ହୁଲୁନବୁଇର: ଚଳିତ ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତାରେ ବିଜେତା ଭାରତର ବିଜୟ ଜାରି ରହିଛି। ରବିବାର ପ୍ରଥମ ମ୍ୟାଚ୍ରେ ଆୟୋଜକ ଚୀନ୍କୁ ୩-୦ ଗୋଲ୍ରେ ହରାଇଥିବା ଭାରତ ସୋମବାର ଜାପାନକୁ ୫-୧ ଗୋଲ୍ରେ ମାତ୍ ଦେଇଛି। ଭାରତ ପକ୍ଷରୁ ସୁଖଜିତ ସିଂହ (୨, ୬୦ ମିନିଟ୍) ଦୁଇଟି ଏବଂ ଅଭିଷେକ, ସଂଜୟ ଓ ଉତ୍ତମ ସିଂହ ପ୍ରତ୍ୟେକ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲା ବେଳେ ଜାପାନର ମାସୁମୋତୋ କାଜୁମାସା ଗୋଟିଏ ଗୋଲ୍ ଶୁଝି ପାରିଥିଲେ। ମ୍ୟାଚ୍ର ଦ୍ବିତୀୟ ମିନିଟ୍ରେ ସଂଜୟଙ୍କ କ୍ରସ୍ ପାସ୍ରେ ସୁଖଜିତ ଫିଲ୍ଡ ଗୋଲ୍ ଦେଇ ଅଭିଯାନ ଆରମ୍ଭ କରିଥିଲେ। ଏହା ପର ମିନିଟ୍ରେ ଅଭିଷେକ (୩ ମିନିଟ୍) ଭାରତକୁ ୨-୦ରେ ଅଗ୍ରଣୀ ଦେଇଥିଲେ।
ଦ୍ବିତୀୟ କ୍ବାର୍ଟରରେ ଦଳକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ସଂଜୟ (୧୭ ମିନିଟ୍) ଗୋଲ୍ରେ ପରିଣତ କରି ସ୍ଥିତି ୩-୦ କରିଦଇେଥିଲେ। ୪୧ତମ ମିନିଟ୍ରେ ଜାପାନ ପାଇଁ କାଜୁମାସା ଏକମାତ୍ର ଗୋଲ୍ ଶୁଝି ଦେଇଥିଲେ। ୫୪ତମ ମିନିଟ୍ରେ ଜର୍ମନପ୍ରୀତଙ୍କ ପାସ୍ରେ ଉତ୍ତମ ସିଂହ ଗୋଲ୍ ଦେଇଥିଲା ବେଳେ ଶେଷ ମିନିଟ୍ରେ ଅଭିଷେକଙ୍କ ସହଯୋଗରେ ସୁଖଜିତ ଗୋଲ୍ କରି ଦଳକୁ ୫-୧ରେ ବିଜୟ ଭେଟି ଦେଇଥିଲେ। ଅଭିଷେକଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ହର୍ମନପ୍ରୀତ ସିଂହଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ପରବର୍ତ୍ତୀ ମ୍ୟାଚ୍ରେ ଗତ ଥର ଉପବିଜେତା ମାଲେସିଆକୁ ବୁଧବାର ଭେଟିବ।