସିସିଆଇ ବିଳମ୍ବିତ କରିଛି। କାନପୁର ଟେଷ୍ଟ୍ ପରେ ବିସିସିଆଇ ଚୟନକର୍ତା ଦଳ ଘୋଷଣା କରିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ସୋମବାରଠାରୁ ଏହି ଟେଷ୍ଟ୍ ଶେଷ ହୋଇଥିଲେ ମଧ୍ୟ ଦଳ ଚୟନ ନେଇ କୌଣସି ଆଭାସ ମିଳିନାହିଁ। ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଭାରତୀୟ ଖେଳାଳି ଡିସେମ୍ବର ୩ ତାରିଖରୁ ମୁମ୍ବାଇରେ ସଙ୍ଗରୋଧରେ ରହିବାର କାର୍ଯ୍ୟକ୍ରମ ଥିଲା। ନ୍ୟୁଜିଲାଣ୍ଡ୍ ଶୃଙ୍ଖଳାରେ ସାମିଲ ନଥିବା ରୋହିତ ଶର୍ମା, ଯଶପ୍ରୀତ୍ ବୁମରା, ଋଷଭ ପନ୍ତ୍, ମହମ୍ମଦ ସାମି, କେଏଲ୍ ରାହୁଲ ଓ ଶାର୍ଦୁଳ ଠାକୁର ପ୍ରମୁଖଙ୍କୁ କୌଣସି ସୂଚନା ଦିଆଯାଇପାରିନାହିଁ।
କୋହଲିଙ୍କ ଆଗମନ, ଦ୍ରାବିଡ଼ଙ୍କ ଦ୍ବନ୍ଦ୍ବ
ମୁମ୍ବାଇ: ନ୍ୟୁଜିଲାଣ୍ଡ୍ ବିପକ୍ଷ ପ୍ରଥମ ଟେଷ୍ଟ୍ରୁ ବିଶ୍ରାମ ନେଇଥିବା ବିରାଟ କୋହଲି ଶୁକ୍ରବାରଠାରୁ ଖେଳାଯିବାକୁ ଥିବା ଦ୍ବିତୀୟ ଟେଷ୍ଟ୍ ଲାଗି ଫେରିବେ। ଦଳର ନେତୃତ୍ବ ମଧ୍ୟ ନେବେ। ତାଙ୍କ ବଦଳରେ କାନପୁର ଟେଷ୍ଟରେ ସୁଯୋଗ ପାଇଥିବା ଶ୍ରେୟସ ଆୟର ଚମତ୍କାର ଖେଳିବା ସହ ଉଭୟ ପାଳିରେ ଶତକ ଏବଂ ଅର୍ଦ୍ଧଶତକ ଜମାଇ ବିରଳ ଭାରତୀୟ କ୍ଲବ୍ରେ ସାମିଲ ହୋଇଥିଲେ। ଏହି କାରଣରୁ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ଏବଂ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ଚୂଡ଼ାନ୍ତ ଏକାଦଶ ଚୟନ ଆହ୍ବାନ ହୋଇଛି।
ମିଳିଥିବା ସୂଚନା ଅନୁସାରେ ଦଳର ଦୁଇ ବରିଷ୍ଠ ଖେଳାଳି ଚେତେଶ୍ବର ପୂଜାରା ଓ ଅଜିଙ୍କ୍ୟ ରାହାଣେ ଖରାପ ଫର୍ମ ଦେଇ ଗତି କରୁଥିବାରୁ ଏମାନଙ୍କ ମଧ୍ୟରୁ ଜଣଙ୍କ ଉପରେ ଡିମୋକ୍ଲସ୍ ଖଣ୍ଡା ଖସିବାର ଆଶଙ୍କା ରହିଛି। କିନ୍ତୁ ଏମାନଙ୍କ ଅଭିଜ୍ଞତା ଟେଷ୍ଟ୍ କ୍ରିକେ୍ଟ ପାଇଁ ଗୁରୁତ୍ବପୂର୍ଣ୍ଣ ଥିବାରୁ ଦଳୀୟ ପରିଚାଳକ ସେମାନଙ୍କ ସପକ୍ଷରେ ମଧ୍ୟ ରହିଛନ୍ତି।
ଉଭୟ ଭାରତ ଓ ନ୍ୟୁଜିଲାଣ୍ଡ୍ ଦଳ ମୁମ୍ବାଇରେ ପହଞ୍ଚି ସାରିଛନ୍ତି। ବର୍ଷା କାରଣରୁ କିନ୍ତୁ ବୁଧବାର ଉଭୟ ଦଳର ଖେଳାଳି ନେଟ୍ ଅଭ୍ୟାସ କରିପାରିନାହାନ୍ତି। ୱାଙ୍ଖ୍ଡେ ପିଚ୍କୁ ପ୍ରସ୍ତୁତକର୍ତ୍ତା ଘୋଡ଼ାଇ ରଖିଛନ୍ତି। ବୁ୍ଧବାର ମୁମ୍ବାଇରେ ପ୍ରବଳ ବର୍ଷା ହୋଇଛି। ନ୍ୟୁଜିଲାଣ୍ଡର ମୁମ୍ବାଇ ଜନ୍ମିତ ସ୍ପିନର୍ ଏଜାଜ ପଟେଲ୍ କିନ୍ତୁ ଏବେ ଚର୍ଚ୍ଚାରେ ରହିଛନ୍ତି। ଏହି ୩୩ ବର୍ଷୀୟ ସ୍ପିନର୍ଙ୍କୁ ମୁମ୍ବାଇରେ ଥିବା ତାଙ୍କ ପରିବାର ଲୋକ ପ୍ରଥମ ଥର ପ୍ରତ୍ୟେକ୍ଷ ଭାବେ ଦେଖିବାର ସୁଯୋଗ ପାଇବେ। ୨୦୧୮ ମସିହାରେ ପଦାର୍ପଣ କରିଥିବା ଏଜାଜ ପଟେଲ୍ ନ୍ୟୁଜିଲାଣ୍ଡ୍ ପାଇଁ ୧୦ ଟେଷ୍ଟ ଖେଳି ସାରିଛନ୍ତି।