ଦୁବାଇ: ଦୁବାଇରେ ସ୍ପିନର୍ମାନେ ଭାରତ ପାଇଁ ଟ୍ରମ୍ପ କାର୍ଡ ସାବ୍ୟସ୍ତ ହୋଇଛନ୍ତି। ବିସ୍ମୟ ବୀର ବରୁଣ ଚକ୍ରବର୍ତ୍ତୀ ଓ କଚଟି ସ୍ପିନର କୁଲଦୀପ ୟାଦବଙ୍କ ସହ ଦୁଇ ଅଲ୍ରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା ଓ ଅକ୍ଷର ପଟେଲଙ୍କ ସ୍ପିନ୍ ଜାଲରେ ପ୍ରତିପକ୍ଷ ସବୁବେଳେ ଛନ୍ଦି ହୋଇ ଆସୁଛନ୍ତି। ଚଳିତ ଚାମ୍ପିଅନ୍ସ ଟ୍ରଫିରେ ଭାରତୀୟ ସ୍ପିନର୍ ମିଳିତ ଭାବେ ୨୧ ୱିକେଟ୍ ଅକ୍ତିଆର କରିଛନ୍ତି, ଯାହା ଅନ୍ୟ କୌଣସି ଦଳ ତୁଳନାରେ ଯଥେଷ୍ଟ ଅଧିକ। ନ୍ୟୁଜିଲାଣ୍ଡ୍ର ସ୍ପିନର୍ମାନେ ମଧ୍ୟ ଏହି କ୍ଷେତ୍ରରେ ବିଶେଷ ପଛୁଆ ନାହାନ୍ତି। ସେମାନେ ମିଳିତ ଭାବେ ୧୭ ୱିକେଟ୍ କରାୟତ୍ତ କରିଛନ୍ତି। ଅଧିନାୟକ ମିଚେଲ ସାଣ୍ଟନର୍, ମାଇକେଲ ବ୍ରେସ୍ୱେଲ୍, ରାଚିନ ରବୀନ୍ଦ୍ର ଓ ଗ୍ଲେନ୍ ଫିଲିପ୍ସ ଯେକୌଣସି ଦଳକୁ ନିଜ ଚକ୍ରବ୍ୟୂହରେ ଫଶାଇବାର ଦମ୍ ରଖନ୍ତି। ଏଣୁ ଭାରତ ପାଇଁ ରବିବାର ସ୍ପିନ୍ ଦୋମୁହାଁ ଧାର ବିଶିଷ୍ଟ ଖଣ୍ଡା ହେବାକୁ ଯାଉଛି। ଯେଉଁ ସ୍ପିନ୍ ବୋଲିଂ ବଳରେ ନ୍ୟୁଜିଲାଣ୍ଡକୁ ଭାରତ ଘାଇଲା କରିବାକୁ ଲକ୍ଷ୍ୟ ରଖିଛି, ସେହି ସ୍ପିନ୍ ବୋଲିଂ ହୁଏତ ଟିମ୍ ଇଣ୍ଡିଆ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ।
‘ରୋକୋ’ ରେଳର ଅନ୍ତିମ ଷ୍ଟେସନ୍
ଗତବର୍ଷର ଟ୍ବେଣ୍ଟି-୨୦ ବିଶ୍ବକପ୍ ଭଳି ଚଳିତ ଚାମ୍ପିଅନ୍ସ ଟ୍ରଫିରେ ଭାରତ ବିଜେତା ହେବା ଦଳର ଦୁଇ ବରିଷ୍ଠ ତାରକା ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ସଫଳତା ଉପରେ ନିର୍ଭର କରିବ। ‘ରୋକୋ’ ଭାବେ ପରଚିତ ଏହି ଦୁଇ ମହାନ ତାରକାଙ୍କ ଭିତରୁ କୋହଲି ଚଳିତ ଚାମ୍ପିଅନ୍ସ ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରି ଆସୁଛନ୍ତି। ରୋହିତଙ୍କ ବ୍ୟାଟ୍ କିନ୍ତୁ ପ୍ରାୟତଃ ଶାନ୍ତ ରହିଛି। ଏଣୁ ରବିବାର ଫାଇନାଲ୍ରେ ଜିତିବାକୁ ହେଲେ ରୋହିତଙ୍କୁ ଏକ ଭଲ ପାଳି ଖେଳିବାକୁ ହେବ। ଏହା ହୋଇପାରିଲେ ଉଭୟ ନିଜନିଜ ଗୌରବମୟ କ୍ରିକେଟ୍ କ୍ୟାରିୟର୍ରେ ଦ୍ବିତୀୟ ଥର ପାଇଁ ଚାମ୍ପିଅନ୍ସ ଟ୍ରଫି ବିଜୟର ସଫଳତାକୁ ମଧ୍ୟ ଯୋଡ଼ି ପାରିବେ। ରୋହିତ ୨୦/୩୦ ରନ୍ରୁ ଆଗେଇ ବଡ଼ ପାଳି ଖେଳିଲେ ଏହା ସମ୍ଭବ ହୋଇପାରିବ। ଉଭୟଙ୍କୁ କିନ୍ତୁ ନ୍ୟୁଜିଲାଣ୍ଡର ଆତ୍ମବିଶ୍ବାସରେ ଭରପୂର ବୋଲିଂ ବାହିନୀକୁ ସଫଳତାର ସହ ପ୍ରତିହତ କରିବାକୁ ହେବ। ବିଶେଷ କରି ମ୍ୟାଟ୍ ହେନ୍ରିଙ୍କୁ ଦେଖିଚାହିଁ ଏବଂ ସାହସର ସହ ମୁକାବିଲା କରିବାକୁ ହେବ। ହେନରି ଶତପ୍ରତିଶତ ଫିଟ୍ ଥିଲେ ଭାରତକୁ ହଇରାଣରେ ପକାଇ ପାରନ୍ତି। ‘ରୋକୋ’ଙ୍କ କ୍ୟାରିୟର୍ର ଏହା ଶେଷ ଚାମ୍ପିଅନ୍ସ ଟ୍ରଫି ହୋଇଥିବାରୁ ଏହାକୁ ସ୍ମରଣୀୟ କରିବାକୁ ଉଭୟ ନିଶ୍ଚିତ ଭାବେ ବ୍ୟଗ୍ର ଥିବେ।
ୱିଲିୟମସନ୍ ଓ ରବୀନ୍ଦ୍ରଙ୍କୁ ରୋକିବାକୁ ହେବ ଲିଗ୍ ପର୍ଯ୍ୟାୟରେ ଭାରତଠାରୁ ହାରିଥିଲେ ମଧ୍ୟ ନ୍ୟୁଜିଲାଣ୍ଡ କ୍ରିକେଟ୍ ଦଳ ଯେକୌଣସି ପ୍ରକାର ବଡ଼ ବିପର୍ଯ୍ୟୟ ସୃଷ୍ଟି କରିବାକୁ ପୂରା ସକ୍ଷମ। ଭାରତରେ ଖେଳିଥିବା ଟେଷ୍ଟ୍ ଶୃଙ୍ଖଳାରେ ଭାରତକୁ ୩-୦ରେ ହରାଇଥିବା ନ୍ୟୁଜିଲାଣ୍ଡ ଦଳର ୮ଜଣ ଖେଳାଳି ଏବେକାର ଚାମ୍ପିଅନ୍ସ ଟ୍ରଫି ଦଳରେ ରହିଛନ୍ତି। କେନ୍ ୱିଲିୟମସନ୍ଙ୍କ ସହ ଭାରତୀୟ ବଂଶୋଦ୍ଭବ ରାଚିନ ରବୀନ୍ଦ୍ର ଚମତ୍କାର ଫର୍ମରେ ଅଛନ୍ତି। ଉଭୟ ଦକ୍ଷିଣ ଆଫ୍ରିକା ବିପକ୍ଷ ସେମିଫାଇନାଲ୍ରେ ଶତକ ବି ହାସଲ କରିଛନ୍ତି। ଭାରତ ପାଇଁ କୋହଲିଙ୍କ ଛଡ଼ା ଶୁବମନ୍ ଗିଲ୍ଙ୍କ ପ୍ରଦର୍ଶନର ଢେର ମହତ୍ତ୍ବ ରହିବ। ରୋହିତ ଫର୍ମରେ ନଥିବାରୁ ଏବଂ କୋହଲିଙ୍କ ଉପରୁ ଚାପ ହଟାଇବାକୁ ହେଲେ ତାଙ୍କୁ ଅଧିକ ଦାୟିତ୍ବବାନ ହୋଇ ଏକ ବଡ଼ ପାଳି ଅର୍ଜନ କରିବାକୁ ପଡ଼ିବ। ଭାରତ ଅପରିବର୍ତ୍ତିତ ଦଳ ନେଇ ପଡ଼ିଆକୁ ଓହ୍ଲାଇବାର ସମ୍ଭାବନା ଅଧିକ। ନ୍ୟୁଜିଲାଣ୍ଡ ମଧ୍ୟ ନିଜ ଚୂଡ଼ାନ୍ତ ଏକାଦଶରେ ବଡ଼ ଧରଣର ଅଦଳ ବଦଳ କରି ନପାରେ। ବୋଲିଂ ସହ ଉଭୟ ଦଳର ବ୍ୟାଟିଂ ଗଭୀରତା ୮ ନମ୍ବର ଯାଏ ଥିବାରୁ କେହି କାହାରିକୁ ସହଜରେ ବାଟ ଛାଡ଼ିଲା ଭଳି ମନେ ହେଉଛି।
ସମ୍ଭାବ୍ୟ ଭାରତ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍, ବିରାଟ କୋହଲି, ଶ୍ରେୟସ୍ ଆୟର, ଅକ୍ଷର ପଟେଲ, କେଏଲ୍ ରାହୁଲ (ୱିକେଟ୍ ରକ୍ଷକ), ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା, କୁଲଦୀପ ଯାଦବ, ମହମ୍ମଦ ସାମି, ବରୁଣ ଚକ୍ରବର୍ତ୍ତୀ।
ସମ୍ଭାବ୍ୟ ନ୍ୟୁଜିଲାଣ୍ଡ: ୱିଲ୍ ୟଙ୍ଗ୍, ରାଚିନ ରବୀନ୍ଦ୍ର, କେନ୍ ୱିଲିୟମସନ୍, ଡାରିଲ ମିଚେଲ, ଟମ୍ ଲଥାମ (ୱିକେଟ୍ ରକ୍ଷକ), ଗ୍ଲେନ୍ ଫିଲିପ୍ସ, ମାଇକେଲ ବ୍ରେସ୍ୱେଲ୍, ମିଚେଲ ସାଣ୍ଟନର୍ (ଅଧିନାୟକ), କାଇଲ ଜାମିସନ୍, ମ୍ୟାଟ୍ ହେନରି/ଜ୍ୟାକବ୍ ଡଫି/ନାଥନ ସ୍ମିଥ୍, ୱିଲ୍ ଓ’ରର୍କି।
ଭାରତର ‘ରବିବାର ଦୁର୍ଭାଗ୍ୟ’
ରବିବାର ଖେଳିଥିବା ଆଇସିସି ଟ୍ରଫି ଫାଇନାଲ୍ରେ ଦୁର୍ଭାଗ୍ୟ ଅଧିକାଂଶ ସମୟ ଭାରତର ପିଛା କରିଛି। ଭାରତ ଯେତେଥର ରବିବାର ଖେଳିଥିବା ଆଇସିସି ଟ୍ରଫି ଫାଇନାଲ୍ ମଧ୍ୟରୁ ଥରେ ମାତ୍ର ବିଜୟୀ ହୋଇଛି। ଭାରତ ଏକମାତ୍ର ଆଇସିସି ଟ୍ରଫି ଭାବେ ୨୦୧୩ ମସିହା ଚାମ୍ପିଅନ୍ସ ଟ୍ରଫି ରବିବାର ଜିତିଥିଲା। ହେଲେ ଏହି ଫାଇନାଲ୍ ମଧ୍ୟ ବେଶ୍ ନାଟକୀୟ ଥିଲା। ରବିବାର ଆରମ୍ଭ ହୋଇଥିଲେ ମଧ୍ୟ ବର୍ଷା ବ୍ୟାଘାତ ପାଇଁ ସୋମବାରକୁ ଲମ୍ବିଥିଲା। ଆଇସିସିର ଚାରିଟି ଯାକ ସୀମିତ ଓଭର ପ୍ରତିଯୋଗିତାରେ ଭାରତକୁ ଫାଇନାଲ୍ରେ ପହଞ୍ଚାଇ ଅଧିନାୟକ ଭାବେ ରୋହିତ ଶର୍ମା ରେକର୍ଡ କରିଛନ୍ତି। ଏହି ଦୀର୍ଘ ଯାତ୍ରାର ଦୁର୍ଭାଗ୍ୟକୁ ରବିବାର ଦୂର କରିପାରିଲେ ସେ ଆଉ ଏକ କୀର୍ତ୍ତିମାନର ଅଧିକାରୀ ହେବେ। ମହେନ୍ଦ୍ର ସିଂହ ଧୋନିଙ୍କ ପରେ ସେ ଭାରତର ଦ୍ବିତୀୟ ସଫଳ ସୀମିତ ଓଭର କ୍ରିକେଟ୍ ଅଧିନାୟକ ହୋଇପାରିବେ।