ଓମିକ୍ରନ୍ ଭୟ ସତ୍ତ୍ବେ ବଦଳିବନି ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ ସୂଚୀ

ମୁମ୍ବାଇ: ଦକ୍ଷିଣ ଆଫ୍ରିକାରେ କରୋନାର ମାରାତ୍ମକ ପ୍ରଜାତି ଓମିକ୍ରନ୍ ଚିହ୍ନଟ ହୋଇଛି। ଯାହାକୁ ନେଇ ସମଗ୍ର ବିଶ୍ବରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି। ହେଲେ ଭାରତୀୟ କ୍ରିକେଟ୍ ଦଳର ପ୍ରସ୍ତାବିତ ଦକ୍ଷିଣ ଆଫ୍ରିକା ଗସ୍ତ ସୂଚୀ ପୂର୍ବ ନିର୍ଦ୍ଧାରିତ ସମୟରେ ହେବ। ମଙ୍ଗଳବାର ଏହି ସୂଚନା ଦେଇଛନ୍ତି ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ଧୂମଲ। ସେ ମଧ୍ୟ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ ସ୍ଥାପନ କରିବାକୁ ଯାଉଥିବା ଜୈବ ବଳୟ ଭିତରେ ଭାରତୀୟ ଖେଳାଳିମାନେ ସଂପୂର୍ଣ୍ଣ ସୁରକ୍ଷିତ ରହିବେ ବୋଲି ଦୃଢ଼ ଆଶା ପୋଷଣ କରିଛନ୍ତି।

ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ୍ ଡିସେମ୍ବର ୧୭ ତାରିଖରୁ ଜୋହାନେସବର୍ଗରେ ଖେଳାଯିବାର ଅଛି। ଏଥିଲାଗି ମୁମ୍ବାଇରେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ବିତୀୟ ତଥା ଶେଷ ଟେଷ୍ଟ୍‌ର ପରେ ପରେ ଭାରତୀୟ ଖେଳାଳିମାନେ ସେହିଠାରୁ ହିଁ ସ୍ବତନ୍ତ୍ର ବିମାନ ଯୋଗେ ଜୋହାନେସବର୍ଗ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି। ଖେଳାଳିମାନେ ଡିସେମ୍ବର ୯ କିମ୍ବା ୧୦ ତାରିଖରେ ଯାତ୍ରା ଆରମ୍ଭ କରିପାରନ୍ତି।

‘‘ଆମେ ସେମାନଙ୍କ (ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ) ସହିତ ଅଛୁ। ହେଲେ ଖେଳାଳିଙ୍କ ସୁରକ୍ଷା ସହ ଆମେ କୌଣସି ସାଲିସ କରିବୁ ନାହିଁ। ଏବେ ସୁଦ୍ଧା ଭାରତୀୟ ଦଳର ଗସ୍ତସୂଚୀରେ କୌଣସି ପରିବର୍ତ୍ତନ ହୋଇନି। ଖେଳାଳିମା‌ନେ କିନ୍ତୁ ଜୈବ ବଳୟ ଭିତରେ ରହିବେ। ଯେ କୌଣସି ପ୍ରକାର ସମ୍ଭାବ୍ୟ ପରିବର୍ତ୍ତନ ନେଇ ଆମେ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ ସଂପର୍କରେ ରହିଛୁ। ଶୃଙ୍ଖଳା ବଞ୍ଚାଇବା ଲାଗି ଯାହା କିଛି କରିବାକୁ ହେବ ଆମେ କରିବୁ। ଶେଷରେ ସରକାରଙ୍କ ପରାମର୍ଶକୁ ହିଁ ଆଗ୍ରାଧିକାର ଦେବୁ’’ ବୋଲି ଏକ ସାକ୍ଷାତକାରରେ ଧୂମଲ କହିଛନ୍ତି।

ଦକ୍ଷିଣ ଆଫ୍ରିକାର ‘ସୁରକ୍ଷିତ ଜୈବ ବଳୟ’ ପ୍ରତିଶ୍ରୁତି
ଓମିକ୍ରନ୍ ଆତଙ୍କ ଭିତରେ ଭାରତୀୟ କ୍ରିକେଟ୍ ଦଳ ଦକ୍ଷିଣ ଆଫ୍ରିକା ଗସ୍ତ କରିବାକୁ ଥିବାରୁ ଏହାକୁ ନେଇ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ତେବେ ଭାରତୀୟ କ୍ରିକେଟ୍ ଦଳ ପାଇଁ ସୁରକ୍ଷିତ ଜୈବ ବଳୟ ସ୍ଥାପନ କରାଯିବ। ସେମାନଙ୍କର ସୁରକ୍ଷାକୁ ପ୍ରାଥମିକତା ଦିଆଯିବ ବୋଲି ଦକ୍ଷିଣ ଆଫ୍ରିକାର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମଙ୍ଗଳବାର ନିର୍ଭର ପ୍ରତିଶ୍ରୁତି ଦେଇଛି। ଆଜିଠାରୁ ଆରମ୍ଭ ହୋଇଥିବା ଭାରତ ‘ଏ’ ଏବଂ ଦକ୍ଷିଣ ଆଫ୍ରିକା ‘ଏ’ ଶୃଙ୍ଖଳାରେ ମଧ୍ୟ କୌଣସି ଅସୁବିଧା ହେବନି ବୋଲି ମନ୍ତ୍ରାଳୟ ବିସିସିଆଇକୁ ଆଶ୍ବାସନା ଦେଇଛି। ‘‘ଭାରତୀୟ ଦଳର ସ୍ବାସ୍ଥ୍ୟ ଓ ସୁରକ୍ଷା ଲାଗି ଦକ୍ଷିଣ ଆଫ୍ରିକା ସମସ୍ତ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବ।

ଦକ୍ଷିଣ ଆଫ୍ରିକା ‘ଏ’ ଓ ଭାରତ ‘ଏ’ ଦଳ ସହ ଉଭୟ ଦେଶର ଜାତୀୟ ଦଳ ଲାଗି ସଂପୂର୍ଣ୍ଣ ସୁରକ୍ଷିତ ‌ଜୈବ ବଳୟ ଗଠନ କରାଯିବ’’ ବୋଲି ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ କରାଯାଇଥିବା ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି। ଓମିକ୍ରନ୍‌ ବିପଦ ସତ୍ତ୍ବେ ଭାରତ ‘ଏ’ ଦଳର ଗସ୍ତକୁ ବାତିଲ କରିନଥିବାରୁ ବିସିସିଆଇକୁ ମନ୍ତ୍ରାଳୟ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି।

ସମ୍ବନ୍ଧିତ ଖବର